ପ୍ରତିକୂଳ ପରିସ୍ଥିତି ଭିତରେ ମନୁଷ୍ୟର ନିଃସଙ୍ଗ ସଂଗ୍ରାମ ହିଁ ତା’ର ପୁରୁଷାର୍ଥ: ସୁରେନ୍ଦ୍ର ମହାନ୍ତି

ଉପସ୍ଥାପନା: ଗୌରହରି ଦାସ

ଆଜି ଓଡ଼ିଆ ସାହିତ୍ୟର ଅପ୍ରତିମ ଗଦ୍ୟଶିଳ୍ପୀ ତଥା କଥାସମ୍ରାଟ୍ ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ। ଏହି ଅବସରରେ ଡ.ଗୌରହରି ଦାସଙ୍କ ବିଶେଷ ଉପସ୍ଥାପନା- କଥାସମ୍ରାଟ ସୁରେନ୍ଦ୍ରଙ୍କ ସହ ଏକ ଅନ୍ତରଙ୍ଗ ସାକ୍ଷାତକାର।

ଆପଣଙ୍କର ପରିଚୟ ଜଣେ ସାହିତ୍ୟିକର ପରିଚୟ ଭିତରେ ସୀମାବଦ୍ଧ ନୁହେଁ। ପ୍ରାୟ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ଆପଣ ସକ୍ରିୟ ରାଜନୀତିରେ ଭାଗ ନେଇଛନ୍ତି ଓ ନିର୍ବାଚିତ ପ୍ରତିନିଧି ଭାବେ ବିଭିନ୍ନ ପଦପଦବି ଅଳଙ୍କୃତ କରିଛନ୍ତି। ଆପଣ ପୁଣି ବିଭିନ୍ନ ସମୟରେ ‘ଜନତା’, ‘ଗଣତନ୍ତ୍ର’, ‘କଳିଙ୍ଗ’ ଓ ‘ସମ୍ବାଦ’ ପରି ସମ୍ବାଦପତ୍ରର ସଂପାଦକ ଭାବେ ଦାୟିିତ୍ବ ତୁଲାଇ ଆସିଛନ୍ତି। ତେବେ ସାହିତ୍ୟିକ, ସଂପାଦକ ଓ ରାଜନୈତିକ ନେତା- ଏ ତିନିଟି ପରିଚୟ ଭିତରୁ ଆପଣ ନିଜେ କେଉଁ ପରିଚୟରେ ପରିଚିତ ହେବାକୁ ଅଧିକ ପସନ୍ଦ କରିଛନ୍ତି?

ମୁଁ ସାହିତ୍ୟିକ ରୂପେ ହିଁ ପରିଚିତ ହେବା ପାଇଁ ଚାହେଁ। କାରଣ ସାହିତ୍ୟ ମୋ ଜୀବନରେ ଆଣିଦେଇଛି ପରିତୃପ୍ତି। ସାହିତ୍ୟ ମଧ୍ୟରେ କେବଳ ମୁଁ ମୋ ନିଜକୁ ଆବିଷ୍କାର କରିବା ସାଙ୍ଗେ ସାଙ୍ଗେ ମୋର ବକ୍ତବ୍ୟ ଅବାଧ ଭାବରେ ପ୍ରକାଶ କରିପାରିଛି। ମୋର ରାଜନୈତିକ ଜୀବନର ସୂତ୍ରପାତ ହୋଇଥିଲା, ୧୯୪୨ ମସିହାଠାରୁ। ରାଜନୀତି କ୍ଷେତ୍ରରେ କିଛିଟା ଉେତ୍ତଜନା ଓ ଚା‌ଞ୍ଚଲ୍ୟ ବ୍ୟତୀତ ମୁଁ ଅନ୍ୟ କିଛି ପାଇପାରି ନାହିଁ। ସାମ୍ବାଦିକତା ଆତ୍ମପ୍ରକାଶର ସହାୟକ ହୋଇଥିଲେ ହେଁ ମୋର ଆତ୍ମାକୁ ତାହା ତୃପ୍ତ କରିପାରି ନାହିଁ। ସାହିତ୍ୟ, ରାଜନୀତି ଓ ସାମ୍ବାଦିକତା ମୋ ଜୀବନରେ ତ୍ରିବେଣୀ ଧାରା ପରି ବହି ଆସିଥିଲେ ହେଁ କେବଳ ସାହିତ୍ୟିକ ରୂପେ ହିଁ ମୁଁ ପରିଚିତ ଓ ସେହିପରି ଭାବରେ ପରିଚିତ ହେବା ମୋର ଉେଦ୍ଦଶ୍ୟ।

ସ୍ବାଧୀନତା ପରବର୍ତ୍ତୀ କାଳରେ ଲିଖିତ ଆପଣଙ୍କର ‘ଅନ୍ଧ ଦିଗନ୍ତ’ ଓ ‘ଫଟାମାଟି’ ଉପନ୍ୟାସମାନଙ୍କରେ ପ୍ରଚଳିତ ଶାସନ ବ୍ୟବସ୍ଥା ପ୍ରତି ଏକ ପ୍ରକାର ଅନାସ୍ଥାଭାବ ସୁସ୍ପଷ୍ଟ। ଆପଣ କ’ଣ ଭାରତୀୟ ଗଣତନ୍ତ୍ରର ଭାବଧାରା ସମ୍ପର୍କରେ ଆଶାବାଦୀ ନୁହନ୍ତି?
ମୁଁ ଆଶାବାଦୀ ନିଶ୍ଚୟ। କିନ୍ତୁ ବିଲାତର ସ୍ବର୍ଗତ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍ ଚର୍ଚ୍ଚିଲ୍‌ଙ୍କ ଗୋଟିଏ ଉକ୍ତି ମୋର ସବୁବେଳେ ମନେପଡ଼େ– Democracy is the best among worst forms of Government। ପାର୍ଲିଆମେଣ୍ଟ୍‌ରେ ଗଣତନ୍ତ୍ର ସହିତ ଦୀର୍ଘକାଳ ସଂପୃକ୍ତ ରହି ମୋର ଧାରଣା ଜନ୍ମିଛି, ଭାରତୀୟ ଗଣତନ୍ତ୍ର ଔପଚାରିକ ମାତ୍ର! ଏଥିରେ ଗଣତନ୍ତ୍ରର ମୂଲ୍ୟବୋଧ ଓ ମର୍ମ ଖୋଜିଲେ ମିଳିବ ନାହିଁ। ଏଇ ଅପୂର୍ଣ୍ଣତା ପ୍ରତି ସଚେତନ କରାଇବା ମୋର ସାହିତ୍ୟର ଅନ୍ୟତମ ଆଭିମୁଖ୍ୟ।

