ଓଲିଉଡ୍ର ଆଗଧାଡ଼ିର ନିର୍ଦ୍ଦେଶକ ଅଶୋକ ପତି ଓଡ଼ିଆ ଫିଲ୍ମ ‘ବାଜି’ରୁ ତାଙ୍କ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୫ରେ ମୁକ୍ତିଲାଭ କରିଥିବା ‘ବାଜି’ରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇ ଥିଲେ ମଳୟ ମିଶ୍ର। ଏହାପରେ ସେ ‘ମୁଁ ତତେ ଲଭ୍ କରୁଚି’, ‘ମତେ ତ ଲଭ୍ ହେଲାରେ’, ‘ନନ୍ଦିନୀ ଆଇ ଲଭ୍ ୟୁ’, ‘ପ୍ରେମରୋଗୀ’, ‘ଡ୍ରିମ୍ଗାର୍ଲ’, ‘ସଂଜୁ ଆଉ ସଂଜନା’, ‘ଦିୱାନା’, ‘ଲୋଫର୍’, ‘୧-୪-୩ ଆଇ ଲଭ୍ ୟୁ’, ‘ଦୋସ୍ତି’, ‘ଶପଥ’, ‘ଇଡିଅଟ୍’, ‘ଦିୱାନା ଦିୱାନି’, ‘ସୁପର ମିଛୁଆ’, ‘ତୁ ଯେ ସେଇ’, ‘ଲଭ୍ ଷ୍ଟେସନ୍’, ‘ସିଷ୍ଟର ଶ୍ରୀଦେବୀ’, ‘ଲଭ୍ ପାଇଁ କୁଛ୍ ଭି କରେଗା’, ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’, ‘ଶ୍ରୀମାନ୍ ସୁରଦାସ’, ‘ଅଜବ ସଂଜୁର ଗଜବ ଲଭ୍’, ‘ଗୋଲ୍ମାଲ୍ ଲଭ୍’, ‘ମିଷ୍ଟର ମଜନୁ’, ‘ଗୁଡୁ ଗ୍ୟାଙ୍ଗଷ୍ଟର୍’, ‘ରାମ୍’ ଓ ‘ପାବାର୍’ ଆଦି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମଗୁଡ଼ିକରେ ମଳୟ ମିଶ୍ର, ସ୍ବରୂପ ନାୟକ, ବାଚୁ ମୁଖାର୍ଜୀ, ପ୍ରଶାନ୍ତ ପାଢ଼ୀ, ବିକାଶ ଦାସ, ଗୁଡଲୀ ରଥ, ଅଭିଜିତ ମଜୁମ୍ଦାର, ପ୍ରେମ ଆନନ୍ଦ, ଗୌରବ ଆନନ୍ଦ ଓ ଅସଦ୍ ନିଜାମ୍ ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ନିର୍ଦ୍ଦେଶକ ଅଶୋକ ପତି ଓ ସଙ୍ଗୀତକାର ମନ୍ମଥ ମିଶ୍ର ଓଲିଉଡ୍ରେ ଦୀର୍ଘ ବର୍ଷ ଧରି ସକ୍ରିୟ ଅଛନ୍ତି। ହେଲେ ଦୁହେଁ ଏଯାଏ କୌଣସି ସିନେମାରେ ଏକାଠି କାମ କରିନାହାନ୍ତି।
ଏଣେ ପ୍ରଖ୍ୟାତ ସଙ୍ଗୀତକାର ମନ୍ମଥ ମିଶ୍ର ଜଣାଶୁଣା ନିର୍ଦ୍ଦେଶକ ଗଦାଧର ପୁଟୀଙ୍କ ‘ଆଶାର ଆକାଶ’ ସିନେମାରୁ ଅନ୍ୟ ଦୁଇ ସ୍ବରସଂଯୋଜକଙ୍କ ସହ ମିଶି ଓଲିଉଡ୍ରେ କ୍ୟାରିଅର୍ ଆରମ୍ଭ କରିଥିଲେ। ତେବେ ଓଡ଼ିଆ ଚଳଚ୍ଚିତ୍ର ‘ଗଙ୍ଗାଯମୁନା’ ପରେ ସେ ଅଧିକ ସକ୍ରିୟ ହୋଇଥିଲେ। ହେଲେ ସଙ୍ଗୀତକାର ମନ୍ମଥ ମିଶ୍ର ଓ ନିର୍ଦ୍ଦେଶକ ଅଶୋକ ପତି କୌଣସି ସିନେମାରେ ଏ ପର୍ଯ୍ୟନ୍ତ ଏକାଠି କାମ କରି ନାହାନ୍ତି।
ଉଲ୍ଲେଖଯୋଗ୍ୟ ଯେ ଶିଶିର ମିଶ୍ର, ପ୍ରଶାନ୍ତ ନନ୍ଦ, ମହମ୍ମଦ ମହସୀନ, ରବି କିନ୍ନାଗୀ, ହର ପଟ୍ଟନାୟକ, ସୁଧାଂଶୁ ମୋହନ ସାହୁ, ହିମାଂଶୁ ପରିଜା, ସଞ୍ଜୟ ନାୟକ ଓ ଆପୁ କାନୁନଗୋଙ୍କ ଭଳି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ଓଡ଼ିଆ ଛବିରେ ସ୍ୱର ସଂଯୋଜନା କରିଛନ୍ତି ମନ୍ମଥ।