କିଛିଦିନ ପୂର୍ବରୁ ସମ୍ବଲପୁରରେ ବିବାହ ବେଳେ ମାଂସ ତରକାରିକୁ ନେଇ ବରଯାତ୍ରୀ କନ୍ୟା ପରିବାରକୁ ଏଭଳି ଅପମାନିତ କରିଥିଲେ ଯେ ବାଧ୍ୟ ହୋଇ ଝିଅଟି ନିଜେ ବିବାହ ଭାଙ୍ଗିଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଏହା କେବଳ ଉଦାହରଣ ମାତ୍ର। ବଜାର ସଭ୍ୟତାରେ ବ୍ୟବସ୍ଥା ଏଭଳି ହୋଇ ପଡ଼ିଛି ଯେ ବିବାହ ଖର୍ଚ୍ଚ ବହନ ଏବଂ ଆୟୋଜନ କରିବା ବେଳକୁ ଝିଅର ବାପା, ମାଙ୍କ ମେରୁଦଣ୍ଡ ଭାଙ୍ଗିଯିବା ସହିତ ସେମାନେ ନାକେଦମ ହୋଇ ଯାଆନ୍ତି। ଏହି ଟଙ୍କା ସଞ୍ଚୟ କରିବାକୁ ଯାଇ ଅନେକ ଗରିବ ଏବଂ ନିମ୍ନମଧ୍ୟବିତ୍ତ ପରିବାରରେ ଝିଅର ପାଠପଢା ପାଇଁ ବ୍ୟୟ କରନ୍ତି ନାହିଁ। ସେଥିରେ ପୁଣି ବିବାହରେ ‘କନ୍ୟାଦାନ’ ଭଳି ଶବ୍ଦ ଅନେକ ପ୍ରଗତିଶୀଳ ଝିଅ, ପୁଅଙ୍କ ପାଇଁ ଗ୍ରହଣୀୟ ହେଉନାହିଁ। ଏଥିଯୋଗୁଁ ଗତ କିଛି ବର୍ଷ ହେଲା ଓଡ଼ିଶାରେ ଜାତି, ଯୌତୁକ, କର୍ମକାଣ୍ଡ ବିହୀନ ବିବାହର ନୂଆ ପରମ୍ପରା ଆରମ୍ଭ ହୋଇଛି। ଏଥିରେ ସେମାନେ ପରିବାର ସଦସ୍ୟଙ୍କ ଉପସ୍ଥିତି ଏବଂ ସହମତିରେ ସମ୍ବିଧାନକୁ ସାକ୍ଷୀ ରଖି ବିବାହ କରୁଛନ୍ତି। ଯେଉଁଠି ଯୌତୁକର ପ୍ରଶ୍ନ ତ ଉଠୁ ନାହିଁ ବରଂ ବିବାହ ଖର୍ଚ୍ଚ ଉଭୟ ବର ଏବଂ କନ୍ୟା ପକ୍ଷ ସମାନ ଭାବରେ କରୁଛନ୍ତି। ଏହାକୁ ନେଇ ସ୍ବତନ୍ତ୍ର ପ୍ରସ୍ତୁତି: ଗାର୍ଗୀ

