ଭୂତକୁ ବାହା ହେବା ଏକ ଅଜବ ପରିକଳ୍ପନା ପରି ଲାଗୁଥାଇପାରେ। କିନ୍ତୁ ଆଜିର ଅଜବ ଦୁନିଆରେ ସବୁ କିଛି ସମ୍ଭବ। ଜଣେ ବ୍ରିଟିସ୍‌ ଗାୟିକା ଏକ ଭୂତକୁ ବିବାହ କରିଥିଲେ ଏବଂ ତାଙ୍କ ଭୂତ ସ୍ବାମୀ ଅନ୍ୟ ମହିଳାଙ୍କ ପ୍ରତି ଆସକ୍ତ ହେବାରୁ ମହିଳା ଜଣକ ଏଥିରେ ମ୍ରିୟମାଣ ହୋଇପଡ଼ିଲେ। ଶେଷରେ ସେ ତାଙ୍କୁ ଛାଡ଼ପତ୍ର ଦେବାର କାହାଣୀ ଏବେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଗତ ବର୍ଷ ବ୍ରିଟେନ୍‌ର ରକର ବ୍ରୋକାର୍ଡେ ଭିକ୍ଟୋରିଆ ଅମଳର ଜଣେ ପୈଶାଚିକ ଅଥଚ ଆକର୍ଷଣୀୟ ଭୂତକୁ ବିବାହ କରିଥିଲେ। ସେ ଦାବି କରନ୍ତି ଯେ, ଥରେ ଏକ ଝଡ଼ ରାତିରେ ଏଡୱାର୍ଡୋ ନାମକ ଜଣେ ସୈନିକଙ୍କ ଆତ୍ମା ତାଙ୍କ ଶୋଇବା ଘର ଭିତରକୁ ପଶି ଆସିଥିଲା ଏବଂ ସେମାନେ ପରସ୍ପର ପ୍ରେମରେ ପଡ଼ିଯାଇଥିଲେ। ତେବେ ସେମାନଙ୍କ ଭିତରେ ଦୀର୍ଘ ୫ ମାସ ଧରି ପ୍ରେମ ସମ୍ପର୍କ ଚାଲିବା ପରେ ହାଲୋୱିନ୍ ପ୍ରଥାରେ ସେମାନେ ବିବାହ କରିଥିଲେ। ତେବେ ବିବାହ ପରେ ସବୁକିଛି ଓଲଟପାଲଟ ହେବାକୁ ଲାଗିଲା।

ୱେଲ୍‌ସର ବ୍ୟାରି ଦ୍ବୀପରେ ସେମାନେ ମଧୁଚନ୍ଦ୍ରିକା ମନାଉଥିବା ବେଳେ ଏଡୱାର୍ଡୋ ନିଶାଗ୍ରସ୍ତ ହୋଇ ମାତ୍ରାଧିକ ଅଧିକାର ସାବ୍ୟସ୍ତ କରିବାକୁ ଲାଗିଲେ ବୋଲି ବ୍ରୋକାର୍ଡେ କହିଛନ୍ତି। ସେହି ପ୍ରେତାତ୍ମା ବର ଜଣକ ଆମେରିକାର କିଂବଦନ୍ତି ଅଭିନେତ୍ରୀ ମେରିଲିନ୍‌ ମୁନ୍‌ରେଙ୍କ ପ୍ରତି ଅଦ୍ଭୁତ ଭାବରେ ଆସକ୍ତ ହୋଇପଡ଼ିଲେ। ଏପରିକି ସେ କିଛି ଦିନ ପାଇଁ ଅଦୃଶ୍ୟ ହୋଇଗଲେ ଏବଂ ଫେରିଲା ବେଳକୁ ଘର ସାରା ମେରିଲିନ୍‌ଙ୍କ ସ୍ବତନ୍ତ୍ର ଗନ୍ଧ (ଚାନେଲ ନଂ.୫ ଅତର) ଛାଇଯାଏ ବୋଲି ବ୍ରୋକାର୍ଡେ କହିଛନ୍ତି। ତେବେ ଏଥିରେ ସେ ଅତିଷ୍ଠ ହୋଇପଡ଼ି ଗୁଣି ଗାରେଡ଼ିର ଆଶ୍ରୟ ନେଇଥିଲେ। ଶେଷରେ ଅତ୍ୟନ୍ତ କଷ୍ଟସାଧ୍ୟ ପ୍ରକ୍ରିୟାରେ ସେ ନିଜ ଜୀବନରୁ ଏଡୱାର୍ଡୋ ଭୂତକୁ ଛଡ଼ାଇଥିଲେ। ଏପରି ଗୁଣିଗାରେଡ଼ି କରିବା ଦ୍ବାରା ସେ ତାଙ୍କର ଭୂତ ସ୍ବାମୀଙ୍କୁ ଏକରକମ ଛାଡ଼ପତ୍ର ଦେଇପାରିଲେ ଏବଂ ତାହା ପରଠାରୁ ସେ ଆଉ ତାଙ୍କର ଉପସ୍ଥିତିକୁ ଅନୁଭବ କରିନାହାନ୍ତି ବୋଲି ବ୍ରୋକାର୍ଡେ କହିଛନ୍ତି।

ଅପରପକ୍ଷେ ବ୍ରୋକାର୍ଡେ କେବଳ ଚର୍ଚ୍ଚାରେ ରହିବା ପାଇଁ ଭୂତକୁ ବିବାହ କରିବା ଓ ଛାଡ଼ପତ୍ର ଦେବା ଭଳି ଉଦ୍ଭଟ ନାଟକ କରିଆସୁଛନ୍ତି ବୋଲି କିଛି ହେତୁବାଦୀ ମତ ପ୍ରକାଶ କରିଛନ୍ତି।