ନାଁତା’ର ମଞ୍ଜୁ, ବୟସ ୨୬ ବର୍ଷ। ଘର ଛତିଶଗଡ଼ ଜିଲ୍ଲାର ରାୟଗଡ଼। ବାପାମାଆ କେହି ନାହାନ୍ତି। ବିବାହ ପରେ ସ୍ବାମୀ ମଧ୍ୟ ହାତ ଛାଡ଼ି ପଳାଇଲା। ଏବେ ସ୍ବାମୀ ପରିତ୍ୟକ୍ତାର ଆଖ୍ୟା ନେଇ ବଞ୍ଚୁଛି ମଞ୍ଜୁ, କୋଳରେ ୨ବର୍ଷର ଝିଅ ମହକକୁ ଧରି। ସ୍ବାମୀ ଛାଡ଼ିଗଲା ପରେ ନିଜ ସାନ ଭଉଣୀ ୧୫ ବର୍ଷ ବୟସ୍କା ଅଞ୍ଜୁକୁ ପାଖରେ ରଖି ଭରଣପୋଷଣ କରୁଛି। ମଞ୍ଜୁ ନିଜେ ଛୋଟବେଳୁ ତା’ ପରିବାରରେ ଏମିତି ଦଉଡ଼ି ଉପରେ ଚାଲିବା ଭଳି ବିପଜ୍ଜନକ ଖେଳ ଦେଖାଉଥିଲା। ନିଜ ଜୀବନ ପ୍ରତି ବିପଦକୁ ଖାତିର ନ କରି ମଞ୍ଜୁ ଖେଳ ଦେଖାଇ ଦି’ ପଇସା ଯୋଗାଡ଼ କରିବାରେ ଲାଗିପଡ଼େ। ଏଥିରେ ତାକୁ ସାହସ ଦିଏ ଅଞ୍ଜୁ। ମାଟିଠାରୁ ୧୧ଫୁଟ ଉପରେ ୨ଟି ଖୁଣ୍ଟରେ ଦଉଡ଼ି ବନ୍ଧା ହୋଇଥାଏ। ଦଉଡ଼ିରେ ବିଭିନ୍ନ ପ୍ରକାର ଖେଳରେ କଳାକୌଶଳ ଦେଖାଏ ମଞ୍ଜୁ। କେତେବେଳେ ସାଇକେଲ୍ ରିମ୍ରେ ମୁଣ୍ଡ ଉପରେ ମାଠିଆ ବା ଥାଳି ରଖି ଚାଲିବା, ପୁଣି କେତେବେଳେ ଦଉଡ଼ି ଉପରେ ଖାଲି ପାଦରେ ବାଉଁଶ ଧରି ଶୂନ୍ୟରେ ବହୁ ସମୟ ଧରି ନାନା ରକମର ଖେଳ ଦେଖାଏ ସେ। କେବେ କେବେ ଗହଳି ବଢ଼ି ୩୦-୪୦ ଲୋକ ହୁଅନ୍ତି ତ ପୁଣି କେବେ ହାତଗଣତି ୫-୧୦ ଜଣ। ଖେଳ ଦେଖି ଯିଏ ଯେତିକି ଦେଲା ସେତିକିକୁ ପୁଞ୍ଜି କରି ଖୁସି ହୁଏ। ଆଉ ଦିନେ ଦିନେ ଖାଲି ହାତରେ ଲେଉଟିବାକୁ ପଡ଼େ ମଞ୍ଜୁକୁ।
ଅଞ୍ଜୁ ମଧ୍ୟ ଛୋଟବେଳୁ ଏଭଳି ଖେଳ କୌଶଳର ତାଲିମ ବଡ଼ଭଉଣୀ ମଞ୍ଜୁଠାରୁ ଶିଖିଲା। ଜୀବନଜୀବିକା ପାଇଁ ଏବେ ଏହି ଖେଳ ହିଁ ସେମାନଙ୍କ ଭରସା। ଏଥିରୁ ଉପାର୍ଜିତ ଅର୍ଥରେ ଦୁଇଭଉଣୀ ଚଳନ୍ତି ଏବଂ ୨ବର୍ଷର ଶିଶୁକନ୍ୟା ମହକର ଲାଳନପାଳନ କରନ୍ତି। ଘର କହିଲେ ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ସହରର ରାସ୍ତାକଡ଼। ସଂପତ୍ତି କହିଲେ ଏକ ତିନିଚକିଆ ମୋଟରସାଇକେଲ। ଯେଉଁଥିରେ ୩ଜଣ ଘୁରିବୁଲନ୍ତି ଏହି ସବୁ ରାଜ୍ୟର ବିଭିନ୍ନ ସହରରୁ ସହର। ନା ଥାଏ ଜୀବନ ପ୍ରତି ଭୟ, ନା ଥାଏ ଶରୀର ପ୍ରତି ଲୋଭ। ରାସ୍ତା କଡ଼ରେ ଦିନଯାକ ଖେଳ ଦେଖାଇ ଦେଖାଇ ସେହି ରାସ୍ତା କଡ଼ର ଖୋଲା ଆକାଶ ତଳେ ରାତି ବିତାଇ ଦିଅନ୍ତି। ମଞ୍ଜୁ ଗାଡ଼ି ଚଳାଇ ଯାଯାବରର ଜୀବନ ଯନ୍ତ୍ରଣାକୁ ପ୍ରକାଶ କରେ ତ ଅଞ୍ଜୁ ଓ ମହକର ବୋଝ ମୁଣ୍ଡାଇ ନାରୀ ସଶକ୍ତୀକରଣର ବାସ୍ତବତା ପ୍ରମାଣ କରୁଥାଏ। ଏସବୁ ଅଯାଚିତ କଷ୍ଟ ଭିତରେ କିନ୍ତୁ ମହକ ମହକାଉଛି ସେମାନଙ୍କ ଜୀବନକୁ। ସଭ୍ୟ ମଣିଷର ସମାଜ ଯେତେବେଳେ କନ୍ୟା ଭ୍ରୂଣହତ୍ୟା ପାଇଁ ପଛାଉନାହିଁ କିମ୍ବା କନ୍ୟାଟିଏ ଜନ୍ମ ହେଲେ ତାକୁ ଲୁଚାଇ ଫୋପାଡ଼ି ଦେଇ ଆସୁଛି ସେତିକିବେଳେ ଦୁଃଖ କଷ୍ଟର ଜୀବନରେ ମହକକୁ ପାଳିବା ଏବଂ ଅଞ୍ଜୁକୁ ମଣିଷ କରିବାକୁ ମଞ୍ଜୁର ସଂଘର୍ଷର ଅସରନ୍ତି ଯନ୍ତ୍ରଣା କନ୍ୟାସନ୍ତାନ ସୁରକ୍ଷାର ବାର୍ତ୍ତା ବାଣ୍ଟୁଛି।