Advertisment

ପୁରୀ ଜିଲ୍ଲା କାକଟପୁରର ପ୍ରଜ୍ଞା ଏବଂ ଜଗତ‌୍ସିଂହପୁର ନୂଆଗାଁର ଅନିଲ ପରସ୍ପରକୁ ଅନେକ ଦିନରୁ ଜାଣିଥିଲେ ଏବଂ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ଉଭୟଙ୍କ ପରିବାର ମଧ୍ୟ ଏଥିପାଇଁ ସହମତ ଥିଲେ। କିନ୍ତୁ ସେମାନେ ଯେଉଁ ଶୈଳୀରେ ବିବାହ ପାଇଁ ଚାହୁଁଥିଲେ ପ୍ରଜ୍ଞାଙ୍କ ପରିବାର ଏହାକୁ ଗ୍ରହଣ କରିପାରୁନଥିଲେ। ଶେଷରେ ଉଭୟଙ୍କ ପ୍ରେମ ଏବଂ ଜିଦ୍ ଆଗରେ ପରିବାର ହାର ମାନିଲା। ଗୁରୁଜନ, ବନ୍ଧୁଙ୍କ ଉପସ୍ଥିତିରେ ସମ୍ବିଧାନକୁ ସାକ୍ଷୀ ରଖି ବାବାସାହେବ ଆମ୍ବେଦକର ଏବଂ ଗୌତମ ବୁଦ୍ଧଙ୍କ ଫଟୋଚିତ୍ର ସମ୍ମୁଖରେ ଉଭୟ ପରସ୍ପରକୁ ଫୁଲମାଳ ଦେଇ ସବୁଦିନ ପାଇଁ ପରସ୍ପରର ସାଥୀ ହୋଇ ରହିବାର ଶପଥ ନେଇଥିଲେ। ବିବାହ ବେଳେ ଅନିଲ କୌଣସି ଯୌତୁକ ଦାବି କରିବା ତ ଦୂରର କଥା ଉଭୟଙ୍କ ପରିବାର ପରସ୍ପରକୁ କୌଣସି ପ୍ରକାର ଅତି ମୂଲ୍ୟବାନ ଉପହାର ମଧ୍ୟ ଦେଇନଥିଲେ। ଏହାକୁ ନେଇ ପ୍ରଜ୍ଞା କହନ୍ତି, ଅତି କମ୍ ଖର୍ଚ୍ଚରେ ଏବଂ ବିନା ହଇରାଣରେ ଯେପରି ତାଙ୍କ ବିବାହ ସମ୍ପନ୍ନ ହେଲା, ବର୍ତ୍ତମାନ ତାଙ୍କ ଦୁଇ ସାନ ଭାଇ, ଭଉଣୀଙ୍କ ବିବାହ ମଧ୍ୟ ଏଭଳି ଶୈଳୀରେ କରାଯିବା ପାଇଁ ତାଙ୍କ ପରିବାର ଚାହୁଁଛନ୍ତି।

publive-image YouTube

କିଛି ଦିନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ବିପିନ ନାଏକ ଏବଂ ମୋହିନୀଙ୍କ ବିବାହ ସମ୍ବିଧାନକୁ ସାକ୍ଷୀ ରଖି ହୋଇଥିଲା। ସାଧାରଣ ବିବାହ ପଦ୍ଧତିରେ କେବଳ ବର ରୋଷଣିରେ ପରିଜନଙ୍କ ସହିତ କନ୍ୟା ଘରକୁ ଯାଇ ବାହା ହୋଇ ନିଜ ଘରକୁ ଆଣନ୍ତି। ଘରଜ୍ବାଇଁମାନଙ୍କୁ ନୀଚ ନଜରରେ ଦେଖାଯାଏ। ଲିଙ୍ଗଭେଦଶୂନ୍ୟ ଏହି ପଦ୍ଧତିରେ କିଏ କାହା ଘରକୁ ଯିବ ତାକୁ ନେଇ କୌଣସି ମାନଦଣ୍ଡ ନାହିଁ। ଏହା ବର-କନ୍ୟାଙ୍କ ପାରସ୍ପରିକ ବୁଝାମଣା ଆଧାରରେ ପର୍ଯ୍ୟବସିତ। କିଛିମାସ ପୂର୍ବରୁ ଯାଜପୁର ଜିଲ୍ଲା ଦଶରଥପୁରର ମହା‌େଶ୍ବତା ରୋଷଣିରେ ବର ଭଗତ ଚନ୍ଦ୍ର ଦାସଙ୍କ ଘରକୁ ଯାଇ ବିବାହ କରିବା ଚର୍ଚ୍ଚିତ ହୋଇଛି। ସାମାଜିକ କର୍ମକର୍ତ୍ତା ଅଭିରାମ ମଲ୍ଲିକଙ୍କ ଅନୁସାରେ, ସମ୍ବିଧାନକୁ ସାକ୍ଷୀ ରଖି ଭେଦଭାବଶୂନ୍ୟ ଏଭଳି ବିବାହ ଆଜିର ନୁହେଁ। ୨୦ ବର୍ଷ ମଧ୍ୟରେ ଓଡ଼ିଶାରେ ଏଭଳି ବିବାହ ପଦ୍ଧତିକୁ ଲୋକପ୍ରିୟତା ମିଳିଛି।

