‘ ଗତ ଏପ୍ରିଲ୍ ୪ ତାରିଖ ଦିନ ଥିଲା ପୁଅର ଜନ୍ମଦିନ। ୧୪ବର୍ଷର ପୁଅ ଜନ୍ମଦିନକୁ ତା’ ସାଙ୍ଗସାଥୀ ମେଳରେ ପାଳନ କରିବା ପାଇଁ ଯୋଜନା କରିଥିଲୁ। ହେଲେ, କରୋନା ଯୋଗୁ ସବୁକିଛି ଓଲଟପାଲଟ ହୋଇଗଲା। ଜନ୍ମଦିନ ପାଳନ ହେଲା ମାତ୍ର ଆମ ପରିବାର ଭିତରେ ଏହା ସୀମିତ ରହିଲା। ଏଥିପାଇଁ ପରିସ୍ଥିତି ଆମକୁ ବାଧ୍ୟ ବି କରିଥିଲା,’ ବୋଲି କହିଛନ୍ତି ସିଙ୍ଗାପୁରରେ ରହୁଥିବା ପ୍ରବାସୀ ଓଡ଼ିଆ ମାନସକୁମାର ମହାପାତ୍ର।
କରୋନା ପାଇଁ ପୁଅ ଜନ୍ମଦିନର ଉତ୍ସବ ଫିକା ପଡ଼ିବା ଶ୍ରୀ ମହାପାତ୍ର ଓ ତାଙ୍କ ପରିବାରକୁ ଦୁଃଖିତ କରିଛି। ମାତ୍ର, କରୋନା ପାଇଁ ଫିକା ପଡ଼ିଯାଇଥିବା ସାରାପୃଥିବୀର ଚିତ୍ରପଟକୁ ନେଇ ସେ ବି ବ୍ୟସ୍ତ ଓ ବିବ୍ରତ ‘ସମ୍ବାଦ’ ସହ କଥା ହେଲାବେଳେ କହିଛନ୍ତି ଶ୍ରୀ ମହାପାତ୍ର। ଶ୍ରୀ ମହାପାତ୍ର ସିଙ୍ଗାପୁରଠାରେ ଆଇଟି କନ୍ସଲ୍ଟାଣ୍ଟ ଭାବେ କାର୍ଯ୍ୟକରୁଛନ୍ତି। ବାଲେଶ୍ବର ହେଉଛି ତାଙ୍କ ଘର। ଗତ ଫେବ୍ରୁଆର ମାସରେ ବାଲେଶ୍ବରକୁ ଆସି ସିଙ୍ଗାପୁରକୁ ଫେରିବାବେଳେ ସବୁକିଛି ଠିକ୍ଠାକ୍ ଥିଲା। ଠିକ୍ ତା’ପରେ ପରେ ସବୁକିଛି ଯେମିତି ତ୍ବରିତ୍ ବେଗରେ ବଦଳିଗଲା, ଯଦିଓ ସିଙ୍ଗାପୁରରେ କରୋନାଜନିତ ପ୍ରଭାବ ଅପେକ୍ଷାକୃତ କମ୍ ରହିଛି।
‘ସମ୍ବାଦ’କୁ ଏ ସମ୍ପର୍କରେ ସୂଚନାଦେଇ କହିଛନ୍ତି ଯେ, ‘ ସିଙ୍ଗାପୁରରେ କରୋନା ଭୂତାଣୁ କୋଭିଡ୍-୧୯ର ଗତି ବେଶ୍ ମନ୍ଥର ରହିଛି। ଆଜି ଅର୍ଥାତ୍ ୯ ତାରିଖ ଦିନ ୧୦୦ଟି ପଜିଟିଭ୍ ସାମ୍ଲା ସାମ୍ନାକୁ ଆସିଛି, ଯାହାକି ଗୋଟିଏ ଦିନରେ ସର୍ବାଧିକ। ତଥାପି, ସିଙ୍ଗାପୁର ସରକାର ଗୋଟିଏ ମାସ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି । କରୋନାକୁ ରୋକିବା ପାଇଁ ଏହାକୁ ସ୍ଥାନୀୟ ଭାଷାରେ କୁହାଯାଉଛି ସର୍କିଟ୍ ବ୍ରେକର୍। ଏଠି ପୁଲିସ୍ କିନ୍ତୁ ବାହାରେ ଦଣ୍ଡା ଧରି ଜଗି ରହୁନି। ଆଉଟ୍ଲେଟ୍ ଓ ସୁପର୍ମାର୍କେଟ୍ ଖୋଲା ରହିଛି। ତେଣୁ ଲୋକମାନଙ୍କୁ ବେଶି ହଇରାଣ ହେବାକୁ ପଡ଼ୁନି।’
