ନାମ ବଦଳାଇ ଦେବାରୁ ଏହି ବ୍ୟକ୍ତିଙ୍କ ପାଖକୁ ଆସିଲା ଅନେକ ଚାକିରି ସୁ‌ଯୋଗ

ନୂଆଦିଲ୍ଲୀ: ଅନେକ ଥର ଏପରି ପରିସ୍ଥିତି ଆସି ପହଞ୍ଚିଥାଏ କି ମଣିଷ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଇଥାଏ। ଭାଗ୍ୟକୁ ପରିବର୍ତ୍ତନ କରିବାକୁ କିଛି ଲୋକ ତ ସେମାନଙ୍କ ନାମକୁ ବି ପରିବର୍ତ୍ତନ କରି ଦେଉଥିବା ଘଟଣା ସାମ୍ନାକୁ ଆସିଛି। ନିକଟରେ ଜଣେ ବ୍ୟକ୍ତିଙ୍କୁ ଚାକିରି ମିଳୁ ନଥିବାରୁ ସେ ତାଙ୍କ ନାମକୁ ପରିବର୍ତ୍ତନ କରି ଦେଇଥିଲେ। ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ଭିକ୍ଟର ଗୌରିକ।

ଗୌରିକ ଦାବି କରିଛନ୍ତି ଯେ ତାଙ୍କ ନାଇଜେରିଆର ନାମ ବଦଳାଇବା ପରେ ଏକ ସପ୍ତାହ ମଧ୍ୟରେ ଅନେକ ଚାକିରି ପାଇଁ ତାଙ୍କ ପାଖକୁ ଇଣ୍ଟରଭ୍ୟୁ ଆସିବା ଆରମ୍ଭ କରିଥିଲା। ସେ ତାଙ୍କ ନାମରେ କିଛି ନୂଆ ଯୋଡି ନଥି‌ଲେ। ସେ ଇନିନ୍ ଭିକ୍ଟର ଗୌରିକ୍ ପରିବର୍ତ୍ତେ ଭିକ୍ଟର ଗୌରିକ୍ କରିଥିଲେ।

ଗୌରିକ୍ କହିଛନ୍ତି, ଇଣ୍ଟରଭ୍ୟୁ ଭଲ ଯିବା ପରେ ବି ସେ ଚାକିରି ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟରୁ ଆଗକୁ ବଢ଼ି ପାରୁ ନଥିଲେ। କିଛି ନିଯୁକ୍ତିଦାତା କହିଥିଲେ ତାଙ୍କ ରିଜ୍ୟୁମରୁ ଇନିନ ନାମକୁ ହଟାଇ ଦେବା ପାଇଁ, ଯାହାକି ଉଚ୍ଚାରଣ କରିବାକୁ ଅସୁବିଧା ହେଉଛି। ଏହାପରେ ସେ ସେମିତି ହିଁ କରିଥିଲେ। ନାମ ହଟାଇ ଚାକିରି ପାଇଯିବା ପ‌ରେ ଏବେ ଗୌରିକ୍ ପୁଣି ନିଜ ପୂର୍ବ ନାମକୁ ଫେରି ଆସିଛନ୍ତି।

ତେବେ ପୂର୍ବ ନାମକୁ ଫେରି ଆସିବାକୁ ନେଇ ଗୌରିକ କହନ୍ତି, ‘ମୋତେ ଲାଗିଲା କି ମୁଁ ଯେମିତି ମୋର ଜୀବନରେ ଲୋକଙ୍କୁ କିଛି ଲୁଚାଇ ରଖିଛି। ସେଥିପାଇଁ ମୋର ପୂର୍ବରୁ ଯାହା ନାମ ଥିଲା ତାହାକୁ ରଖିବାକୁ ସ୍ଥିର କରିଥିଲି।’

ସମ୍ବନ୍ଧିତ ଖବର