ପ୍ରଗତି ସାହୁ

Advertisment

ବାହାବେଦିରେ ସାତ ବଚନରେ ଗଣ୍ଠିପକାଇ ସାତଫେରା ନେଇଥିବା ନୂଆ ଦମ୍ପତିଙ୍କ ମନରେ ଥାଏ ଅସୁମାରି ସ୍ବପ୍ନ ଏବଂ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ସାଥୀହୋଇ ଚାଲିବାର ବିଶ୍ବାସ। କଟକର ରାକେଶ ଓ ସୁକନ୍ୟା ୨୦୧୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହର ଗାଡ଼ି ଆଗକୁ ଗଡୁଥିଲା ଏବଂ ପ୍ରେମର ସନ୍ତକ ସ୍ବରୂପ କୋଳକୁ ଆସିଲା ପୁତ୍ର ସନ୍ତାନ। ଦୁହେଁ ଚାକିରିଆ। ସୁକନ୍ୟା ଭୁବନେଶ୍ବରସ୍ଥିତ ଏକ ସରକାରୀ ସ୍କୁଲ୍‌ରେ ଶିକ୍ଷିୟିତ୍ରୀ ଭାବେ ଚାକିରି କରୁଥିବା ବେଳେ ରାକେଶ ଓମାନ୍‌ରେ ଗୋଟେ ବେସରକାରୀ ସଂସ୍ଥାରେ ଏକ ଉଚ୍ଚପଦବିରେ କାର୍ଯ୍ୟରତ ଥିଲେ। ଅର୍ଥ କି ପ୍ରାଚୁର୍ଯ୍ୟର ଅଭାବ ନଥିଲା, କେବଳ ଅଭାବ ଥିଲା ପାରସ୍ପରିକ ବିଶ୍ବାସର। ହଠାତ୍‌ ବାହାଘରର ତିନିବର୍ଷ ପରେ ଛାଡ଼ପତ୍ର ନେବାକୁ ଦୁହେଁ ନିଷ୍ପତ୍ତି ନେଲେ। ଉଭୟଙ୍କ ପରିବାରକୁ ଏହା ଆଶ୍ଚର୍ଯ୍ୟ କରିଦେଇଥିଲା।
ସୁକନ୍ୟା ପରିବାରର କଥା ବୁଝି, ରୋଷେଇ, ପିଲା କାମ ସାରି ଚାକିରିକୁ ଯାଏ। ଦିନତମାମ କାମ କରିବା ପରେ ଘରକୁ ଫେରି ପୁଣି କାମରେ ଲାଗିଯାଏ। ଏସବୁ ଭିତରେ ଯଦି ତା’ର କୌଣସି କଥା ଶାଶୂ ଓ ଶଶୁରଙ୍କୁ ଭଲ ଲାଗେନାହିଁ ଦୁହେଁ ଫୋନ୍‌ ଲଗାଇଦିଅନ୍ତି ପୁଅକୁ। ଏପଟେ ଯଦି ଶଶୁରଘରେ କିଛି କଥା କଷ୍ଟଦିଏ ସୁକନ୍ୟା ରାକେଶକୁ ଫୋନ୍‌ ଲଗାଇଦିଏ। ବିଦେଶରେ ରହି ସେ ବା କରିବ କ’ଣ? ଦୈନନ୍ଦିନ ବାପାମା’ ଓ ସ୍ତ୍ରୀଠାରୁ ପରସ୍ପର ବିରୋଧୀ କଥା ଶୁଣି ବିରକ୍ତ ହୋଇଉଠେ ରାକେଶ। ସ୍ତ୍ରୀ ଉପରେ ସବୁବେଳେ ଚିଡ଼୍‌ଚିଡ଼୍‌ ହୁଏ। ସ୍ବାମୀ-ସ୍ତ୍ରୀ ସଂପର୍କ ତିକ୍ତ ହୋଇଉଠେ। ନିୟମିତ ଝଗଡ଼ା ହୁଏ ଓ ସୁକନ୍ୟା ଶାଶୂ ଉପରେ ନିଜ ରାଗ ସାରେ। ଏମିତି ଅଶାନ୍ତିରୁ ମୁକ୍ତି ପାଇଁ ଦୁହେଁ ଅଲଗା ହେବାର ନିଷ୍ପତ୍ତି ନେଇ ଅଦାଲତରେ ଆବେଦନ କରନ୍ତି।

