ଖାଦ୍ୟ ବିକଳ୍ପରେ ଆମ୍ବଟାକୁଆରେ ଏମାନେ ଭରନ୍ତି ପେଟ। କେହି କେହି ଏହାକୁ କହନ୍ତି ପାରମ୍ପରିକ ଖାଦ୍ୟ। ଆମ୍ବଟାକୁଆକୁ ନେଇ ଚାଲେ ତର୍କ ବିତର୍କ। ଭୋକ ପାଇଁ ଶୋକ ପାଳୁଥିବା ମାଣ୍ଡିପଙ୍କା ଗାଁ ଏବେ ଭୋକର ମାନଚିତ୍ରରେ ସ୍ଥାନ ପାଇଛି। ଏହି ଗାଁର କରୁଣ ଚିତ୍ର ସହ ଖାଦ୍ୟ ଭାବେ ଅାମ୍ବଟାକୁଆର ଇତିହାସକୁ ନେଇ ଏଥରର ପ୍ରଥମ ପ୍ରସଙ୍ଗ।
ରିପୋର୍ଟ: ରଞ୍ଜନ ପ୍ରଧାନ
ବଣପାହାଡ଼ ଘେରା ଅଖ୍ୟାତ ଗାଁଟିଏ ରାତାରାତି ପାଲଟିଯାଇଛି କୁଖ୍ୟାତ! ରାଜ୍ୟ ମାନଚିତ୍ରର ଗୋଟିଏ ଅଲୋଡ଼ା ବିନ୍ଦୁକୁ ଆଜି ଯବକାଚ ଧରି ଖୋଜୁଛନ୍ତି ନେତା,ମନ୍ତ୍ରୀ, ଅଧିକାରୀ, ସମାଜସେବୀ, ମାନବାଧିକାରକର୍ମୀ। ସହରୀ ବାବୁଭାୟାଙ୍କ ପାଦପଡୁ ନଥିବା ଅପନ୍ତରା ଇଲାକାକୁ ଲମ୍ବୁଛି ଗାଡ଼ିର ଧାଡ଼ି। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ୍ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁଟି ଏବେ ସାରା ରାଜ୍ୟରେ ଚର୍ଚ୍ଚିତ। କାଶୀପୁର ପରେ ବିଷାକ୍ତ ଆମ୍ବଟାକୁଆ ଜାଉ ଜନିତ ମୃତ୍ୟୁ ଅପବାଦ ମୁଣ୍ଡେଇଛି କନ୍ଧମାଳ ଓ ଗଜପତି ଜିଲ୍ଲାର ସୀମାନ୍ତବର୍ତ୍ତୀ ମାଣ୍ଡିପଙ୍କା। ଆମ୍ବଟାକୁଆ ଜାଉ ଖାଇ ଏହି ଗାଁର ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହେବା ଏବଂ ୬ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିବା ଘଟଣା ଜାତୀୟ ପରିସରରେ ରାଜ୍ୟକୁ ବଦନାମ କରିଛି। ଭୋକର ମାନଚିତ୍ରରେ ଲାଲ୍ ଚିହ୍ନିତ ହୋଇଛି କନ୍ଧମାଳ।
ଅତୀତରେ ଆମ୍ବଟାକୁଆର ଅପବାଦ ରାୟଗଡ଼ା ଜିଲ୍ଲାର କାଶୀପୁର ନାମରେ ରହିଥିଲା, ଏବେ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ସହ ଯୋଡ଼ି ହୋଇଯାଇଛି। ତେବେ ଆଦିବାସୀ କ’ଣ ଏ ଆମ୍ବଟାକୁଆକୁ ଖୁସିରେ କିମ୍ବା ସଉକରେ ଖାଏ? ପ୍ରଚଣ୍ଡ ଖାଦ୍ୟାଭାବ କାରଣରୁ ଅତୀତରେ ଆଦିବାସୀ ବାଧ୍ୟବାଧକତାରେ ଆମ୍ବଟାକୁଆକୁ ଖାଇ ଆସୁଥିଲା। ଏବେ ମଧ୍ୟ ଖାଦ୍ୟ ଅଭାବ କାରଣରୁ ଖାଉଛି।
