ନୂଆଦିଲ୍ଲୀ: ବାପା ଓ ମା’ଙ୍କ ପାଇଁ ତାଙ୍କ ପିଲା ହିଁ ସବୁକିଛି ହୋଇଥାଆନ୍ତି। ପିଲାଙ୍କ ଖୁସି ପାଇଁ ବାପା ଓ ମା’ ନିଜ ଜୀବନକୁ ବାଜି ଲଗାଇ ଦେଇଥାଆନ୍ତି। ଆଜିକାଲି ପିଲାମାନେ ପାଠପଢ଼ା ପାଇଁ ହେଉ ଅବା ଚାକିରି ପାଇଁ ଦେଶ ଛାଡ଼ି ବାହାରକୁ ଚାଲି ଯାଉଛନ୍ତି। ଏଭଳି ପରିସ୍ଥିତିରେ ବାପା ଓ ମା’ଙ୍କୁ ଛୁଆଙ୍କ ଠାରୁ ଦୂରରେ ରହିବାକୁ ପଡ଼ୁଛି। ନିକଟରେ ବାପା ଓ ଝିଅଙ୍କ ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି।
ବାପା ସାତ ସମୁଦ୍ର ପାର କରି ଦେଶ ବାହାରେ ରହୁଥିବା ଝିଅକୁ ହଠାତ ଭେଟିବାକୁ ଚାଲି ଯାଇଥିଲେ। ବାପାଙ୍କୁ ହଠାତ ନିଜ ଆଖି ସାମ୍ନାରେ ଦେଖି ଝିଅ ଭାବବିହ୍ବଳ ହୋଇପଡ଼ିଥିଲେ। ଆଉ ଆଲିଙ୍ଗନ କରି ପକାଇଥିଲେ। ଏହି ହୃଦୟସ୍ପର୍ଶୀ ଘଟଣାର ଭିଡିଓକୁ ଝିଅ ନିଜେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।
ଇନଷ୍ଟାଗ୍ରାମରେ ଏହି ଭାବବିହ୍ବଳ ଘଟଣାର ଭିଡିଓ ସେୟାର କରି ଝିଅ ଲେଖିଛନ୍ତି, ‘ଯେତେବେଳେ ମୁଁ ମୋ ବାପାଙ୍କୁ ଆଖି ସାମ୍ନାରେ ଦେଖିଥିଲି। ମୋର ମନ ଖୁସି ହୋଇଯାଇଥିଲା। ଆଖିରେ ଲୁହ ଭରି ଯାଇଥିଲା। ବାପା ଭାରତରୁ କାନ୍ନାଡା ଆସି ମୋତେ ସରପ୍ରାଇଜ ଦେଇଥିଲେ। ଏହା ମୋର ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ଥିଲା। ଯାହାକି ମୋର ସ୍ମୃତି ହୋଇରହିବ। ମୁଁ କାମ କରୁଥିବା ଷ୍ଟୋର ଭିତରେ ବାପାଙ୍କୁ ହଠାତ ଦେଖି କିଛି ବୁଝି ପାରି ନଥିଲି। ଏହା ସ୍ବପ୍ନ ଦେଖୁଛି ନା ବାସ୍ତବରେ ଘଟିଛି ମୁଁ ଜାଣି ପାରି ନଥିଲି। ବାପା ମୋ ପାଖରେ ପହଞ୍ଚିବା ପରେ ଯେମିତି ଲାଗିଲା ଦୁନିଆର ସବୁ ଖୁସି ମୋ ପାଖରେ ଆସି ଠୁଳ ହୋଇଯାଇଛି।’