କେବଳ ପ୍ରେମ ବିବାହ ନୁହେଁ ଅନେକ ଯୋଗାଡ଼ିଆ ବିବାହ ମଧ୍ୟ ଏଭଳି କରାଯାଉଛି। ମହାରାଷ୍ଟ୍ରରେ ଏହାର ବହୁଳ ପ୍ରଚଳନ ରହିଛି। ବ୍ରହ୍ମପୁରର ଭାଲଚନ୍ଦ୍ର ଷଡ଼ଙ୍ଗୀଙ୍କ ଅନୁସାରେ, ହେତୁବାଦୀ-ମାନବବାଦୀ ସଙ୍ଗଠନର ସହଯୋଗରେ ଉଭୟ ପରିବାର, ପରିଜନ ଏବଂ ବନ୍ଧୁଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ୪ଟି ବିବାହ ଜାତି, ଯୌତୁକ ଏବଂ କର୍ମକାଣ୍ଡବିହୀନ ବିବାହ ସମ୍ବିଧାନକୁ ସାକ୍ଷୀ ରଖି କରାଯାଇଛି। ଏଥିରେ ଝିଅ ପରିବାରକୁ ନ୍ୟୂନ ଦେଖାଯାଏ ନାହିଁ ଏବଂ କୌଣସି ଖର୍ଚ୍ଚରେ ଯେମିତି ଭାରାକ୍ରାନ୍ତ ନ ହେବେ ସେଥିପାଇଁ ଗୁରୁତ୍ବ ଦିଆଯାଏ। ବରଂ ବିବାହ ଖର୍ଚ୍ଚ ଉଭୟ ପକ୍ଷ ସମାନ ଭାବରେ କରନ୍ତି। ଭାଲଚନ୍ଦ୍ରଙ୍କ ଅନୁସାରେ, ଦକ୍ଷିଣଭାରତରେ ରାମସ୍ବାମୀ ପେରିୟାରଙ୍କ ପ୍ରଚେଷ୍ଟାରୁ ସେତେବେଳଠାରୁ ହିଁ ଜାତି, ଯୌତୁକବିହୀନ ବିବାହର ଆୟୋଜନ କରାଯାଉଛି।

୧୭ ବର୍ଷ ହେଲା ବରଗଡ଼ରେ ଜାତି, ଯୌତୁକ, ଆଡ଼ମ୍ବରବିହୀନ ସାମୂହିକ ବିବାହ
ସାମାଜିକ କାର୍ଯ୍ୟକର୍ତ୍ତା ପବିତ୍ର ଦେହେରୀ କହନ୍ତି- ଜାତି, ଯୌତୁକ ଏବଂ ଆଡ଼ମ୍ବର ବିବାହକୁ ଅତି ଜଟିଳ ଏବଂ ଭାରାକ୍ରାନ୍ତ କରୁଛି। ଯାହା ଧର୍ମଶାସ୍ତ୍ରରେ ନାହିଁ ତାକୁ ମଧ୍ୟ ଜବରଦସ୍ତି ସାମିଲ କରାଯାଉଛି। ବିବାହରେ ମାତ୍ରାଧିକ ଖର୍ଚ୍ଚ ଷ୍ଟାଟସ୍ ସିମ୍ବଲ ହେଲାଣି। ପରିବାର, ପରିଜନ ଏବଂ ବନ୍ଧୁଙ୍କ ଉପସ୍ଥିତିରେ ପୁଅ-ଝିଅ ପରସ୍ପରକୁ ମାଳା ପିନ୍ଧାଇ ବିବାହ କରି ଖୁସିରେ ସଂସାର କରିପାରିବେ। ଏହାକୁ ଦୃଷ୍ଟିରେ ରଖି ବାବାସାହେବ ଡ. ଆମ୍ବେଡ଼କର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବରଗଡ଼ରେ ୧୭ ବର୍ଷ ହେଲା ସାମୂହିକ ବିବାହର ଆୟୋଜନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୮୨ ଦମ୍ପତି ପରସ୍ପରକୁ ବିବାହ କରି ସାଥୀ ହୋଇ ଅଛନ୍ତି। ଶ୍ରୀ ଦେହେରି କହନ୍ତି, ଏମିତି ନୁହେଁ ଯେ ଏହି ଦମ୍ପତିମାନେ ଆର୍ଥିକ ଭାବରେ ସ୍ବଚ୍ଛଳ ନଥିବାରୁ ଏଭଳି ବିବାହ କରୁଛନ୍ତି। ଅନେକ ଦମ୍ପତି ଆଦର୍ଶଗତ କାରଣରୁ ସାମୂହିକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଆଗାମୀ ଦିନରେ ଏଭଳି ବିବାହ ଅନେକଙ୍କ ଜୀବନକୁ ସରଳ କରି ଦେବ।