ଅକ୍ଟୋବର ମାସ ୩୦ ତାରିଖ ରାତିର କଥା। ଦାରିଙ୍ଗିବାଡ଼ି ବ୍ଲକ୍ର ମାଣ୍ଡିପଙ୍କା ଗ୍ରାମର କେତେଟି ପରିବାର ଚାଉଳ ଅଭାବରୁ ଭୋକ ସମ୍ଭାଳିବାକୁ ଭାତ ବଦଳରେ ଆମ୍ବଟାକୁଆ ଜାଉ ଖାଇଥିଲେ। ଟାକୁଆଜାଉ ଖାଇଥିବା ରମିତା ପାଟମାଝି, ରୁନୁ ମାଝି, ଟୁନି ମାଝି, ଜିତା ମାଝି, ପ୍ରଭାତୀ ପାଟମାଝି, ଦ୍ରେଙ୍ଗାଲୁ ପାଟମାଝି, ସୁଷମା ପାଟମାଝି, ଜୀବନ୍ତୀ ମାଝି ଆଦି ମହିଳା ପରଦିନ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୩୧ ତାରିଖ ଦିନ ପ୍ରଥମେ ସେମାନଙ୍କୁ ସ୍ଥାନୀୟ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଏହି ୮ ଜଣ ମହିଳାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଇ ଦେଇଥିଲେ। ତେବେ ବ୍ରହ୍ମପୁର ଡାକ୍ତରଖାନା ନେବା ବାଟରେ ଅକ୍ଟୋବର୍ ୩୧ ତାରିଖ ଦିନ ରମିତା ପାଟମାଝିଙ୍କର ମୃତ୍ୟୁ ହୋଇଥିଲା ଏବଂ ବ୍ରହ୍ମପୁର ଡାକ୍ତରଖାନାରେ ନଭେମ୍ବର ୧ ତାରିଖରେ ଦିବ୍ୟାଙ୍ଗ ଯୁବତୀ ରୁନୁ ମାଝିଙ୍କର ବି ମୃତ୍ୟୁ ହୋଇଗଲା। ଅବସ୍ଥା ସଙ୍ଗିନ ହେବାରୁ ଅବଶିଷ୍ଟ ଅସୁସ୍ଥ ୬ ଜଣଙ୍କ ମଧ୍ୟରୁ ଟୁନି ମାଝି ଓ ଜିତା ମାଝିଙ୍କୁ କଟକ ବଡ଼ଡାକ୍ତରଖାନା ଅଣାଯାଇ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ବିଷକ୍ରିୟା ଯୋଗୁଁ ସେମାନଙ୍କର ଅନେକ ଅଙ୍ଗ ଅଚଳ ହୋଇ ପଡ଼ିଥିଲା ଏବଂ ସେମାନେ କ୍ରମଶଃ ସୁସ୍ଥ ହେଉଛନ୍ତି ବୋଲି ଡାକ୍ତର କହିଛନ୍ତି। ସେମାନଙ୍କୁ ଦେଖିବା ପାଇଁ ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମାଜସେବୀଙ୍କ ସୁଅ ଛୁଟିବାରେ ଲାଗିଛି। ଆମ୍ବଟାକୁଆଜନିତ ମୃତ୍ୟୁ ଘଟଣା ପରେ ଆଦିବାସୀ ମୁଲକ କ୍ଷୁଧାର ଅକ୍ଟୋପସ୍ କବଳିତ ହୋଇଥିବା ଏବେ ଜଳ ଜଳ ଦିଶୁଛି। ଏଣେ ସରକାର କହୁଛନ୍ତି, ‘ଆମେ ଚାଉଳ ଦେଇଛୁ।’ ତେଣେ ବିରୋଧୀ ସରକାରଙ୍କ ଦୋଷ ଦୁର୍ବଳତା ବାଛୁଛନ୍ତି। କିନ୍ତୁ ଆଦିବାସୀଙ୍କ ଅସଲ ସମସ୍ୟାର ସମାଧାନ ହୋଇ ପାରିଛି କି? ଭୋକ ସବୁବେଳେ ଆଦିବାସୀଙ୍କର ସମସ୍ୟା ହୋଇ ରହିଆସିଛି। ଭୋକ ପାଇଁ ଆଦିବାସୀ ଅଖାଦ୍ୟ ଖାଏ ଓ ପ୍ରାଣ ହରାଏ।
କାହିଁକି ଖାଇଲେ ଆମ୍ବଟାକୁଆ ଜାଉ
ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସଫେଇ ଦେଉଛନ୍ତି, ମାଣ୍ଡିପଙ୍କା ଗ୍ରାମର ଆଦିବାସୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଯୋଗାଇ ଦିଆଯାଇଥିଲା। କିନ୍ତୁ ମାଣ୍ଡିପଙ୍କା ଗାଁର ଲୋକଙ୍କୁ ଗତ ତିନି ମାସ ଧରି ଚାଉଳ ଦିଆଯାଇ ନଥିଲା ବୋଲି ଗାଁଲୋକେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି। ବିପିଏଲ୍ ପରିବାରକୁ ମୁଣ୍ଡପିଛା ମାସିକ ମାତ୍ର ୫ କିଲୋ ଚାଉଳ ଯୋଗାଇ ଦିଆଯାଉଥିବାରୁ ଏହା ଜଣେ ବ୍ୟକ୍ତି ପାଇଁ ମାସେ କାଳ ଭୋକ ସମ୍ଭାଳିବା ଯଥେଷ୍ଟ ନୁହେଁ। ଅନ୍ୟପଟେ, ଇ-କେୱାଇସି ଯାଞ୍ଚ ଆଳରେ ଗତ ଦୁଇ ମାସଧରି ଏହି ଗାଁର ଲୋକଙ୍କୁ ଚାଉଳ ମିଳି ନଥିଲା। ସବୁଠୁ ବଡ଼ କଥା ହେଉଛି, ଆମ୍ବଟାକୁଆ ଜାଉ ଖାଇ ୨ ଜଣ ଆଦିବାସୀ ମହିଳା ମୃତ୍ୟୁବରଣ କରିବା ପରେ ଅର୍ଥାତ୍ ୨ ତାରିଖ ଦିନ ଏହି ଗାଁ’ର ଲୋକଙ୍କୁ ଚାଉଳ ଯୋଗାଇ ଦିଆଯାଇଛି ବୋଲି ମାଣ୍ଡିପଙ୍କା ଗ୍ରାମର ସୁବୋଧ ମାଝି, ଡିସ ମାଝି, କୁମ୍ଭାରା ମାଝି, ଅନୀଲ ପାଟମାଝି, କୁପିସା ପାଟମାଝି, ପିଡ଼ୋଡ଼ା ବେହେରାପାତ୍ର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଗାଁଲୋକଙ୍କ କହିବା ଅନୁଯାୟୀ, ଦିନକୁ ଦୁଇ ଓଳି ଲେଖାଏଁ ଖାଇଲେ ୫ କିଲୋ ଚାଉଳ ଅତି ବେଶିରେ ଜଣେ ୧୦ ଦିନରେ ଶେଷ କରିଦେବ। ବାକି ୨୦ ଦିନରେ ସେମାନେ ଖାଇବେ କ’ଣ? ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁବରଣ କରିଥିବା ରମିତା ପାଟମାଝିଙ୍କ ସ୍ବାମୀ ଅନୀଲ ପାଟମାଝି ଜଣେ ଦିନମଜୁରିଆ। ସେହିପରି ମୃତ ଦିବ୍ୟାଙ୍ଗ ରୁନୁ ମାଝିର ବାପା କୁମ୍ଭାରା ମାଝି ବି ଜଣେ ମଜୁରିଆ। କେବଳ ଏ ଦୁହେଁ ନୁହନ୍ତି, ବରଂ ଏ ଗାଁର ଅଧିକାଂଶ ଆଦିବାସୀ ଓ ଦଳିତ କୁଲିମଜୁରି କରି ପରିବାର ଚଳାନ୍ତି। ଅନୀଲଙ୍କ ନାମରେ ବିପିଏଲ୍ କାର୍ଡ ନାହିଁ। ତାଙ୍କ ବାପା କୁପିସା ପାଟମାଝିଙ୍କ ନାମରେ ବିପିଏଲ୍ କାର୍ଡ ରହିଛି। ଏଣୁ ଅନୀଲ ଏବଂ ତାଙ୍କ ମୃତ ପତ୍ନୀ ରମିତା ପାଟମାଝି ବାପା କୁପିସା ପାଟମାଝିଙ୍କ ବିପିଏଲ୍ କାର୍ଡରେ ଚାଉଳ ଆଣୁଥିଲେ। କିନ୍ତୁ, ଶେଷ ୩ ମାସଧରି ଚାଉଳ ମିଳି ନଥିବାରୁ ଏବଂ ମୁଣ୍ଡପିଛା ମାତ୍ର ୫ କିଲୋ ଚାଉଳ ଅଣ୍ଟୁ ନଥିବାରୁ ସେମାନେ ବାଧ୍ୟ ହୋଇ ଆମ୍ବଟାକୁଆରୁ ପ୍ରସ୍ତୁତ ଜାଉ ଖାଉଥିଲେ। କିନ୍ତୁ, ଏମିତି ଦୁର୍ଭାଗ୍ୟ ଘଟିବ ବୋଲି ସେମାନେ କ’ଣ ଜାଣିଥିଲେ?
ଜୀବନ ନେଇଛି କେତେ
ବନାଞ୍ଚଳ ବାସିନ୍ଦା ଆଦିବାସୀମାନେ ଆମ୍ବଟାକୁଆ ଜାଉ ଖାଇଥାଆନ୍ତି। କିନ୍ତୁ, ଏହା ସେମାନଙ୍କର ପାରମ୍ପରିକ ଖାଦ୍ୟ କି? ଏହାକୁ ନେଇ ବିଭିନ୍ନ ସମୟରେ ବିବାଦ ଦେଖାଦେଇଛି। କେହି କେହି ଏହା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କହୁଥିବା ବେଳେ ଆଉ କେହି ଏହାକୁ ଅଖାଦ୍ୟ ବୋଲି କହୁଛନ୍ତି। ଅତୀତରେ ଆମ୍ବଟାକୁଆ ଖାଇ ବହୁସଂଖ୍ୟକ ଆଦିବାସୀଙ୍କର ପ୍ରାଣହାନୀ ଘଟିଛି। ଗତ ୨୦୦୧ ମସିହାରେ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ୍ରେ ଆମ୍ବଟାକୁଆ ଖାଇ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସେତେବେଳେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସେହିଭଳି ଗତ ୨୦୧୬ ମସିହାରେ ବିଷାକ୍ତ ଆମ୍ବଟାକୁଆ ଜାଉ ଖାଇ କାଶୀପୁରରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦ ଜଣ ଗୁରୁତର ଅସୁସ୍ଥ ହୋଇଥିଲେ। ଏବେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ୍ର ମାଣ୍ଡିପଙ୍କା ଏହି ତାଲିକାରେ ଯୋଡ଼ି ହୋଇଛି।
କେଉଁ ମାସରେ କ’ଣ ପାଆନ୍ତି, କ’ଣ ଖାଆନ୍ତି
ସାଧାରଣତଃ ମେ-ଜୁନ୍ ମାସ ବେଳକୁ ଆଦିବାସୀମାନେ ଜଙ୍ଗଲୀଆମ୍ବ ଖାଇବା ପରେ ଟାକୁଆ ସଂଗ୍ରହ କରି ରଖିଥା’ନ୍ତି। ଗୋଟିଏ ଗୋଟିଏ ଆଦିବାସୀ ପରିବାର ଦୁଇତିନି କ୍ବିଣ୍ଟାଲ୍ ପର୍ଯ୍ୟନ୍ତ ଆମ୍ବଟାକୁଆ ସଂଗ୍ରହ କରି ରଖନ୍ତି। ଆଦିବାସୀମାନେ ଏସବୁ ଆମ୍ବଟାକୁଆ ଶୁଖେଇ ନିଜ ନିଜ ଘରେ ଏବଂ ଭାଡ଼ିରେ ରଖିଥାନ୍ତି। ବିଶେଷକରି ଅକ୍ଟୋବର୍-ନଭେମ୍ବର୍ ମାସ ବେଳକୁ ଆଦିବାସୀ ବଣମୁଲକରେ ଖାଦ୍ୟର ଘୋର ଅଭାବ ଦେଖାଦିଏ। ଏମିତିକି ବଣ ଜଙ୍ଗଲରେ ବି ଏ ସମୟରେ କିଛି ପାରମ୍ପରିକ ବନ୍ୟଜାତ ଖାଦ୍ୟ ଉପଲବ୍ଧ ହୁଏନା। ବର୍ଷର ବିଭିନ୍ନ ସମୟରେ ପ୍ରକୃତି ଆଦିବାସୀଙ୍କ ପେଟ ପୂରଣ କରିବାକୁ ଜଙ୍ଗଲରେ ବିଭିନ୍ନ ପ୍ରକାର ଖାଦ୍ୟ ମହଜୁଦ୍ କରି ରଖିଥାଏ। ଖରାଦିନେ ଏପ୍ରିଲ-ମେ ମାସ ବେଳକୁ ଆଦିବାସୀମାନେ ଖାଦ୍ୟ ପାଇଁ ଆମ୍ବ, ପଣସ ଆଦି ଫଳ ଉପରେ ନିର୍ଭର କରନ୍ତି। ବର୍ଷାଦିନେ ଜୁଲାଇ-ଅଗଷ୍ଟ ମାସ ବେଳକୁ ଆଦିବାସୀମାନେ ଜଙ୍ଗଲରୁ ବିଭିନ୍ନ ଜଙ୍ଗଲୀଛତୁ, ବଣକନ୍ଦା, ମାଟିଆଳୁ ଖୋଳି ଖାଆନ୍ତି। ଡିସେମ୍ବର-ଜାନୁଆରି ମାସ ବେଳକୁ ଡଙ୍ଗରରେ କାନ୍ଦୁଲ, ଜନା, କୁଇରି, କୋଦ, କାଙ୍ଗୁ, ମାଣ୍ଡିଆ ଉତ୍ପାଦନ ହୁଏ। କିନ୍ତୁ, ଅକ୍ଟୋବର-ନଭେମ୍ବର ମାସ ବେଳକୁ ଆଦିବାସୀମାନେ ଭୀଷଣ ଖାଦ୍ୟ ସଂକଟର ସାମ୍ନା କରନ୍ତି। ଏଣୁ ଜୁନ୍-ଜୁଲାଇ ମାସରେ ଆମ୍ବ ଖାଇ ସଂଗ୍ରହ କରି ରଖିଥିବା ଆମ୍ବଟାକୁଆ ଓ ପଣସମଞ୍ଜିକୁ ଆଦିବାସୀମାନେ ଅକ୍ଟୋବର୍-ନଭେମ୍ବର ମାସରେ ଖାଦ୍ୟ ଭାବେ ଖାଇଥାନ୍ତି।
