ବ୍ରାଜିଲର ୬୭ ବର୍ଷୀୟ ଅଣୁଜୀବବିଜ୍ଞାନୀ ମାରିଆଞ୍ଜେଲା ହଙ୍ଗ୍ରିଆଙ୍କୁ ଜୈବିକ ନାଇଟ୍ରୋଜେନ୍‌ ସ୍ଥିରୀକରଣ ଉପରେ ତାଙ୍କର ଅଭିନବ ଗବେଷଣା ପାଇଁ ୨୦୨୫ ମସିହାର ପ୍ରତିଷ୍ଠିତ ବିଶ୍ୱ ଖାଦ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ସେ ଏକ ପ୍ରାକୃତିକ ପ୍ରକ୍ରିୟା ସାହାଯ୍ୟରେ ରାସାୟନିକ ସାର ବ୍ୟବହାର ନକରି ଫସଲ ଉତ୍ପାଦନ ବୃଦ୍ଧି କରିବାରେ ସଫଳ ହୋଇଛନ୍ତି। ମାରିଆଞ୍ଜେଲା ପାରାନା ଷ୍ଟେଟ୍ ୟୁନିଭର୍ସିଟି ଓ ଫେଡେରାଲ୍‌ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଅଫ୍‌ ପାରାନାରେ ନିଜ ପାଠପଢ଼ା ସମାପ୍ତ କରିଥିଲେ। ଏହାପରେ ସେ ବ୍ରାଜିଲ୍‌ର ଜାତୀୟ ସୋୟାବିନ୍ ଗବେଷଣା କେନ୍ଦ୍ର ଏମ୍ବ୍ରାପା ସୋଜାରେ ୩୦ରୁ ଅଧିକ ମାଇକ୍ରୋବାଏଲ୍ ପ୍ରଯୁକ୍ତିବିଦ୍ୟା ବିକାଶର ନେତୃତ୍ୱ ନେଇ, ସେଥିରେ ସୋୟାବିନ୍‌, ବିନ୍ସ, ମକା, ଗହମ, ଚାଉଳ ଓ ଚାରଣ ଘାସର ଉତ୍ପାଦକତାକୁ ଉନ୍ନତ କରିବା ଲାଗି ମାଇକ୍ରୋବାଏଲ୍ ଇନୋକୁଲାଣ୍ଟ ବିହନ ତଥା ମାଟିରେ ପ୍ରୟୋଗ ହେଉଥିବା ଲାଭଦାୟକ ଜୀବାଣୁ ଥିବା ଉତ୍ପାଦକୁ ଅନ୍ତର୍ଭୁକ୍ତ କରିଥି‌େଲ। 

Advertisment

ଉଦ୍ଭିଦ ବୃଦ୍ଧି ପାଇଁ ନାଇଟ୍ରୋଜେନ୍‌ ହେଉଛି ପ୍ରମୁଖ। ସେଥିପାଇଁ ମାରିଆଞ୍ଜେଲା ପ୍ରାକୃତିକ ଭାବେ ଜୀବାଣୁ ଓ ଅନ୍ୟାନ୍ୟ ଅଣୁଜୀବମାନଙ୍କୁ ବ୍ୟବହ‌ାର କରି ବାୟୁମଣ୍ଡଳୀୟ ନାଇଟ୍ରୋଜେନ୍‌ ପ୍ରସ୍ତୁତ କରିଛନ୍ତି। ଉଦ୍ଭିଦ ଏହାକୁ ମାଟିରୁ ଶୋଷଣ କରିପାରିବ, ଯାହାଦ୍ବାରା କୃତ୍ରିମ ସାରର ଆବଶ୍ୟକତା ପଡ଼ିବ ନାହିଁ। ଫସଲଗୁଡ଼ିକ ମାଟି ଜୀବାଣୁ ସହିତ ଏକ ପାରସ୍ପରିକ ସହବନ୍ଧନରେ ନାଇଟ୍ରୋଜେନ୍ ପ୍ରଦାନ କରେ। ଏହି ପଦ୍ଧତି କେବଳ କୃଷିର ପରିବେଶଗତ ପ୍ରଭାବକୁ ହ୍ରାସ କରିନଥିଲା ବରଂ ରାସାୟନିକ ସାର ଉପରେ ଚାଷୀଙ୍କ ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରିଥିଲା। ବ୍ରାଜିଲୀୟ କୃଷି ଗବେଷଣା ନିଗମ, ଏମ୍ବ୍ରାପା ଏହି ଜୈବିକ ଚିକିତ୍ସା ବିକଶିତ କରିଥିଲେ। ଏହା ଫସଲକୁ ମାଟି ଜୀବାଣୁରୁ ପୁଷ୍ଟିକର ପଦାର୍ଥ ଶୋଷଣ କରିବାକୁ ସକ୍ଷମ କରି ଗହମ, ମକା, ଚାଉଳ, ବିନ୍ସ ଓ ବିଶେଷକରି ସୋୟାବିନର ଉତ୍ପାଦକତା ବୃଦ୍ଧି କରି ବର୍ତ୍ତମାନ ବ୍ରାଜିଲର ସର୍ବାଧିକ କୃଷି ରପ୍ତାନି ଭାବେ ମାନ୍ୟତା ଲାଭ କରିଛି।

