ନୂଆଦିଲ୍ଲୀ: କଥାରେ ଅଛି ମଣିଷ ପରିସ୍ଥିତି ସହିତ ଯୁଦ୍ଧ କରି ବଞ୍ଚିବା ଶିଖିଥାଏ। ଆଉ ଯିଏ ପରିସ୍ଥିତି ଆଗରେ ହାର ମାନି ଯାଇଥାଏ ସେ ଜୀବନରେ ଆଗକୁ ବଢ଼ି ପାରି ନଥାଏ। ଏମିତି ଜଣେ ରିକ୍ସା ଚାଳକଙ୍କ କାହାଣୀ ସୋସିଆଲ ମିଡିଆ‌ରେ ଭାଇରାଲ ହେଉଛି। ତାଙ୍କର ହାତ ନାହିଁ କି ଗୋଡ଼ ନାହିଁଁ। ସେ ଏଭଳି ପରିସ୍ଥିତିରେ ଭାଙ୍ଗି ପଡ଼ି ନାହାନ୍ତି ବରଂ ନିଜେ ରୋଜଗାର କରି ପରିବାର ଚଳାଉଛନ୍ତି।

Advertisment

ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ହାତ ଓ ଗୋଡ ନଥାଇ ଜଣେ ବ୍ୟକ୍ତି ରିକ୍ସା ଚଳାଉଥିବା ଦେଖିବାକୁ ମିଳୁଛି। ଯଦିଓ ତାଙ୍କର ଦୁଇ ହାତ ଏବଂ ଦୁଇ ଗୋଡ ନାହିଁ। ତଥାପି ତାଙ୍କ ମନ‌ରେ ଦୁଃଖ ନାହିଁ।

ଦିବ୍ୟାଙ୍ଗ ଜଣକ ଏପରି ରିକ୍ସାକୁ ୫ବର୍ଷ ଧରି ଚଲାଇ ଆସୁଛନ୍ତି। ସେ କାହା ଉପରେ ବୋଝ ନହୋଇ ନିଜ ଯୋଗାଡ଼ରେ ଏକ ରିକ୍ସା ତିଆରି କରି ତାକୁ ଚଲାଉଛନ୍ତି। ଆଉ ସେ ଏହି ରିକ୍ସା ଚଲାଇ ତାଙ୍କ ପତ୍ନୀ, ଦୁଇ ପିଲା ଏବଂ ପିତାଙ୍କ ପେଠକୁ ଦୁଇମୁଠା ଖାଇବାକୁ ଦେଇ ପାରୁଛନ୍ତି।

ଏହି ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ନିଜେ ଏହି ବ୍ୟକ୍ତିଙ୍କ ଭିଡିଓ ସେୟାର କରିଛନ୍ତି। ସେ ଏହି ବ୍ୟକ୍ତିଙ୍କ ଜୀବନର ସଂଘର୍ଷ ଦେଖି ଆଉ ରହି ପାରି ନଥିଲେ। ତାଙ୍କୁ ଚାକିରି ଦେବାକୁ ଘୋଷଣା କରିଛନ୍ତି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଥର ଦେଖାଯାଇଛି।