ନିଜ ଜୀବନକୁ ବାଜି ଲଗାଇ ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକଙ୍କ ଜୀବନ ବଞ୍ଚାଇଲେ ରେଳ କର୍ମଚାରୀ

ନୂଆଦିଲ୍ଲୀ: ଟ୍ରେନର ଛାତ ଉପରକୁ ଚଢ଼ି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ଜଣେ ଯୁବକଙ୍କୁ ରେଳ କର୍ମଚାରୀ ମୃତ୍ୟୁମୁଖରୁ ବଞ୍ଚାଇ ଦେଇଛନ୍ତି। ଉଦ୍ଧାର କରିବାର ଦୃଶ୍ୟକୁ ରେଳ ମନ୍ତ୍ରଣାଳୟ ଦ୍ୱାରା ଅନଲାଇନରେ ସେୟାର କରାଯାଇଛି।

ମନ୍ତ୍ରଣାଳୟ କହିଛି ଯେ ବିହାରର ଦାନାପୁର ରେଳ ଷ୍ଟେସନରେ ଟିକେଟ୍ ଚେକିଂ କରୁଥିବା କର୍ମଚାରୀ ଜଣେ ବ୍ୟକ୍ତିଙ୍କୁ  ରେଳ ଇଞ୍ଜିନ ଉପରକୁ ଚଢ଼ି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ  ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।

ରେଳ ମନ୍ତ୍ରଣାଳୟ ଟ୍ୱିଟରରେ ଲେଖିଛି, ‘ଭାରତୀୟ ରେଳ କର୍ମଚାରୀମାନେ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପୂର୍ବ ମଧ୍ୟ ରେଳର ଦାନାପୁର ଷ୍ଟେସନରେ ଟିକେଟ୍ ଯାଞ୍ଚ କରୁଥିବା କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ଜଣେ ଯୁବକଙ୍କ ଜୀବନ ବଞ୍ଚାଇଛନ୍ତି।

 

୨୯ ସେକେଣ୍ଡ ଭିଡିଓ କ୍ଲିପରେ ଜଣେ ରେଳ କର୍ମଚାରୀ ଧଳା ସାର୍ଟ ଓ ସ୍ଲିଙ୍ଗ ବ୍ୟାଗ ସହିତ ଇଞ୍ଜିନ ଉପରକୁ ଚଢ଼ି ଟ୍ରେନ ଛାତରେ ବସିଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଦେଖିବାକୁ ମିଳୁଛି। ଉକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ସେ ଯୁବକଙ୍କ ବେକରେ ଗାମୁଛା ପକାଇ ତଳକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଯୁବକ ଜଣକ ଯେମିତି ହିଁ ପ୍ଲାଟଫର୍ମକୁ ଆସିଥିଲେ ଚେତାଶୂନ୍ୟ ହୋଇଯାଇଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର