ବାରମ୍ବାର ଅସ୍ତ୍ରୋପଚାର ପରେ ସିଧା ହୋଇ ଛିଡ଼ା ହେଲେ ୨୮ବର୍ଷ ଧରି ବଙ୍କା ହୋଇ ରହିଥିବା ଏହି ଯୁବକ, ଜାଣନ୍ତୁ କେଉଁ ରୋଗର ଶିକାର ହୋଇଥିଲେ

ନୂଆଦିଲ୍ଲୀ: ଚୀନର ହୁନାନରେ ଲି’ ହୁଆ ନାମକ ଜଣେ ବ୍ୟକ୍ତିଙ୍କ ଶରୀରରେ ଅସ୍ତ୍ରୋପଚାର ପରେ ଆସିଥିବ‌ା ବଡ଼ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଦୀର୍ଘ ୨୮ବର୍ଷ ଧରି ଲି’ ହୁଆ ବଙ୍କା ହୋଇ ରହିଥିବା ବେଳେ ତାଙ୍କ ମୁହଁ  ଦୁଇ ଜଙ୍ଘରେ ଲାଗି ରହିଥିଲା। ଯାହା ଦ୍ବାରା ତାଙ୍କୁ ଖାଇବା ପିଇବା ସହ ଚଲାବୁଲା କରିବାରେ ମଧ୍ୟ ଅସୁବିଧା ହେଉଥିଲା। ୨୮ବର୍ଷ ଧରି ଲି’ ଏଭଳି ଯନ୍ତ୍ରଣା ଭୋଗିବା ପରେ ଏବେ ତାଙ୍କୁ ମୁକ୍ତି ମିଳିଛି। ଏକାଧିକ ବାର  ଅସ୍ତ୍ରୋପଚାର ପରେ ଏବେ ସେ ସିଧା ହୋଇ ଛିଡ଼ା ହେବାକୁ ସକ୍ଷମ ହୋଇଛନ୍ତି। ତେବେ ସେ ‘ଆଙ୍କୋଲୋସିଙ୍ଗ ସ୍ପଣ୍ଡିଲାଇଟିସ୍’ ରୋଗର ଶିକାର ହୋଇଥିବା କହିଛନ୍ତି ଡାକ୍ତର।

ସୂଚନା ମୁତାବକ, ୧୯୯୧ରେ ତାଙ୍କୁ ୧୮ବର୍ଷ ହୋଇଥିବା ବେଳେ ଏହି ରୋଗର ଶିକାର ହେବାକୁ ପଡ଼ିଥିଲା। ଯାହାଦ୍ବାରା ସେ ଧିରେ ଧିରେ ବଙ୍କା ହୋଇଯିବା ସହ ତାଙ୍କ ମୁଣ୍ଡ  ଜଙ୍ଘରେ ଲାଗି ଯାଇଥିଲା। ଏଭଳି ରୋଗ ତ୍ରୁଟିପୂର୍ଣ୍ଣ ଜିନ୍ ପାଇଁ ହୁଏ ବୋଲି ଲି’ଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଓ ହୁଇରେନ ଜଣାଇଛନ୍ତି।

indiatimes.com

ସୂଚନା ମୁତାବକ, ୧୯୯୧ରେ ଲି’ଙ୍କର ଏଭଳି ସମସ୍ୟା ଆରମ୍ଭ ହୋଇଥିବା ବେଳେ ୫ବର୍ଷ ପୂର୍ବରୁ ସ୍ଥିତି ଗମ୍ଭୀର ହୋଇଥିଲା। ଏଥିସହ ଶରୀରରେ ଅସହ୍ୟ ଯନ୍ତ୍ରଣାକୁ ସହି ପାରି ନ ଥିଲେ ଲି‘। ଚିକିତ୍ସା ଲାଗି ତାଙ୍କ ପରିବାର ଲୋକେ ସେନଜେନ୍ ୟୁନିଭରସିଟି ଜେନେରାଲ ହସ୍ପିଟାଲର ସ୍ପାଇନାଲ ସର୍ଜରୀ ଆଣ୍ଡ ଅର୍ଥୋପେଡିକ୍ସର ମୁଖ୍ୟ ତାଓ ହୁଇରେନଙ୍କୁ ଭେଟିଥିଲେ। ପୂର୍ବରୁ ଏଭଳି ଅନେକ ରୋଗୀଙ୍କୁ ଦେଖିଥିଲେ ମଧ୍ୟ ଲି’ଙ୍କ ଅବସ୍ଥା ସବୁଠାରୁ ଗମ୍ଭୀର ଜାଣି ତାଓ ଅସ୍ତ୍ରୋପଚାର ହିଁ ଏକମାତ୍ର ବାଟ ବୋଲି କହିଥିଲେ। ଏହା ପରେ ଲି’ଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ଅନେକ ସର୍ଜରୀ ପରେ ଏବେ ସେ ସିଧା ଠିଆ ହୋଇ ପାରୁଥିବା ବେଳେ ୱାକର ସାହାଯ୍ୟରେ ଚାଲିବା ଆରମ୍ଭ କରିଛନ୍ତି। ଆଗାମୀ ୩ ମାସ ମଧ୍ୟରେ ସେ ୱାକର ବିନା ଚାଲି ପାରିବେ ବୋଲି ଡାକ୍ତର ତାଓ କହିଛନ୍ତି।

ସମ୍ବନ୍ଧିତ ଖବର