ନୂଆଦିଲ୍ଲୀ: ଇଣ୍ଟରନେଟ୍ରେ ଆମେ ପୂର୍ବରୁ ଅନେକ ଡେଲିଭରି ଏଜେଣ୍ଟ୍ଙ୍କ ସଂଘର୍ଷ ଦେଖିଛେ। ବିଶେଷ କରି ଫୁଡ୍ ଡେଲିଭରି ବୟମାନେ କିପରି କଷ୍ଟ, ଯନ୍ତ୍ରଣା ସହି ଗ୍ରାହକଙ୍କ ନିକଟରେ ସେମାନେ ବରାଦ କରିଥିବା ଖାଦ୍ୟ ପହଞ୍ଚାଇ ଥାଆନ୍ତି ତାହା ଆମ ସଭିଙ୍କୁ ଅଛପା ନାହିଁ। ଖରା, ବର୍ଷା, ଶୀତକାକରରେ ଆମେ ଯେତେବେଳେ ଘରେ ରହି ଋତୁକୁ ଉପଭୋଗ କରିବାକୁ ବାହାରୁ ଖାଦ୍ୟ ମଗାଇ ଥାଆନ୍ତି, ସେମାନେ ସେତେବେଳେ କଷ୍ଟ ସହି ଆମ ପାଖରେ ଖାଦ୍ୟ ପହଞ୍ଚାଇ ନିଜ ପେଟ ପାଇଁ ଟଙ୍କା ଉପାର୍ଜନ କରୁଥାନ୍ତି। ସହଜ ନଥାଏ ସେମାନଙ୍କ ଜୀବନ। ଶୀତରେ ଅଧା ରାତିରେ ବି ଥରି ଥରି ବଜାଇ ଥାଆନ୍ତି ଗ୍ରାହକଙ୍କ ଦୁଆର ଘଣ୍ଟି, ବର୍ଷାରେ ରେନ୍କୋଟ୍ ପିନ୍ଧି ପ୍ରକୃତିକୁ ବେଖାତିର କରି ଫୁଟାଇ ଥାଆନ୍ତି ଗ୍ରାହକଙ୍କ ଓଠରେ ହସ, ଉଦୁଉଦିଆ ଖରାରେ ଘରୁ ବାହାରିବା ଅସମ୍ଭବ ଥିବା ବେଳେ ଆମ ଖୁସି ପାଇଁ ସେମାନେ ପହଞ୍ଚାନ୍ତି ଆମ ମନ ପସନ୍ଦର ଖାଦ୍ୟ।
Hats off to this man #Zomato #zomatoindia pic.twitter.com/36AyCdcPsB
— Himanshu (@himanshuk783) February 8, 2023
ନିକଟରେ ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇଛି ଜୋମାଟୋର ଜଣେ ଡେଲିଭରି ବୟଙ୍କ ଭିଡିଓ। ଭିଡିଓରେ ଯୁବକ ଜଣକ ଜୋମାଟୋ ବ୍ୟାଗ୍ ଧରି ଯାଉଛନ୍ତି। ହେଲେ ସେ ହେଉଛନ୍ତି ଜଣେ ଦିବ୍ୟାଙ୍ଗ୍। ଆପଣ ଦେଖି ପାରୁଥିବେ ଯେ ଡେଲିଭରି ବୟ ଜଣକ ଏକ ମୋଟରାଇଜ୍ ହୁଇଲ୍ ଚେୟାରରେ ବସି ଖାଦ୍ୟ ନେଇ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାକୁ ଯାଉଛନ୍ତି।
ସେ ଯାଉଥିବା ବେଳେ ବାଟରେ ଜଣେ ବାଇକ ଚାଳକ ତାଙ୍କର ଭିଡିଓ କରିଛନ୍ତି। ବାଇକ ଚାଳକ ଜଣକ ଭିଡିଓକୁ ନିଜ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର୍ କରି ‘ଏହି ବ୍ୟକ୍ତିଙ୍କ ପାଇଁ ସାଲ୍ୟୁଟ୍’ ବୋଲି ଲେଖିଛନ୍ତି। ଭିଡିଓଟିକୁ ଦେଖିବା ପରେ ଟ୍ବିଟର୍ ବ୍ୟବହାରକାରୀମାନେ ଯୁବକଙ୍କୁ ‘ବାସ୍ତବ ହିରୋ’ ବୋଲି ସମ୍ବୋଧନ କରିଛନ୍ତି।