ଭାରତରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବେତନ ବ୍ୟବଧାନର ସବୁଠାରୁ ବଡ଼ କାରଣ ମାତୃତ୍ବ ଛୁଟିଜନିତ ‘କ୍ୟାରିଅର୍‌ ବ୍ରେକ୍‌’ ବୋଲି ‘ନୌକରି.କମ୍’ ଦ୍ବାରା କରାଯାଇଥିବା ଏକ ଜାତୀୟ ସର୍ବେକ୍ଷଣରୁ ପ୍ରକାଶ ପାଇଛି। ଦେଶର ଆଠଟି ସହର ଓ ୮୦ରୁ ଅଧିକ ଶିଳ୍ପର ୨୦,୦୦୦ରୁ ଅଧିକ ଚାକିରି ଆଶାୟୀଙ୍କ ମତାମତକୁ ଆଧାର କରି ଏହି ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇଛି। ଏମାନଙ୍କ ମଧ୍ୟରୁ ୫୧% ଚାକିରିଆଙ୍କ ମତରେ ମାତୃତ୍ବ ଛୁଟି ଯୋଗୁଁ ହିଁ ମହିଳାମାନଙ୍କୁ ପୁରୁଷ ଚାକିରିଆଙ୍କ ତୁଳନାରେ କମ୍‌ ଦରମା ମିଳେ। ଆଉ ୨୭%ଙ୍କ ମତରେ କାର୍ଯ୍ୟସ୍ଥଳରେ ମହିଳାଙ୍କୁ ନେଇ ପକ୍ଷପାତୀ ଦୃଷ୍ଟିଭଙ୍ଗୀ ଯୋଗୁଁ ସେମାନଙ୍କ ଦରମା ପୁରୁଷଙ୍କ ଠାରୁ କମ୍।  

Advertisment

୧୦-୧୫ ବର୍ଷର ଅଭିଜ୍ଞତା ଥିବା ୪୬% ଓ ୧୫ରୁ ଅଧିକ ବର୍ଷର ଅଭିଜ୍ଞତା ଥିବା ୪୬% ବରିଷ୍ଠ ପେସାଦାରଙ୍କ କ୍ଷେତ୍ରରେ ବେତନ ବ୍ୟବଧାନ ୨୦%ରୁ ଅଧିକ ବୋଲି ଜଣାପଡ଼ିଛି।  
ଅଂଶଗ୍ରହଣକାରୀମାନଙ୍କୁ ଏହା ମଧ୍ୟ ପଚରାଯାଇଥିଲା ଯେ କେଉଁ ଶିଳ୍ପରେ ସର୍ବାଧିକ ଲିଙ୍ଗଗତ ବେତନ ପାର୍ଥକ୍ୟ ଦେଖିବାକୁ ମିଳେ, ଯାହାର ଉତ୍ତରରେ ୫୦% ଲୋକ ଆଇଟି କ୍ଷେତ୍ରକୁ ଦାୟୀ କରିଥିଲେ। ଏହା ପଛକୁ ରିଅଲ ଇଷ୍ଟେଟ୍‌ (୨୧%), ଏଫ୍‌ଏମ୍‌ସିଜି (୧୮%) ଓ ବ୍ୟାଙ୍କିଙ୍ଗ (୧୨%) କ୍ଷେତ୍ରରେ ବେତନ ପାର୍ଥକ୍ୟ ଅଧିକ ବୋଲି ଉତ୍ତର ମିଳିଥିଲା। ବିଶେଷଜ୍ଞମାନେ କହନ୍ତି ଯେ ଏହି ବ୍ୟବଧାନକୁ ଦୂର କରିବା ଲାଗି କମ୍ପାନିମାନେ ପ୍ରଦର୍ଶନଭିତ୍ତିକ ପଦୋନ୍ନତି ଉପରେ ଗୁରୁତ୍ବାରୋପ କରିବା ଜରୁରି।