ନୂଆଦିଲ୍ଲୀ: ଦେଶର ନାମୀ ଶିଳ୍ପପତି ରତନ ଟାଟା ତାଙ୍କ ରୋଜଗାରର ବଡ଼ଭାଗ ଗରିବଙ୍କ ସାହାଯ୍ୟ ପାଇଁ ଦାନ କରିଥାଆନ୍ତି ବୋଲି ସମସ୍ତେ ଜାଣିଛନ୍ତି। ଏମିତି ଏକ ହୃଦୟସ୍ପର୍ଶୀ କାମ ହରିୟାଣାର କୈଥଲ ଜିଲ୍ଲାରେ ବସବାସ କରୁଥିବା ଫକୀର ଚନ୍ଦ ନାମକ ଜଣେ କବାଡ଼ି ବାଲା କରି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ବୟସ ୫୩ବର୍ଷ ହେବ। ସେ ଦୀର୍ଘ ୨୫ବର୍ଷ ହେବ କବାଡ଼ି କାମ କରିବା ସହିତ ଯେତିକି ରୋଜଗାର କରି ଥାଆନ୍ତି ତାହାର ୯୦ ପ୍ରତିଶତ ସେ ଗରିବଙ୍କୁ ଦାନ କରି ଦେଇ ଥାଆନ୍ତି। ଆର୍ଥାତ ଦିନକୁ ଫକୀର ୭୦୦ରୁ ୮୦୦ଟଙ୍କା ରୋଜଗାର କରୁଥିବା ବେଳେ ନିଜ ଖର୍ଚ୍ଚ ପାଇଁ ୧୫୦ରୁ ୨୦୦ଟଙ୍କା ରଖି ବାକି ଦାନ କରି ଦେଇଥାଆନ୍ତି।
କବାଡ଼ିବାଲା ଫକୀର ଚାନ୍ଦ ଏଯାବତ ୫ଜଣ ଗରିବ ବାପାଙ୍କ ଝିଅଙ୍କ ବିବାହ କରାଇଛନ୍ତି। କେବଳ ଏତିକି ନୁହେଁ ୫ଜଣ ଝିଅଙ୍କ ବାହାଘରରେ ଫକୀର ୭୫ହଜାର ଟଙ୍କା ଖର୍ଚ୍ଚ ବି କରିଛନ୍ତି। ଏହା ବ୍ୟତୀତ ସେ ପ୍ରସିଦ୍ଧ ନୀଳକଣ୍ଠେଶ୍ବର ମନ୍ଦିରକୁ ୧୨ରୁ ୧୩ଲକ୍ଷ ଟଙ୍କା ଦାନ କରି ସାରିଛନ୍ତି। ଏତିକିରେ ଫକୀରଙ୍କ ଦାନ ସରିନାହିଁ ସେ ବୃଦ୍ଧାଶ୍ରମ ପାଇଁ ବି ୨ଲକ୍ଷ ୨୦ହଜାର ଟଙ୍କା ଖର୍ଚ୍ଚ କରି ଘର ତିଆରି କରାଇ ଦେଇଛନ୍ତି।
ଫକୀର ଚାନ୍ଦ କହନ୍ତି, ‘ମୋର ୫ ଭାଇ ଓ ଭଉଣୀ ଥିଲେ। କିନ୍ତୁ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ଏହାପରେ ମୋ ପାଖରେ ଥିବା ୧୧ଲକ୍ଷ ଟଙ୍କା ସମେତ ଭାଇ ଓ ଭଉଣୀଙ୍କ ମୃତ୍ୟୁପରେ ସେମାନଙ୍କ ସଞ୍ଚୟ ଟଙ୍କାରୁ ୨୪ଲକ୍ଷ ଟଙ୍କାକୁ ମୁଁ ଦାନ କରି ଦେଇଥିଲି। ଏହି ଦାନରୁ ମୋତେ ଯେତିକି ଶାନ୍ତି ମିଳିଛି ବୋଧ ହୁଏ ପାଖରେ ରଖିଥିଲେ ସେତିକି ଶାନ୍ତି ମିଳିପାରି ନଥାଆନ୍ତା।’