ଆପଣଙ୍କର ଅନେକ ଗଳ୍ପରେ ପ୍ରଚଳିତ ଶାସନ ବ୍ୟବସ୍ଥା ସଂପର୍କରେ ନୈରାଶ୍ୟବୋଧ ଅନୁଭବ କରିହୁଏ। ଆପଣଙ୍କ ସାହିତ୍ୟରେ ଅନେକ ଅସନ୍ତୋଷ, ଅନେକ ଅଭିଯୋଗ। ଏଥିପାଇଁ ଆପଣଙ୍କୁ ଯଦି ଜଣେ ସିନିକ୍ ବା ନୈରାଶ୍ୟବାଦୀ କୁହାଯାଏ, ତାହାହେଲେ ଆପଣଙ୍କର ପ୍ରତିକ୍ରିୟା କ’ଣ ହେବ?
ମୁଁ ଏହାକୁ ଆଦୌ ଗ୍ରହଣ କରେ ନାହିଁ। ଯେଉଁମାନେ ମୋତେ ‘ସିନିକ୍’ ବୋଲି କହନ୍ତି ସେମାନେ ପ୍ରକୃତରେ ‘ସିନିସିଜମ୍’ର ସଂଜ୍ଞା କ’ଣ ଜାଣନ୍ତି ନାହିଁ। ସିନିସିଜମ୍‌ର ଅର୍ଥ ମୋ ଦୃଷ୍ଟିରେ ହେଉଛି ନୂତନ ମୂଲ୍ୟବୋଧର ବ୍ୟାକୁଳ ଅନ୍ବେଷଣ। ପୁରାତନକୁ ବର୍ଜନ କରି ନୂତନର ଅଭ୍ୟୁଦୟ ପାଇଁ ଇଏ ଏକ ପ୍ରସୂତି ବେଦନା। ମୁଁ ଆଦୌ ସିନିକ୍ ନୁହେଁ ବରଂ ଗଭୀର ଆଶାବାଦୀ।

ଆପଣଙ୍କର ଜୀବନସ୍ମୃତିରେ ଆପଣ ନିଜକୁ ଜଣେ ସଭାଦ୍ରୋହୀ ଭାବରେ ଘୋଷଣା କରିଛନ୍ତି। ଶୈଶବ ବା କୈଶୋରର କେଉଁ କେଉଁ ଘଟଣା ଆପଣଙ୍କ ଭିତରେ ଏଇ ଭାବଟି ସୃଷ୍ଟି କରିବାରେ ଅଧିକ ଦାୟୀ?
ମୁଁ ତ ମୋର ଜୀବନସ୍ମୃତି ‘ପଥ ଓ ପୃଥିବୀ’ରେ ଲେଖିଛି, ସେତେବେଳେ ଘରେ ଗୁରୁଜନ, ସ୍କୁଲ୍‌ରେ ଶିକ୍ଷକ ଓ ବାହାରେ ସମାଜପତିମାନଙ୍କର କଠୋର ନିୟନ୍ତ୍ରଣ ମଧ୍ୟରେ ରହି ରହି ମୋ ଭିତରେ ବିଦ୍ରୋହର ଯେଉଁ ଅଗ୍ନି ସ୍ଫୁଲିଙ୍ଗ ଜଳିଥିଲା, ପରବର୍ତ୍ତୀ କାଳରେ ତାହା ମୋତେ ସଭାଦ୍ରୋହୀ କରି ଦେଇଥିଲା। ଆଜିର ସମାଜ ପରି ସେଦିନ ସମାଜ ଆଦୌ Permissive ନ ଥିଲା। ସବୁ କଥାରେ ଥିଲା ନିଷେଧ ଓ କଟକଣା। ମୁଁ ଆଜୀବନ ତାହାର ପ୍ରତିବାଦ ଓ ପ୍ରତିରୋଧ କରି ଆସିଛି। ସେଥିପାଇଁ ମୋ ସାହିତ୍ୟରେ ସତ୍ ଓ ଅସତ୍ ବୋଲି କିଛି ନାହିଁ। ମନୁଷ୍ୟ ସତ୍ ଓ ଅସତ୍‌ର ଅନେକ ଊର୍ଦ୍ଧ୍ବରେ ବୋଲି ମୁଁ ବରାବର କହି ଆସିଛି। ସୋଫେନ୍‌ ହାୱାରଙ୍କ ଭାଷାରେ ‘Man is beyond good and evil’।

ଆପଣ ଭାଷା, ରୁଚି, ଆଚାର ବ୍ୟବହାରରେ ଅତ୍ୟନ୍ତ ରକ୍ଷଣଶୀଳ ବୋଲି ଅନେକଙ୍କର ମତ। ଆପଣ ଏହାକୁ ସମର୍ଥନ କରୁଛନ୍ତି କି?
ମୁଁ ଆଦୌ ରକ୍ଷଣଶୀଳ ନୁହେଁ। ତଥାପି ରକ୍ଷଣଶୀଳତା ପ୍ରତି ମୁଁ କେତେକାଂଶରେ ଆଗ୍ରହୀ ବୋଲି ସ୍ବୀକାର ନ କଲେ, ତାହା ମିଥ୍ୟା ଭାଷଣ ହେବ। ଯେଉଁମାନଙ୍କର କିଛି ରକ୍ଷା କରିବା ପାଇଁ ଥାଏ, ସେଇମାନେ କେବଳ ରକ୍ଷଣଶୀଳ ହୋଇଥାଆନ୍ତି। କିନ୍ତୁ ମୋର ରକ୍ଷଣଶୀଳତା ପ୍ରଗତିର ପରିପନ୍ଥୀ ନୁହେଁ।

ଆପଣଙ୍କର ଗଳ୍ପ ଉପନ୍ୟାସର ଭାଷା ହିଁ ଚିରଦିନ ପାଠକଙ୍କୁ ମୁଗ୍ଧ କରି ଆସିଛି। ତତ୍‌ସମ, ତଦ୍‌ଭବ, ଦେଶଜ ଓ ଯାବନିକ ଶବ୍ଦମାନଙ୍କର ଚମତ୍କାର ମିଶ୍ରଣ ହିଁ ଆପଣଙ୍କର ଭାଷା। ଅଥଚ ଆପଣଙ୍କ ପୂର୍ବ ପିଢ଼ିର ସାହିତ୍ୟିକ ଏପରିକି ଫକୀରମୋହନଙ୍କ ଭାଷାଠାରୁ ଏ ଭାଷା ସମ୍ପୂର୍ଣ୍ଣ ସ୍ବତନ୍ତ୍ର। ଏପରି ଭାଷାକୁ ଆପଣ କାହିଁକି ଗ୍ରହଣ କରିନେଲେ?
ଭାଷା ଅନ୍ତିମ ଲକ୍ଷ୍ୟ ନୁହେଁ କିମ୍ବା ହେବା ମଧ୍ୟ ଉଚିତ ନୁହେଁ। ଭାବ ପ୍ରକାଶ ପାଇଁ ଏହା ଏକ ମାଧ୍ୟମ ମାତ୍ର। ତେଣୁ ଯେଉଁପରି ଭାଷାରେ ଲେଖିଲେ ତାହା ମୋର ଅନ୍ତର୍ନିହିତ ଭାବକୁ ପ୍ରାଞ୍ଜଳ ଓ ବଳିଷ୍ଠ ଭାବରେ ପରିପ୍ରକାଶ କରିପାରିବ, ସେହିପରି ଭାଷା ମୁଁ କେବଳ ବ୍ୟବହାର କରିଛି। ମୋ ପୂର୍ବରୁ ପ୍ରକୃତରେ ଏ ପ୍ରକାର ଭାଷା ନ ଥିଲା। ସେତେବେଳେ ସେହି ଅପୂର୍ଣ୍ଣତା ଉପଲବ୍‌ଧ କରି ମୁଁ ଏକ ନୂତନ ଭାଷାଶୈଳୀ ସୃଷ୍ଟି କରିଥିଲି।

ଆପଣ ଏକଦା କହିଥିଲେ ଯେ ବିବେକ ଓ ବିଚାର ସହ ସାଲିସ୍‌ ନ କରି ରାଜନୀତି କରିବା ଏବେ ସମ୍ପୂର୍ଣ୍ଣ ଅସମ୍ଭବ। ଏପରି ଏକ ସିଦ୍ଧାନ୍ତ ପଛରେ କିଛି ବ୍ୟକ୍ତିଗତ ଅଭିଜ୍ଞତା ରହିଛି କି?
ବହୁ ଅଭିଜ୍ଞତା ତ ନିଶ୍ଚୟ ରହିଛି। ମୁଁ କିନ୍ତୁ କ୍ଷମତା ରାଜନୀତି କରି ନ ଥିବାରୁ ମୋତେ ନିଜ ବିଚାର ଓ ବିବେକ ସହିତ ବେଶି ସାଲିସ୍‌ କରିବା ପାଇଁ ପଡ଼ିନାହିଁ। ମାତ୍ର ଯେଉଁମାନେ କ୍ଷମତା ପାଇଁ ରାଜନୀତି କରୁଛନ୍ତି, ସେମାନେ ପ୍ରତ୍ୟହ ପ୍ରତି ମୁହୂର୍ତ୍ତରେ କିପରି ବିଚାର, ବିବେକ ସହିତ ସାଲିସ୍‌ କରନ୍ତି, ତାହା ଦେଖି ଦେଖି କ୍ଷମତା ରାଜନୀତି ପ୍ରତି ଅନାଗ୍ରହ ଜନ୍ମିଛି।

ଆପଣ ଦୀର୍ଘଦିନ ଧରି ବିଭିନ୍ନ ସମ୍ବାଦପତ୍ରର ସଂପାଦକ ଦାୟିତ୍ବ ତୁଲାଇ ଆସିଛନ୍ତି। ଉଦାହରଣ ଦେଇ ଯଦି ପଚାରେ ଯେ ଆପଣ ସଦାନନ୍ଦଙ୍କର ସ୍ବପ୍ନର କେତେ ନିକଟତର ହୋଇପାରିଛନ୍ତି, ତା’ହେଲେ…?
ସ୍ବପ୍ନର ନିକଟତର ହେବା ତ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ। ତା’ହେଲେ ସ୍ବପ୍ନ ସବୁ ସ୍ବପ୍ନ ହୋଇ ରହନ୍ତେ ନାହିଁ। ତଥାପି ସାମ୍ବାଦିକତାକୁ ମୁଁ ସାହିତ୍ୟର, ସାହିତ୍ୟକୁ ସାମ୍ବାଦିକତାର ନିକଟତର କରାଇବା ପାଇଁ ଚେଷ୍ଟା କରିଛି। ଏ ଦିଗରେ ମୁଁ କେତେଦୂର ସଫଳ ବା ବିଫଳ ହୋଇଛି, ପାଠକମାନେ କେବଳ ତାହାର ବିଚାର କରିବେ। ବସ୍ତୁତଃ ସାମ୍ବାଦିକତାରେ ଯେ ସାହିତ୍ୟର ସତ୍ତା ରହିବ ନାହିଁ ଏହା ମୁଁ ଆଦୌ ବିଶ୍ବାସ କରେ ନାହିଁ।

ସାମ୍ପ୍ରତିକ ଓଡ଼ିଆ ସାମ୍ବାଦିକତା ସମ୍ପର୍କରେ ଆପଣଙ୍କର ମନ୍ତବ୍ୟ ଅନୁକୂଳ ନା ପ୍ରତିକୂଳ?
ସାମ୍ପ୍ରତିକ ଓଡ଼ିଆ ସାମ୍ବାଦିକତାରେ ପୂର୍ବ ତୁଳନାରେ ପରିମାଣାତ୍ମକ ଅଭିବୃଦ୍ଧି ଯଥେଷ୍ଟ ସାଧିତ ହୋଇପାରିଛି। ଆଜିକାଲି ରିପୋର୍ଟିଂ କହିଲେ କେବଳ ପ୍ରେସ୍‌ନୋଟ୍ ଓ ହାଣ୍ତ୍ ଆଉଟ୍ ମଧ୍ୟରେ ତାହା ସୀମାବଦ୍ଧ। କିନ୍ତୁ ଆମ ସମୟରେ News houndingର ଯେଉଁ ଉେତ୍ତଜନା ଥିଲା, ତାହା ଆଜି ଆଉ ନାହିଁ।

ରାଜନୀତି ସହ ଆପଣଙ୍କର ସମ୍ପର୍କ ସାରସ୍ବତ ସୃଜନଶୀଳତାକୁ ପରିପୁଷ୍ଟ କରିଛି ନା ପ୍ରତିହତ?
ମୁଁ ବହୁବାର ବହୁ ସାକ୍ଷାତକାରରେ କହିଛି, ପ୍ରତ୍ୟକ୍ଷ ରାଜନୀତି ମଣିଷ, ସମାଜ ଓ ପରିବେଶ ସହିତ ଗଭୀର ଭାବରେ ପରିଚିତ ହେବା ପାଇଁ ଯେଉଁ ସୁଯୋଗ ଦେଇଛି ତାହା ମୋର ସାହିତ୍ୟକୁ ବହୁ ପରିମାଣରେ ପରିପୁଷ୍ଟ କରିପାରିଅଛି। ମୋ କ୍ଷେତ୍ରରେ ସାହିତ୍ୟ ଓ ରାଜନୀତି ପରସ୍ପରର ପରିପୂରକ, କେହି କାହାର ପରିପନ୍ଥୀ ନୁହନ୍ତି। ମୋ ଜୀବନରେ ସାହିତ୍ୟ ନ ଥିଲେ, ରାଜନୀତି କ୍ଷେତ୍ରରେ ରହି ମୁଁ ଏକ ନିର୍ଘାତ ଟାଉଟର ହୋଇଥାଆନ୍ତି। ଆଉ ରାଜନୀତିରେ ନ ଥିଲେ, ମୋର ସାହିତ୍ୟ କୂପମଣ୍ତୁକତା ହୋଇଥାଆନ୍ତା।

ବୌଦ୍ଧଯୁଗୀୟ କାହାଣୀକୁ ଆଧାର କରି ଆପଣ ଲେଖିଥିବା ଗଳ୍ପମାନଙ୍କରେ ଆପଣ ନିର୍ବାଣ ଆଶାୟୀ ବୌଦ୍ଧ ଭିକ୍ଷୁମାନଙ୍କର କୃଚ୍ଛ୍ର ସାଧନାକୁ ବହୁବାର ସମାଲୋଚନା କରିଛନ୍ତି। ନିବୃତ୍ତି ମାର୍ଗରେ ମୋକ୍ଷ ବା ନିର୍ବାଣ ପ୍ରାପ୍ତିକୁ ଆପଣ ଅସ୍ବୀକାର କରିବେ କି?
ନିବୃତ୍ତି ମାର୍ଗ ପ୍ରତି ମୋର ବିଶ୍ବାସ ଅବିଶ୍ବାସର ପ୍ରଶ୍ନ ଏ କ୍ଷେତ୍ରରେ ବଡ଼ ପ୍ରଶ୍ନ ନୁହେଁ। ସ୍ବୟଂ ତଥାଗତ ବୁଦ୍ଧ ନିବୃତ୍ତି ମାର୍ଗ ପ୍ରଚାର କରିଥିଲେ। କିନ୍ତୁ ନିବୃତ୍ତି ଯେଉଁଠାରେ ଯେତେ କଠୋର, ପ୍ରବୃତ୍ତି ସେଠାରେ ତାହାର ସ୍ବାଭାବିକ ପ୍ରତିକ୍ରିୟା ରୂପେ ସେତେ ଦୁର୍ନିବାର। ବୁଦ୍ଧଙ୍କ ପରିନିର୍ବାଣ ପରେ ବୌଦ୍ଧ ସଂଘମାନଙ୍କରେ ସେଇ ଅବକ୍ଷୟ ଆରମ୍ଭ ହୋଇଯାଇଥିଲା। ଏହା ଥିଲା ଅବଧାରିତ। ଗୀତାରେ ମଧ୍ୟ କୁହାଯାଇଛି, ପ୍ରକୃତି ମଣିଷକୁ ତା’ ବାଟରେ ଟାଣି ନେଇଯାଏ। ନିଗ୍ରହ ସେଠାରେ କ’ଣ କରିପାରିବ? ଅଥଚ ଗୀତାରେ ମଧ୍ୟ ନିବୃତ୍ତି ମାର୍ଗ କମ୍ ପ୍ରଚାରିତ ହୋଇନାହିଁ। ଏ ସମ୍ପର୍କରେ ଆଗ୍ରହୀ ପାଠକମାନେ ମୋର ‘ଆଜୀବକର ଅଟ୍ଟହାସ’ ଉପନ୍ୟାସ ବିଶଦ ଆଲୋଚନା ପାଇଁ ପାଠ କରିପାରନ୍ତି।

‘କାମନାର ବିନାଶରେ ଦୁଃଖର ବିନାଶ’- ଏହି ଉକ୍ତି ସହ ଆପଣ କେତେ ଦୂର ଏକମତ?
ଏଥି ସହିତ ମୁଁ ସମ୍ପୂର୍ଣ୍ଣ ଏକମତ। ଏହା ମଧ୍ୟ ଗୀତା ଉକ୍ତି। କିନ୍ତୁ କାମନାର ବିନାଶ ସମ୍ଭବ କି?…

‘ନୀଳଶୈଳ’ର ସରଦେଈ ଆପଣଙ୍କର ଏକ ଅବିସ୍ମରଣୀୟ ଚରିତ୍ର। ଏହି ଚରିତ୍ରଟି ଆପଣଙ୍କ କଳ୍ପନାକୁ ଆସିଲା କାହିଁକି?
ପ୍ରଥମେ ‘ନୀଳଶୈଳ’ ଲେଖିବା ବେଳେ ସରଦେଈ ଚରିତ୍ର ମୋର ପରିକଳ୍ପନାରେ ଇ ନ ଥିଲା। ପରେ ଏକ ପାର୍ଶ୍ବ ଚରିତ୍ର ରୂପେ ଗୋଟିଏ ଯୁଦ୍ଧ ବିଧ୍ବସ୍ତ ପାଇକାଳୀ ଗାଁର ବର୍ଣ୍ଣନା ପ୍ରସଙ୍ଗରେ ଗୋଟିଏ ବିଧବା ପାଇକବଧୂ ରୂପେ ସରଦେଈର ଆବିର୍ଭାବ ଘଟିଥିଲା। କିନ୍ତୁ ଲେଖୁ ଲେଖୁ ସରଦେଈ ସମଗ୍ର ଉପନ୍ୟାସଟିକୁ ଯେପରି ଆଚ୍ଛନ୍ନ କରିଦେଲା। ବସ୍ତୁତଃ ସରଦେଈକୁ ବାଦ୍‌ଦେଇ ‘ନୀଳଶୈଳ’ ଉପନ୍ୟାସ କଳ୍ପନା କରିହୁଏ ନାହିଁ। ସରଦେଈ ମୋର ଅବଚେତନର ସୃଷ୍ଟି। ପ୍ରତ୍ୟେକ ମହାନ୍ ଚିତ୍ରଶିଳ୍ପ ଅଥବା କାବ୍ୟ କିମ୍ବା ଉପନ୍ୟାସ ଏହି ଅବଚେତନରୁ ହିଁ ନିସୃତ ହୋଇଥାଏ। ତେଣୁ ସରଦେଈ କୁଆଡୁ କିପରି ମୋର ‘ନୀଳଶୈଳ’ ଉପନ୍ୟାସ ଭିତରକୁ ଆସିଲା, ମୁଁ ତାହାର କୌଣସି ଉତ୍ତର ଦେଇପାରିବି ନାହିଁ।

ଆପଣ ଏକଦା ଗୋଟିଏ ସାକ୍ଷାତକାରରେ କହିଥିଲେ ଯେ ପ୍ରେମକୁ ଆପଣ କେବଳ ଏକ ଦୈହିକ ଚାହିଦା ବା ପ୍ରୟୋଜନ ରୂପେ ଗ୍ରହଣ କରନ୍ତି। ଏସବୁ ଊର୍ଦ୍ଧ୍ବରେ ପ୍ରେମର ଏକ ନାନ୍ଦନିକ ମୂଲ୍ୟ ନାହିଁ କି?
ପ୍ରେମର ନାନ୍ଦନିକ ମୂଲ୍ୟକୁ ମୁଁ କଦାପି ଅସ୍ବୀକାର କରେ ନାହିଁ। କିନ୍ତୁ ନାନ୍ଦନିକତାର ନେପଥ୍ୟରେ ଯେଉଁ ଜାନ୍ତବ ବାସ୍ତବତା ରହିଛି, ତାହା ପ୍ରତି ଲକ୍ଷ୍ୟ ରଖି ପ୍ରେମ କେବଳ ଏକ ପ୍ରୟୋଜନ ବୋଲି କହିଛି।

‘କୁଳବୃଦ୍ଧ’ ଓ ‘ଶତାବ୍ଦୀର ସୂର୍ଯ୍ୟ’ ଗ୍ରନ୍ଥ ଦୁଇଟି ରଚନା ପୃଷ୍ଠଭୂମିରେ ମି. ଦାସଙ୍କ ଚରିତ୍ର ପ୍ରତି ସେପରି କିଛି ବ୍ୟକ୍ତିଗତ ଅଭିରୁଚି ରହିଛି କି?
ବ୍ୟକ୍ତିଗତ ଅଭିରୁଚି ନ ଥିଲେ ଓ ମଧୁସୂଦନଙ୍କର ଜୀବନ ତଥା ତାଙ୍କ ଜୀବନାଦର୍ଶ ପ୍ରତି ମୋର ଗଭୀର ଶ୍ରଦ୍ଧା ନ ଥିଲେ ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ ମୁଁ କଦାପି ଲେଖିପାରି ନ ଥାନ୍ତି। ମୋ ଦୃଷ୍ଟିରେ ମଧୁସୂଦନ ଆଜି ସୁଦ୍ଧା ପ୍ରାସଙ୍ଗିକ ରହିଛନ୍ତି।

ଦୀର୍ଘଦିନ ଧରି ରାଜନୀତି କରିବା ସତ୍ତ୍ବେ ଆପଣ ମନ୍ତ୍ରୀଟିଏ ହୋଇନାହାନ୍ତି, ସାହିତ୍ୟ କ୍ଷେତ୍ରରେ ମଧ୍ୟ ଆପଣ ଯେଉଁ ସ୍ବୀକୃତି ପାଇବା କଥା ତାହା ପାଇନାହାନ୍ତି ବୋଲି ଅନେକଙ୍କର ମତ। ଏ ନେଇ ଆପଣ ନିଜକୁ ଅସଫଳ ବିଚାର କରନ୍ତି କି?
ମନ୍ତ୍ରୀଟିଏ ହେବାର ବାସନା ମୋର କୌଣସି ଦିନ ନ ଥିଲା। ମନ୍ତ୍ରୀଟିଏ ହେବାର ବାସନା ଥିଲେ ମୁଁ ଏମ୍.ଏଲ୍.ଏ.ଟିଏ ହୋଇ ବିଧାନସଭାକୁ ଆଶ୍ରା କରିଥାଆନ୍ତି। ସେଥିପାଇଁ ମୋର କୌଣସି ଅସୁବିଧା ନ ଥିଲା। ମାତ୍ର ଜାତୀୟ ରାଜନୀତି କ୍ଷେତ୍ରରେ ବିଚରଣ କରିବା ଉେଦ୍ଦଶ୍ୟରେ ମୁଁ ପାର୍ଲାମେଣ୍ଟ୍‌କୁ ପସନ୍ଦ କରିଥିଲି। ମନ୍ତ୍ରୀ ହେବା ନ ହେବାକୁ ଯେଉଁମାନେ ସଫଳତା କିମ୍ବା ଅସଫଳତାର ମାପକାଠି ରୂପେ ବିଚାର କରିଥାଆନ୍ତି, ସେମାନଙ୍କଠାରୁ ମୁଁ ନିଆରା। ପୁଣି ମନ୍ତ୍ରୀଟିଏ ହୋଇପାରିଥିଲେ ମୋ ବେସାଲିସ୍‌ ମନୋଭାବ ଯୋଗୁଁ ମୁଁ କଦାପି ଗୋଟିଏ ସପ୍ତାହରୁ ଅଧିକ କାଳ ରହିପାରି ନ ଥାନ୍ତି। କିନ୍ତୁ ଯେଉଁ ଲକ୍ଷ୍ୟ ଧରି ମୁଁ ପାର୍ଲାମେଣ୍ଟାରୀ ରାଜନୀତିରେ ପ୍ରବେଶ କରିଥିଲି, ସେଇ ଲକ୍ଷ୍ୟ ଦୃଷ୍ଟିରୁ ମୁଁ ରାଜନୀତିରେ ବେଶ୍ ସଫଳ ହୋଇପାରିଛି। ଏକଥା ମୁଁ ମୋର ଜୀବନସ୍ମୃତି ‘ପଥ ଓ ପୃଥିବୀ’ରେ ଲେଖିଛି। ପୁଣି ସାହିତ୍ୟ ଦୃଷ୍ଟିରୁ ମୋ ବିଚାରରେ ପାଠକର ଅକୃତ୍ରିମ ଶ୍ରଦ୍ଧା ହିଁ ହେଉଛି ଲେଖକର ଶ୍ରେଷ୍ଠ ଜୟମାଲ୍ୟ। ଆନୁଷ୍ଠାନିକ ସ୍ବୀକୃତି ତୁଳନାରେ ତାହା ବହୁ ଊର୍ଦ୍ଧ୍ବରେ। ମୁଁ ତ ଅନେକ ଆନୁଷ୍ଠାନିକ ସ୍ବୀକୃତି ପାଇଛି, କିନ୍ତୁ ସେସବୁ ତୁଳନାରେ ପାଠକମାନଙ୍କଠାରୁ ଯେଉଁ ଶ୍ରଦ୍ଧା ପାଇଛି, ତାହା ମୋ ଦୃଷ୍ଟିରେ ଅଧିକ ମହତ୍ତର।

ଆପଣଙ୍କର ଜୀବନର କେଉଁ ନିର୍ଦ୍ଦିଷ୍ଟ ଘଟଣାକୁ ଆପଣ ବେଶି ସ୍ମରଣୀୟ ବୋଲି ବିଚାର କରନ୍ତି?
ଏ ପ୍ରସଙ୍ଗରେ ପିଲାଦିନର ଗୋଟାଏ କଥା ମନେପଡୁଛି। ଥରେ ମୁଁ ଓ ମୋର ଜଣେ ସାଙ୍ଗ ଚିତ୍ରୋତ୍ପଳା କୂଳକୁ ଯାଇଥିଲୁ। ଗୋଟାଏ ଉଚ୍ଚ ଜାଗାରେ ଛିଡ଼ାହୋଇ ସାଙ୍ଗ ମୋର କହିଲା, ଏଇଠୁ ତଳକୁ ଡେଇଁପାରିବୁ? ମୁଁ ତା’ର ଏ ପ୍ରକାର ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରିବାକୁ ଚାହୁ ନ ଥିଲି। ସେ କିନ୍ତୁ ମୋତେ ନିର୍ଭର ପ୍ରତିଶ୍ରୁତି ଦେଲା ପରି କହିଲା– ‘ହଁ ତୁ ଚେଷ୍ଟା କଲେ ଡେଇଁପାରିବୁ। ଅଳ୍ପ ପାଣି ଥିବ ଯେ…!’ ମୁଁ ତା’ କଥାରେ ବିଶ୍ବାସ କରି ନଈ ଭିତରକୁ ଡେଇଁପଡ଼ିଲି। ଗୋଡ଼ହାତ ତ ଖଣ୍ତିଆଖାବରା ହେଲା, ନଈ ପାଣିରେ ବୁଡ଼ି ଯାଉ ଯାଉ ବ‌ଞ୍ଚିଗଲି। ସେହିଦିନଠାରୁ ଶିଖିଛି, ଆଗପଛ ବିଚାର ନ କରି ପର ବୁଦ୍ଧିରେ କିଛି କରିବସିବା ମହା ଭୁଲ୍। ଏ ଘଟଣାଟି ମୋର ଆଜିଯାଏ ମନେଅଛି।