କେମିତି ପ୍ରସ୍ତୁତ ହୁଏ ଆମ୍ବଟାକୁଆ ଜାଉ
ଆଦିବାସୀମାନେ ପ୍ରଥମେ ଆମ୍ବଟାକୁଆକୁ ପଥରରେ ଛେଚି ଦୁଇ ଫାଳ କରି ସେଥିରୁ ଆମ୍ବକୋଇଲି ବାହାର କରନ୍ତି। ଏ କାମ ମହିଳାମାନେ କରନ୍ତି। ଟାକୁଆରୁ କୋଇଲି ବାହାର କରିବା ପରେ ଏହାକୁ ପାଣିରେ ବତୁରେଇ ଦିଆଯାଏ। ଆମ୍ବକୋଇଲି ଭଲ ଭାବେ ପାଣିରେ ବତୁରିଗଲା ପରେ ଏହାକୁ ହାତ ପାଉରାଣିରେ କୁଟି ଟାକୁଚୂନା (ଗୁଣ୍ଡ) ପ୍ରସ୍ତୁତ କରାଯାଏ। ଟାକୁଚୂନାକୁ ଏକ କପଡ଼ାରେ ଗୁଡ଼େଇ ଗୋଟିଏ ବଡ଼ ବାଉଁଶ ଡାଲାରେ ଚଳନ୍ତା ପାଣିରେ ଗୋଟିଏ ରାତି ରଖାଯାଏ। ଚଳନ୍ତା ପାଣିରେ ରଖିଲେ କୋଇଲିଗୁଣ୍ଡରୁ ପିତା ଓ କଷା ଅଂଶ କମିଯାଏ। ପାଣିରେ ବତୁରି ଟାକୁଚୂନା ଏକ ବଡ଼ ପୋଡ଼ପିଠା ଆକାରର ହୋଇ ଯାଇଥାଏ। ଆଦିବାସୀ ମହିଳାମାନେ ଏହି ପୋଡ଼ପିଠା ଆକୃତିର ଟାକୁଚୂନାକୁ ଛୁରୀରେ ଖଣ୍ଡ ଖଣ୍ଡ କରି କାଟି ତାକୁ ପୁଣି ଚୁଲିରେ ବସେଇ ଟାକୁଖିରି କରି ଖାଆନ୍ତି। କେହି କେହି ଆଦିବାସୀ ମହିଳା ଟାକୁପିଠା ମଧ୍ୟ କରି ଖାଆନ୍ତି। ଆଦିବାସୀ ମହିଳାମାନେ ଆମ୍ବକୋଇଲିରୁ ଅନେକ ପ୍ରକାର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରନ୍ତି। ଶେଷରେ ଏତିକି କୁହାଯାଇପାରେ, ଯଦିଓ ଆଦିବାସୀମାନେ ବିଭିନ୍ନ କିସମର ଫଳମୂଳ ଓ ବନଜାତ ଦ୍ରବ୍ୟରୁ ପାରମ୍ପରିକ ପ୍ରକ୍ରିୟାକରଣ ଦ୍ବାରା ଖାଦ୍ୟ ପ୍ରସ୍ତୁତ କରନ୍ତି ଏବଂ ଜରୁରୀ ସ୍ଥିତିରେ ଖାଇଥାଆନ୍ତି, କିନ୍ତୁ ଏହି କ୍ରମରେ ଆସୁଥିବା ଆମ୍ବଟାକୁଆ ଜାଉ ବାରମ୍ବାର ଅସୁରକ୍ଷିତ ସାବ୍ୟସ୍ତ ହୋଇଛି ଏବଂ ବହୁମୂଲ୍ୟ ଜୀବନ ନେଉଛି। ଏଣୁ ପ୍ରଶାସନ ଚେତିବା ଦରକାର। ଆଦିବାସୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟସାମଗ୍ରୀ ଯୋଗାଇବା ସହ ଏହାକୁ ନ ଖାଇବା ଲାଗି ସଚେତନତା ସୃଷ୍ଟି କରିବା ଆଜି ପାଇଁ ସବୁଠାରୁ ବଡ଼ ଆହ୍ବାନ।