ନାଲନ୍ଦା: ବଲିଉଡ୍ର ଲୋକପ୍ରିୟ ସିନେମା ‘ଚାନ୍ଦିନୀ’ ଆପଣଙ୍କର ମନେ ଥିବ। ଏହି ଫିଲ୍ମରେ ଅଭିନେତ୍ରୀ ଶ୍ରୀଦେବୀ ‘ମେ ଶଶୁରାଲ୍ ନେହିଁ ଯାଉଁଗି’ ଗୀତରେ ନୃତ୍ୟ ପ୍ରଦର୍ଶନ କରୁଥିବାର ଆପଣ ଦେଖିଥିବେ ନିଶ୍ଚୟ। ସେହି ସମୟରେ ଏହି ଗୀତଟି ସୁପର୍ହିଟ୍ ହୋଇଥିଲା। ଆବଶ୍ୟ ଗୀତଟି ଏକ ମଜାକିଆ ଅନ୍ଦାଜର ଗୀତ ଥିଲା। ମାତ୍ର ଏପରି ଏକ ସତ ଘଟଣା ଏବେ ବିହାରର ନାଲନ୍ଦାରେ ଦେଖିବାକୁ ମିଳିଛି। ଜଣେ କନ୍ୟା ସାତ୍ ଫୈରେ ନେବା ପରେ ମୁଁ ଶାଶୂଘର ଯିବିନି ବୋଲି କହିବା ଘଟଣା ସଭିଙ୍କୁ ଚକିତ କରିଛି।
ଏହି ଘଟଣା ନାଲନ୍ଦା ଜିଲ୍ଳାର ନୁରସରାୟ ଥାନା ଅଞ୍ଚଳର ରତନପୁରା ଗ୍ରାମର। ଜାଣିବାକୁ ମିଳିଛି ଯେ କନ୍ୟା ଜଣକ ଯାହାକୁ ବିବାହ କରିଥିଲେ ସେ ଜଣେ ଦିବ୍ୟାଙ୍ଗ। ତାଙ୍କ ପାଦରେ ସମସ୍ୟା ଥିବାରୁ ସେ ଠିକ୍ ଭାବେ ଚାଲି ପାରନ୍ତି ନାହିଁ। କନ୍ୟାଙ୍କ କହିବା ଅନୁସାରେ ସେ ବିବାହ ପୂର୍ବରୁ ଜାଣିନଥିଲେ ଯେ ବର ଦିବ୍ୟାଙ୍ଗ ବୋଲି। ସାତ୍ ଫୈରେ ନେବା ସମୟରେ ହିଁ ସେ ଏକଥା ଜାଣିବାକୁ ପାଇଲେ। ଯେଉଁ କାରଣରୁ ସେ ଶାଶୂଘର ଯିବାକୁ ମନା କରି ଦେଇଛନ୍ତି।
ତାଙ୍କ କହିବା ମୁତାବକ, ତାଙ୍କ ପାଇଁ ବର ତାଙ୍କ ବାପା ଠିକ୍ କରିଥିଲେ। ସେ ଜାଣିନଥିଲେ ଯେ ସେ ଯାହାକୁ ବାହା ହେଉଛନ୍ତି ସେ ଜଣେ ଦିବ୍ୟାଙ୍ଗ ବୋଲି। ଅନ୍ୟ କୌଣସି ବି ପୁଅ ସହ ରହିଯିବେ ମାତ୍ର ତାଙ୍କ ସହ ଯିବେ ନାହିଁ ବୋଲି କନ୍ୟା ଜଣକ ବିବାହ ବେଦୀରେ ଚିଲାଇ ଚିଲାଇ କହିବା ଘଟଣା ସଭିଙ୍କୁ ଚକିତ କରିଛି।