‘ଅଫିସ୍ରେ କିନ୍ତୁ ୮୦% କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କୁହାଯାଉଛି। ତେଣୁ ପ୍ରାୟତଃ,ଅଫିସ୍ କାମ ଘରେ ରହି କରିବାକୁ ପଡ଼ୁଛି। ଏବଂ, ପରିବାର ସହିତ ସମୟ ବିତାଇବା ପାଇଁ ମଧ୍ୟ ସୁଯୋଗ ମିଳୁଯାଉଛି,’ ବୋଲି କହିଛନ୍ତି ଶ୍ରୀ ମହାପାତ୍ର।
ଭାରତ ତଥା ଓଡ଼ିଶା ସମ୍ପର୍କରେ ଖବର ରଖିଥିବା କହିଛନ୍ତି ଶ୍ରୀ ମହାପାତ୍ର। ସେ କହିଛନ୍ତି ଯେ, ‘ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନାର ମୁକାବିଲା କରିବା ପାଇଁ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାସତ୍ତ୍ବେ ବି ଲକ୍ଡାଉନ୍କୁ କଡ଼ାକଡ଼ି ପାଳନ କରିବା ଉଚିତ। ଆଜି ରାଜ୍ୟ ସରକାର ଲକ୍ଡାଉନ୍କୁ ଆସନ୍ତା ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧିକରିବା ହେଉଛି ଏକ ଉଚିତ ପଦେକ୍ଷପ। ମାତ୍ର, ଲୋକମାନେ ଏଥିପ୍ରତି ଆତଙ୍କିତ ହେବା ଉଚିତ୍ ନୁହେଁ। ଆମେ ପରସ୍ପରକୁ ସାହାଯ୍ୟ କରିବା ଏବଂ ନିଶ୍ଚିତ କରୋନାଭୂତାଣୁକୁ ମୁକାବିଲା କରିପାରିବା।
‘ଭାରତ କିମ୍ବା ଓଡ଼ିଶା ଭଳି ପରିସ୍ଥିତି ସିଙ୍ଗାପୁରରେ ନାହିଁ ସତ କରୋନା ଯୋଗୁ ମୋ ପରିବାର ଏବେ ବାଲେଶ୍ବର ଓ ଭୁବନେଶ୍ବରରେ ଦୁଇଭାଗ ହୋଇ ରହିଯାଇଛନ୍ତି। ସେଥିପାଇଁ ମୁଁ ଚିନ୍ତିତ ଏବଂ ଏଠାରେ ରହି ସମସ୍ତ ଓଡ଼ିଆଙ୍କ ପାଇଁ ମଧ୍ୟ ଚିନ୍ତିତ ଥିବା’ ‘ସମ୍ବାଦ’କୁ କହିଛନ୍ତି ଶ୍ରୀ ମହାପାତ୍ର।
ମାନସ କୁମାର ମହାପାତ୍ର
ଆଇଟି କନ୍ସଲ୍ଟାଣ୍ଟ, ସିଙ୍ଗାପୁର