ଛାଡ଼ପତ୍ର ଏକମାତ୍ର ବିକଳ୍ପ ନୁହେଁ
ଏବେ ଛାଡ଼ପତ୍ର ଆବେଦନ ବହୁ ସଂଖ୍ୟାରେ ବଢ଼ିଯାଇଛି। ଦମ୍ପତିଙ୍କ ମଧ୍ୟରେ ପରସ୍ପର ସହ ଖାପଖୁଆଇ ଚଳିବା ଅଭ୍ୟାସର ଅଭାବ ଯୋଗୁଁ ସମସ୍ୟା ଏତେ ବିରାଟ ଆକାର ଧାରଣ କରିଛି। ଛାଡ଼ପତ୍ର ହିଁ ଏକମାତ୍ର ବିକଳ୍ପ ଓ ସମାଧାନ ବୋଲି ସେମାନେ ଭାବିନେଉଛନ୍ତି। କିନ୍ତୁ ଯେତେବେଳେ ପ୍ରକୃତ ସ୍ଥିତିକୁ ବୁଝୁଛନ୍ତି ଛାଡ଼ପତ୍ର ମାମଲାରୁ ଓହରି ଯାଉଛନ୍ତି। ବହୁ ମାମଲାରେ ମୁଁ ଦେଖୁଛି, ସମ୍ପର୍କ ଭାଙ୍ଗୁ ଭାଙ୍ଗୁ ପୁଣି ଯୋଡ଼ି ହୋଇଯାଉଛି। ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କକୁ ସଜାଡ଼ିବା ପାଇଁ ଅନେକ ଉପାୟ ଅଛି, କିନ୍ତୁ ଛାଡ଼ପତ୍ରକୁ ବିକଳ୍ପ ଭାବେ ନ ନେବା ଉଚିତ। ଛାଡ଼ପତ୍ର ସବୁ ସମସ୍ୟାର ସମାଧାନ ନୁହେଁ। ବାପାମା’ଙ୍କ ଛାଡ଼ପତ୍ର ଦ୍ବାରା କଠିନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ପୁଅଝିଅ। ସ୍କୁଲ୍‌କଲେଜ୍‌ରୁ ନେଇ ସାମାଜିକ ପରିସରରେ ସେମାନେ ନିଜକୁ ଅସୁରକ୍ଷିତ ମଣିଥାଆନ୍ତି। ସାଙ୍ଗମାନଙ୍କ ଟାହିଟାପରାରୁ ନେଇ ବିବାହ ପର୍ଯ୍ୟନ୍ତ ପ୍ରତ୍ୟେକ ପାଦରେ ଝୁଣ୍ଟିଥାଆନ୍ତି। ତେଣୁ ବୈବାହିକ ସଂପର୍କକୁ ଭାଙ୍ଗିଦେବା ପୂର୍ବରୁ ଥରେ ଏହାର ପରିଣତିକୁ ଆକଳନ କରିବା ଦରକାର। ବଡ଼ କଥା ହେଉଛି, ଯେମିତି ଗୋଟେ ପରିବାର ଭାଙ୍ଗିବା ପାଇଁ କେବେ କେବେ ତୃତୀୟ ବ୍ୟକ୍ତି ଦାୟୀ ବୋଲି କୁହାଯାଏ, ଠିକ୍ ସେମିତି ସଂସାରକୁ ସଜାଡ଼ିବା ପାଇଁ ମଧ୍ୟ ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ ନିହାତି ଦରକାର। ସମସ୍ୟାର ମୂଳ କାରଣ ପାଖରେ ପହଞ୍ଚି ପାରିଲେ ସମ୍ପର୍କଟିକୁ ଠିକ୍‌ କରାଯାଇପାରିବ।
-ପ୍ରୀତି ଧଳ, ସମାଜସେବୀ ତଥା ଫ୍ୟାମିଲି କାଉନ୍‌ସିଲର୍‌

