ସରକାରୀ ଚାକିରିଆ କନ୍ୟା ପାଇଁ ଅଦ୍ଭୁତ ପ୍ରସ୍ତାବ

ଭାରତରେ ଆଜିକାଲି ମୁଖ୍ୟତଃ ଦୁଇ ପ୍ରକାର ବିବାହ ଦେଖିବାକୁ ମିଳୁଛି। ଗୋଟିଏ ହେଲା ପ୍ରେମ ବିବାହ ତ ଅନ୍ୟଟି ଯୋଗାଡ଼ ବିବାହ ବା ପ୍ରସ୍ତାବିତ ବିବାହ। ପ୍ରେମ ବିବାହରେ କେବଳ ବର ଓ କନ୍ୟା ପରସ୍ପରକୁ ଜାଣି ବିବାହ ପାଇଁ ଆଗେଇଥା’ନ୍ତି। ମାତ୍ର ପ୍ରସ୍ତାବିତ ବିବାହରେ ବର, କନ୍ୟା ସମେତ ସେମାନଙ୍କ ପରିବାର ଏବଂ ଅନ୍ୟାନ୍ୟ ଲୋକଙ୍କ ସଂପୃକ୍ତି ରହିଥାଏ। ଏହି ପ୍ରସ୍ତାବିତ ବିବାହ ବଜାରରେ କନ୍ୟା ହେଉ ବା ବର, ସରକାରୀ ଚାକିରି କରିଥିବା ପ୍ରାର୍ଥୀ ସବୁଠୁ ଯୋଗ୍ୟତମ ବୋଲି ବିଚାର କରାଯାଇଥାଏ। ତେବେ ମଧ୍ୟପ୍ରଦେଶର ଛିନ୍ଦଵାରା ଅନ୍ତର୍ଗତ ଚାର ପାଠକ ଅଞ୍ଚଳର ଜଣେ ବିବାହଯୋଗ୍ୟ ଯୁବକ ସରକାରୀ ଚାକିରି କରୁଥିବା ଜଣେ ଝିଅ ପାଇବା ପାଇଁ ବିଜ୍ଞାପନ ପ୍ରକାଶ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ବିକଳ୍ପ ମାଲବ୍ୟ ନାମକ ଏହି ଯୁବକ ଜଣକ ସହରର ଫାଉଣ୍ଟେନ୍‌ ଛକରେ ଏକ ପ୍ଲାକାର୍ଡ ଧରି ଛିଡ଼ା ହେବାର ଦୃଶ୍ୟ ସହରବାସୀଙ୍କୁ ଆଚମ୍ବିତ କରିଛି। ଉକ୍ତ ପ୍ଲାକାର୍ଡରେ ‘ବାହା ହେବା ପାଇଁ ସରକାରୀ ଚାକିରିଆ କନ୍ୟା ଚାହୁଁଛି, ଯୌତୁକ ପଛେ ମୁଁ ଦେବି’ ବୋଲି ଲେଖାଯାଇଛି। ଆମ ଦେଶରେ ଯୌତୁକ ନିବାରଣ ଆଇନ ୧୯୬୧ ଦ୍ବାରା ଯୌତୁକ ଦେବା କିମ୍ବା ନେବା ଏକ ଅପରାଧ ଘୋଷିତ ହୋଇଥିବା ବେଳେ ଏହି ଯୁବକ ଖୋଲାଖୋଲି ନିଜର ଈପ୍‌ସିତା କନ୍ୟାଙ୍କୁ ପାଇବା ଲାଗି ଯୌତୁକ ଦେବାକୁ ରାଜି ଅଛନ୍ତି ବୋଲି ଘୋଷଣା କରିବା ବୁଦ୍ଧିଜୀବୀମାନଙ୍କୁ ଚକିତ କରିଛି। ଯଦିଓ ଜଣେ ସରକାରୀ ଚାକିରିଆଙ୍କୁ ପତ୍ନୀ ରୂପେ ପାଇବା ପଛର କାରଣ ଅନୁମାନ କରି ହେଉଛି, ତେବେ ସେହି ଯୁବକଙ୍କ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍‌ ପ୍ରସାରିତ ହେବା ସହ କେହି କେହି ବିଚିତ୍ର ଟିପ୍ପଣୀ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର