ପ୍ରବାଳ ପ୍ରାଚୀର କ’ଣ? ଏହା ଆମ ପାଇଁ କାହିଁକି ଜରୁରି? ଏ ଦୁଇଟି ପ୍ରଶ୍ନର ଉତ୍ତର ଆମେ ନିହାତି ଜାଣିବା ଦରକାର। କାରଣ ଏହା ଆମର ଜୀବନ ଓ ଜୀବିକା ସହ ଓତପ୍ରୋତ ଭାବେ ଜଡ଼ିତ। ଉପକୂଳରେ ଜଳ ଭିତରେ, ଯାହା ସାମୁଦ୍ରିକ ଜୀବନକୁ ସମର୍ଥନ ଓ ସୁରକ୍ଷା ଦେଇଥାଏ, ତାହା ହିଁ ପ୍ରବାଳ ପ୍ରାଚୀର। ହେଲେ ଏଥିରୁ ଆମକୁ କି ଲାଭ ମିଳେ? ପ୍ରଥମତଃ, ଏହା ଉପକୂଳ ଅବକ୍ଷୟକୁ ରୋକିବା ସହ ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ଭୂପୃଷ୍ଠ କ୍ଷୟକୁ ନିୟନ୍ତ୍ରଣ କରିଥାଏ। ଦ୍ବିତୀୟତଃ, ଏହା ସାମୁଦ୍ରିକ ଝଡ଼ର ପ୍ରକୋପରେ ଜନପଦକୁ ମାଡ଼ିଆସୁଥିବା ଜଳର ବେଗ ମନ୍ଥର କରିବା ସହ ଧନଜୀବନ କ୍ଷୟ ରୋକିଥାଏ। ତୃତୀୟ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା, ଏହା ସାମୁଦ୍ରିକ ପ୍ରାଣୀଙ୍କ ବାସସ୍ଥଳୀ ଭାବେ କାର୍ଯ୍ୟ କରୁଥିବାରୁ ଛୋଟବଡ଼ ମାଛଙ୍କଠାରୁ ଆରମ୍ଭ କରି କ୍ଷୁଦ୍ରାତିକ୍ଷୁଦ୍ର ଜୀବଙ୍କୁ ସୁରକ୍ଷିତ କରିଥାଏ। ବିଶ୍ବ ତାପମାତ୍ରା ବୃଦ୍ଧି ପାଇଁ ବିଶ୍ବର ପ୍ରବାଳ ପ୍ରାଚୀର ଧ୍ବଂସ ହେଉଛି। ତେଣୁ ସମୁଦ୍ରରେ ବର୍ତ୍ତମାନ କୃତ୍ରିମ ପ୍ରବାଳ ପ୍ରାଚୀର ସୃଷ୍ଟି କରାଯାଉଛି। ଓଡ଼ିଶାର ସମୁଦ୍ର ଓ ଚିଲିକାରେ ମଧ୍ୟ ସ୍ଥାପନ ହେଉଛି କୃତ୍ରିମ ପ୍ରବାଳ ପ୍ରାଚୀର। ପ୍ରବାଳ ପ୍ରାଚୀର ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ସହିତ ଉପକୂଳବାସିନ୍ଦାଙ୍କ ଜୀବନଜୀବିକାକୁ
ସହାୟତା ଦେଇଥାଏ।
ରିପୋର୍ଟ: ବିଭୂତି ପତି
ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହେତୁ ଓଡ଼ିଶା ବାରମ୍ବାର ପ୍ରାକୃତିକ ରୋଷର ଶିକାର ହେଉଛି। ଏହାର ପ୍ରଭାବରେ ପ୍ରବାଳ ପ୍ରାଚୀର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଫଳରେ ରାଜ୍ୟର ଉପକୂଳ ଅଞ୍ଚଳ କ୍ରମଶଃ ବିପଦପ୍ରବଣ ହୋଇଉଠୁଛି। ଏହା ଅତ୍ୟନ୍ତ ଭଙ୍ଗୁର ସାମୁଦ୍ରିକ ପରିସଂସ୍ଥାନ ପାଇଁ ବିପଦ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଜୈବବିବିଧତାକୁ ବ୍ୟାହତ କରିଛି। ଉପକୂଳରେ ସାମୁଦ୍ରିକ ଜୀବଙ୍କର ଆବାସସ୍ଥଳୀଗୁଡ଼ିକ ଧ୍ବଂସମୁହାଁ ହୋଇଛି। ଏହିସବୁ ଆହ୍ବାନର ମୁକାବିଲା କରିବା ସକାଶେ ଓଡ଼ିଶା ସରକାର ରାଜ୍ୟର ୪୮୦ କିଲୋମିଟର ଦୀର୍ଘ ଉପକୂଳରେ ୯୩ଟି କୃତ୍ରିମ ପ୍ରବାଳ ପ୍ରାଚୀର ନିର୍ମାଣ କରିବାକୁ ନିଷ୍ପତ୍ତି କରିଛନ୍ତି।
ଓଡ଼ିଶା ପାଇଁ କୃତ୍ରିମ ପ୍ରବାଳ ପ୍ରାଚୀର ଆବଶ୍ୟକ କି?
ଭାରତର ବହୁ ଉପକୂଳ ରାଜ୍ୟ ସାମୁଦ୍ରିକ ପରିସଂସ୍ଥାନର ପୁନର୍ବାହାଲ ତଥା ମତ୍ସ୍ୟ ସଂପଦର ଅଭିବୃଦ୍ଧି ସକାଶେ କୃତ୍ରିମ ପ୍ରବାଳ ପ୍ରାଚୀର ପ୍ରକଳ୍ପ କାର୍ଯ୍ୟକାରୀ କରିସାରିଛନ୍ତି। ଏ ଆଭିମୁଖ୍ୟ ଆପଣାଇବା କ୍ଷେତ୍ରରେ ପ୍ରଥମ ରାଜ୍ୟ ହେଉଛି ତାମିଲନାଡୁ। ତା’ ପଛକୁ କେରଳ ମଧ୍ୟ ଏପରି ପ୍ରକଳ୍ପ କାର୍ଯ୍ୟକାରୀ କରିଛି। ଏସବୁ ପ୍ରକଳ୍ପ ସେ ରାଜ୍ୟମାନଙ୍କୁ ସୁଫଳ ପ୍ରଦାନ କରିଛି। କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ମଧ୍ୟ ନିକଟ ଅତୀତରେ ଏପରି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି।
ବାତ୍ୟା, ଲୁଣା ପାଣି ମାଡ଼ିଆସିବା, ଉପକୂଳ ଅଞ୍ଚଳ ଜଳମଗ୍ନ ହେବା ଓ ସମୁଦ୍ର ପତ୍ତନ ବୃଦ୍ଧି ପରି ଘଟଣା କ୍ରମେ ଅଧିକରୁ ଅଧିକ ଘଟିଚାଲିଛି। ଏହା ଫଳରେ ଓଡ଼ିଶାର ଉପକୂଳବର୍ତ୍ତୀ ପରିସଂସ୍ଥାନ ନିରନ୍ତର କ୍ଷତିଗ୍ରସ୍ତ ହେଉଛି। ଅଧ୍ୟୟନରୁ ଜଣାପଡ଼ିଛି ଯେ କୃତ୍ରିମ ପ୍ରବାଳ ପ୍ରାଚୀର ଉପକୂଳ ଅବକ୍ଷୟ ରୋକିବା ସକାଶେ ପ୍ରତିବନ୍ଧକ ଭାବେ କାର୍ଯ୍ୟ କରିବ ଏବଂ ଭୀଷଣ ଜୁଆର ଓ ଲୁଣା ମାଡ଼ିଆସି କ୍ଷତିଗ୍ରସ୍ତ କରୁଥିବା ଉପକୂଳକୁ ରକ୍ଷା କରିବ।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ତମୋଘ୍ନ ଆଚାର୍ଯ୍ୟ କହନ୍ତି, ‘‘ଯଦି ଭଲଭାବରେ ଅନୁସନ୍ଧାନ କରି ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକରେ କୃତ୍ରିମ ପ୍ରବାଳ ପ୍ରାଚୀର କରାଯାଏ, ତେବେ ତାହା ବଡ଼ ବଡ଼ ବାତ୍ୟାର ପ୍ରଭାବ ହ୍ରାସକରିବା କ୍ଷେତ୍ରରେ ସହାୟକ ହେବ। ହଠାତ୍ ଲୁଣାଜୁଆର ମାଡ଼ିଆସୁଥିବା ବେଳେ କୃତ୍ରିମ ପ୍ରବାଳ ପ୍ରାଚୀର ଜୁଆରଶକ୍ତିକୁ ଖେଳାଇ ଦେଇ ତାହାକୁ ନିଷ୍ପ୍ରଭ କରିବାରେ ସହାୟକ ହେବ। ଫଳରେ ବ୍ୟାପକ ଅଞ୍ଚଳକୁ ଏହା ପ୍ରଭାବିତ କରିପାରିବ ନାହିଁ।’’ ତେଣେ ମତ୍ସ୍ୟ ଓ ପଶୁସମ୍ବଳ ଉନ୍ନୟନ ବିଭାଗ ରିପୋର୍ଟ ଅନୁଯାୟୀ, ୨୦୦୦-୦୧ ମସିହାରେ ଓଡ଼ିଶାରେ ମୋଟ୍ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ୧.୨ ଲକ୍ଷ ମେଟ୍ରିକ୍ ଟନ୍ ଥିବାବେଳେ ୨୦୨୩-୨୪ ବେଳକୁ ଏହା ୨.୨୭ ଲକ୍ଷ ମେଟ୍ରିକ୍ ଟନ୍ରେ ପହଞ୍ଚିଛି। ଏହା ସତ୍ତ୍ବେ ମତ୍ସ୍ୟ ଉତ୍ପାଦନ ଲକ୍ଷ୍ୟ ୨.୯୩ ଲକ୍ଷ ମେଟ୍ରିକ୍ ଟନ୍ ଠାରୁ ଓଡ଼ିଶା ବହୁ ପଛରେ ପଡ଼ିଛି। ମତ୍ସ୍ୟ ଉତ୍ପାଦନ ଅଭିବୃଦ୍ଧି ଲାଗି ଏଭଳି କୃତ୍ରିମ ପ୍ରବାଳ ପ୍ରାଚୀର ଯଥେଷ୍ଟ ସହାୟକ ହୋଇପାରିବ।
ସହଜ ନୁହେଁ ସଫଳତା
୨୦୧୫ ମସିହାରେ ଓଡ଼ିଶା ସରକାର ୨୦ଟି କୃତ୍ରିମ ପ୍ରବାଳ ପ୍ରାଚୀର ନିର୍ମାଣ ଉଦ୍ୟମ କରି ବିଫଳ ହୋଇଥିଲେ। ମତ୍ସ୍ୟ ବିଭାଗର ଉପ-ନିର୍ଦ୍ଦେଶକ ରବିନାରାୟଣ ପଟ୍ଟନାୟକ ଏକଥା ସ୍ବୀକାର କରି କହିଛନ୍ତି ଯେ, ‘‘କୃତ୍ରିମ ପ୍ରବାଳ ପ୍ରାଚୀର ସୃଷ୍ଟି କରିବା ବେଶ୍ ଆହ୍ବାନମୂଳକ ଏବଂ ଆମେ ବିଗତ ବିଫଳତାରୁ ଏହା ଶିକ୍ଷା ପାଇଛୁ। ପ୍ରମୁଖ ସମସ୍ୟା ହେଲା, ଓଡ଼ିଶା ଉପକୂଳରେ ସାମୁଦ୍ରିକ ସ୍ରୋତର ପ୍ରଖରତା। ସେଥିଯୋଗୁଁ କଂକ୍ରିଟ୍ ଢାଞ୍ଚାର ସ୍ଥିରତା ବଜାୟ ରଖିବା କଷ୍ଟସାଧ୍ୟ। କିନ୍ତୁ ଏଥର ଏପରି ଢାଞ୍ଚା ତିଆରି ପୂର୍ବରୁ ସମସ୍ୟା ମୁକାବିଲା ସକାଶେ ସର୍ଭେ ଓ ବ୍ୟାପକ ଅଧ୍ୟୟନ କରାଯାଇଛି। ଏହି ଅଧ୍ୟୟନରୁ ମିଳିଥିବା ଶିକ୍ଷା ବିଚାରକୁ ନେଇ ନୂଆ କୃତ୍ରିମ ସାମୁଦ୍ରିକ ପ୍ରବାଳ ପ୍ରାଚୀର ସ୍ଥାପନ କରାଯିବ, ଫଳରେ ତାହା ଦୀର୍ଘକାଳ ତିଷ୍ଠିରହିବ ଏବଂ ଅଧିକ ଫଳପ୍ରଦ ହେବ। କୃତ୍ରିମ ପ୍ରବାଳ ପ୍ରାଚୀର ଉପକୂଳ ଅବକ୍ଷୟକୁ ମଧ୍ୟ ପ୍ରତିହତ କରିପାରିବ ବୋଲି ଏଥିରୁ ସୁନିଶ୍ଚିତ କରାଯାଇପାରିବ। ପ୍ରାକ୍-ପ୍ରାଚୀର ନିର୍ମାଣ କାର୍ଯ୍ୟ ହିସାବରେ ଜଳତତ୍ତ୍ବ ଅଧ୍ୟୟନ କରାଯାଇଛି ଏବଂ ସେ ଆଧାରରେ ଜଳର ଉପଯୁକ୍ତ ଗଭୀରତାରେ ପ୍ରାଚୀର ନିର୍ମାଣ କରାଯିବ।”
ସାମୁଦ୍ରିକ ସୁରକ୍ଷା କବଚର ରୂପକାର ଇଂଜିନିୟର୍ ସଂଯୁକ୍ତା
କୃତ୍ରିମ ପ୍ରବାଳ ପ୍ରାଚୀରର ନିର୍ମାତ୍ରୀ ଭାବେ ଆଜି ଭାରତରେ ଇଂଜିନିୟର୍ ସଂଯୁକ୍ତା ସାହୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହାର ବିଭିନ୍ନ ପ୍ରସଙ୍ଗ ଓ ବ୍ୟବହାର ଉପଯୋଗିତାକୁ ନେଇ ସେ କହନ୍ତି, “ସାମୁଦ୍ରିକ କାର୍ଯ୍ୟକଳାପ ସହ କୃତ୍ରିମ ପ୍ରବାଳ ପ୍ରାଚୀର ଯେପରି ମେଳ ଖାଇବ, ସେଥିପାଇଁ ଉପଯୁକ୍ତ ସ୍ଥାନ ନିରୂପଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପ୍ରାଚୀର ନିର୍ମାଣ ପାଇଁ ବ୍ୟବହୃତ ସାମଗ୍ରୀଗୁଡ଼ିକ ପରିବେଶ ସକାଶେ ନିରାପଦ ହେବା ସଙ୍ଗେ ସଙ୍ଗେ ସାମୁଦ୍ରିକ ପରିବେଶ ସହଣି ହୋଇଥିବା ଆବଶ୍ୟକ। କୃତ୍ରିମ ପ୍ରାଚୀରର ପରିସଂସ୍ଥାନଗତ ପ୍ରଭାବ ଏବଂ ତାହା କେତେଦୂର ଫଳପ୍ରଦ ହେବ ସେକଥା ଆକଳନ କରିବା ସକାଶେ ତାହା ଉପରେ ନିୟମିତ ନିଘା ରଖାଯିବା ଆବଶ୍ୟକ।”
/sambad/media/media_files/2025/02/23/bNgI97RMKqydRCG7CLOG.jpg)
ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶୋଷଣ କରିବା ପାଇଁ ଅଶୋକ ଚକ୍ର ଆକୃତିର ଏକ ୨୬ ଫୁଟ୍ ବ୍ୟାସର ଗୋଲାକାର ବୃତ୍ତରେ ୨୬ଟି ଦଣ୍ଡ ରହି ଏକ ‘ଇଣ୍ଡିଆନ୍ ସିୱିଡ୍ ହ୍ୱିଲ୍’ (ଭାରତୀୟ ସାମୁଦ୍ରିକ ଶୈବାଳଚକ୍ର) ଡିଜାଇନ୍ କରାଯାଇଛି ଏବଂ ଏହାକୁ ଉପକୂଳ ପାଣିରେ ବୁଡ଼ାଇ ରଖାଯାଇ କାର୍ଯ୍ୟକ୍ଷମ କରାଯାଉଛି ବୋଲି ସଂଯୁକ୍ତା ସାହୁ କହନ୍ତି। ଓଡ଼ିଶାରେ ପ୍ରଥମ ସଫଳ ପ୍ରକଳ୍ପ ସଂପର୍କରେ ତାଙ୍କର ମତ ଏମିତି- ‘‘୨୦୨୪ ମସିହାରେ ଏସିଆର ସର୍ବବୃହତ୍ ଲବଣ ହ୍ରଦ ଚିଲିକାରେ ଏପରି ଅନୁରୂପ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଚିଲିକାରେ ପ୍ରାୟ ୧୦୦ଟି କଂକ୍ରିଟ୍ ଢାଞ୍ଚା ପକାଯାଇ ୨୦୦ ମିଟର ଦୀର୍ଘ କୃତ୍ରିମ ପ୍ରବାଳ ପ୍ରାଚୀରଟିଏ ନିର୍ମାଣ କରାଯାଇଛି। ଏହି କୃତ୍ରିମ ପ୍ରବାଳ ପ୍ରାଚୀର ନିର୍ମାଣ କରାଯିବାର ମାତ୍ର କେଇମାସ ମଧ୍ୟରେ ଏହା ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ଜାଅଁାଳମାନଙ୍କୁ ଆକର୍ଷିତ କରିଥିଲା। ଏହା ହେଉଛି ସଫଳତାର ପ୍ରାକ୍ ସୂଚନା।’’
‘‘ଖାଦ୍ୟ ଓ କୃଷି ସଂଗଠନ (ଫାଓ)ର ଏକ ରିପୋର୍ଟ ମୁତାବକ କୃତ୍ରିମ ପ୍ରବାଳ ପ୍ରାଚୀର ଫଳରେ ଅବକ୍ଷୟପ୍ରାପ୍ତ ଅଞ୍ଚଳରେ ମାଛ ଉତ୍ପାଦନ ଚାରିଗୁଣ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ପରିସଂସ୍ଥାନର ଉନ୍ନତି ହେବା ସଙ୍ଗେ ସଙ୍ଗେ କୃତ୍ରିମ ପ୍ରବାଳ ପ୍ରାଚୀର ସୃଷ୍ଟି ଉଦ୍ୟମ ଫଳରେ ଓଡ଼ିଶାର ଉପକୂଳ ଜନସାଧାରଣଙ୍କ ଜୀବନଜୀବିକା ଅଧିକ ଉନ୍ନତ ହେବାର ବିଶେଷ ସମ୍ଭାବନା ରହିଛି। ପ୍ରାଚୀର ନିର୍ମାଣ ପର୍ଯ୍ୟାୟରେ କର୍ମନିଯୁକ୍ତି ସୃଷ୍ଟି ହେବା ସଙ୍ଗେ ସଙ୍ଗେ ପରିସଂସ୍ଥାନର ଉନ୍ନତି ଘଟି ସେଠାରେ କେଇ ପିଢ଼ି ପର୍ଯ୍ୟନ୍ତ ମାଛବଂଶ ତିଷ୍ଠି ରହିବେ। ସ୍ଥାନୀୟ ମହିଳାମାନେ ଶୈବାଳ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ଏଥିପାଇଁ ଆମେ ତାଲିମ ମଧ୍ୟ ଦେଇଛୁ।’’
ଭାରତୀୟ କୃତ୍ରିମ ପ୍ରବାଳ ପ୍ରାଚୀରର ଜନକ ଓଡ଼ିଆ ସମୁଦ୍ରବିଜ୍ଞାନୀ
ଭାରତୀୟ କୃତ୍ରିମ ପ୍ରବାଳ ପ୍ରାଚୀରର ଜନକ ଭାବେ ସୁପରିଚିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସମୁଦ୍ରବିଜ୍ଞାନୀ ପ୍ରଫେସର୍ ଡକ୍ଟର ଦୀନବନ୍ଧୁ ସାହୁ ଭାରତର ସର୍ବପ୍ରଥମ ସମୁଦ୍ରବିଜ୍ଞାନୀ ଛାତ୍ର ଭାବେ ଗବେଷଣା ପାଇଁ ୧୯୮୭ ମସିହାରେ ଦକ୍ଷିଣମେରୁସ୍ଥିତ ଆଣ୍ଟାର୍କଟିକା ମହାଦେଶ ଗସ୍ତ କରିଥିଲେ। ସେଠାରେ ଭାରତର ସ୍ଥାୟୀ ଗବେଷଣା କେନ୍ଦ୍ର ‘ମୈତ୍ରୀ’ ସ୍ଥାପନାରେ ସେ ପ୍ରମୁଖ ବୈଜ୍ଞାନିକ ଥିଲେ। ସେ ୧୯୯୧-୯୨ରେ ଦୁଇଥର ଉତ୍ତରମେରୁ (ଆର୍ଟିକ୍) ଗବେଷଣା ପାଇଁ ଯାଇଥିଲେ। ୧୮ ମାସ ଭିତରେ ସେ ୭ଟି ମହାଦେଶର ଅନେକ ଦେଶ ଓ ୫ଟି ମହାସାଗରର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିଥିଲେ। କୃତ୍ରିମ ପ୍ରବାଳ ପ୍ରାଚୀର ଓ ସାମୁଦ୍ରିକ ଶୈବାଳ ଚାଷ ଉପରେ ଗବେଷଣା କରି ସେ ବିରଳ ସଫଳତା ହାସଲ କରିଥିଲେ।
ଓଡ଼ିଶାରେ କୃତ୍ରିମ ପ୍ରବାଳ ପ୍ରାଚୀର ସ୍ଥାପନର ପ୍ରମୁଖ ସମୁଦ୍ରବିଜ୍ଞାନୀ ଭାବେ ଦାୟିତ୍ୱ ସମ୍ପାଦନ କରୁଥିବା ଡକ୍ଟର ଦୀନବନ୍ଧୁ ସାହୁ କହନ୍ତି, “ନିର୍ଦ୍ଦିଷ୍ଟ ସାମଗ୍ରୀରେ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କୃତ୍ରିମ ପ୍ରବାଳ ପ୍ରାଚୀର କେବଳ ବହୁସଂଖ୍ୟକ ସାମୁଦ୍ରିକ ଜୀବଙ୍କୁ ବାସସ୍ଥାନ ପ୍ରଦାନ କରିବ ନାହିଁ, ବରଂ ଘୂର୍ଣ୍ଣିଝଡ଼ରୁ ଉପକୂଳକୁ ସୁରକ୍ଷା ପ୍ରଦାନ କରିବ। ଏହାସହିତ ସମୁଦ୍ର ତଟକୁ ସୁରକ୍ଷିତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ଫଳରେ ଆଜି ଦିନରେ ଉପକୂଳ ଓଡ଼ିଶାର ସମୁଦ୍ର ତଟବର୍ତ୍ତୀ ଗାଁଗୁଡ଼ିକୁ ସୁରକ୍ଷା ପ୍ରଦାନ କରାଯିବାରେ ଏହି କୃତ୍ରିମ ପ୍ରବାଳ ପ୍ରାଚୀର ନିଶ୍ଚିତ ସହାୟକ ହେବ। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ୍କୁ ସୁରକ୍ଷା ଦେବାରେ କୃତ୍ରିମ ପ୍ରବାଳ ପ୍ରାଚୀରକୁ ମୁଖ୍ୟ ଅସ୍ତ୍ର ଭାବେ ଉପଯୋଗ କରାଯାଇ ପାରିବ। କୃତ୍ରିମ ପ୍ରବାଳ ପ୍ରାଚୀର ସାମୁଦ୍ରିକ େଢଉଜନିତ ଅନ୍ତଃସ୍ରୋତକୁ ଯଥେଷ୍ଟ ନିୟନ୍ତ୍ରଣ କରିଥାଏ। ଏହାଦ୍ୱାରା ପୁରୀ କୋଣାର୍କ ଭଳି ସମୁଦ୍ରକୂଳରେ ଗାଧୋଇବା ସମୟରେ ଯେଉଁଭଳି ଜୀବନହାନି ହେଉଛି ତା’ର ସୁରକ୍ଷା କରାଯାଇ ପାରିବ।” ସେ କହନ୍ତି, ‘‘ଜଳବାୟୁ ପରିବର୍ତ୍ତନଜନିତ ଘଟଣାକ୍ରମ ଓ ପ୍ରଦୂଷଣ ଯୋଗୁଁ ରାଜ୍ୟର ସାମୁଦ୍ରିକ ପରିସଂସ୍ଥାନଗୁଡ଼ିକ ପ୍ରତିକୂଳ ଭାବେ ପ୍ରଭାବିତ ହୋଇଛନ୍ତି। କୃତ୍ରିମ ପ୍ରାଚୀର ସମୁଦ୍ରଘାସ ତଥା ସାମୁଦ୍ରିକ ଉଦ୍ଭିଦଗୁଡ଼ିକୁ ବଢ଼ିବା ସୁଯୋଗ ଦେଇଥାଏ। ଏହି ସମୁଦ୍ରଘାସ ଓ ଉଦ୍ଭିଦଗୁଡ଼ିକ ଅଙ୍ଗାରକାମ୍ଳ ଅବଶୋଷଣ କରିଥାଆନ୍ତି। ଏହା ସମୁଦ୍ରର ଅମ୍ଳୀକରଣକୁ ପ୍ରତିହତ କରିଥାଏ ଏବଂ ତାପମାତ୍ରା ବୃଦ୍ଧିର ପ୍ରଭାବକୁ ମଧ୍ୟ ହ୍ରାସ କରିଥାଏ।’’
ସମୁଦ୍ରରେ ଶୈବାଳ ଚାଷ
କୃତ୍ରିମ ପ୍ରବାଳ ପ୍ରାଚୀର ମାଧ୍ୟମରେ ସାମୁଦ୍ରିକ ଶୈବାଳ ଚାଷ କରାଯାଇ ବଙ୍ଗୋପସାଗରର ଉପକୂଳବର୍ତ୍ତୀ ଜଳରାଶିରେ ସମୁଦ୍ର ଜଙ୍ଗଲ ସୃଷ୍ଟି କରାଯିବା ଆଜିର ଦିନରେ ନିତାନ୍ତ ଜରୁରି ହୋଇପଡ଼ିଛି। ସ୍ଥଳଭାଗ ଭଳି ସମୁଦ୍ରରେ ମଧ୍ୟ ଜଙ୍ଗଲ ରହିଛି। ପୃଥିବୀର ସ୍ଥଳଭାଗରେ ଥିବା ବୃକ୍ଷଲତା ଓ ଜଙ୍ଗଲ ତୁଳନାରେ ମହାସାଗରର ସାମୁଦ୍ରିକ ଶୈବାଳ ଜଙ୍ଗଲ ୪ରୁ ୫ ଗୁଣ ଅଧିକ ଅଙ୍ଗାରକ ଶୋଷଣ କରିଥାନ୍ତି। ଏହି କୃତ୍ରିମ ପ୍ରବାଳ ପ୍ରାଚୀରଗୁଡ଼ିକ ସମୟକ୍ରମେ ସାମୁଦ୍ରିକ ଜଙ୍ଗଲରେ ପରିଣତ ହେବ। ଏହା ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। କାରଣ ଏହି ପ୍ରକ୍ରିୟା ଦ୍ବାରା ସାମୁଦ୍ରିକ ଜୀବ ପ୍ରଜାତି ବଢ଼ିବେ ଏବଂ ବୃଦ୍ଧି ପାଉଥିବା ସମୁଦ୍ର ଜଳ ତାପମାତ୍ରା ଶୀତଳ କରିବା ଦିଗରେ ଏହା କାର୍ଯ୍ୟ କରିବ। ଆଜିର ଦିନରେ ଜଳବାୟୁ ପରିବର୍ତ୍ତନଜନିତ ବିଶ୍ୱ ତାପମାତ୍ରା ବୃଦ୍ଧି ମୁକାବିଲା ପାଇଁ କୃତ୍ରିମ ପ୍ରବାଳ ପ୍ରାଚୀର ଗୁରୁତ୍ବବହନ କରେ।
କୃତ୍ରିମ ପ୍ରବାଳ ପ୍ରାଚୀରର ସ୍ୱତନ୍ତ୍ର ପ୍ରସ୍ତୁତି ପ୍ରଣାଳୀ ମାଛ, କଙ୍କଡ଼ା ଓ ଚିଙ୍ଗୁଡ଼ି ଉତ୍ପାଦନ ବୃଦ୍ଧି ସହିତ ସାମୁଦ୍ରିକ ଜୈବବିବିଧତାର ସୁରକ୍ଷା କରିବା ସଙ୍ଗକୁ ଅବକ୍ଷୟ ହୋଇଥିବା ସାମୁଦ୍ରିକ ପରିସଂସ୍ଥାନ ପୁନରୁଦ୍ଧାର କରିବାରେ ସହାୟକ ହୋଇଥାଏ। ଏଭଳି କୃତ୍ରିମ ପ୍ରବାଳ ପ୍ରାଚୀର ନିର୍ମାଣ ସହିତ ଏହାକୁ ସମୁଦ୍ରରେ ସ୍ଥାପନ କରିବାକୁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଆମେରିକା, ଫ୍ରାନ୍ସ, ଜାପାନ, ଚୀନ୍, କୋରିଆ ଓ ଅଷ୍ଟ୍ରେଲିଆ ପରି ଦେଶ ସେମାନଙ୍କ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ସମୁଦ୍ରକୂଳରେ ଏହିପରି ଲକ୍ଷ ଲକ୍ଷ ପ୍ରବାଳ ପ୍ରାଚୀର ସ୍ଥାପନ କରିଛନ୍ତି। ବର୍ତ୍ତମାନ ବିଶ୍ୱର ୭୦ରୁ ଅଧିକ ଦେଶରେ ୩୪୦୦ରୁ ଊର୍ଦ୍ଧ୍ୱ କୃତ୍ରିମ ପ୍ରବାଳ ପ୍ରାଚୀର ସମୁଦ୍ରରେ ସୃଷ୍ଟି କରାଯାଇଛି। ଏହାସହିତ ବେଳାଭୂମି ପୁନରୁଦ୍ଧାର ପ୍ରକଳ୍ପରେ ପ୍ରାୟ ୫ ଲକ୍ଷ ପ୍ରବାଳ ବଲ୍ କାର୍ଯ୍ୟକ୍ଷମ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/22/qeNRN5Mc9q8gitKkAU0U.jpg)