ସାଧନାକୁ ସ୍ୱୀକୃତି : ସରସ୍ୱତୀଙ୍କ ବରପୁତ୍ର ମନୋଜ ଦାସ

ମନୋଜ ଦାସ। ଏହି ଯଶସ୍ବୀ ଲେଖକ ନିଜେ ହିଁ ନିଜର ପରିଚୟ। ଓଡ଼ିଆ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ ଏହି ପ୍ରଜ୍ଞାପୁରୁଷ ଆଧ୍ୟାତ୍ମିକତା ଓ ସାରସ୍ବତ ସାଧନାର ଜଣେ ଅପୂର୍ବ ସମନ୍ବୟ। ଦେଶ ଭିତରେ ଓଡ଼ିଶାର ସର୍ବାଧିକ ଜନାଦୃତ ଲେଖକ ଭାବେ ସେ ଯେତିକି ପରିଚିତ, ଦେଶ ବାହାରେ ଭାରତୀୟ ଇଂରାଜୀ ସାହିତ୍ୟର ଜଣେ ସଫଳ ରୂପକାର ଭାବରେ ସେ ସେତିକି ପ୍ରସିଦ୍ଧ। ସାତ ଦଶନ୍ଧି ଧରି ତାଙ୍କ ସାଧନାର ସ୍ବୀକୃତି ସ୍ବରୂପ ଆଜି ଭାରତ ସରକାର ସରସ୍ବତୀଙ୍କର ଏହି ବରପୁତ୍ରଙ୍କୁ ‘ପଦ୍ମଭୂଷଣ’ରେ ବିଭୂଷିତ କରିବାକୁ ଘୋଷଣା କରିଛନ୍ତି। ୧୯୩୪ ମସିହା ଫେବ୍ରୁଆରି ୨୭ ତାରିଖରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ର ସମୁଦ୍ର ତଟବର୍ତ୍ତୀ ଉପାନ୍ତ ଗାଁ ଶଙ୍ଖାରୀରେ ଏକ ସମ୍ପନ୍ନ ଓ ସମ୍ଭ୍ରାନ୍ତ ପରିବାରରେ ମନୋଜଙ୍କ ଜନ୍ମ। ମାର୍କ୍ସ ଓ ଲେନିନଙ୍କ ବାମପନ୍ଥୀ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ମନୋଜଙ୍କର ପ୍ରଚଣ୍ଡ ସାରସ୍ବତ ପ୍ରତିଭାର ପରିଚୟ ମିଳିଥିଲା ଛାତ୍ରାବସ୍ଥାରୁ। ନବମ ଶ୍ରେଣୀରେ ପଢ଼ୁଥିବାବେଳେ ସେ କେବଳ ଗଳ୍ପ ରଚନା ଆରମ୍ଭ କରି ନ ଥିଲେ, ‘ଦିଗନ୍ତ’ ନାମରେ ଏକ ଉଚ୍ଚକୋଟୀର ପତ୍ରିକାର ସମ୍ପାଦନା କରୁଥିଲେ। ସେହି ସମୟରେ ସେ ଲେଖିଥିବା ପ୍ରଥମ ଗଳ୍ପ ‘ସମୁଦ୍ରର କ୍ଷୁଧା’ ସେତେବେଳେ ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା। ଫକୀରମୋହନ କଲେଜରେ ପାଠ ପଢ଼ିବାବେଳେ ସେ ଛାତ୍ର ରାଜନୀତିରେ ଭାଗ ନେଇ କଲେଜ ଛାତ୍ର ସଂସଦର ସଭାପତି ହେବା ସହିତ ଜଣେ କମ୍ୟୁନିଷ୍ଟ ଛାତ୍ରନେତା ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତେବେ ସକ୍ରିୟ ଛାତ୍ର ରାଜନୀତି ଭିତରେ ବି ଲେଖନୀ ଚାଳନା ଜାରି ରଖିଥିବା ମନୋଜ ଓଡ଼ିଶାର ଜଣେ ଅଗ୍ରଣୀ ଲେଖକ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ।

ପରେ ସେ ରେଭେନ୍ସା କଲେଜରୁ ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରି ହାସଲ କରି କଟକ ଖ୍ରାଏଷ୍ଟ କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ତେବେ ଅଳ୍ପ କିଛିବର୍ଷର ଅଧ୍ୟାପନା ପରେ ଶ୍ରୀଅରବିନ୍ଦଙ୍କ ଦର୍ଶନରେ ଉଦ୍‌ବୁଦ୍ଧ ମନୋଜ ଆଧ୍ୟାତ୍ମିକତାର ଭିନ୍ନ ଏକ ଦିଗନ୍ତକୁ ଏମିତି ଆକର୍ଷିତ‌ ହୋଇଥିଲେ ଯେ ୬୦ ଦଶକର ପ୍ରାରମ୍ଭରେ ସେ ଓଡ଼ିଶା ଛାଡ଼ି ପଣ୍ଡିଚେରୀ ଚାଲି ଯାଇଥିଲେ ଏବଂ ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଇଂରାଜୀ ବିଭାଗର ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ କଲମ ମୁନରୁ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ବହୁ କାଳଜୟୀ ଗଳ୍ପ ଓ ଉପନ୍ୟାସ ସୃଷ୍ଟି ହୋଇ ତାଙ୍କୁ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକର ପ୍ରସିଦ୍ଧି ଆଣି ଦେଇଥିଲା। ତାଙ୍କର ଶ୍ରେଷ୍ଠ ଓଡ଼ିଆ ସା‌ହିତ୍ୟ କୃତୀ ମଧ୍ୟରେ ରହିଛି ‘ଶେଷ ବସନ୍ତର ଚିଠି’, ‘ମନୋଜ ଦାସଙ୍କ କଥା ଓ କାହାଣୀ’, ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ, ମନୋଜ ପଞ୍ଚବିଂଶତି, ଆରଣ୍ୟକ, ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ, ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ, ଲକ୍ଷ୍ମୀର ଅଭିସାର, କେତେ ଦିଗନ୍ତ, ଅନ୍ତରଙ୍ଗ ଭାରତ, ଦୂର ଦୂରାନ୍ତର, ଅମୃତ ଫଳ, ଆକାଶର ଇସାରା, ପ୍ରଭଞ୍ଜନ, ଗୋଧୂଳିର ବାଘ, କନକ ଉପତ୍ୟକାର କାହାଣୀ, ସମୁଦ୍ର କୂଳର ଏକ ଗାଁ(ବାଲ୍ୟସ୍ମୃତି) ଇତ୍ୟାଦି। ଏହା ବ୍ୟତୀତ ‘ଦି ଏସ୍‌କେପିଷ୍ଟ’, ଟାଇଗର ଏଟ୍‌ ଟୁଇଲାଇଟ୍‌, ସାଇକ୍ଲୋନ୍, ବୁଲଡୋଜର୍ସ, ଦି କ୍ରୋକଡାଇଲ୍ସ ଲେଡି ଆଦି ଇଂରାଜୀ ଉପନ୍ୟାସ ଓ ଗଳ୍ପ ସଂକଳନ ମଧ୍ୟ ବିଶ୍ବ ସାହିତ୍ୟରେ ଖୁବ୍ ଆଦୃତି ଲାଭ କରିଛି। ଏହା ବ୍ୟତୀତ ସେ କିଛି କାଳ ଲାଗି ‘ଦି ହେରିଟେଜ୍‌’ ପତ୍ରିକାର ସମ୍ପାଦନା ମଧ୍ୟ କରି ଖୁବ୍ ପ୍ରଶଂସା ସାଉଁଟିଥିଲେ।

ଉଭୟ ଓଡ଼ିଆ ଓ ଇଂରାଜୀରେ ନିଜର ବହୁ କାଳଜୟୀ କୃତୀ ପାଇଁ ମନୋଜ ଦାସ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୬୫, ୧୯୮୭), କେନ୍ଦ୍ର ସାହିତ୍ୟ ଅକାଦମୀ ପୁରସ୍କାର(୧୯୭୨), ଶାରଳା ପୁରସ୍କାର, ବିଷୁବ ପୁରସ୍କାର, ସାହିତ୍ୟ ଭାରତୀ ପୁରସ୍କାର, ସରସ୍ବତୀ ସମ୍ମାନ, ଅତିବଡ଼ି ଜଗନ୍ନାଥ ପୁରସ୍କାର, ବେଦବ୍ୟାସ ସମ୍ମାନ ଓ କେନ୍ଦ୍ର ସାହିତ୍ୟ ଅକାଦମୀର ଫେଲୋସିପ୍ ଆଦି ରାଜ୍ୟ ଓ ଦେଶର ଅନେକ ବଡ଼ ବଡ଼ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ୨୦୦୧ରେ ପଦ୍ମଶ୍ରୀ ପୁରସ୍କାର ପାଇଥିବା ମନୋଜ ଦାସଙ୍କୁ ବିଳମ୍ବରେ ହେଲେ ବି ଚଳିତ ବର୍ଷ ‘ପଦ୍ମଭୂଷଣ’ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର