‘ଅଧ୍ୟାତ୍ମ ରାମାୟଣ’ରେ ଉଲ୍ଲିଖିତ ଏହି ଉକ୍ତି ଯେଉଁ ନଦୀ ସଂପର୍କରେ କୁହାଯାଇଛି, ସେହି ନଦୀ ହେଉଛି ଲୋକପାବନୀ ସରଯୂ, ସାରଦା, କାଳୀନଦୀ, ଘାଘରା ବା ଘର୍ଘରା। ଏହା ଉତ୍ତର ଭାରତରେ ପ୍ରବାହିତ ଏକ ନଦୀ। ଏହି ପୁଣ୍ୟତୋୟା ନଦୀର ଉଲ୍ଲେଖ ‘ମହାଭାରତ’, ‘ରାମାୟଣ’, ‘ପଦ୍ମପୁରାଣ’ ଓ ପାଣିନୀଙ୍କ ‘ଅଷ୍ଟାଧ୍ୟାୟୀ’ ଆଦିରେ ମଧ୍ୟ ଦେଖାଯାଏ। ଏହି ନଦୀର ଜନ୍ମ ସଂପର୍କରେ ଏକ ମଧୁମୟ କାହାଣୀର ଉଲ୍ଲେଖ ଅଛି। ଏକଦା ଶଙ୍ଖାସୁର ବଧ ପରେ ଶ୍ରୀବିଷ୍ଣୁଙ୍କ ଆନନ୍ଦାଶ୍ରୁ ତାଙ୍କ ନଖ କୋଣରେ ସଂଚିତ ହୋଇ ରହିଥିଲା। ଭଗୀରଥଙ୍କ ତପସ୍ୟାରେ ତାହା ଭାଗୀରଥି ହୋଇ ବିଷ୍ଣୁଙ୍କର ଦକ୍ଷିଣ ପାଦରୁ ବହିର୍ଗତ ହୋଇଥିଲା। ସେହିପରି, ଯେତେବେଳେ ମନୁ ଅଯୋଧ୍ୟାନଗରୀ ନିର୍ମାଣ କଲେ, ସେତେବେଳେ ଶୁଭକାରିଣୀ ସରଯୂନଦୀ ଭଗବାନ ବିଷ୍ଣୁଙ୍କର ବାମପାଦର ଅଙ୍ଗୁଷ୍ଠି କୋଣରୁ ନିର୍ଗତ ହୋଇ ଅଯୋଧ୍ୟା ଭୂମିକୁ ଧୌତ କଲା। ଅତଏବ ଅଯୋଧ୍ୟାର ସଂପୂର୍ଣ୍ଣ ଇତିହାସର ମୂକସାକ୍ଷୀ- ଦେବ ପାବନୀ ସରଯୂ। ସରଯୂ ଅର୍ଥ ସ୍ରୋତ। ଏହା ଘର୍ଘର ନାଦ କରି ହିମାଳୟର ପର୍ବତଶ୍ରେଣୀରୁ ନିର୍ଗତ ହେଉଥିବାରୁ ଏହାର ନାମ ଘର୍ଘରା। ମାନସରୋବରରୁ ଏହାର ଉତ୍ପତ୍ତି ହେତୁ ‘ତୁଳସୀ ରାମାୟଣ’ରେ ଏହାକୁ ‘ମାନସନନ୍ଦିନୀ’ ନାମରେ ନାମିତ କରାଯାଇଛି।
‘ଅଧ୍ୟାତ୍ମ ରାମାୟଣ’ରେ ଉଲ୍ଲିଖିତ ଏହି ଉକ୍ତି ଯେଉଁ ନଦୀ ସଂପର୍କରେ କୁହାଯାଇଛି, ସେହି ନଦୀ ହେଉଛି ଲୋକପାବନୀ ସରଯୂ, ସାରଦା, କାଳୀନଦୀ, ଘାଘରା ବା ଘର୍ଘରା। ଏହା ଉତ୍ତର ଭାରତରେ ପ୍ରବାହିତ ଏକ ନଦୀ।
ପୁରାଣର ବର୍ଣ୍ଣନା ଅନୁସାରେ, କୋଶଳ ଦେଶ ନାମକ ଏକ ମହାନ ଧନଧାନ୍ୟପୂର୍ଣ୍ଣ ଦେଶ ସରଯୂ ନଦୀ ତୀରରେ ଥିଲା। ଏହି ନଦୀ ହିମାଳୟରୁ ବାହାରି ପ୍ରାୟ ୩୫୦ କିଲୋମିଟର ଅତିକ୍ରମ କରି ଚେରାନ ତୀର୍ଥରେ ଗଙ୍ଗା ସହିତ ମିଳିତ ହୋଇଛି। କଥିତ ଅଛି, ଏହି ତୀର୍ଥରେ ଦଶରଥଙ୍କର ପିତା ଅଜ ଦେହତ୍ୟାଗ କରିଥିଲେ। ପୁରାଣ ଅନୁସାରେ, ଏହି ନଦୀ ତୀରର ଘନ ଜଙ୍ଗଲରେ ସୂର୍ଯ୍ୟବଂଶୀ ରାଜାମାନେ ମୃଗୟା କରୁଥିଲେ। ଦଶରଥ ସେହି ମୃଗୟା କାଳରେ ଶବ୍ଦଭେଦୀ ବାଣ ପ୍ରୟୋଗ କରି, ଶ୍ରବଣକୁମାରଙ୍କୁ ବଧ କରି ଅଭିଶପ୍ତ ହୋଇଥିଲେ। ଏହି ନଦୀରେ ଦେହତ୍ୟାଗ କରି ଲକ୍ଷ୍ମଣ ଶେଷନାଗ ହୋଇ ପାତାଳପୁରୀ ଯାତ୍ରା କରିଥିଲେ। ଉର୍ମିଳା ମଧ୍ୟ ଏଠାରେ ଦେହତ୍ୟାଗ କରିଥିଲେ। ସ୍ୱୟଂ ରାମଚନ୍ଦ୍ର ସରଯୂ ନଦୀରେ ଦେହତ୍ୟାଗ କରି ବୈକୁଣ୍ଠ ଗମନ କରିଥିଲେ। ଏଣୁ ସରଯୂକୁ କୁହାଯାଏ ବୈକୁଣ୍ଠ ଗମନର ଦ୍ୱାର। ଏହି ନଦୀରେ ସ୍ନାନ କଲେ ବୈକୁଣ୍ଠରେ ସ୍ଥାନ ମିଳେ ବୋଲି ବିଶ୍ୱାସ କରାଯାଏ।
‘ରାମକି ପୈଡ଼ି’ ନାମରେ ସରଯୂ ନଦୀରେ ୨୫ଟି ଘାଟ ରହିଛି, ଯେଉଁଠି ଶ୍ରଦ୍ଧାଳୁମାନେ ସ୍ନାନ କରିଥାନ୍ତି। ଏସବୁ ସତ୍ତ୍ୱେ ସରଯୂକୁ ଶିବଙ୍କର ଅଭିଶାପ ଗ୍ରହଣ କରିବାକୁ ପଡ଼ିଥିଲା। ରାମଚନ୍ଦ୍ର ଏହି ନଦୀରେ ଦେହତ୍ୟାଗ କରିବାରୁ କ୍ରୋଧିତ ହୋଇ ଶିବ ସରଯୂକୁ ଅଭିଶାପ ଦେଇଥିଲେ- ତୋର ଜଳରେ ଯେ ଆଚମନ କରିବ ସେ ନର୍କଗାମୀ ହେବ। ଏଥିରେ ସରଯୂ ଦୁଃଖିତ ହେବାରୁ ଶିବ ତାକୁ ସେହି ଦଣ୍ଡରୁ ମୁକ୍ତ କରିଥିଲେ। ସରଯୂ ନଦୀ ଭାରତ ଓ ନେପାଳ ସୀମାରେ ପ୍ରବାହିତ ହୋଇ ଉତ୍ତର ପ୍ରଦେଶ ମଧ୍ୟ ଦେଇ ବିହାରର ସାରନ୍ ଜିଲ୍ଲାର ଚେରାନ୍ ଠାରେ ଗଙ୍ଗା ନଦୀରେ ମିଳିତ ହୋଇଛି।
-ଡକ୍ଟର ତୁଳସୀ ଓଝା