ବାସ୍ତୁଶାସ୍ତ୍ରରେ ଘରର ନିର୍ମାଣଗତ ଦିଗକୁ ଯେଭଳି ଗୁରୁତ୍ବ ଦିଆଯାଏ, ରଙ୍ଗ ଉପରେ ମଧ୍ୟ ସେଭଳି ଗୁରୁତ୍ବ ଦିଆଯାଏ। କାରଣ, ଘର ରଙ୍ଗର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ଅନ୍ତେବାସୀଙ୍କ ଉପରେ ପଡ଼ିଥାଏ। ଯଦି ଘରେ ବ୍ୟବହୃତ ରଙ୍ଗଗୁଡ଼ିକ ବାସ୍ତୁ ଅନୁଯାୟୀ ଚୟନ କରାଯାଏ, ତେବେ ଅନ୍ତେବାସୀଙ୍କର କୌଣସି ସମସ୍ୟା ରହି ନଥାଏ ବୋଲି କୁହାଯାଏ। ଯଦି ବାସ୍ତୁ ଅନୁସାରେ ଘରର ରଙ୍ଗ ହୋଇ ନଥାଏ ତେବେ ଏଥିଜନିତ କୁପରିଣାମ ସାମ୍ନା କରିବାକୁ ପଡ଼ିପାରେ। ପ୍ରତ୍ୟେକ ରଙ୍ଗର ଭଲ ଓ ମନ୍ଦ ପ୍ରଭାବ ଥାଏ। ରଙ୍ଗ ବ୍ୟକ୍ତିର ଜୀବନରେ ସର୍ବଦା ସୁଖ, ଶାନ୍ତି ଓ ସମୃଦ୍ଧି ଭରିଥାଏ ବୋଲି ବାସ୍ତୁଶାସ୍ତ୍ରବିତ୍‌ ଡ. ମନୋଜ ଲେଙ୍କା କହନ୍ତି।

Advertisment

ଯେତେବେଳେ ମଣିଷ ବିଭିନ୍ନ ରଙ୍ଗ ସଂସ୍ପର୍ଶରେ  ଆସେ ସେତେବେଳେ ତା’ର ମାନସିକ, ଭାବନାତ୍ମକ ଓ ଶାରୀରିକ ଅବସ୍ଥାରେ ପରିବର୍ତ୍ତନ ଅନୁଭବ କରେ। ଏହା ମାଧ୍ୟମରେ ଶକ୍ତି ବିସ୍ତାର ହୁଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ବ୍ୟବହୃତ ରଙ୍ଗ ଘରର ପରିବେଶକୁ ହାଲୁକା କରିଥାଏ ଏବଂ ଚିନ୍ତା ଓ ଚାପରୁ ମୁକ୍ତି ଦେଇଥାଏ। ଚାରିଟି ଦିଗ, ଚାରିଟି କୋଣ, ଛାତ ଓ ଚଟାଣ ଲାଗି ନିର୍ଦ୍ଦିଷ୍ଟ ରଙ୍ଗ ରହିଛି, ଯାହାର ସୁପ୍ରଭାବ ଗୃହସ୍ବାମୀ ଓ ତାଙ୍କ ସନ୍ତାନମାନଙ୍କ ଜୀବନରେ ପଡ଼ିଥାଏ।

l ଗୃହର ଐଶାନ୍ୟ କୋଣ ସଦାସର୍ବଦା କ୍ରିମ୍‌ ବା ଘିଅ ରଙ୍ଗ, ଧଳା କିମ୍ବା ହାଲୁକା ହଳଦିଆ ହେବା ଉଚିତ।
l ଘରର ପୂର୍ବ ଦିଗରେ ଥିବା କାନ୍ଥ ଧଳା କିମ୍ବା ହାଲୁକା ହଳଦିଆ ରଙ୍ଗ ହେବା ବିଧେୟ।
l ଯଦି ଦକ୍ଷିଣ-ପୂର୍ବ ଅଗ୍ନିକୋଣକୁ ବିଚାରକୁ ନେବା ତେବେ ଏହାର ରଙ୍ଗ ଗୋଲାପୀ କିମ୍ବା ଲାଲ୍‌ ହେବା ଉଚିତ। କାରଣ ଏହି ସ୍ଥାନରେ ରୋଷେଇ ଘର ଥାଏ। ଏଠାରେ ଠିକ୍‌ ରଙ୍ଗ ଲାଗିଲେ ଅନ୍ତେବାସୀଙ୍କ କ୍ୟାରିୟର୍‌ ଓ ବ୍ୟବସାୟର ଉନ୍ନତି ହୋଇଥାଏ।
l ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ନୈଋତ୍ୟ କୋଣର ରଙ୍ଗ ହାଲୁକା ହଳଦିଆ ହେବା ଉଚିତ। ଏହାଦ୍ବାରା ସୁଖ ସମୃଦ୍ଧି ଲାଭ ହୁଏ, ଘରେ ସ୍ଥିରତା ଆସେ, ‌ଆର୍ଥିକ ସ୍ଥିତି ଠିକ୍‌ ରହେ ଏବଂ ଅନ୍ତେବାସୀ ରୋଗମୁକ୍ତ ରହନ୍ତି।
l ସେହିପରି ପଶ୍ଚିମ ଦିଗର କାନ୍ଥକୁ ହାଲୁକା ସର୍ଫ ରଙ୍ଗ (ଆକାଶୀ ନୀଳ) କରାଗଲେ ଭଲ ଫଳ ମିଳିଥାଏ।
l ଘରର ଉତ୍ତର-ପଶ୍ଚିମ କୋଣକୁ ସବୁଜ ଏବଂ ଧଳା ରଙ୍ଗ କରାଗଲେ ସୁଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଅଛି।
l ସେହିପରି ଘର ଛାତର ରଙ୍ଗ ଧଳା ହେବା ଶୁଭ। ଛାତର ରଙ୍ଗ କଳା ବା ନୀଳ ସର୍ବନାଶର କାରଣ ହୁଏ। ଏହାଦ୍ବାରା ବିନା କାରଣରେ ଜେଲ୍‌ ଦଣ୍ଡ ଭୋଗିବା, କୋର୍ଟକଚେରି ଦୌଡ଼ିବା ବା ଋଣଭାରରେ ଭାରାକ୍ରାନ୍ତ ହେବା ଆଦି ସମସ୍ୟା ଗୃହସ୍ବାମୀ ସାମ୍ନା କରିପାରନ୍ତି।
l ସବୁବେଳେ ଆସବାବପତ୍ର କାଠର ହେଲେ ଶୁଭ ଫଳ ମିଳିଥାଏ। କବାଟଗୁଡ଼ିକ ହାଲୁକା ରଙ୍ଗ ହେବା ଉଚିତ। କଳା ଓ ନୀଳ ସନ୍‌ମାଇକା ବ୍ୟବହାର  କରିବା ଅନୁଚିତ।