ମନୋଜ: ରେକର୍ଡ ମାୟାରେ ବାୟା

ମନୋଜଙ୍କ ବୟସ ୨୩ ବର୍ଷ। ତାଙ୍କ ବାପା ଭଗବାନ ମହାରଣା ବଢ଼େଇ କାମ କରୁଥିବାବେଳେ ମା’ ଗୀତାଞ୍ଜଳି ହେଉଛନ୍ତି ଜଣେ ଗୃହିଣୀ। ପରିବାର ଲୋକେ ପୋଲସରା ବ୍ଲକ୍‌ ଅନ୍ତର୍ଗତ ପୈତୃକ ଗାଁ ଭାବରଡ଼ାରେ ରହନ୍ତି। ବ୍ରହ୍ମପୁର ବିଶ୍ୱବିିଦ୍ୟାଳୟରେ ଦୂରଶିକ୍ଷା ମାଧ୍ୟମରେ ମନୋଜ ଗଣିତ ଶାସ୍ତ୍ରରେ ସ୍ନାତକୋତ୍ତର ପାଠ ପଢ଼ିଛନ୍ତି। ଅଧିକ ପଢ଼ାପଢ଼ି ଓ ଚାକିରି ଆଶା ନେଇ ବର୍ତ୍ତମାନ ବ୍ରହ୍ମପୁରରେ ରହୁଛନ୍ତି। ପିଲାଟି ଦିନରୁ ଟିଭିରେ ବିଭିନ୍ନ ବ୍ୟକ୍ତିଙ୍କ ନିଆରା ରେକର୍ଡ ସବୁ ଦେଖି ସେ ପ୍ରଭାବିତ ହୋଇଥିଲେ। ବଡ଼ ହେଲାପରେ ଇଣ୍ଟର୍‌ନେଟ୍‌ ମାଧ୍ୟମରେ ଜାଣିବାକୁ ପାଇଥିଲେ ଯେ କେଉଁ କେଉଁ ଅଜବ ଧରଣର ନିଶା ପାଇଁ ବିଶ୍ୱ ରେକର୍ଡ ମିଳୁଛି। ସେସବୁ ଦେଖି ନିଜେ ନିଜେ ଅଭ୍ୟାସ କରିଥିଲେ। ମୁଖ୍ୟତଃ ଛୋଟିଆ ପାଟି ଭିତରେ ବେଶୀ ବେଶୀ ଜିନିଷ ଭର୍ତ୍ତିକରି ରଖିବାରେ ତାଙ୍କ ଆଗ୍ରହ ରହିଥିଲା।
ମନୋଜ ସ୍ନାତକୋତ୍ତର ପଢୁଥିବାବେଳେ କମ୍‌ ସମୟ ମଧ୍ୟରେ ୧ରୁ ୧୦୦୦ ସଂଖ୍ୟାର ବର୍ଗଫଳ ଲେଖିବାକୁ ଉଦ୍ୟମ କରିଥିଲେ। ଏହାକୁ ସେ ଗିନିଜ୍‌ ସଂସ୍ଥାକୁ ପଠାଇଥିଲେ ମଧ୍ୟ ସେମାନେ ଏଭଳି ରେକର୍ଡକୁ ସ୍ୱୀକୃତି ଦେଇ ନ ଥିଲେ। ତା’ପରେ ମନୋଜ ପାଟି ଭିତରେ ଅଧିକ ଦ୍ରବ୍ୟ ଭର୍ତ୍ତି କରିବାକୁ ଅଭ୍ୟାସ କରିଥିଲେ। ଚାରି ମାସର ଅଭ୍ୟାସ ବଳରେ ଆବଶ୍ୟକ ସମୟରେ ପାଟିକୁ ବଡ଼ କରିବାରେ ସମର୍ଥ ହେଲେ। ଗତ ଅଗଷ୍ଟ ମାସ ୨୮ ତାରିଖରେ ବ୍ରହ୍ମପୁର ଟାଉନ୍‌ ହଲ୍‌ରେ ଲୋକଙ୍କ ସମ୍ମୁଖରେ ସେ ନିଜ ପାଟିରେ ୪୫୯ଟି ପ୍ଲାଷ୍ଟିକ୍‌ ଷ୍ଟ୍ର ପୂରାଇବାରେ ସଫଳ ହୋଇଥିଲେ। ହାତ ବ୍ୟବହାର ନ କରି ଦଶ ସେକେଣ୍ଡ ପାଇଁ ସେ ପାଟିରେ ଷ୍ଟ୍ର ରଖିଥିଲେ। ଏଥିପାଇଁ ଷ୍ଟ୍ର ଗୁନିକୁ ୫ଟି ବିଡ଼ାରେ ବନ୍ଧାଯାଇଥିଲା ଏବଂ ପ୍ରତ୍ୟେକ ବିଡ଼ାକୁ ରବର୍‌ରେ ଗୋଡ଼ାଇ ଦିଆଯାଇଥିଲା। ଏ ଘଟଣା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ତା’ପରେ ଗିନିଜ୍‌ ରେକର୍ଡ ପାଇଁ ସେ ଅନ୍‌ଲାଇନ୍‌ ଆବେଦନ କରିଥିଲେ। ନଭେମ୍ବର ମାସରେ ତାଙ୍କୁ ଗିନିଜ୍‌ ବୁକ୍‌ରେ ସାମିଲ କରାଯାଇଥିଲା। ଡିସେମ୍ବର ୪ ତାରିଖରେ ତାଙ୍କ ପାଖକୁ ରେକର୍ଡ ସମ୍ପର୍କିତ ପ୍ରମାଣପତ୍ର ଆସିଥିଲା। ଏହା ପୂର୍ବରୁ ପାଟିରେ ଅଧିକ ସଂଖ୍ୟକ ଷ୍ଟ୍ର ରଖିବାର ରେକର୍ଡ ଥିଲା ୪୦୦ଟି ଷ୍ଟ୍ର ରଖିଥିବା ଲଣ୍ଡନର ସାଇମନ୍‌ ଏଲ୍‌ମୋର୍‌ଙ୍କ ନାଁରେ। ସାଇମନ୍‌ ୨୦୦୯ରେ ରେକର୍ଡ କରିଥିଲେ ଯାହାକୁ ନଅ ବର୍ଷ ପରେ ଭାଙ୍ଗିଲେ ମନୋଜ। ହାତ ବ୍ୟବହାର କରି ପାଟିରେ ଅଧିକ ଷ୍ଟ୍ର ରଖିବାର ରେକର୍ଡ ରହିଛି ଭାରତର ହର ପ୍ରକାଶଙ୍କ ନାଁରେ। ମନୋଜ ନିଜ ପାଟିରେ ୨୧ଟି ଜ୍ୱଳନ୍ତା ମହମବତି ରଖି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ମଧ୍ୟ ସ୍ଥାନ ପାଇଛନ୍ତି। ପୂର୍ବରୁ ଏହି ରେକର୍ଡର ଅଧିକାରୀ ଥିଲେ ମୁମ୍ବାଇର ଦୀନେଶ ଶିବନାଥ ଉପାଧ୍ୟାୟ ଯିଏକି ପାଟିରେ ୧୮ଟି ଜ୍ୱଳନ୍ତା ମହମବତି ରଖିଥିଲେ ଗତ ଜାନୁଆରି ମାସରେ। ପାଟି ଭିତରେ ନବେଟି ଅଙ୍ଗୁର ରଖି ମଧ୍ୟ ରେକର୍ଡ କରିଛନ୍ତି ମନୋଜ। ଆଗରୁ ଏହି ରେକର୍ଡ ମଧ୍ୟ ଦୀନେଶ ଶିବନାଥଙ୍କ ନାଁରେ ଥିଲା। ସେ ପାଟି ଭିତରେ ୮୮ଟି ଅଙ୍ଗୁର ରଖିଥିଲେ।


ଏହାପରେ ମନୋଜ ନିଜ ପାଟିରେ ୨୪ଟି ମହମବତି ରଖି ଏସିଆରେ ରେକର୍ଡ କରିଛନ୍ତି। ସେ ନିଜ ଓଠ ଉପରେ ଗୋଟିଏ କଲମକୁ ୧୩ ମିନିଟ୍‌ ୫୪ ସେକେଣ୍ଡ୍‌ ପର୍ଯ୍ୟନ୍ତ ରଖିଥିଲେ ଯାହାକି ଆମେରିକା ସ୍ଥିତ ରେକର୍ଡ ସେଟର୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି। ଏସବୁ ବ୍ୟତୀତ କମ୍‌ ସମୟ ମଧ୍ୟରେ ଶୀଘ୍ର ଅଧିକ ଥର ଅକ୍ଷର ଲେଖିବା, ପାଟି ଭିତରେ ୨୬୫ଟି ତାସ୍‌ କାର୍ଡ ରଖିବା, କ୍ଷୁଦ୍ର ବର୍ଗାକାର କ୍ଷେତ୍ରରେ ଗୋଟିଏ ମିନିଟ୍‌ ଭିତରେ ପେନ୍‌ସିଲ୍‌ରେ ଅଧିକ ଥର ବିନ୍ଦୁ ପକାଇବା ଆଦି କୌଶଳ ପ୍ରଦର୍ଶନ କରି ଆହୁରି ରେକର୍ଡ ସ୍ଥାପନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ବାରମ୍ବାର ଅଭ୍ୟାସ କରିବା ସହିତ ବେଶୀ ବେଶୀ ଜିନିଷ ପୂରଉଥିବାରୁ ତାଙ୍କ ପାଟିରେ ଅନେକ ଥର କ୍ଷତ ସୃଷ୍ଟି ହୋଇଛି, କିନ୍ତୁ ସେ ଡରି ନ ଯାଇ ନିଜ ପ୍ରତିଭା ଦେଖାଇବାକୁ ଆହୁରି ଆଗଭର ହୋଇଛନ୍ତି। ରେକର୍ଡ କରିବା ନିଶାରେ ପାଟିର ଦରଦ କିଛି ନୁହେଁ ବୋଲି ସେ କହନ୍ତି। ସେ ହାତ ପାପୁଲିରେ ମଧ୍ୟ ୭୦ଟି କଲମ ରଖିପାରନ୍ତି। URDB ROCKS, RIOT!, WEIRD, FLOWER, LINSANITY ଭଳି ଇଂରାଜି ଶବ୍ଦକୁ ୨୦ରୁ ୩୦ ସେକେଣ୍ଡ ସମୟ ମଧ୍ୟରେ ୧୫ରୁ ୨୦ ଥର ପର୍ଯ୍ୟନ୍ତ ଲେଖିପାରନ୍ତି। ରେକର୍ଡ଼ ସେଟର୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ୍‌ ରେକର୍ଡ, ଆମେରିକା ତରଫରୁ ୧୧ଟି ରେକର୍ଡ ପାଇଁ ତାଙ୍କ ନାଁ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଏଭଳି ରେକର୍ଡ ପ୍ରତିଷ୍ଠା ଦ୍ୱାରା କ’ଣ ଲାଭ ହେବ ବୋଲି ପଚାରିବାରୁ ସେ କହିଥିଲେ, ‘ଏଥିରୁ କ’ଣ ଲାଭକ୍ଷତି ମିଳିବ ତାହା ହିସାବ କରିନାହିଁ। ଟଙ୍କା ପଇସା ପାଇବା ପାଇଁ ଏସବୁ ମୁଁ କରୁନାହିଁ। କେବଳ ରେକର୍ଡ କରିବାର ନିଶା ରହିଛି। ଏହାଦ୍ୱାରା ମୋ ପରିବାର ସହିତ ଓଡ଼ିଶାର ମଧ୍ୟ ନାଁ ବଢ଼ିବ।’
ଇଣ୍ଟର୍‌ନେଟ୍‌ ମାଧ୍ୟମରେ ବିଭିନ୍ନ ଧରଣର ପୁରୁଣା ବିଶ୍ୱ ରେକର୍ଡଗୁଡ଼ିକ ଦେଖି ନୂଆ ରେକର୍ଡ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ମନୋଜ। ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଅଧ୍ୟାପକ ହେବା ସହିତ ନିଜର ଖୁସି ପାଇଁ ନିଶାଗୁଡ଼ିକୁ ମଧ୍ୟ ବଞ୍ଚାଇ ରଖିବାକୁ ତାଙ୍କରି ପ୍ରବଳ ଇଚ୍ଛା ରହିଛି। ଅଧିକ ସଂଖ୍ୟକ ଇଭେଣ୍ଟ୍‌ରେ ଗିନିଜ୍‌ ରେକର୍ଡ ସ୍ଥାପନ କରିବା ପୂର୍ବକ ନିଜ ବାପା ମାଆଙ୍କୁ ଗର୍ବିତ କରିବାର ଆଶା ରଖିଛନ୍ତି ମନୋଜ।

ସମ୍ବନ୍ଧିତ ଖବର