ମାଲିକ ହଠାତ୍‌ ହୃଦ୍‌ଘାତର ଶିକାର ହେବା ପରେ ଏଭଳି ଭାବରେ ଜୀବନ ବଞ୍ଚାଇଲା ପୋଷା କୁକୁର

ପୁଣେ : କୁହାଯାଏ କି ମଣିଷର ଅତି ବିଶ୍ୱସ୍ତ ବନ୍ଧୁ ହେଉଛି କୁକୁର । ନିକଟରେ ପୁଣେରେ ଘଟିଥିବା ଏକ ଘଟଣା ପୁଣି ଥରେ ଏହା ପ୍ରମାଣ କରିଛି । ୬୫ବର୍ଷୀୟ ବୃଦ୍ଧ ହଠାତ୍‌ ହୃଦ୍‌ଘାତର ଶିକାର ହେବା ପରେ ଘରେ ଥିବା ପୋଷା କୁକୁର ବ୍ରାଉନି ଯେଉଁ ଭଳି ଭାବରେ ତାଙ୍କ ଜୀବନ ବଞ୍ଚାଇଥିଲା ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Indiatimes.com

ସୂଚନା ମୁତାବକ, ବୃଦ୍ଧ ରମେଶ ନିଜ ଘରେ ରଖିଥିବା କୁକୁର ବ୍ରାଉନିକୁ ପଡ଼ୋଶୀ ଅମିତ୍‌ ଖାଇବାକୁ ଦେବାକୁ ଆସିଥିଲେ । କିନ୍ତୁ ବ୍ରାଉନି ଖାଇବାକୁ ମନା କରି ଦେବା ସହ ଆଗକୁ ଚାଲି ଚାଲି ଯାଇଥିଲା । ଅମିତ୍‌ ତାଙ୍କ ପଛେ ପଛେ ଯିବା ପରେ ବ୍ରାଉନି ରମେଶଙ୍କ ରୁମ୍‌ ଆଗରେ ଅଟକି ଯାଇଥିଲା । ଏହା ପରେ ସେ ନିଜ ଗୋଡ଼ କବାଟ ଫାଙ୍କରେ ଭର୍ତ୍ତି କରି ଟାଣିବାକୁ ଲାଗିଥିଲା । ପ୍ରଥମେ ଅମିତ୍‌ କିଛି ବୁଝି ପାରି ନ ଥିବା ବେଳେ ପରେ ସେ କବାଟ ଫାଙ୍କରେ ରମେଶଙ୍କୁ ତଳେ ପଡ଼ିଥିବାର ଦେଖିଥିଲେ । ଏହା ପରେ ଅମିତ୍‌ କବାଟ ଭାଙ୍ଗି ରମେଶଙ୍କୁ ତୁରନ୍ତ ଡ଼ାକ୍ତରଖାନା ନେଇଥିଲେ । ଚିକିତ୍ସା ପରେ ଏବେ ରମେଶଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି । ଘଟଣା ଘଟିବା ସମୟରେ ରମେଶଙ୍କ ଘରେ କେହି ନ ଥିଲେ । ଯଦି ଠିକ୍‌ ସମୟରେ ବ୍ରାଉନି ଅମିତ୍‌ଙ୍କୁ ଜଣାଇ ନ ଥାନ୍ତା,ତେବେ ରମେଶ ନିଜ ଜୀବନ ହରାଇଥାନ୍ତେ ।

ସମ୍ବନ୍ଧିତ ଖବର