ମାରିଆଞ୍ଜେଲା ବିକଶିତ ପ୍ରଯୁକ୍ତିବିଦ୍ୟା ଯୋଗୁଁ ବ୍ରାଜିଲୀୟ ଚାଷୀମାନେ ବାର୍ଷିକ ୪୦ ବିଲିୟନ୍‌ ଡଲାର ପର୍ଯ୍ୟନ୍ତ ଇନ୍‌ପୁଟ୍‌ ଖର୍ଚ୍ଚ ସଞ୍ଚୟ କରିଥିବା ଆକଳନ କରାଯାଇଥିଲା। ଏକ ରିପୋର୍ଟ ଅନୁସାରେ, ମାରିଆଞ୍ଜେଲା ହିଁ ପ୍ରଥମ ବ୍ୟକ୍ତି ଥିଲେ ଯିଏକି ଆଜୋସ୍ପିରିଲମ୍‌ ବ୍ରାସିଲେନ୍‌ସ ଜୀବାଣୁ ଜାତିର ପୃଥକୀକରଣ କରିଥିଲେ ଯାହା ନାଇଟ୍ରୋଜେନ୍‌ ଓ ଫାଇଟୋହର୍ମୋନ୍‌ ଗ୍ରହଣକୁ ଉନ୍ନତ କରିପାରିବ। ତାଙ୍କର ଗବେଷଣାରୁ ଜଣାପଡ଼ିଛି ଯେ, ‘ଏ ବ୍ରାସିଲେନ୍ସ’ ଓ ‘ରାଇଜୋବିଆ’ ଉଭୟକୁ ମିଶ୍ରଣ ତଥା ପ୍ରୟୋଗ କରିବା ଦ୍ୱାରା ସାଧାରଣ ବିନ୍ସ ଓ ସୋୟାବିନ୍‌ର ଅମଳ ଦ୍ୱିଗୁଣିତ କରାଯାଇପାରିବ। ମାରିଆଞ୍ଜେଲା ଏବେ ଅବକ୍ଷୟପ୍ରାପ୍ତ ଚାରଣଭୂମିକୁ ପୁନରୁଦ୍ଧାର କରିବା ପାଇଁ ତାଙ୍କର ଗବେଷଣାକୁ ପ୍ରୟୋଗ କରୁଛନ୍ତି। ସେ ଘାସ ଚାରଣଭୂମି ପାଇଁ ପ୍ରଥମ ମାଇକ୍ରୋବାୟଲ୍‌ ଇନୋକୁଲାଣ୍ଟ ବିକଶିତ କରିଛନ୍ତି, ଯାହା ଫଳରେ ବାୟୋମାସ୍‌ରେ ୨୨ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ଗୋରୁ ଚାରା ମଧ୍ୟ ଉନ୍ନତ ହୋଇଛି।