କାର୍ତ୍ତିକ ଏକ ପବିତ୍ର ମାସ। ଚାରି ପବିତ୍ର ମାସ ମଧ୍ୟରୁ ଏହା ଗୋଟିଏ। ଅନ୍ୟ ତିନି ମାସ ହେଉଛି- ଆଷାଢ଼, ମାଘ ଓ ବୈଶାଖ। ଏହି ଚାରିମାସକୁ ସଂକ୍ଷେପରେ ଏକ ସୂତ୍ରରେ ସୂଚିତ କରି କୁହାଯାଇଛି ‘ଆକାମାବୈ’। କାର୍ତ୍ତିକ ମାସର ମାହାତ୍ମ୍ୟ ବ୍ୟାସଦେବ ବିରଚିତ ‘ପଦ୍ମପୁରାଣ’ରେ ବର୍ଣ୍ଣିତ ହୋଇଛି। ଏହା ‘ଅଷ୍ଟାଦଶ ପୁରାଣ’ର ଅନ୍ତର୍ଗତ। ‘ପଦ୍ମପୁରାଣ’ର ଉତ୍ତର ଖଣ୍ଡ ଆଧାରରେ ମହାଦେବ ଦାସ ନବାକ୍ଷରୀ ଓଡ଼ିଆରେ ଲେଖିଛନ୍ତି ‘କାର୍ତ୍ତିକ ମାହାତ୍ମ୍ୟ’। ସୁତମୁନି ଅନ୍ୟ ମୁନିମାନଙ୍କୁ ଏହା କହିଛନ୍ତି। ବର୍ଣ୍ଣିତ ଅଛି- “ଏମନ୍ତେ ମୁନିଙ୍କର ପାଶେ। / ସୁତ କହନ୍ତି ମନ ତୋଷେ।ା / ବୋଲନ୍ତି ଶୁଣ ବୁଧଗଣେ। / ଯେ ଧର୍ମ ପଙ୍କଜ ପୁରାଣେ।ା / ଉତ୍ତରଖଣ୍ଡେ ଯେଉଁ ବାଣୀ। / ବ୍ୟାସଙ୍କ ମୁଖୁଁ ଅଛି ଶୁଣି।ା” ଏଥିରେ କାର୍ତ୍ତିକ ମାସର ମହାବ୍ରତ ସକଳ ଧର୍ମରେ ସାର ଏବଂ ଏହି ବ୍ରତ କଲେ ଭାବଗ୍ରାହୀ ତୋଷ ହୁଅନ୍ତି ବୋଲି କୁହାଯାଇଛି। ଏହା ମଧ୍ୟ କୁହାଯାଇଛି- ଏହି ବ୍ରତ କଲେ ବିଷ୍ଣୁଙ୍କ ସହିତ ବେଦପତି ବ୍ରହ୍ମା ଏବଂ ଶିବଙ୍କ ସହିତ ଦିଗପାଳମାନେ ସନ୍ତୁଷ୍ଟ ହୁଅନ୍ତି। ସକଳ ପାପ ନାଶ ହୋଇ ମୁକ୍ତି ମିଳେ। ସକଳ ରୋଗ ମଧ୍ୟ ଦୂର ହୁଏ।
‘କାର୍ତ୍ତିକ ମାହାତ୍ମ୍ୟ’ ଅନୁସାରେ, ସ୍ୱୟଂ ଶ୍ରୀକୃଷ୍ଣ ପ୍ରିୟତମା ପତ୍ନୀ ସତ୍ୟଭାମାଙ୍କ ଆଗ୍ରହ ଫଳରେ ତାଙ୍କୁ କାର୍ତ୍ତିକ ମାସର ବ୍ରତ କଥା କହିଛନ୍ତି। ପୂର୍ବକାଳରେ ପୃଥୁ ରାଜାଙ୍କ ପ୍ରଶ୍ନରେ ଦେବର୍ଷି ନାରଦ ତାଙ୍କୁ ଏହା କହିଥିଲେ। ଏହି କାର୍ତ୍ତିକ ମାସର ବ୍ରତ ସହିତ ଶଙ୍ଖାସୁରର ବେଦହରଣ ଏବଂ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଗ୍ରହଣ କରି ବେଦଉଦ୍ଧାର କରିବା ପ୍ରସଙ୍ଗ ଜଡ଼ିତ। ‘କାର୍ତ୍ତିକ ମାହାତ୍ମ୍ୟ’ରେ ବର୍ଣ୍ଣିତ ଅଛି- କଳ୍ପାନ୍ତ ପରର କୃତଯୁଗରେ ସିନ୍ଧୁସୁତ ଶଙ୍ଖାସୁର ତ୍ରିଲୋକ ଜିଣି ବେଦ, ଶାସ୍ତ୍ର ଆଦି ହରଣ କରି ନେଇ ସିନ୍ଧୁ ଜଳରେ ଲୁଚାଇ ରଖିଥିଲା। ଫଳରେ ଦେବଗଣ ଯଜ୍ଞଭାଗ ନପାଇ ଦୁଃଖରେ ଥିଲେ। ବ୍ରହ୍ମାଙ୍କ ପ୍ରାର୍ଥନାରେ ଭଗବାନ ବିଷ୍ଣୁ ମତ୍ସ୍ୟାବତାର ଗ୍ରହଣ କଲେ ଏବଂ ଶଙ୍ଖାସୁରର ନିଧନ କରି ବେଦ ଉଦ୍ଧାର କରିଥିଲେ। ବିଷ୍ଣୁଙ୍କ ପରାମର୍ଶରେ ଦେବଗଣ କାର୍ତ୍ତିକ ମାସରେ ପ୍ରାତଃ ସ୍ନାନ, ତୁଳସୀ ସେବନ ଏବଂ ନିରାମିଷ ଭୋଜନକରି କାର୍ତ୍ତିକ ବ୍ରତ ପାଳନ କରିବା ଫଳରେ, ଭଗବାନ ବିଷ୍ଣୁଙ୍କର ସେହି ମତ୍ସ୍ୟାବତାର ସମ୍ଭବ ହେବା ସହିତ ଦେବଗଣଙ୍କର ଦୁରିତ ନାଶ ହୋଇଥିଲା।