ରଙ୍ଗର ଅନେକ ପ୍ରଭାବ ରହିଛି। ଯେଉଁଥିପାଇଁ ପ୍ରତ୍ୟେକ ଦେଶର ଜାତୀୟ ପତାକାରେ ବି ଭିନ୍ନଭିନ୍ନ ରଙ୍ଗକୁ କେତେକ ପ୍ରତୀକ ଭାବେ ବ୍ୟବହାର କରାଯାଇଥାଏ। କେତେକ ପେସାରେ ମଧ୍ୟ ନିର୍ଦ୍ଦିଷ୍ଟ ରଙ୍ଗର ଡ୍ରେସ୍କୋଡ୍ ବ୍ୟବହାର କରାଯାଏ। ସେହିପରି ପରମ୍ପରାକୁ ନେଇ ବିଭିନ୍ନ ରଙ୍ଗର ମହତ୍ତ୍ୱ ରହିଛି। ତେଣୁ ପୂଜାପର୍ବ, ବିବାହ, ବ୍ରତଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଅଲଗା ଅଲଗା ରଙ୍ଗକୁ ଗୁରୁତ୍ୱ ଦିଆଯାଇଥାଏ। ନିଜ ତ୍ବଚାର ରଙ୍ଗ ଅନୁଯାୟୀ ଆମେ ପୋଷାକ ରଙ୍ଗ ଚୟନ କରିଥାଉ ଯାହା ଆମ ବ୍ୟକ୍ତିତ୍ବ ଓ ମନ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇଥାଏ। ତେବେ ଜାଣିବା କେଉଁ ରଙ୍ଗର ପୋଷାକ ମନ ଉପରେ କ’ଣ ପ୍ରଭାବ ପକାଇଥାଏ।
ଧଳା: ଧଳା ରଙ୍ଗ ଏକ ପରିଷ୍କାର, ଶାନ୍ତ ଓ ସରଳ ମାନସିକତା ସୃଷ୍ଟି କରିଥାଏ। ଏହି ରଙ୍ଗର ପୋଷାକ ଶରୀରକୁ ଶୀତଳତା ପ୍ରଦାନ କରିବା ସହ ପ୍ରତ୍ୟେକ ସ୍କିନ୍ଟୋନ୍କୁ ଭଲ ଲାଗିଥାଏ। ତା’ଛଡ଼ା ଯେକୌଣସି ରଙ୍ଗ ସହ ଏହି ଆଉଟ୍ଫିଟ୍କୁ ମିକ୍ସ ମ୍ୟାଚ୍ କରି ହେଉଥିବାରୁ ଏହାକୁ ପିନ୍ଧିଲେ ସ୍ମାର୍ଟ ତଥା ପ୍ରେଜେଣ୍ଟେବଲ୍ ଲାଗିଥାଏ। ଏହା ମଧ୍ୟ କଳାତ୍ମକ ଭାବନା ସୃଷ୍ଟି କରିଥାଏ ଏବଂ ପ୍ରତ୍ୟେକ କାର୍ଯ୍ୟକୁ ନିଜର ଭାବେ କରିବାର ସାହସ ଯୋଗାଇଥାଏ।
ଲାଲ୍: ଲାଲ୍ ରଙ୍ଗ ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ତେଣୁ ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିଥାଏ। ତା’ଛଡ଼ା ଏହା ଏକ ପାରମ୍ପରିକ ରଙ୍ଗ ହୋଇଥିବାରୁ ବିବାହ ବେଳେ ବୋହୂ ବା ନବବିବାହିତା ନାରୀ ନାଲି ଶାଢ଼ି, ଚୁଡ଼ି, ଓଢ଼ଣି ପରିଧାନ କରିଥାନ୍ତି। କୌଣସି ବିଶେଷ ଅବସରରେ ନିଜକୁ ହାଇଲାଇଟ୍ କରିବା ଲାଗି ଏହି ରଙ୍ଗର ପୋଷାକ ସବୁଠାରୁ ଭଲ ଅଟେ।
ନୀଳ: ମନକୁ ଶାନ୍ତ ଓ ସ୍ଥିର ରଖିବାରେ ଏହି ରଙ୍ଗର ପୋଷାକ ମଧ୍ୟ କାମରେ ଆସିଥାଏ। ଏକ ସଫା ବ୍ଲୁ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ମନ ଚିନ୍ତାମୁକ୍ତ ଲାଗିବା ସହ ଅଧିକ ରଚନାତ୍ମକ ଭାବନା ବୃଦ୍ଧି ପାଇଥାଏ।
ନାରଙ୍ଗୀ: ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଉତ୍ତମ ଚେତନା ଓ ସକାରାତ୍ମକ ମନୋଭାବ ଆସିଥାଏ। ହେଲେ ଏହି ରଙ୍ଗ ସବୁ ସ୍କିନ୍ ଟୋନ୍କୁ ମ୍ୟାଚ୍ କରି ନ ଥାଏ। ତେଣୁ ଅରେଞ୍ଜ ଆଉଟ୍ଫିଟ୍ ବାଛିବା ବେଳେ ନିଜ ସ୍କିନ୍ ଟୋନ୍ ପ୍ରତି ଧ୍ୟାନ ଦିଅନ୍ତୁ। ତା’ଛଡ଼ା ଲାଲ୍ ଭଳି ଏହି ରଙ୍ଗ ମଧ୍ୟ ଦୃଷ୍ଟି ଆକର୍ଷଣ କରୁଥିବାରୁ ଏହା ଆପଣଙ୍କ ସ୍କିନ୍ଟୋନ୍ ପାଇଁ ପର୍ଫେକ୍ଟ କି ନୁହେଁ ଦେଖି ନିଅନ୍ତୁ।
ହଳଦିଆ: ପ୍ରାୟତଃ ପୂଜା, ପର୍ବ ଆଦିରେ ହଳଦିଆ ରଙ୍ଗର ପୋଷାକକୁ ବ୍ୟବହାର କରାଯାଏ। କାରଣ ଏହି ରଙ୍ଗର ପୋଷାକ ପିନ୍ଧିଲେ ମନରେ ଏକ ସକାରାତ୍ମକ ଉର୍ଜା ଜାଗ୍ରତ ହୋଇଥାଏ। ତେଣୁ ମାନ୍ଦା ବା ଅଳସୁଆ ଲାଗୁଥିଲେ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଏହା ମୁଡ୍ ଫ୍ରେସ୍ କରିବାରେ ସାହାଯ୍ୟ କରେ। ଏମିତିକି ଏହି ରଙ୍ଗର ପୋଷାକ ପିନ୍ଧି ପରୀକ୍ଷା କିମ୍ବା ଇଣ୍ଟର୍ଭ୍ୟୁକୁ ଗଲେ ଅବା କୌଣସି ସ୍ଥାନରେ ଉଦ୍ବୋଧନ ଦେବାର ଥିଲେ ଏହି ରଙ୍ଗ ମନୋବଳ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
ସବୁଜ: ଏହି ରଙ୍ଗ ମଧ୍ୟ ମନକୁ ଆନନ୍ଦିତ କରିବା ସହ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ। ଆଉଟ୍ଫିଟ୍ ସାଧାରଣତଃ ଏକ ନିଶ୍ଚଳ ଓ ସ୍ଥିର ମାନସିକତା ପ୍ରଦାନ କରିଥାଏ। ଏହାକୁ ପିନ୍ଧିବା ଦ୍ୱାରା କୌଣସି ପ୍ରକାର ଷ୍ଟ୍ରେସ୍ ଥିଲେ ତାହା ଦୂର ହୋଇ ଆରାମ ଲାଗିଥାଏ।
ବାଇଗଣୀ: ଏହି ରଙ୍ଗର ଆଉଟ୍ଫିଟ୍ ଏକ ବିଳାସପୂର୍ଣ୍ଣ ମନୋଭାବ ସୃଷ୍ଟି କରିଥାଏ। ତେଣୁ ପୁରାତନ ଯୁଗରେ ରାଜ ପରିବାରର ଲୋକେ ନିଜ ଧନ ଓ ବିଭବ ଦେଖାଇବା ପାଇଁ ଏହି ରଙ୍ଗର ପୋଷାକ ପରିଧାନ କରୁଥିଲେ। ତେଣୁ ନିଜକୁ ଅନ୍ୟଠୁ ୟୁନିକ୍ ଲୁକ୍ ଦେବାକୁ ଚାହୁଥିଲେ ଏହି ରଙ୍ଗ ଉତ୍ତମ ବିକଳ୍ପ। କୌଣସି ପ୍ରକାର ଦ୍ୱନ୍ଦ୍ୱରେ ଥିଲେ ଏହି ରଙ୍ଗର ଆଉଟଫିଟ୍ ପିନ୍ଧିବା ଦ୍ୱାରା ମନକୁ ସଠିକ୍ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, ଏହି ରଙ୍ଗ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିଥାଏ।
ଗୋଲାପି: ଏହି ରଙ୍ଗ ଅଧିକାଂଶ ଝିଅଙ୍କର ପ୍ରଥମ ପସନ୍ଦ। ଏହାକୁ ପିନ୍ଧିବା ଦ୍ୱାରା ମନ ଖୁସି ତଥା ଶାନ୍ତ ରହିଥାଏ। ତା’ଛଡ଼ା ମୁଡ୍କୁ ରୋମାଣ୍ଟିକ୍ କରିବାରେ ବି ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, ଆତ୍ମବିଶ୍ବାସ ବଢ଼ାଇବାରେ ବି ଏହି ରଙ୍ଗ ବେଶ୍ କାମରେ ଆସିଥାଏ।
କଳା: ଏହା ଏମିତି ଏକ ରଙ୍ଗ, ଯାହା ସମସ୍ତଙ୍କ ପର୍ସନାଲିଟିକୁ ସୁଟ୍ କରିଥାଏ। ଏହି ରଙ୍ଗର ଆଉଟ୍ଫିଟ୍ ବ୍ୟବହାର କରିବା ଦ୍ୱାରା ଦାୟିତ୍ୱବୋଧ, ଆତ୍ମବିଶ୍ୱାସ ଭଳି ମାନସିକତା ବୃଦ୍ଧି ପାଇଥାଏ।