ଆପଣ ଅନେକ ସମୟରେ ନିଜକୁ ଜଣେ ନିଃସଙ୍ଗ ବ୍ୟକ୍ତି ଭାବେ ପରିଚୟ ଦେଇ ଆସିଛନ୍ତି। ନିଜ ଜୀବନର ଏତେ ବୈଚିତ୍ର୍ୟ ଓ ଘଟଣାର କୋଳାହଳ ସତ୍ତ୍ବେ ଏପରି ଭାବିବାର କାରଣ ସମ୍ପର୍କରେ କିଛି କହିବେ କି?
ନିଃସଙ୍ଗତାବୋଧ ହେଉଛି ପ୍ରତ୍ୟେକ ମନୁଷ୍ୟର ଏକ ସହଜାତ ପ୍ରବୃତ୍ତି। ମୋର ମନେହୁଏ, ଏ ନିଃସଙ୍ଗତାବୋଧ ଆଧ୍ୟାତ୍ମିକ ଚେତନାପ୍ରସୂତ। ମନୁଷ୍ୟ ସବୁ କୋଳାହଳ ମଧ୍ୟରେ ଯାହାକୁ ଖୋଜୁଛି, ତାକୁ ପାଉନାହିଁ। ମୋର ଜୀବନରେ ଅନେକ ବୈଚିତ୍ର୍ୟ, ଅନେକ କୋଳାହଳ। ଏହା କିନ୍ତୁ ବାହ୍ୟ। ସମୁଦ୍ର ଲହରିମାନଙ୍କର କୋଳାହଳରେ ଚିର ଅଶାନ୍ତ। ମାତ୍ର ତା’ର ଅନ୍ତଃସ୍ଥଳ ଏକ ହ୍ରଦ ପରି ନିରବ ଓ ନିଥର। ମୋର ରଚନାମାନଙ୍କରେ ମୋ ନିଃସ୍ବତାବୋଧ ଲୁଚି ରହିପାରି ନାହିଁ। ସ୍ବଭାବତଃ ସେଥିପାଇଁ ମୁଁ ଟିକିଏ ଦୂରଛଡ଼ା ପ୍ରକୃତିର ମଣିଷ। ମୋର ମନେହୁଏ ପ୍ରତ୍ୟେକ ସ୍ପର୍ଶକାତର ଓ ଭାବପ୍ରବଣ ମଣିଷ ନିଃସଙ୍ଗ।

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ତରୁଣ ଗୋଷ୍ଠୀ ସମ୍ପର୍କରେ ଆପଣଙ୍କ ଧାରଣା କ’ଣ?
ମୋର ଧାରଣା ଅତ୍ୟନ୍ତ ଉଚ୍ଚ। ତରୁଣମାନଙ୍କ ମଧ୍ୟରେ ମୁଁ ବହୁ ସମ୍ଭାବନା ଲକ୍ଷ୍ୟ କରିଛି। ମାତ୍ର ସମ୍ଭାବନା କେବଳ ଯଥେଷ୍ଟ ନୁହେଁ। ସମ୍ଭାବନାର ସଫଳ ରୂପାୟନ ପାଇଁ ଆବଶ୍ୟକ ଧୈର୍ଯ୍ୟ ଓ ପ୍ରତିବଦ୍ଧତା। ତରୁଣ ପିଢ଼ିର ଲେଖକମାନଙ୍କଠାରେ ସେଇ ଧୈର୍ଯ୍ୟ ଓ ପ୍ରତିବଦ୍ଧତା ପ୍ରକାଶ ପାଇଲେ, ସେମାନେ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟକୁ ଯେ ବହୁ ଭାବରେ ସମୃଦ୍ଧ କରିପାରିବେ, ସେଥିରେ ସନ୍ଦେହ ନାହିଁ।

ଆପଣ ନିଜ ଜୀବନରେ ଶ୍ରୀମଦ୍‌ଭାଗବତ ଗୀତାର କର୍ମଯୋଗକୁ ବେଶି ପ୍ରାଧାନ୍ୟ ଦେଇ ଆସିଛନ୍ତି। ଏସବୁ ସତ୍ତ୍ବେ ଆପଣ ଅନେକ ସମୟରେ ଭାଗ୍ୟବାଦୀ ହୋଇପଡ଼ନ୍ତି ବୋଲି ପାଠକମାନଙ୍କର ଧାରଣା। ଆପଣ ଭାଗ୍ୟ ଉପରେ ବିଶ୍ବାସ କରନ୍ତି କି?
ଗୀତାରେ କର୍ମଯୋଗର ବାଣୀ ଅନୁସାରେ କର୍ମଯୋଗୀ ହୋଇପାରିବା ମୋ ପରି ଜଣେ ସାଧାରଣ ମଣିଷ ପକ୍ଷରେ ଏକ ବିଡ଼ମ୍ବନା ମାତ୍ର। ‘କର୍ମଣ୍ୟେ ବାଧିକାରସ୍ତେ ମା ଫଳେଷୁ କଦାଚନ’ ଶ୍ଳୋକ ଆବୃତ୍ତି କରିବା ଆଦୌ ସେତେ ସହଜ ନୁହେଁ। ମୁଁ କର୍ମଯୋଗୀ ନ ହେଲେ ହେଁ କର୍ମ ଉପରେ ମୋର ଯେଉଁ ଅନାପେକ୍ଷିକ ଅଧିକାର ରହିଛି ସେଥିରେ ମୋର ଗଭୀର ବିଶ୍ବାସ ରହିଛି। ଶ୍ରୀମଦ୍‌ଭାଗବତ ଗୀତାରେ ସୁଦ୍ଧା ଭାଗ୍ୟବାଦର କଥା ରହିଛି। ଗଭୀର ତତ୍ତ୍ବ ଅନୁସାରେ ଏ ସଂସାରରେ ମନୁଷ୍ୟ ଯେତେ ଯାହା କରୁଛି, ତା’ ମୂଳରେ ରହିଛି ପା‌ଞ୍ଚଟି କଥା– ଅହଙ୍କାର, ମନ, ବୁଦ୍ଧି, ଇନ୍ଦ୍ରିୟ ଓ ସର୍ବୋପରି ଦେବଇଚ୍ଛା ବା ଦେବୀଶକ୍ତି। ମୁଁ କହିବି ଏଇ ଅହଙ୍କାରରୁ ସବୁ କର୍ମର ଉତ୍ପତ୍ତି। ତାହାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ମନ, ବୁଦ୍ଧି ଓ ଇନ୍ଦ୍ରିୟର ପ୍ରୟୋଜନ। କାରଣ ଏହାରି ବଳରେ ମନୁଷ୍ୟ ସବୁ କାର୍ଯ୍ୟ ସମ୍ପାଦନ କରିଥାଏ। କିନ୍ତୁ ଅନ୍ତିମ ମୁହୂର୍ତ୍ତରେ ହଠାତ୍ ସବୁ ଓଲଟପାଲଟ ହୋଇଯାଏ। ବେଳେବେଳେ ‌େହବା କଥା ହୁଏ ନାହିଁ ନ ହେବା କଥା ହୋଇଯାଏ। ଏହାକୁ ଭାଗ୍ୟ ବା ନିୟତି କୁହ, ଯେଉଁ ନାମରେ କହିଲେ ବି ଏହାକୁ ଅସ୍ବୀକାର କରିହେବ ନାହିଁ। ମୁଁ କିନ୍ତୁ ଭାଗ୍ୟବାଦୀ ପରି ସବୁକଥା ଭାଗ୍ୟ ଉପରେ ଛାଡ଼ି ନ ଦେଇ ଏଇ ନିୟତି ବା ଦୈବୀଶକ୍ତିକୁ ବିଶ୍ବାସ କରେ। ଏହା କିନ୍ତୁ ଭାଗ୍ୟବାଦ ନୁହେଁ।

