ଭୁବନେଶ୍ବର: ବିବାହ ଆସିଲେ ଆଉ ମନେପଡ଼ୁନି ଖାଣ୍ଟି ଓଡ଼ିଆ ଘରର ଗୁଆ ନିମନ୍ତ୍ରଣ, ଜାଇ ରଗଡ଼ା, ବଡ଼ି ଅନୁକୂଳ କି ବାଡ଼ୁଅ ପାଣି ଗାଧୁଆ ଭଳି ପରମ୍ପରା ଓ ରୀତିନୀତି। ଏବେ ବିବାହ‌ଆଉ ଦିନିକିଆ ଉତ୍ସବ ହୋଇ ରହିନାହିଁ, ପାଲଟି ଯାଇଛି ୩ ଦିନିଆ ମହାସମାରୋହ। ମେହେନ୍ଦୀ, ହଳଦୀ ଓ ସଙ୍ଗୀତ ଭଳି ପରମ୍ପରା ପରେ ଜୟମାଳା ସହ ବିବାହ ହେଉଛି। ଶଙ୍ଖା, ସିନ୍ଦୂର ଓଡ଼ିଆ ଘରର ସୁହାଗର ପ୍ରତୀକ ହୋଇଥିବା ବେଳେ ଏବେ ଉତ୍ତର ଓ ଦକ୍ଷିଣ ଭାରତୀୟଙ୍କ ଭଳି ଆମେ ସୁହାଗର ପ୍ରତୀକ ଭାବେ ମଙ୍ଗଳସୂତ୍ରକୁ ଉପସ୍ଥାପନ କରୁଛୁ। ଯାହାକି ଧୀରେଧୀରେ ଓଡ଼ିଆ ସଂସ୍କୃତିକୁ ଅବକ୍ଷୟମୁଖୀ କରିବା ସହ ଅନ୍ୟ ଏକ ସଂସ୍କୃତିକୁ ଜନ୍ମ ଦେଉଛି ବୋଲି ସଂସ୍କୃତିବିତ୍‌ମାନେ ଅଭିଯୋଗ କଲେଣି। 

Advertisment

ସାଂସ୍କୃତିକ ଭାବବିନିମୟ ଯୋଗୁ ଗୋଟିଏ ସଂସ୍କୃତିର ରୀତିନୀତି, ପରମ୍ପରା ଅନ୍ୟ ଏକ ସଂସ୍କୃତିକୁ ଯିବା ଏକ ଭଲ ଲକ୍ଷଣ। କିନ୍ତୁ ଏହାରି ଭିତରେ ନିଜ ଗରିମାମୟ ସଂସ୍କୃତି ବିକୃତ ହୋଇଯିବା ନିହାତି ଭାବେ ଏକ ଚିନ୍ତାର ପ୍ରସଙ୍ଗ। କୌଣସି ଏକ ଜାତିର ପରିଚୟ ହେଉଛି ଏହାର ଭାଷା, ପରମ୍ପରା, ଚଳଣି, ବେଶଭୂଷା, ଖାଦ୍ୟପେୟ ଓ ସଂସ୍କୃତି। ଏସବୁ ଓଡ଼ିଆ ଜାତିର ଭିନ୍ନ ଓ ସ୍ବତନ୍ତ୍ର ବୋଲି ହିଁ ଏ ଜାତି ଏତେ ସମୃଦ୍ଧ। ଆମ ଶାଢ଼ି ପିନ୍ଧା ଶୈଳୀର ଏକ ନିଆରା ଢଙ୍ଗ ରହିଥିଲେ ବି ଆମେ ଦକ୍ଷିଣ ଭାରତୀୟଙ୍କ ଭଳି କୁଞ୍ଚପକା ଶାଢ଼ି ପିନ୍ଧୁଛେ। ଆମ ପାରମ୍ପରିକ ଶାଢ଼ି ପିନ୍ଧାଶୈଳୀକୁ ଅନେକ ଏବେ ପାଶୋରି ସାରିଲେଣି। ବଲିଉଡ୍‌ ଚଳଚ୍ଚିତ୍ରରେ ବିବାହରେ ଚାକଚକ୍ୟ ଓ ବର୍ଣ୍ଣାଢ଼୍ୟ ଦେଖି ଅନେକ ସେହି ଶୈଳୀରେ ବିବାହ କରିବାକୁ ଚାହୁଛନ୍ତି। ନିଜ ଘରଅଗଣା ଛାଡ଼ି ଏବେ ‘ଡେଷ୍ଟିନେସନ୍‌ ୱେଡିଂ’ ହେଉଛି। ଓଡ଼ିଆ ପରମ୍ପରା, ରୀତିନୀତିକୁ ଛାଡ଼ି ଏବେ ବରକନ୍ୟା ଏକତ୍ର ବିବାହମଣ୍ଡପକୁ ଆସୁଛନ୍ତି। ଏବେ ମଙ୍ଗଳସୂତ୍ର ପିନ୍ଧା ଯାଉଛି, ୭ ଫେରା ନିଆଯାଉଛି ଓ ଶାଳୀମାନେ ଜୋତା ଚୋରିର ରଶମ ବା ରୀତି ବି ପାଳୁଛନ୍ତି। ଫଳରେ ଆମ ବିବାହ ପରମ୍ପରାର ପବିତ୍ରତା ଓ ସ୍ବତନ୍ତ୍ରତା ଧୀରେଧୀରେ ନଷ୍ଟ ହେବା‌ରେ ଲାଗିଥିବା ବେଳେ ଏହାକୁ ନେଇ ସଂସ୍କୃତିପ୍ରେମୀ ଉଦ୍‌ବେଗ ପ୍ରକାଶ କଲେଣି। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଅନେକ ସମୟରେ ତର୍କବିତର୍କ ବି ଦେଖାଯାଉଛି। 

ଅଭିଭାବକମାନେ ପିଲାମାନଙ୍କ ଜିଦ୍‌କୁ ବିରୋଧ କରନ୍ତୁ
ଆର୍ଯ୍ୟ ସନାତନ ସଂସ୍କୃତିରେ ବିବାହ ହେଉଛି ୧୬ ସଂସ୍କାର ମଧ୍ୟରେ ଏକ ସଂସ୍କାର। ହେଲେ ଏବେ ପ୍ରି-ୱେଡିଂ ଓ ପୋଷ୍ଟ-ୱେଡିଂ ଫଟୋ ସୁଟ୍‌ ଆଦି ହେଉଛି। ଯାହାକି ଆମ ସଂସ୍କୃତିର ପରିପନ୍ଥୀ। ଅନ୍ୟପଟେ ବିବାହ ପୂର୍ବରୁ ମେହେନ୍ଦୀ, ହଳଦୀ ଓ ସଙ୍ଗୀତ ଆଦି କାର୍ଯ୍ୟକ୍ରମ କରାଯାଉଛି। ମେହେନ୍ଦୀ ଅନ୍ୟ ଏକ ସଂପ୍ରଦାୟର ପରମ୍ପରା ହୋଇଥିବା ବେଳେ ଏଭଳି ପରମ୍ପରା ଆମ ସନାତନ ଧର୍ମକୁ ବିକୃତ କରୁଛି। ‘ହଳଦୀ’ ଲଗାଇବା ପରମ୍ପରା ଆମ ଓଡ଼ିଆ ସଂସ୍କୃତିରେ ଅଛି। କିନ୍ତୁ ତାହା ଭିନ୍ନ ଢଙ୍ଗରେ ହୁଏ। ସଧବାମାନେ କନ୍ୟାଙ୍କୁ ବାଡୁଅ ପାଣିରେ ଗାଧୋଇ ଦିଅନ୍ତି। ଆମର ତାହା ଏକ ଉଚ୍ଚକୋଟୀର ପରମ୍ପରା। ଆଜିର ଯୁବପିଢ଼ି, ଅଭିଭାବକମାନଙ୍କୁ ଏହିଭଳି ବିଦେଶୀ ପରମ୍ପରାରେ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ଅଭିଭାବକମାନେ ଏହାକୁ ବିରୋଧ କରିବା ଉଚିତ। ନଚେତ ଆମ ଓଡ଼ିଆ ପରମ୍ପରା ଧୀରେଧୀରେ ବିଲୁପ୍ତ ହୋଇଯିବ।               -ଡ. କୃଷ୍ଣକେଶବ ଷଡ଼ଙ୍ଗୀ, ସଂସ୍କୃତି ଗବେଷକ

