 ଆମ୍ବ ଟାକୁଆ ଜାଉ ଖାଇ ୩ ଜଣଙ୍କ ମୃତ୍ୟୁ ଓ ୫ ଜଣଙ୍କ ଅସୁସ୍ଥତା ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଆମ୍ବଟାକୁଆକୁ କ’ଣ ଆମେ ଖାଦ୍ୟ ଭାବେ ଗ୍ରହଣ କରିପାରିବା କି? 
ଆଜ୍ଞା ହଁ। ଆମ୍ବ ଟାକୁଆକୁ ଖାଦ୍ୟ ଭାବେ ଗ୍ରହଣ କରାଯାଇପାରେ। କାରଣ ଏଥିରେ ୩୨.୩୪%ରୁ ୭୬.୮୧% ଶ୍ବେତସାର, ୬%ରୁ ୧୫.୨% ସ୍ନେହସାର, ୬.୩୬%ରୁ ୧୦.୦୨% ପୁଷ୍ଟିସାର, ୦.୨୬%ରୁ ୪.୬୯% କ୍ରୁଡ୍‌ ଫାଇବର୍‌ ରହିଛି। ଆମ୍ବ ଟାକୁଆରେ ପ୍ରଚୁର ପରିମାଣର ମାକ୍ରୋନ୍ୟୁଟ୍ରିଏଣ୍ଟ୍‌ସ୍‌ ସହ ମାଇକ୍ରୋନ୍ୟୁଟ୍ରିଏଣ୍ଟ୍‌ସ୍‌ ରହିଛି। ଏଥିସହ ଏଥିରେ କ୍ୟାଲ୍‌ସିଅମ୍‌, ପେ‌ାଟାସିଅମ୍‌, ମାଗ୍ନେସିଅମ୍‌, ଫସ୍‌ଫରସ୍‌, ଭିଟାମିନ୍‌-ଏ, ଇ, କେ ଓ ସି ରହିଛି। 
 ଆମ୍ବ ଟାକୁଆରେ ଏଭଳି କ’ଣ ରହିଛି ଯାହାକି ଶରୀରରେ ବିଷକ୍ରିୟାର କାରଣ ହୁଏ?
ଆମ୍ବ ଟାକୁଆରେ ଅଧିକ ପରିମାଣର ପାଖାପାଖି ୫ରୁ ୬% ଟାନିନ୍‌ ରହିଛି। ତେଣୁ ଏହାକୁ ନିୟମିତ ଭକ୍ଷଣ ନ କରିବା ଭଲ। ଏଥିସହ ଅାମ୍ବ ଟାକୁଆ ଗୁଣ୍ଡକୁ ଭଲ ଭାବେ ସଂରକ୍ଷିତ କରି ନ ରଖିଲେ, ଏଥିରେ ଆସ୍‌ପେର୍‌ଗିଲସ୍‌ ନାମକ ଏକ ଫିମ୍ପି ଲାଗିଯାଏ, ଯାହାକି ଶରୀର ପାଇଁ ବିଷ ସଦୃଶ। ଉକ୍ତ ଫିମ୍ପିଲଗା ଆମ୍ବ ଟାକୁଆ ଅଧିକ ପରିମାଣରେ ଖାଇବା ପ୍ରାଣଘାତୀ ହୋଇପ‌ାରେ। 
 କେଉଁ ପରିସ୍ଥିତିରେ ଆମ୍ବ ଟାକୁଆ ବିଷ ପାଲଟିଯାଏ?
ଯଦି ଆମ୍ବ ଟାକୁଆ ଗୁଣ୍ଡକୁ ଠିକ୍‌ ଭାବେ ସଂରକ୍ଷିତ କରି ନ ରଖାଯାଏ, ସେଥିରେ ଫିମ୍ପି ବା ମାାଇକ୍ରୋଅର୍‌ଗାନିଜିମ୍‌ ବଢ଼ି ଖାଦ୍ୟକୁ ବିଷ ବନାଇଦିଅନ୍ତି। ଏଣୁ ଏଭଳି ଖାଦ୍ୟକୁ ଭଲ ଭାବେ ସଂରକ୍ଷିତ କରିବା ସହ ଅଧିକ ଦିନ ଧରି ସଂରକ୍ଷିତ ରହିଥିବା ଖାଦ୍ୟ ନ ଖାଇବା ଭଲ।
 ଆଦିବାସୀମାନଙ୍କର ଏଭଳି ଆଉ କ’ଣ ଖାଦ୍ୟ ରହିଛି ଯାହା ଭକ୍ଷଣ ଅନୁପଯୋଗୀ ଏବଂ ଏଥିନେଇ କ’ଣ ସଚେତନତା ଜରୁରି?
ବାସ୍ତବରେ ଆଦିବାସୀ ସଂପ୍ରଦାୟର ଅଧିକାଂଶ ଖାଦ୍ୟ ପ୍ରାକୃତିକ ଉତ୍ପାଦରୁ ବାହାରିଥାଏ, ଯାହାକି ଅତ୍ୟନ୍ତ ସ୍ବାସ୍ଥ୍ୟକର ଓ ହିତକାରୀ। କିନ୍ତୁ ଅଧିକ ପରିମାଣରେ ଆଲ୍‌କୋହଲ୍‌ଯୁକ୍ତ ଖାଦ୍ୟ ଓ ପାନୀୟ ସହ ଅଧିକ ଲବଣଯୁକ୍ତ ଆଚାର ଓ ଖଟା ଆଦି ଶରୀର ପ୍ରତି ହାନିକାରକ। ଏଥିସହ ସେମାନେ ଅନେକ ସମୟରେ ଜଙ୍ଗଲୀ ଛତୁ ଓ ଶାଗ ଖାଇଦିଅନ୍ତି, ଯାହାକି ବିଷାକ୍ତ ହୋଇପାରେ। 
 ଯଦି ଗାଁଗହଳି ଲୋକଙ୍କଠାରେ କୌଣସି ଖାଦ୍ୟ ପ୍ରଭାବରେ ଫୁଡ୍‌ ପଏଜନିଂ ଦେଖାଯାଏ, ଏହାର ତୁରନ୍ତ ଚିକିତ୍ସା ସେମାନେ କିପରି କରିପାରିବେ?
ଯଦି କିଛି ଖାଦ୍ୟ ଖାଇ ଗାଁଗହଳି ଲୋକଙ୍କର ଫୁଡ୍‌ ପଏଜନିଂ ହୁଏ, ତେବେ ବିଳମ୍ବ ନ କରି ତୁରନ୍ତ ନିକଟସ୍ଥ ହସ୍‌ପିଟାଲ୍‌ରେ ଭର୍ତ୍ତି କରିବା ଭଲ। ଏଥିସହ ପ୍ରାଥମିକ ଚିକିତ୍ସା ଭାବେ ରୋଗୀଙ୍କ ଶରୀରରେ ଜଳୀୟ ଅଂଶ ଠିକ୍‌ ରଖିବାକୁ ବାରମ୍ବାର ଓଆର୍‌ଏସ୍‌ ପାଣି ପିଆଇପାରିବେ।