ଆପଣ ପୁନର୍ଜନ୍ମରେ ବିଶ୍ବାସ କରନ୍ତି କି?
ହଁ, ମୁଁ ପୁନର୍ଜନ୍ମ ଓ ପ୍ରାରବ୍ଧରେ ବିଶ୍ବାସ କରେ।

ଆପଣଙ୍କ ବ୍ୟକ୍ତିଗତ ଜୀବନ ଓ ଚରିତ୍ର ନେଇ ବହୁ ପ୍ରକାର କଥା ଶୁଣିବାକୁ ମିଳିଥାଏ। ଆପଣ ପୁଣି ଏକଦା କମ୍ୟୁନିଜିମ୍‌ର ଭାବାଦର୍ଶରେ ଉଦ୍‌ବୁଦ୍ଧ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଗାନ୍ଧୀ ଦର୍ଶନକୁ ହିଁ ଆଦର୍ଶ ଭାବରେ ଗ୍ରହଣ କରି ନେଇଛନ୍ତି। ଗାନ୍ଧୀବାଦ ଉପରେ ଆପଣଙ୍କର ଏ ପ୍ରକାର ଆସ୍ଥାଶୀଳତାର ହେତୁ କ’ଣ?
ମୋ ବିଚାରରେ, ମୁଁ ଟିକିଏ ଦୂରଛଡ଼ା ପ୍ରକୃତିର ମଣିଷ ହୋଇଥିବାରୁ, ପୁଣି ଯୌବନରେ ଜୀବନବିଳାସୀ ଥିବାରୁ ମୋ ବିଷୟରେ ଅନେକ ଗୁଜବ ଶୁଣିବାକୁ ମିଳିଥାଏ। ମାତ୍ର ସେଥିରୁ କିଛି ସତ୍ୟ, ଅନେକଟା ମିଥ୍ୟା।

ସାହିତ୍ୟ ଆପଣଙ୍କର ବୃତ୍ତି ନା ପ୍ରବୃତ୍ତି?
ଓଡ଼ିଶାରେ ସାହିତ୍ୟକୁ ବୃତ୍ତି କରି ବ‌ଞ୍ଚିରହିପାରିବା କଠିନ। ସେଥିପାଇଁ ସାହିତ୍ୟକୁ ମୁଁ ବୃତ୍ତି କରିପାରିଲି ନାହିଁ। ଏହା କିନ୍ତୁ ମୋର ପ୍ରବୃତ୍ତି ବା ସ୍ବଧର୍ମ।

ବର୍ତ୍ତମାନ ଚୀନ୍‌ର ଛାତ୍ର ସମାଜ ଭିତରେ ଗଣତନ୍ତ୍ର ପ୍ରତି ଆଗ୍ରହର ଧ୍ବନି ବହୁଦିନ ତଳେ ଆପଣ ଲେଖିଥିବା ‘ପେକିଂ ଡାଏରୀ’ରେ ମଧ୍ୟ ଶୁଣିବାକୁ ମିଳିଥିଲା। ଏପରି ହେବ ବୋଲି ଆପଣ କାହିଁକି ଭାବି ବସିଥିଲେ?
୧୯୫୫ ମସିହାରେ ମୁଁ ଚୀନ୍ ଯାଇଥିବାବେଳେ ଦେଖିଥିଲି, ସମସ୍ତଙ୍କର ମୁହଁ ଗୋଟିଏ ଗୋଟିଏ ମୁଖା ପରି! ସମସ୍ତେ ନିରବ। କେହି କୌଣସି ପ୍ରଶ୍ନର ଉତ୍ତର ଦିଅନ୍ତି ନାହିଁ। ତଥାପି ନେପଥ୍ୟରେ ମୁଁ ଲକ୍ଷ୍ୟ କରିପାରିଥିଲି, ଚୀନ୍‌ର ଛାତ୍ର ଓ ଯୁବ ସମାଜ ମଧ୍ୟରେ ଏକ ନିଃଶ୍ବାସରୁନ୍ଧା ପରିବେଶ ମଧ୍ୟରେ ମୁକ୍ତି ପାଇବା ପାଇଁ ରୁଦ୍ଧ ବ୍ୟାକୁଳତା। ସେଥିରୁ ମୁଁ ଅନୁମାନ କରିଥିଲି, ଦିନେ ନା ଦିନେ ଏହା ବିସ୍ଫୋରଣ କରି ଆତ୍ମପ୍ରକାଶ କରିବ। ଆଜି ଚୀନ୍‌ରେ ତାହା ହିଁ ଘଟୁଛି।

ଆପଣଙ୍କର ସାରସ୍ବତ ସୃଷ୍ଟି ସମ୍ଭାରର ମୌଳିକତା କେବଳ ନୁହେଁ, ପରିମାଣ ଦୃଷ୍ଟିରୁ ଦେଖିଲେ ମଧ୍ୟ ଯେ କେହି ବିସ୍ମିତ ହେବା ସ୍ବାଭାବିକ। ଶାରୀରିକ ଦୌର୍ବଲ୍ୟ ସତ୍ତ୍ବେ ଦୈନନ୍ଦିନ ଜୀବନର କେଉଁ ପ୍ରକାରର ସମୟ ନିର୍ଘଣ୍ଟ ବା ଯୋଜନା ଆପଣଙ୍କୁ ଏତେ ପରିମାଣରେ ଲେଖିବା ପାଇଁ ସାହାଯ୍ୟ କରିଆସିଛି?
ଥରେ ଉଇନ୍‌ଷ୍ଟନ୍‌ ଚର୍ଚ୍ଚିଲ୍‌ଙ୍କର ଗୋଟିଏ ଲେଖାରେ ପଢ଼ିଥିଲି, ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ବସି ଦିନକୁ ଘଣ୍ଟାଏ ମାତ୍ର ଲେଖିପାରିଲେ ଅନେକ ଲେଖାଯାଇପାରିବ। ଚର୍ଚ୍ଚିଲ୍‌ଙ୍କର ମତ ଅନୁସାରେ ପ୍ରେରଣା ବା inspiration ଏକ ପର୍ସେଣ୍ଟ୍‌ ହେଲେ ଘର୍ମାକ୍ତ ପରିଶ୍ରମ ଅନେଶତ ପର୍ସେଣ୍ଟ୍‌ ହେବା ଆବଶ୍ୟକ। ଚର୍ଚ୍ଚିଲ୍‌ଙ୍କର ସେଇ ଲେଖା ମୋତେ ବରାବର ପ୍ରଭାବିତ କରି ଆସିଛି। ମୁଁ ପ୍ରତ୍ୟହ କିଛି ଲେଖେ ଅଥବା ଡିକ୍ଟେସନ୍ ଦିଏ। ମାତ୍ର ତାହା ମୋଟେ ଏକ ଘଣ୍ଟା ପାଇଁ। ନିର୍ବାଚନରେ ମାତିଥିବା ବେଳେ ସୁଦ୍ଧା ମୁଁ ଘଣ୍ଟାଏ ନ ହେଉ ପଛେ ଅଧଘଣ୍ଟା ଲେଖିଥାଏ ଅଥବା ଡିକ୍ଟେସନ୍ ଦେଇଥାଏ। ତାହା ହିଁ ମୋର ଲେଖା ପ୍ରାଚୁର୍ଯ୍ୟର ରହସ୍ୟ। ଆଜିର ଲେଖକମାନଙ୍କୁ ମଧ୍ୟ ମୁଁ ସେଇ ପରାମର୍ଶ ଦେବି।

ଏବର ଯୋଜନା ସମ୍ପର୍କରେ କିଛି କହିବେ କି?
ଏବେ ମୁଁ ଏକ ପ୍ରକାର ସାହିତ୍ୟ କ୍ଷେତ୍ରରୁ ସନ୍ନ୍ୟାସ ନେଇଛି। ମୋର ଏକମାତ୍ର ସାହିତ୍ୟ ସୃଷ୍ଟି ବର୍ତ୍ତମାନ ‘ସମ୍ବାଦ’ର ଶେଷସ୍ତମ୍ଭ ଓ କେବେ କେବେ ଅନ୍ୟ ବିକ୍ଷିପ୍ତ ଲେଖା ମଧ୍ୟରେ ସୀମାବଦ୍ଧ।

ଓଡ଼ିଶାର ଲେଖକମାନେ ବହୁବିଧ କାରଣରୁ ସାହିତ୍ୟ ରଚନାକୁ ବୃତ୍ତି ବା ପେସା ଭାବେ ଗ୍ରହଣ କରିପାରୁ ନାହାନ୍ତି। ପ୍ରତିବେଶୀ ସାହିତ୍ୟର ସାହିିତ୍ୟିକମାନେ ଯେଉଁଭଳି ଉତ୍ସାହ ଓ ଅର୍ଥନୈତିକ ନିରାପତ୍ତା ପାଇଥାଆନ୍ତି, ଏଠି ତାହା ସ୍ବପ୍ନ। ଏସବୁ ସତ୍ତ୍ବେ ସମକାଳୀନ ଭାରତୀୟ ସାହିତ୍ୟ ପୃଷ୍ଠଭୂମିରେ ଓଡ଼ିଆ ସାହିତ୍ୟର ସମ୍ମାନଜନକ ସ୍ଥିତିକୁ ଆପଣ ସ୍ବୀକାର କରିଛନ୍ତି କି?
ମୁଁ ନିଶ୍ଚୟ ସ୍ବୀକାର କରେ। ଫକୀରମୋହନ ସେନାପତି ତାଙ୍କ ଲେଖାରୁ ପ୍ରାୟ କିଛି ପାଇ ନ ଥିଲେ କହିଲେ ଚଳେ। ତାଙ୍କର ‘ମାମୁ’ ଉପନ୍ୟାସ ଉତ୍କଳ ସାହିତ୍ୟ ପ୍ରେସ୍‌ରେ ଛପା ହେବା ବେଳେ ସେ କିପରି ଧାନ ବିକ୍ରୀ କରି ପ୍ରେସ୍‌ ବିଲ୍ ଶୁଝିଥିଲେ, ତାହା ମୁଁ ‘ଫକୀରମୋହନ ସମୀକ୍ଷା’ ପୁସ୍ତକରେ ଫକୀରମୋହନଙ୍କର ସ୍ବହସ୍ତ ଲିଖିତ ଖଣ୍ଡେ ପତ୍ରର ଫଟୋଷ୍ଟାଟ୍‌ ନକଲ ଛପାଇ ସେଥିରେ ତାହା ପ୍ରକାଶ କରିଛି। କବିବର ରାଧାନାଥ ଓ କବି ଗଙ୍ଗାଧର ମେହେର ପ୍ରଭୃତି ପ୍ରାତଃସ୍ମରଣୀୟ କବିମାନେ ସେମାନଙ୍କ ଲେଖାରୁ ପାଇଛନ୍ତି ବା କ’ଣ? ଓଡ଼ିଶାରେ ଲୋକସଂଖ୍ୟାର ଶତକଡ଼ା ୪୭ ଭାଗରୁ ବେଶି ଅନୁସୂଚିତ ଜାତି ଓ ଉପଜାତି। ଅବଶିଷ୍ଟ ୫୩ ଭାଗରୁ ପ୍ରାୟ ୪୦ ଭାଗ ନିଜକୁ ଅନଗ୍ରସର ଜାତି ବୋଲି ଦାବି କରୁଅଛନ୍ତି। ବାକି ଯେଉଁମାନେ ରହିଲେ, ସେମାନେ ଚିର ବାତ୍ୟା ଓ ମରୁଡ଼ି ପ୍ରପୀଡ଼ିତ। ଏସବୁ ସତ୍ତ୍ବେ ଓଡ଼ିଶାରେ ପାଠକ ଶ୍ରେଣୀ ରହିଛନ୍ତି ଅଧିକାଂଶଙ୍କର ବହି କିଣିବା ପାଇଁ ସ୍ପୃହା ନ ଥାଏ। ଓଡ଼ିଶାର ପ୍ରକାଶକମାନେ କେବଳ ରାମମୋହନ ଲାଇବ୍ରେରୀ ଓ ଅନ୍ୟ ସରକାରୀ ବିଭାଗମାନଙ୍କୁ ବହି ବିକ୍ରି କରି କୌଣସିମତେ ତିଷ୍ଠି ରହିପାରିଛନ୍ତି। ଏଥିରେ ଓଡ଼ିଶାକୁ ପଶ୍ଚିମ ବଙ୍ଗଳା, ତାମିଲନାଡୁ, କର୍ଣ୍ଣାଟକ ଅଥବା ମହାରାଷ୍ଟ୍ର ସହିତ ତୁଳନା କରାଯାଇ ପାରିବ କିପରି? ସ୍ବାଭାବିକ ଭାବରେ ତେଣୁ ଲେଖକମାନେ ସାହିତ୍ୟକୁ ପେସା ଭାବରେ ଗ୍ରହଣ କରିପାରି ନାହାନ୍ତି। ସାହିତ୍ୟ ପାଇଁ ଯେଉଁମାନଙ୍କର ନିଶା ରହିଛି, ସେଇମାନଙ୍କର ସାଧନା ଫଳରେ କେବଳ ଓଡ଼ିଶା ସାହିତ୍ୟ ଭାରତୀୟ ବାଙ୍ମୟରେ ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିପାରିଛି।

ଆପଣଙ୍କର ବିପୁଳ ସାହିତ୍ୟ କୃତିର ଅନ୍ତର୍ନିହିତ ବାଣୀ କ’ଣ?
ମୋ ସମସ୍ତ ସାହିତ୍ୟ କୃତିର ଅନ୍ତର୍ନିହିତ ବାଣୀ ହେଉଛି- ସବୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ମନୁଷ୍ୟର ନିଃସଙ୍ଗ ସଂଗ୍ରାମ, ଏଇ ସଂଗ୍ରାମ ମଧ୍ୟରେ ଅଛି ତା’ର ପୁରୁଷାର୍ଥ! ‘ଅନ୍ଧ ଦିଗନ୍ତ’ର ନିଧିଦାସ, ‘ନୀଳଶୈଳ’ ଓ ‘ନିଳାଦ୍ରି ବିଜୟ’ର ରାମଚନ୍ଦ୍ର ଦେବ ଏପରିକି ‘କାଳାନ୍ତର’ର ଭବଘୂରା ବାବାଜି ଅନନ୍ତ ଦାସ- ପ୍ରତ୍ୟେକେ ଏହାର ଗୋଟିଏ ଗୋଟିଏ ପ୍ରତୀକ!

ମୋ: ୯୪୩୭୦୭୭୨୮୮
(ରବିବାର ସମ୍ବାଦ, ୯-୧୫ ଜୁଲାଇ, ୧୯୮୯)

ସମ୍ବନ୍ଧିତ ଖବର