ରାଜଭବନ ସମ୍ମୁଖରେ ଓଡ଼ିଶା ନାଗରିକ ମହାମଞ୍ଚର ଗଣଧାରଣା

ଭୁବନେଶ୍ୱର : ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ଓଡ଼ିଶା ନାଗରିକ ମହାମଞ୍ଚ ପକ୍ଷରୁ ରାଜଭବନ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଧାରଣାକୁ ସମର୍ଥନ ଜଣାଇ ଏଥିରେ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସମଣ୍ଡଳ, ଜନ ଅଧିକାର ପରିଷଦ, ଓଡ଼ିଶା ସମାଜସେବୀ ମହାସଂଘ, ଜନଚେତନା ପରିଷଦ ଓ ପାଇକ ସଂଗଠନ ସାମିଲ ହୋଇଥିଲା। ପରେ ମହାମଞ୍ଚର ଅଧ୍ୟକ୍ଷ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ବରେ ବିଜୟ ପରିଡ଼ା, ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର ଏବଂ ବିକାଶ ଗିରି ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ମମିତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଦାବିପତ୍ର ଦେଇଥିଲେ। ଏହି ଘଟଣାକୁ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ରାଜ୍ୟପାଳ ପ୍ରତିନିଧିମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀଙ୍କ ସଭାପତିତ୍ୱରେ ଏହି ବିକ୍ଷୋଭରେ ପ୍ରଦୀପ ବିଶ୍ୱାଳ, ବ୍ରଜବନ୍ଧୁ ପରିଡ଼ା, ଅସିତ ଦାସ, ବନ୍ଦନା ହରିଚନ୍ଦନ, ସଂଯୋଜକ ନାରାୟଣ ଓଝା, ଅମରେନ୍ଦ୍ର ମହାପାତ୍ର, ସୀତାଂଶୁ ଶେଖର ମହାରଣା, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାମଞ୍ଚ ପକ୍ଷରୁ ପ୍ରସାଦ ପାଟ୍ଟଶାଣୀ, ସମିତା ମହାରଣା, ସୁଶାନ୍ତ ହରିଚନ୍ଦନ, ଳକ୍ଷ୍ମୀକାନ୍ତ ବଳବନ୍ତରାୟ, ଧୀରେନ୍ଦ୍ର ଧଳ, ପାର୍ଥସାରଥି ହରିଚନ୍ଦନ, ପ୍ରଳୟ ଚମ୍ପତ୍ତିରାୟ, ସୁବିଜ୍ଞ ହରିଚନ୍ଦନ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଅନୁଗୁଳରେ ପୁଲିସ-ବିଜେପି କର୍ମୀ ମୁହାଁମୁହିଁ
ଅନୁଗୁଳ : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ଅନୁଗୁଳ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅନୁଗୁଳ ଏସ୍‌ପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ପୁଲିସ ଓ ବିଜେପି କର୍ମୀଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୁଲିସ ଶତାଧିକ ବିଜେପି କର୍ମୀଙ୍କୁ ଗିରଫ କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

ବିଜେପି ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ୱାଇଁଙ୍କ ନେତୃତ୍ୱରେ ବହୁ ବିଜେପି ନେତା, କାର୍ଯ୍ୟକର୍ତା ଓ କର୍ମୀ ଅନୁଗୁଳ ଷ୍ଟାଡିୟମରୁ ବାହାରି ସରକାର ବିରୋଧୀ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ପରେ ଅନୁଗୁଳ ଏସ୍‌ପି ଅଫିସ ଠାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ବିଜେପି ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଯୋଗ ଦେଇ ରାଜ୍ୟ ସରକାର ଉପରେ ବର୍ଷିଥିଲେ।

ଏହି ଅବସରରେ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀ ଏସ୍‌ପି ଅଫିସ ଭିତରକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଶେଷକୁ ପୁଲିସ ଶତାଧିକ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ଗିରଫ କରି ନେଇଯାଇଥିଲା। ତଥାପି ମହିଳାଙ୍କୁ କାର୍ଯ୍ୟାଳୟ ଆଗରୁ ଉଠାଇବାରେ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା।

ଟିଜି ସୁରକ୍ଷା ଟ୍ରଷ୍ଟର ବିକ୍ଷୋଭ
ଭୁବନେଶ୍ବର : ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ, ସିବିଆଇ ତଦନ୍ତ, ମମିତାଙ୍କ ପରିବାରକୁ କ୍ଷତିପୂରଣ ଓ ସରକାରୀ ଚାକିରି ଦାବିରେ ଆଜି ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ମାଷ୍ଟରକ୍ୟାଣ୍ଟିନ ଛକଠାରେ ୩୦ରୁ ଊର୍ଧ୍ବ କିନ୍ନର ହାତରେ ପ୍ଲା’କାର୍ଡ ଧରି ସରକାର ବିରୋଧୀ ନାରାବାଜି କରିବା ସହ ରାସ୍ତାରେ ଶୋଇ ରହି ପ୍ରତିବାଦ କରିଥିଲେ। ଏହି ଘଟଣାର ତ୍ବରିତ ତଦନ୍ତ ସହ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ଟ୍ରଷ୍ଟର ସଭାପତି ମେନକା ପରିଡ଼ା ଚେତାବନୀ ଦେଇଛନ୍ତି। ବିକ୍ଷୋଭରେ ସୋନାଲି କିନ୍ନର, ରୀନା କିନ୍ନର, ପାୟଲ, ରାଧା, ମମତା, ପୂଜା, ଶ୍ରୀୟା, ରିୟା, ପିଙ୍କି, ପାର କିନ୍ନରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର