‘ମନାଲି’ର ମହକ ବର୍ଷସାରା ରହିଥାଏ !

ହିମାଚଳ ପ୍ରଦେଶର ‘ମନାଲି’ ଦେଖିବା ବିନା ସେହି ରାଜ୍ୟର ଭ୍ରମଣ ଅଧୁରା। କୁଲୁୂଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ରାମଶିଳା ନାମକ ଏକ ସ୍ଥାନ ଅଛି । ଏଠାରୁ ପ୍ରାୟ ସତର କିଲୋମିଟର ଦୂରରେ ‘ ବିଜଲି ମହାଦେବ’ ଙ୍କ ମନ୍ଦିର ରହିଛି । ଏହା ଏକ ବିସ୍ମୟ ଜନକ ମନ୍ଦିର । ଏହା ସମୁଦ୍ର ପତନ ଠାରୁ ପ୍ରାୟ ୨୬୪୦ ମିଟର ଉଚ୍ଚରେ ଅବସ୍ଥିତ । ଏମନ୍ଦିର ପରିସରରୁ ଆପଣ କୁଲୁୂ ଘାଟିର ଶୋଭା ଦର୍ଶନ କରିପାରିବେ ।

ସେଠାରୁ ଷୋହଳ କିଲୋମିଟର ଆଗକୁ ଗଲେ ‘ ରାୟସନ’ ନାମକ ସ୍ଥାନ ପଡ଼େ । ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଆରାମ କରିବାର ପ୍ରକୃଷ୍ଟ ସ୍ଥଳ । ବ୍ୟାସନଦୀ କୂଳରେ ଏହି ସ୍ଥାନ ଅବସ୍ଥିତ । ତଲିକୁଲରେ ପହଞ୍ଚିବା ପରେ ଆପଣଙ୍କୁ ଥରେ ପୁଣି ବ୍ୟାସନଦୀ ପାର ହୋଇ ପାଞ୍ଚ କିଲୋମିଟର ଦୂର ଯାଏଁ ଯାତ୍ରା କରିବାକୁ ପଡିବ, ଯେଉଁଠାରେ ପଡିବ ଐତିହାସିକ ସ୍ଥଳ ‘ ନଗ୍‌ଗର’ ।

କୁହାଯାଏ ଯେ ଏଠାରେ ମହର୍ଷି ବ୍ୟାସଙ୍କ ପରାମର୍ଶ କ୍ରମେ ଅର୍ଜୁନ ପଶୁପତି ଅସ୍ତ ପ୍ରାପ୍ତ କରିବା ପାଇଁ ତପସ୍ୟା କରିଥିଲେ । ସେଠାରୁ ଆଗକୁ ୪ ରୁ ୫ କିଲୋମିଟରର ଯାତ୍ରା କରିବା ପରେ ‘ ମନାଲି’ରେ ପହଞ୍ଚିବାକୁ ପଡିଥାଏ ।

‘ମନାଲି’ର ମହକ ବର୍ଷସାରା ରହିଥାଏ। ଶୀତ ହେଉ ବା ଗ୍ରୀଷ୍ମ ଋତୁ ହେଉ ସବୁ ସମୟରେ ଏଠାରେ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗିଥାଏ । ଏହା ରାସ୍ତା ଗୁଡିକର ଉଭୟ ପାର୍ଶ୍ୱରେ ଦେବଦାରୁ ବୃକ୍ଷ ଦେଖିବାକୁ ମିଳେ । ଆପଣ ପାହାଡ ଉପରେ ଥିବା ଦେବୀ ହିଡିମ୍ବାଙ୍କ ଦର୍ଶନ କରି ତାଙ୍କର ଆର୍ଶୀବାଦ ପ୍ରାପ୍ତ କରିପାରନ୍ତି । ପାଗୋଡା ଶୈଳୀରେ ନିର୍ମିତ ଏହି ମନ୍ଦିର ଭିତରେ ଆପଣଙ୍କୁ ପଥରରେ ଦେବୀ ହିଡିମ୍ବାର ଚରଣର ଚିହ୍ନ ଦେଖିବାକୁ ମିଳିଥାଏ । ଏହି ମନ୍ଦିରର ନିର୍ମାଣ ୧୫୫୩ ମସିହାରେ ରାଜା ବାହାଦୂର ସିଂ କରିଥିଲେ । ମନ୍ଦିରର ମୁଖ୍ୟଦ୍ୱାରରେ ଥିବା ପଶୁମାନଙ୍କର ବଡବଡ ଶହଶହ ବର୍ଷର ପୁରୁଣା ସିଙ୍ଗ ଆପଣଙ୍କୁ ବିସ୍ମିତ କରିପାରେ ।

ଆପଣ ଏକ କିଲୋମିଟର ଉପରକୁ ଯିବା ପରେ ପୁରୁଣା ମନାଲି ସହିତ ମନୁ ମନ୍ଦିର ମଧ୍ୟ ଦେଖିବାକୁ ପାଇବେ । ବିଶ୍ୱାସ ରହିଛି ଯେ ଯେତେବେଳେ ସମଗ୍ର ସଂସାର ଜଳରେ ଡୁବି ଯାଇଥିଲା, ସେତେବେଳେ ମନୁ ନିଜର ଡଙ୍ଗାରେ ପ୍ରାଣ ରକ୍ଷା କରିବାକୁ ଯାଉଥିଲେ । ଏହି ସମୟରେ ତାଙ୍କ ଡଙ୍ଗା ଏହି ପାହାଡରେ ଅଟକି ଥିଲା ଏବଂ ସେଠାରୁ ପୁଣି ଥରେ ସେ ପୃଥିବୀରେ ଜୀବନର ଶୁଭାରମ୍ଭର ମଂଜି ବୁଣି ଥିଲେ ।

କିପରି ଯିବେ- କୁଲୁୂ ଯାଏଁ ଆପଣ ନିଜର ଗାଡ଼ି ବା ବସ୍‌ ରେ ଯାତ୍ରା କରିପାରିବେ । ଦିଲ୍ଲୀରୁ କୁଲୁୂ ସଡକ ମାର୍ଗରେ ୫୩୦ କିଲୋମିଟର, ଚଣ୍ଡିଗଡରୁ କୁଲୁୂ୨୮୦ କିଲୋମିଟର, ପଠାନ୍‌କୋଟ୍‌ ରୁ ୨୮୫ କିଲୋମିଟର ଏବଂ ସିମ୍‌ଲା ଠାରୁ ୨୨୦ କିଲୋମିଟର ଦୂର । କୁଲୁୂର ନିକଟତମ ବିମାନବନ୍ଦର ହେଲା ଭୂଂତର , ଯାହାର ଦୂରତା ମାତ୍ର ଦଶ କିଲୋମିଟର । ନିକଟସ୍ଥ ସୁବିଧାଜନକ ରେଳଷ୍ଟେସନ୍‌ ହେଲା ଜୋଗିନ୍ଦ୍ରନଗର, ସିମ୍‌ଲା ଓ କାଲକା । ଏଠାରୁ ଆପଣ ମନାଲିରେ ପହଞ୍ଚି ପାରିବେ।

 

ସମ୍ବନ୍ଧିତ ଖବର