ଏହାରି ଭିତରେ ଶାଶୂ ନିଜର ଭୁଲ୍‌ ବୁଝିପାରନ୍ତି। ପୁଅର ବୈବାହିକ ସଂପର୍କକୁ ବ‌ଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରନ୍ତି। ପରିବାର ଅଦାଲତର କାଉନ୍‌ସିଲର୍‌ଙ୍କ ସହିତ କଥା ହୋଇ ୪ଟି ଶୁଣାଣି ପରେ ରାକେଶ ଓ ସୁକନ୍ୟା ଅସୁବିଧାକୁ ବୁଝିଯାଆନ୍ତି ଏବଂ ପୁଅର ଭବିଷ୍ୟତ କଥା ବି ଚିନ୍ତାକରନ୍ତି। ଶେଷରେ ମାମଲା ରଦ୍ଦ କରି ପୁଣିଥରେ ଏକାଠି ନିଜ ସଂସାର ରଥକୁ ଖୁସିରେ ଚଳାଇ ନିଅନ୍ତି ରାକେଶ ଓ ସୁକନ୍ୟା। ସେହିପରି ବାଲେଶ୍ବର ବାସିନ୍ଦା ବିଶ୍ବଜିତ ଜଣେ ବରିଷ୍ଠ ଡାକ୍ତର ହୋଇଥିବା ବେଳେ ସ୍ତ୍ରୀ ମୋନିକା ଜଣେ ଶିକ୍ଷୟିତ୍ରୀ। ଦୁଇ ପୁଅଝିଅଙ୍କୁ ନେଇ ଦୁହିଁଙ୍କର ସୁଖୀ ସଂସାର। ଦୀର୍ଘ ୧୬ ବର୍ଷର ବୈବାହିକ ଜୀବନରେ ଝଡ଼ ଆଣିଲା ପରକୀୟା ପ୍ରୀତି। ଡାକ୍ତର ବିଶ୍ବଜିତ ଜଣେ ରୋଗୀଙ୍କ ସମ୍ପର୍କରେ ଅାସନ୍ତି ଏବଂ ଉକ୍ତ ରୋଗୀଙ୍କ ସହ ତାଙ୍କର ପ୍ରେମ ହୁଏ। ଧୀରେ ଧୀରେ ସ୍ବାମୀଙ୍କର ଘରେ କମ୍‌ ସମୟ ବିତେଇବା ଓ ପିଲାମାନଙ୍କୁ ଅଣଦେଖା କରିବା ଭଳି ଆଚରଣ ମୋନିକାଙ୍କୁ ଅସ୍ବାଭାବିକ ଲାଗେ। ସତ କ’ଣ ଜାଣିବା ପାଇଁ ସେ ଅନୁସନ୍ଧାନ କରନ୍ତି ଓ ସ୍ବାମୀଙ୍କ ପରକୀୟା ପ୍ରୀତିକୁ ଧରନ୍ତି। ‌େମାନିକା ବିଶ୍ବଜିତଙ୍କୁ କିଛି ନ କହି ନିଜଆଡୁ ଛାଡ଼ପତ୍ର ପାଇଁ ଆବେଦନ କରନ୍ତି। ଘଟଣା ଯେ ଏଭଳି ମୋଡ଼ ନେବ ତାହା ବିଶ୍ବଜିତଙ୍କ କଳ୍ପନା ବାହାରେ ଥିଲା। ସେ ଖୁବ୍‌ ଡରିଗଲେ। ଜଣଙ୍କ ସହ ମିଳାମିଶା ଯେ ଦିନେ ଜୀବନରେ ଝଡ଼ ସୃଷ୍ଟି କରିବ ତାହା ବିଶ୍ବଜିତ ଭାବି ନଥିଲେ।

ଏହାପରେ ସେ ସଙ୍ଗେ ସଙ୍ଗେ କାଉନ୍‌ସେଲିଂ ପାଇଁ ଆବେଦନ କରିଥିଲେ। କିନ୍ତୁ ମୋନିକାଙ୍କର ଏକା ଜିଦ୍‌ ଥିଲା ଯେ ସେ ଛାଡ଼ପତ୍ର ନେବେ। ବିଶ୍ବଜିତ ନିଜର ଭୁଲ୍‌ ସ୍ବୀକାର କରି ଆଉ ଏପରି ହେବ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଲେ। ବହୁ ବୁଝାମଣା ପରେ ମୋନିକା ବିଶ୍ବଜିତଙ୍କୁ ଗୋଟିଏ ମଉକା ଦେବାକୁ ରାଜିହେଲେ ଏବଂ ଛାଡ଼ପତ୍ର ନିଷ୍ପତ୍ତିରୁ ଓହରିଗଲେ। ଏଭଳି ବହୁ ଘଟଣା ଅଛି ଯେଉଁଠାରେ ବିବାହ ବିଚ୍ଛେଦ ହେଉ ହେଉ ଅଟକି ଯାଇଛି। ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ବନ୍ଧନ ବୋଲି ବିଶ୍ବାସ କରାଯାଉଥିବା ବେଳେ ଆଚରଣଗତ ତ୍ରୁଟି ହେତୁ ତାହା ଭାଙ୍ଗି ଯାଉଥିବା ଦେଖିବାକୁ ମିଳୁଛି। ଏଣୁ ଭାରତରେ ବିବାହ ବିଚ୍ଛେଦ ସଂଖ୍ୟା କ୍ରମଶଃ ବଢ଼ି ବଢ଼ି ଚାଲିଛି। ତଥ୍ୟ ଅନୁସାରେ ବର୍ତ୍ତମାନ ଦେଶରେ ବିବାହ ବିଚ୍ଛେଦ ହାର ହାରାହାରି ୧% ଥିବା ବେଳେ ସହରବାସିନ୍ଦାଙ୍କ କ୍ଷେତ୍ରରେ ଗତ ଏକ ଦଶକ ଭିତରେ ଏହା ୩୦-୪୦ ପ୍ରତିଶତ ବୃଦ୍ଧି ପାଇଛି। ମାତ୍ର ଏହାକୁ କୌଣସିକ୍ରମେ ଏକ ସକାରାତ୍ମକ ଘଟଣା ବୋଲି କହି ହେବନାହିଁ।