ନୂଆଦିଲ୍ଳୀ: ଉତ୍ତର ଭାରତରେ ଏବେ ହାଡ଼ଭଙ୍ଗା ଶୀତ ହେଉଥିବା ବେଳେ ଜଣେ ଯୁବକଙ୍କ ଅଦ୍ଭୂତ କାଣ୍ଡ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ହାଡ଼ଭଙ୍ଗା ଶୀତରେ ଲୋକ ଘରୁ ବାହାରିବା ଅସମ୍ଭବ ହୋଇ ପଡ଼ିଥିବା ବେଳେ ଜଣେ ଯୁବକ ଥଣ୍ଡା ପାଣିରେ ପର ପାଇଁ ୧୦ ଟଙ୍କା ବଦଳରେ ବୁଡ଼ ମାରିବା କଥା କହୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି।
ଭାଇରାଲ୍ ଭିଡିଓରେ ଯୁବକ ଜଣକ କହୁଥିବାର ଦେଖିବାକୁ ମିଳିଛି ଯେ ‘ଆସ। ଆପଣଙ୍କ ପାଇଁ ମୁଁ ବୁଡ଼ ମାରିବି। ଆପଣ ନିଜ ନାମ ମୋତେ କହିବେ। ଆପଣ ମାତ୍ର ମୋତେ ୧୦ ଟଙ୍କା ଦେବେ। ଆପଣଙ୍କ ଧର୍ମ ଆପଣଙ୍କର। ମାତ୍ର ଆପଣ ଯୋଉ ୧୦ ଟଙ୍କା ଦେବେ ତାହା ମୋର।’ ଭିଡିଓଟିକୁ ଆଶୁତୋଷ ଶୁକ୍ଲ ନାମକ ଜଣେ ବ୍ୟକ୍ତି ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ପୋଷ୍ଟ୍ କରିବା ପରେ ଭିଡିଓଟି ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଆଶୁତୋଷ ଶୁକ୍ଲ ଭିଡିଓଟିକୁ ସେୟାର କରି ‘ନୂଆ ରୋଜଗାର’ ବୋଲି କ୍ୟାପ୍ସନ୍ରେ ଲେଖିଛନ୍ତି।
नया रोज़गार 😁 pic.twitter.com/c3QpRb4BQh
— आशुतोष शुक्ल (@ashutoshvshukla) December 23, 2022
ଥଣ୍ଡାରେ ଲୋକେ ଘରେ ଗାଧେଇବାକୁ ପଛଘୁଞ୍ଚା ଦେଉଥିବା ବେଳେ ସେ ପର ପାଇଁ ୧୦ ଟଙ୍କା ବଦଳରେ ବୁଡ଼ ଦେବାକୁ କହୁଥିବା କଥା ସଭିଙ୍କୁ ଚକିତ କରିଛି। ଏହି ଭିଡିଓଟିର ଏବେ ସୁଦ୍ଧା ୭୦ ହଜାର ଭିୟୁ ହୋଇ ସାରିଲାଣି। ଏକ ହଜାରରୁ ଅଧିକ ଲାଇକ୍ ହୋଇ ସାରିଲାଣି। ତେବେ ଭିଡିଓରେ ଯୁବକ ଜଣକ ନଦୀ କୂଳର ଏକ ରୋଲିଂରେ ବସିଥିବା ବେଳେ ଏହା କେଉଁ ନଦୀ ତାହା ସ୍ପଷ୍ଟ ହୋଇ ନାହିଁ।