ଓଡ଼ିଆମାନେ ଏବେ ସବୁ ସଂସ୍କୃତିର ଗ୍ରାହକ ସାଜିଲେଣି
ଓଡ଼ିଶାର ପରମ୍ପରା ବେଶ୍‌ ପ୍ରାଚୁର୍ଯ୍ୟମୟ। ବିବାହରେ ହେଉଥିବା ଜାଇ ରଗଡ଼ା, ମଙ୍ଗଳକୃତ୍ୟ, ବାଡ଼ୁଅ ପାଣି ଗାଧୁଆଠାରୁ ଆରମ୍ଭ କରି ବନ୍ଦାଣ ଓ ଝିଅ ବିଦାୟ ଭଳି ରୀତିନୀତି ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ବିବାହ ପୂର୍ବରୁ ପୁଅଝିଅ ଦେଖା ହେଉ ନଥିଲେ। ଫଳରେ ବୈବାହିକ ଜୀବନର ଏକ ଲଜ୍ଜାଶୀଳ ଦିଗ ବି ରହୁଥିଲା। ହେଲେ ଏବେ ଆମର ସମସ୍ତ ପରମ୍ପରା ଧ୍ବଂସାଭିମୁଖୀ। ନିଜକୁ ଉଦାର, ଗ୍ରହଣଶୀଳ ଓ ଆଧୁନିକ ଦେଖାଇବା ଚକ୍କରରେ ଆମେ ଓଡ଼ିଆମାନେ ସମସ୍ତ ସଂସ୍କୃତିର ଗ୍ରାହକ ହୋଇଗଲୁଣି। ଫଳରେ ଯିଏ ଯାହା ପାରିଲା, ଆମକୁ ବିକ୍ରି କରିପାରୁଛି। ଆମେ ଆମର ମୂଲ୍ୟବାନ ଜିନିଷ ଛାଡ଼ି, ଶସ୍ତା କଥାକୁ ବି କିଣି ଚାଲିଛୁ। ବାଡୁଅ ପାଣି ଗାଧୁଆ ଆମର ଅତି ଗୋପନୀୟ ପରମ୍ପରା ହୋଇଥିବା ବେଳେ ‘ହଳଦୀ ରଶମ୍‌’ ନାଁରେ ଏହାକୁ ଆମେ ପଦାରେ ପ୍ରଦର୍ଶିତ କରୁଛୁ। ଓଡ଼ିଆ ଘରର ବୋହୂ ଆଉ ଓଡ଼ିଆଣୀ ବେଶଭୂଷା ହେଉନାହାନ୍ତି। କିନ୍ତୁ ‌ପଶ୍ଚିମବଙ୍ଗ ହେଉ ବା ମହାରାଷ୍ଟ୍ର କି ଦକ୍ଷିଣ ଭାରତୀୟମାନେ ନିଜ ବେଶଭୂଷା ଓ ପରମ୍ପରାକୁ ଜାବୁଡ଼ି ଧରିଛନ୍ତି। ଫଳରେ ସେମାନେ ଅଧିକ ଚର୍ଚ୍ଚିତ ହେଉଛନ୍ତି। ନିଜ ପରମ୍ପରାକୁ ଛାଡ଼ି ଭିନ୍ନ ହେବାର ପରିକଳ୍ପନା ପାଗଳାମି ନୁହେଁ କି?                 - ଦେବପ୍ରସାଦ ପରିଜା, ସଂସ୍କୃତି ସଂରକ୍ଷକ