ଭୁବନେଶ୍ୱର: କିଛି ଦିନ ତଳେ ହଲ୍ଲା ମଚେଇ ଥିବା ଡାକ୍ତର ମାନସ ଦାସଙ୍କ ଅପହରଣ ଘଟଣାକୁ ନେଇ ଏବେ ବି ଜାରି ରହିଛି ସସପେନ୍ସ। ଦୀର୍ଘ ୧ ମାସ ପରେ, ସୁରକ୍ଷିତ ଭାବରେ ମାନସ ନିଜ ଭୁବନେଶ୍ୱରସ୍ଥିତ ବାସଭବନକୁ ଗୁରୁବାର ଫେରିଛନ୍ତି। ପାଟନା ସହର ନିକଟବର୍ତ୍ତୀ ଅଞ୍ଚଳରୁ ପୁଲିସ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରିଥିବା ତାଙ୍କ ସ୍ତ୍ରୀ ହନୀ ଦତ୍ତ ସୂଚନା ପ୍ରଦାନ କରିଛନ୍ତି। ଏନେଇ ପାଟନା ପୁଲିସ କମିସନରେଟ୍ ପୁଲସକୁ ଖବର ଦେଇଥିବା ଡିସିପି ସତ୍ୟବ୍ରତ ଭୋଇ ମଧ୍ୟ ସୂଚନା ଦେଇଛନ୍ତି। ହେଲେ ଏହାରି ଭିତରେ ଗୁଡାଏ ପ୍ରଶ୍ନ ଛିଡା ହୋଇଛି। ଯେଉଁଠି ମାନସଙ୍କ ମୁଣ୍ଡ ଜାମିନ ବାବଦକୁ କୋଟି କୋଟି ଟଙ୍କା ଅପହରଣକାରୀମାନେ ମାଗୁଥିଲେ। ସେମାନେ କେଉଁ ସର୍ତ ଏବଂ କେତେ ଟଙ୍କା ନେଇ ମାନସଙ୍କୁ ସୁରକ୍ଷିତ ଭାବରେ ଛାଡି ଦେଲେ, ତାହା ସବୁଠାରୁ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି। ତେବେ ବିହାରରୁ ଅପହରଣ ହୋଇଥିବା ମାନସ ଭୁବନେଶ୍ୱରରେ ପଂହଚିବା ପରେ ଅପହରଣର ପୂରା କାହାଣୀ ବଖାଣିଥିଲେ।
ସୂଚନାଯୋଗ୍ୟ, ଜଣେ ପଶୁ ଚିକିତ୍ସକ ଭାବରେ କ୍ୟାରିଅର୍ ଆରମ୍ଭ କରିଥିବା ମାନସ ଝାଡ଼ଖଣ୍ଡରେ ଜଣେ ସଫଳ ବ୍ୟବସାୟୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ଗତ ଅଗଷ୍ଟ ମାସ ୨୩ ତାରିଖରେ ମାନସ ଝାଡ଼ଖଣ୍ଡ ଗିରିଡିହ ଅଞ୍ଚଳରୁ ନିଜ ମର୍ସିଡିଜ କାର୍ ଯୋଗେ ଭୁବନେଶ୍ୱର ଫେରୁଥିବାବେଳେ ଧାନବାଦରୁ ୨୫ କିଲୋମିଟର ପୂର୍ବରୁ ଜାତୀୟ ରାଜପଥରେ ତାଙ୍କୁ କିଛିଜଣ ପୋଲିସ ପୋଷାକ ପିନ୍ଧିଥିବା ବ୍ୟକ୍ତି ଅଟକାଇଥିଲେ। ଏହାସହ ତାଙ୍କୁ ନିଜ ଗାଡିରଖି ଉପରିସ୍ଥ ଅଧିକାରୀଙ୍କୁ ଦେଖା କରିବାକୁ କହିଥିଲେ। ସେ ପୋଲିସ ଗାଡି ଭିତରକୁ ଯିବା ପରେ ସେଠାରେ ଅନ୍ୟ ଦୁଇଜଣ ପୋଲିସ ପୋଷକରେ ଏବଂ ଅନ୍ୟ ଜଣେ ସାଧା ପୋଷାକରେ ବସିଥିଲେ।
ସେ ନକ୍ସଲଙ୍କୁ ଟଙ୍କା ଦେଉଥିବା ଅଭିଯୋଗ ରହିଛି ବୋଲି ପୋଲିସ ପୋଷାକଧାରୀ ବ୍ୟକ୍ତି କହିଥିଲେ। ତେଣୁ ତାଙ୍କୁ ପୋଲିସ ମୁଖ୍ୟାଳୟକୁ ଯିବାକୁ ପଡିବ ବୋଲି କୁହାଯାଇଥିଲା। ଏହାସହ ତାଙ୍କ ଫୋନ, ଟଙ୍କା ସବୁକିଛି ଛଡାଇ ନିଆ ଯାଇଥିଲା ଏବଂ ଆଖିରେ ଏକ କଳାପଟି ବାନ୍ଧି ଦିଆଯାଇଥିଲା। ଦୀର୍ଘ ୪ ଘଣ୍ଟା ପରେ ତାଙ୍କୁ ଅପହରଣ କରାଯାଇଛି ବୋଲି ପୋଲିସ ପୋଷାକଧାରୀ ବ୍ୟକ୍ତି ମାନେ କହିଥିଲେ। ଏହାପରେ ତାଙ୍କୁ ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା। ତେବେ ଅପହରଣକାରୀ ମାନେ ପଇସା ପାଇଁ ତାଙ୍କୁ ଅପହରଣ କରିଥିବା କହିଥିଲେ। କୌଣସି ଚାଲାକି ନ କରିବାକୁ ତାଙ୍କୁ କୁହାଯାଇଥିଲା। ନଚେତ ତାଙ୍କୁ ମାରି ଦିଆଯିବ ବୋଲି ଧମକ ଦେଇଥିଲେ ଅପହରଣକାରୀ। ଏହାସହ ତାଙ୍କ ଠାରୁ ପରିବାର ଓ ସାଙ୍ଗସାଥୀଙ୍କ ନମ୍ବର ନେଇଥିଲେ ଯେଉଁମାନେ ତାଙ୍କ ଦାବି ପୂରଣ କରି ପାରିବେ।
ମାନସଙ୍କର କୌଣସି ପ୍ରକାର ଅସୁବିଧା କରାଯିବ ନାହିଁ ବୋଲି ଅପହରଣର ତୃତୀୟ ଦିନରେ ଅପହରଣକାରୀ ସୂଚନା ଦେଇଥିଲେ। କେବଳ ତାଙ୍କର ଦାବି ପୂରଣ ହେବା ପରେ ତାଙ୍କୁ ସୁରକ୍ଷିତ ଭାବେ ଛାଡି ଦିଆଯିବ ବୋଲି କହିଥିଲେ ଅପହରଣକାରୀ। ଠିକ୍ ସେଇଆ ହିଁ ହେଲା। ଅପହରଣର ୪୦ ଦିନ ପରେ ସେମାନେ ମାନସଙ୍କୁ ମୁକ୍ତ କରି ଦେଇଥିଲେ। କିନ୍ତୁ ଅପହରଣକାରୀଙ୍କ ନିକଟରୁ ତାଙ୍କୁ କିଏ ମୁକଳାଇଲା କିମ୍ବା ଏଥିପାଇଁ କେତେଟଙ୍କା ଦିଆଯାଇଛି ସେନେଇ ଟିକିଏ ବି ଟେର ପାଇନଥିଲେ ମାନସ। ତାଙ୍କ କହିବା ଅନୁଯାୟୀ, ତାଙ୍କୁ ମୁକଳାଇବାକୁ ପ୍ରାୟ ୫ କୋଟି ଟଙ୍କାର କାରବାର ହୋଇଥାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/manas-c.jpg)