ଯେଉଁମାନେ ପ୍ରଚୁର ପରିମାଣର ଗଞ୍ଜେଇ ସେବନ କରିଥା’ନ୍ତି, ସେମାନଙ୍କର ମସ୍ତକ ଓ ଗଳା କର୍କଟ ହେବାର ଆଶଙ୍କା ତିନିଗୁଣ ଅଧିକ ବୋଲି ଉତ୍ତର କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ଆମେରିକାର ପାଖାପାଖି ୪୦ ଲକ୍ଷ ପ୍ରାପ୍ତବୟସ୍କଙ୍କର ୨୦ ବର୍ଷର ଡାକ୍ତରୀ ରିପୋର୍ଟକୁ ଅନୁଧ୍ୟାନ କରି ଗବେଷକମାନେ ଏ ନିର୍ଯାସରେ ପହଞ୍ଚିଛନ୍ତି। ମସ୍ତକ ଓ ଗଳା କର୍କଟ କହିଲେ ସାଧାରଣତଃ ପାଟି, ତଣ୍ଟି, ଶ୍ବାସନଳୀ ଓ ଲାଳଗ୍ରନ୍ଥିରେ ହୋଇଥିବା ଟ୍ୟୁମର୍କୁ ବୁଝାଯାଏ। ‘ଆମେରିକାନ୍ କ୍ୟାନ୍ସର୍ ସୋସାଇଟି’ର ତଥ୍ୟ ଅନୁସାରେ, ପ୍ରତିବର୍ଷ ୫୮ ହଜାର ଆମେରିକୀୟ ମସ୍ତକ ଓ ଗଳା କର୍କଟରେ ଆକ୍ରାନ୍ତ ହେବା ସହ ସେମାନଙ୍କ ଭିତରୁ ପ୍ରାୟ ୧୨ ହଜାରଙ୍କର ମୃତ୍ୟୁ ଘଟିଥାଏ। ଗଞ୍ଜେଇକୁ ଧୂଆଁ ରୂପରେ ସେବନ କରିବା ମନୁଷ୍ୟ ଜୀବକୋଷ ପାଇଁ ଆଦୌ ବିପଦମୁକ୍ତ ନୁହେଁ।
ବିଡ଼ି ବା ସିଗାରେଟ୍ ଧୂଆଁ ଯୋଗୁଁ ମସ୍ତକ ଓ ଗଳା କର୍କଟ ଆଶଙ୍କା ବଢ଼ିଥାଏ ବୋଲି ପୂର୍ବରୁ ଜଣାଥିଲା। ତେବେ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ଗବେଷକମାନଙ୍କ ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ତମାଖୁ ଧୂଆଁରେ ଯେଉଁ କର୍କଟ ସୃଷ୍ଟିକାରୀ ‘କାର୍ସିନୋଜେନ୍’ ରହିଛି, ତାହା ଗଞ୍ଜେଇ ଧୂଆଁରେ ମଧ୍ୟ ମିଳିଛି। ଏଥିସହିତ ଗଞ୍ଜେଇ ଗଛରେ ଥିବା ରାସାୟନିକ ପଦାର୍ଥ ମନୁଷ୍ୟ ଶରୀରରେ ଟ୍ୟୁମର ସୃଷ୍ଟି କରିବାର ଗୁଣ ରହିଛି। ମାତ୍ର ତାହା ସିଧାସଳଖ କର୍କଟ ସୃଷ୍ଟି କରେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ସିଗାରେଟ୍ ଓ ବିଡ଼ି ଟାଣିବା ଅପେକ୍ଷା ଗଞ୍ଜେଇ ଟାଣିବା ଅଧିକ କ୍ଷତିକାରକ ବୋଲି ଗବେଷକମାନେ ନିଶ୍ଚିତ ହୋଇଛନ୍ତି। ସେମାନଙ୍କ କହିବା କଥା, ସିଗାରେଟ୍ କି ବିଡ଼ି ସେବନକାରୀମାନେ ଧୂଆଁକୁ ହାଲୁକା ଭାବରେ ସେବନ କରୁଥିବା ବେଳେ ଗଞ୍ଜୋଡ଼ମାନେ ଖୁବ୍ ଜୋରରେ ଧୂଆଁକୁ ଟାଣିଥା’ନ୍ତି। ତେଣୁ ଗଞ୍ଜେଇ ସେବନ କ୍ଷତିକାରକ ନୁହେଁ ବୋଲି ଅନେକଙ୍କର ରହି ଆସିଥିବା ଧାରଣା ସଂପୂର୍ଣ୍ଣ ଭୁଲ୍ ବୋଲି ଗବେଷକମାନେ ଦୃଢ଼ କରି କହିଛନ୍ତି।