ପ୍ରେମ ଜୀବନର ମଧୁରତମ ଅନୁଭବ। ପ୍ରତି ମୁହୂର୍ତ୍ତରେ କେହି ନା କେହି ପ୍ରେମରେ ପଡ଼ୁଥାଏ। ତେେବ କିଛି ପ୍ରେମକୁ ନେଇ ଚର୍ଚ୍ଚା ହୁଏ। ଲୋେକ ସବୁଦିନ ମନେରଖନ୍ତି। ପାଇବା-ହରେଇବା, ଲାଭ-କ୍ଷତି,ମିଶାଣ-ଫେଡ଼ାଣ ଊର୍ଦ୍ଧ୍ବରେ ଏମିତି କିଛି ଅପାରମ୍ପରିକ ପ୍ରେମର ଅପାସୋରା କାହାଣୀ
ଏଥରର ‘ପ୍ରେମର ଗଣିତ’...
ପ୍ରଧାନମନ୍ତ୍ରୀଙ୍କୁ ପ୍ରେମ
ଭାରତର ଶେଷ ଭାଇସ୍ରୟ ଲର୍ଡ ଲୁଇସ୍ ମାଉଣ୍ଟବ୍ୟାଟେନ୍ ଓ ତାଙ୍କର ପତ୍ନୀ ଏଡ୍ୱିନା ୧୯୪୭ରେ ଭାରତ ଆସିଲା ପରେ ଉଭୟଙ୍କର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହିତ ପରିଚୟ ହୋଇଥିଲା। ଖୁବ୍ଶୀଘ୍ର ଏହି ପରିଚୟ ଏଡ୍ୱିନାଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କରେ ନେହେରୁଙ୍କୁ ଯୋଡ଼ିଦେଲା, ଯାହା ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅତୁଟ ଥିଲା। ସ୍ବାଧୀନତା ପୂର୍ବବର୍ତ୍ତୀ ଜଟିଳ ରାଜନୈତିକ ସମୀକରଣ, ଦେଶ ବିଭାଜନ ପ୍ରଭୃତି ସମୟରେ ପ୍ରଚ୍ଛଦରେ ଏଡ୍ୱିନାଙ୍କ ପରାମର୍ଶ ଥିଲା। ନେହେରୁଙ୍କ ଘନିଷ୍ଠ ବନ୍ଧୁ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ୍ କାଲାମ୍ ଆଜାଦ୍ ତାଙ୍କର ‘ଇଣ୍ଡିଆ ଉଇନ୍ସ୍ ଫ୍ରିଡମ୍’ ପୁସ୍ତକରେ ଲେଖିଛନ୍ତି, ନିଜର ସୌନ୍ଦର୍ଯ୍ୟ, ପାରଦର୍ଶୀ ବ୍ୟବହାର, ଆକର୍ଷଣୀୟ ବ୍ୟକ୍ତିତ୍ବ ବଳରେ ଏଡ୍ୱିନା ନେହେରୁଙ୍କୁ ବଶ କରିବାରେ ସମର୍ଥ ହୋଇଥିଲେ। ସେ ଲର୍ଡ ମାଉଣ୍ଟ୍ବ୍ୟାଟେନ୍ଙ୍କ ଦୃଷ୍ଟିଭଙ୍ଗୀକୁ ଠିକ୍ ବୋଲି ନେହେରୁଙ୍କୁ ବୁଝାଇବାରେ ସଫଳ ହୋଇଥିଲେ।
ଭାରତ ସ୍ବାଧୀନ ହେବାପରେ ମାଉଣ୍ଟ ବ୍ୟାଟେନ୍ ଦମ୍ପତି ଭାରତ ଛାଡ଼ିଲା ପରେ ମଧ୍ୟ ସେମାନଙ୍କ ଭିତରେ ଚିଠିପତ୍ର ଦିଆନିଆ ଚାଲିଥିଲା। ୧୯୪୮ ମସିହାରେ ନେହେରୁ ଲଣ୍ଡନ୍ ଯାଇଥିଲେ। ସେଠାରେ ମଧ୍ୟରାତ୍ରରେ ପହଞ୍ଚିବା ପରେ ବିମାନବନ୍ଦରରୁ ସିଧା ଏଡ୍ୱିନାଙ୍କ ବାସଭବନକୁ ଯାଇଥିଲେ। ତାଙ୍କୁ ସ୍ବାଗତ କରିବାପାଇଁ ରାତ୍ରିପୋଷାକରେ କବାଟ ଖୋଲି ଧରିଥିବା ଏଡ୍ୱିନାଙ୍କ ସହିତ ବିରାଟ ଫଟୋ ‘ଦିଲ୍ଲୀ ହେରାଲ୍ଡ୍’ ଖବରକାଗଜରେ ପରଦିନ ଛପାଯାଇଥିଲା। ଶୀର୍ଷକ ଥିଲା ‘ଆଧିରାତ୍କା ମେହେମାନ୍’। ଉଲ୍ଲେଖଯୋଗ୍ୟ, ସେତେବେଳେ ଲର୍ଡ ମାଉଣ୍ଟ୍ ବ୍ୟାଟେନ୍ ଘରେ ଅନୁପସ୍ଥିତ ଥିଲେ। ଏହି ଘଟଣା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖୁବ୍ ଚର୍ଚ୍ଚା ହୋଇଥିଲା। କେବଳ ସେତିକି ନୁେହଁ, ସେହି ଗସ୍ତକାଳରେ ବ୍ରିଟିଶ୍ ପ୍ରେସ୍ ମଧ୍ୟ ଦୁହିଁଙ୍କୁ ଏକତ୍ର ଠାବ କରିଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କ ସହିତ ଜନସମ୍ପର୍କ ଅଧିକାରୀ ଭାବରେ ଭାରତରୁ ଯାଇଥିବା ବିଶିଷ୍ଟ ଲେଖକ ଖୁସ୍ୱନ୍ତ ସିଂହ ତାଙ୍କ ଜୀବନୀରେ ଲେଖିଛନ୍ତି।
ସେମିତି ତତ୍କାଳୀନ ବୈଦେଶିକ ମନ୍ତ୍ରୀ ନଟବର ସିଂହଙ୍କ ଭାଷାରେ ୧୯୫୨ ମସିହାରେ ନେହେରୁ ଚୀନ୍ ଗସ୍ତ କରିଥିଲେ। ଫେରିବାପରେ କଲିକତାରୁ ସେହି ଗସ୍ତର ବିବରଣୀ ଉଭୟ ଦେଶ ମଧ୍ୟରେ ହୋଇଥିବା ସରକାରୀ କଥାବାର୍ତ୍ତା, ବିଚାରଧାରା ଓ ରାଜନୈତିକ ସମ୍ପର୍କକୁ ନେଇ ବ୍ୟକ୍ତିଗତ ମତ ପ୍ରଭୃତି ଗୋପନୀୟ ତଥ୍ୟକୁ ବିସ୍ତୃତ ଭାବରେ ଚିଠିରେ ଲେଖି ଏଡ୍ୱିନାଙ୍କ ପାଖକୁ ପଠାଇଥିଲେ। ଟାଟା ଗ୍ରୁପ୍ର ଋଷି ମୋଦିଙ୍କ ଏକ ସ୍ମୃତି କଥା ବିଶିଷ୍ଟ ସାମ୍ବାଦିକ ଏମ୍ ଜେ ଆକ୍ବର୍ ତାଙ୍କର ‘ନେହେରୁ ଦ ମେକିଙ୍ଗ୍ ଅଫ୍ ଇଣ୍ଡିଆ’ରେ ସ୍ଥାନିତ କରିଛନ୍ତି। କେମିତି ଋଷିଙ୍କ ପିତା ହୋମି ମୋଦି ଉତ୍ତରପ୍ରଦେଶର ରାଜ୍ୟପାଳ ଥିବାବେଳେ ନେହେରୁ ସେଠାକୁ ଅତିଥି ଭାବେ ଯାଇଥିଲେ ଏବଂ ନୈନିତାଲ୍ରେ ରହିଥିଲେ। ରାତ୍ରିଭୋଜନ ପାଇଁ ଟେବୁଲ୍ ପ୍ରସ୍ତୁତ ହୋଇସାରିଛି ବୋଲି ଜଣାଇବା ପାଇଁ ଋଷି ମୋଦି ପ୍ରଧାନମନ୍ତ୍ରୀଙ୍କୁ ଡାକିବାକୁ ଯାଇ ଏଡ୍ୱିନାଙ୍କୁ ନେହେରୁଙ୍କ ବାହୁ ବନ୍ଧନରେ ଦେଖି ଅପ୍ରସ୍ତୁତ ହୋଇ ଚାଲିଆସିଥିଲେ।
ଆଉ ଜଣେ ବିଶିଷ୍ଟ ସାମ୍ବାଦିକ କୁଲ୍ଦୀପ ନାୟାରଙ୍କ ଅନୁସାରେ ଏୟାର୍ ଇଣ୍ଡିଆ ବିମାନରେ ବର୍ଷସାରା ବିଶେଷ ଅବସରମାନଙ୍କରେ ନେହେରୁ ଏଡ୍ୱିନାଙ୍କ ପାଖକୁ ଚିଠି ପଠାଉଥିଲେ। ଏପରିକି ୧୯୬୦ରେ ତାଙ୍କ ମୃତ୍ୟୁ ପରେ ଭାରତୀୟ ନୌସେନାର ସ୍ବତନ୍ତ୍ର ଜାହାଜରେ ଫୁଲ ପଠାଇ ନେହେରୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଉଭୟଙ୍କ ଚର୍ଚ୍ଚିତ ପ୍ରେମ କାହାଣୀକୁ ନେଇ ତାଙ୍କ ଝିଅ ପାମେଲା ମାଉଣ୍ଟ୍ ବ୍ୟାଟେନ୍ଙ୍କ ‘ଡଟର୍ ଅଫ୍ ଏମ୍ପାୟର୍’, ନେହେରୁଙ୍କ ସଚିବ କେଏଫ୍ ରୁସ୍ତମ୍ଙ୍କ ଡାଏରି ଓ ଆହୁରି ଅନେେକ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ତଥ୍ୟର ଅବତାରଣା କରିଛନ୍ତି।
ଜଣେ ଥିଲେ ଅମ୍ରିତା
ଜୀବନର ସାୟାହ୍ନରେ ତୁମେ ମତେ ମିଳିଲ। ଦି’ପହରରେ କାହିଁକି ନୁହଁ ବୋଲି ଅମ୍ରିତା ପ୍ରୀତମ୍ ସେଦିନ କାଳେ ଇମ୍ରୋଜଙ୍କୁ ପଚାରିଥିଲେ। ୧୯୫୭ ଡିସେମ୍ବର ମାସରେ ଜଣେ ବନ୍ଧୁଙ୍କ ଘରେ ଲେଖିକା ଅମ୍ରିତା ଭେଟିଥିଲେ ଚିତ୍ରଶିଳ୍ପୀ ଇନ୍ଦ୍ରଜିତ୍ ଇମ୍ରୋଜଙ୍କୁ। ତାଙ୍କ ପୁସ୍ତକର ପ୍ରଚ୍ଛଦ ଆଙ୍କିବା ପାଇଁ ଅନୁରୋଧ କରିଥିଲେ। ସେଦିନ କାହାକୁ ଜଣା ନଥିଲା ସେହି ଆରମ୍ଭ ଉଭୟଙ୍କୁ ପ୍ରେମର ଏକ ଅପାରମ୍ପରିକ ଅସରନ୍ତି ରାସ୍ତାରେ ନେଇଯିବ। ହଁ, ଅମ୍ରିତା ଓ ଇମ୍ରୋଜ ଦିଲ୍ଲୀ ହଜଖାସ୍ର ଗୋଟିଏ ଛାତତଳେ ଏକାଠି ରହିଥିଲେ ଦୀର୍ଘ ୪୦ ବର୍ଷ, ୨୦୦୫ରେ ଅମ୍ରିତାଙ୍କ ମୃତ୍ୟୁ ହେବାଯାଏ। ଆଧୁନିକ ଭାରତର ପ୍ରଥମ ଲିଭ୍-ଇନ୍ ରିଲେସନ୍ ଏଇଠୁ ଆରମ୍ଭ ହୋଇଥିବା କୁହାଯାଏ। ନିଜଠୁ ବୟସରେ ୧୦ବର୍ଷ ସାନ ଇମ୍ରୋଜଙ୍କ ପ୍ରେମରେ ପଡ଼ିଲାବେଳକୁ ଅମ୍ରିତା ଜୀବନର ଅନେକ ଜୁଆରଭଟ୍ଟା ଅତିକ୍ରମ କରି ଆସିଲେଣି। ୧୯୧୯ ଅଗଷ୍ଟ ୩୧ରେ ପାକିସ୍ତାନର ଗୁଜରନ୍ୱାଲାରେ ଜନ୍ମିତା ଅମ୍ରିତା ସେତେବେଳକୁ ବିବାହିତା, ଦୁଇଟି କିଶୋର ସନ୍ତାନଙ୍କ ମା’। ପୁଣି ଦୀର୍ଘଦିନର ପ୍ରେମିକ ବିଶିଷ୍ଟ ସାୟର୍ ଓ ସଙ୍ଗୀତକାର ସାହିର୍ ଲୁଧିଆନ୍ଭିଙ୍କ ସମ୍ପର୍କରେ ଶିଥିଳତା ଆସି ସାରିଥିଲା। ଏଣେ ବୈବାହିକ ଜୀବନରେ ସ୍ବାମୀ ପ୍ରୀତମ୍ ସିଂହଙ୍କ ସହ ଦୂରତା ଅନେକ ବଢ଼ି ଯାଇଥିଲା। ସେତେବେଳକୁ ଲେଖିକା ଭାବରେ ଅମ୍ରିତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇସାରିଥିଲା। ପ୍ରେମର ଅପେକ୍ଷାରେ ଥିବା ଏକଲା ଅମ୍ରିତାଙ୍କୁ ଇମ୍ରୋଜ ମିଳିଥିଲେ।
ଗୋଟିଏ ସାକ୍ଷାତ୍କାରରେ ଅମ୍ରତାଙ୍କୁ ସାହିର୍ ଓ ଇମ୍ରୋଜଙ୍କ ସମ୍ପର୍କକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ସେ ଚମତ୍କାର ଉତ୍ତର ଦେଇଥିଲେ, ‘‘ସାହିର୍ ମୋ ପାଇଁ ଖୋଲା ଆକାଶ ଓ ଇମ୍ରୋଜ ମୋ ଘରର ଛାତ।’’ ତାଙ୍କର ଚିନ୍ତା-ଚେତନା ଓ ଜୀବନକୁ ନେଇ ଏଇ ସ୍ପଷ୍ଟ ମତ ପାଇଁ ଇମ୍ରୋଜ ତାଙ୍କୁ ବେଶି ଭଲ ପାଉଥିଲେ। ତାଙ୍କ ସହିତ ସ୍କୁଟରରେ ଗଲାବେଳେ ଅମ୍ରିତା ଇମ୍ରୋଜଙ୍କ ପିଠିରେ ସାହିର୍ଙ୍କ ନାମକୁ ଆଙ୍ଗୁଳିରେ ଲେଖିୁଥିଲେ। ସେମାନଙ୍କ ପରିଚୟର ପ୍ରଥମ ଦିନମାନଙ୍କରେ ସାହିର ଅମ୍ରିତାଙ୍କ ଘରେ ଘଣ୍ଟାଘଣ୍ଟା ବସି ନିରବରେ ଗୋଟିଏ ପରେ ଗୋଟିଏ ସିଗାରେଟ୍ ଟାଣୁଥିଲେ। ସେ ଗଲାପରେ ସିଗାରେଟ୍ର ବାସ୍ନା ଅନେକ ସମୟ ଯାଏ ସେ ଘରେ ରହୁଥିଲା। ଅମ୍ରିତା ଦରପୋଡ଼ା ସିଗାରେଟ୍କୁ ଏକାଠି କରି ନିଜେ ପିଉଥିଲେ। ତାଙ୍କ ଦୁଇ ଆଙ୍ଗୁଳି ମଝିରେ ରଖି ସାହିରଙ୍କ ସ୍ପର୍ଶ ଅନୁଭବ କରୁଥିଲେ। ସେଥିରେ ନିଆଁ ଧରାଇ ଧୂଆଁର କୁଣ୍ଡଳିରେ ସାହିରଙ୍କ ମୁହଁ ଦେଖୁଥିଲେ। ଏବଂ ଏମିତି ସେ ସିଗାରେଟ୍ର ତୀବ୍ର ଅଭ୍ୟାସରେ ପଡ଼ିଗଲେ। ତେବେ ସାହିରଙ୍କ ଶୂନ୍ୟସ୍ଥାନକୁ ଇମ୍ରୋଜ ନିଜର ଯତ୍ନ, ପ୍ରେମ, ସେବା ଓ ସାହଚର୍ଯ୍ୟ ଦେଇ ପୂର୍ଣ୍ଣ କରିଥିଲେ।
ଯେତେେବଳେ ଅମ୍ରିତା ତାଙ୍କୁ କହିଥିଲେ ‘ଯାଅ ସାରା ପୃଥିବୀ ବୁଲିଆସ, ତା’ପରେ ବି ଯଦି ମତେ ଚାହିଁବ ମୁଁ ଏଇଠି ଅପେକ୍ଷା କରିଥିବି’। ଇମ୍ରୋଜ କାଳେ ତତ୍କ୍ଷଣାତ୍ କୋଠରିର ଚାରିପଟେ ସାତଥର ଘୂରି ଆସିଲେ ଏବଂ କହିଲେ ଏଇତ ପୃଥିବୀ ବୁଲି ଆସିଲି। ଦୁହିଁଙ୍କର ଏକାଠି ରହିବା ନେଇ ସେତେବେଳେ ସମାଜରେ ଅନେକ ନକାରତ୍ମକ କଥା ଉଠିଥିଲା। ଯାହାକୁ ନେଇ ଇମ୍ରୋଜଙ୍କ ବକ୍ତବ୍ୟ ଥିଲା ‘ତୁ ମୋ ସମାଜ, ମୁଁ ତୋର ସମାଜ, ଆଉ ଅଧିକା ସମାଜର ଦରକାର ନାହିଁ।’ ଯେତେବେଳେ ଅମ୍ରିତା ରାଜ୍ୟସଭାର ସଦସ୍ୟା ଥିଲେ ଇମ୍ରୋଜ ତାଙ୍କୁ ଗାଡ଼ିରେ ନେଇ ପ୍ରତ୍ୟେକଦିନ ସଂସଦ ଯାଉଥିେଲ ଓ ବାହାରେ ଅପେକ୍ଷା କରି ବସୁଥିଲେ। ଲୋକମାନେ ତାଙ୍କୁ ଅମ୍ରିତାଙ୍କ ଡ୍ରାଇଭର ବୋଲି ଭାବୁଥିଲେ। ତାଙ୍କ ପ୍ରେମକୁ ନେଇ ଅମ୍ରିତାଙ୍କ ଅସୁରକ୍ଷିତ ଭାବନା ହେତୁ ସେ ସାରାଜୀବନ କୌଣସି ବୃତ୍ତି ପାଇଁ ତାଙ୍କୁ ଏକାକୀ ଛାଡ଼ି ଯାଇନଥିଲେ। ସେମାନଙ୍କ ସମ୍ପର୍କରେ ରାଗରୁଷା ନଥିଲା, ବାଧା କି ବନ୍ଧନ ନଥିଲା। ତେବେ କୌଣସି କଥାରେ ମତଭେଦ ହେଲେ ସେମାନେ ନିରବ ରହୁଥିଲେ। କଥାବର୍ତ୍ତା କରୁନଥିଲେ। ଇମ୍ରୋଜ ମନକଥା ଚିତ୍ରରେ ଆଙ୍କୁଥିଲେ ଆଉ ଅମ୍ରିତା ସେହି ଚିତ୍ରକୁ ଘଣ୍ଟା ଘଣ୍ଟା ଅନେଇ ତା’ର ଅର୍ଥ ବାହାର କରି ଉତ୍ତରରେ କବିତା ଓ ଗଳ୍ପର ଚରିତ୍ରମାନଙ୍କ ଭିତରେ ମନକଥା ଲେଖୁଥିଲେ। ଏମିତି ଥିଲା ସେମାନଙ୍କ ପ୍ରେମ ଓ ସୃଜନ। ରାତିସାରା ଅମ୍ରିତା ଖାଲି ଲେଖୁଥିଲେ ଆଉ ନିରବରେ ଚା’ କପ୍ଟେ ଥୋଇଦେଇ ଯାଉଥିଲେ ଇମ୍ରୋଜ୍। ସକାଳେ ଇମ୍ରୋଜ ଚିତ୍ର ଆଙ୍କୁଥିଲେ ଓ ଅମ୍ରିତା ବିଶ୍ରାମ ନେଉଥିଲେ। ରୋଷେଇ ବିମୁଖ ଅମ୍ରିତା କେବଳ ଇମ୍ରୋଜଙ୍କ ପାଇଁ ରୋଷେଇ ଶିଖିଥିଲେ। ଶେଷ ଜୀବନରେ ଶଯ୍ୟାଶାୟୀ ଅମ୍ରିତାଙ୍କର ଅନେକ ସେବାଯତ୍ନ କରିଥିଲେ ଇମ୍ରୋଜ। ଅମ୍ରିତା ତାଙ୍କ ଶେଷ କବିତାରେ ଲେଖିଥିଲେ- ମୁଁ ତୋତେ ପୁଣି ଭେଟିବି, ଜାଣେନା କେବେ ଓ କେଉଁଠି। ଇମ୍ରୋଜ ଶବ୍ଦର ଅର୍ଥ ଆଜିର ଦିନ। ବାସ୍ତବରେ ସାରା ଜୀବନ ଅମ୍ରିତାଙ୍କୁ ନିସର୍ତ୍ତ ପ୍ରେମ କରି ତାଙ୍କର ସବୁଦିନମାନଙ୍କୁ ପ୍ରେମରେ ଉଜ୍ଜ୍ବଳ କରି ରଖିଥିଲେ।
କମଲା ଦାସଙ୍କ ନିଜକଥା
୧୯୭୩ରେ ମାଲୟାଲମରେ ପ୍ରକାଶିତ ହୋଇଥିବା କମଲାଙ୍କ ଆତ୍ମଜୀବନୀ ଏନ୍ତେ କଥା ‘ମାଇଁ ଷ୍ଟୋରି’ ଚହଳ ସୃଷ୍ଟି କରିଥିଲା। ଏହା ପୂର୍ବରୁ ଏତେ ଉନ୍ମୁକ୍ତ ଭାବରେ କେହି ନିଜ ଜୀବନ, ପ୍ରେମ ଓ ଯୌନତାକୁ ନେଇ ଲେଖିନଥିଲେ। ସେଥିପାଇଁ ଏହାକୁ ଆମେ ଏକ ମାଇଲଖୁଣ୍ଟ ହିସାବରେ ମଧ୍ୟ ଦେଖିପାରିବା। କମଲା ଦାସ ଥିଲେ ନାରୀବାଦର ଏକ ନିର୍ଭୀକ ସ୍ବର। କିଛିମାତ୍ରାରେ ଜଣେ ବିବାଦୀୟ ଲେଖିକା ହୋଇଥିଲେ ମଧ୍ୟ ଆଜି ବି ଭାରତୀୟ ସାହିତ୍ୟ କମଲା ଦାସଙ୍କୁ ଜଣେ ପ୍ରଚଣ୍ଡ ନାରୀବାଦୀ ଲେଖିକା ଭାବେ ଗ୍ରହଣ କରେ। ୩୧ ମାର୍ଚ୍ଚ ୧୯୩୪ରେ କେରଳର ମାଲାବାରରେ ଏକ ରକ୍ଷଣଶୀଳ ନୈଷ୍ଠିକ ମାଲୟାଲମ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ମାଧବୀକୁଟ୍ଟି। ମାତ୍ର ୧୫ବର୍ଷ ବୟସରେ ମାଧବୀକୁଟ୍ଟି ଜଣେ ବ୍ୟାଙ୍କ କର୍ମଚାରୀ ମାଧବ ଦାସଙ୍କୁ ବିବାହ କଲେ ଏବଂ ବିବାହ ପରେ ତାଙ୍କ ନାମ ହେଲା କମଲା ଦାସ। ଯେଉଁ ନାମରେ ଭାରତୀୟ ସାହିତ୍ୟ ଜଗତରେ ସେ ଖୁବ୍ ପରିଚିତା। ଗୋଟେ ରକ୍ଷଣଶୀଳ ପୁରୁଷପ୍ରଧାନ ସମାଜରେ ରହି ମଧ୍ୟ କମଲା ଦାସ ମହିଳାମାନଙ୍କ ବିଷୟ ତଥା ଅନେକ ସମ୍ବେଦନଶୀଳ ବିଷୟରେ ଦୃଢ଼ତାର ସହ ଲେଖୁଥିଲେ। ନିଜ ଲେଖାରେ ଥିବା ଉଗ୍ର ଆଧୁନିକତା ପାଇଁ ତାଙ୍କୁ ଅନେକ କୁତ୍ସା ତଥା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।
ମାତ୍ର ୧୫ ବର୍ଷ ବୟସରେ ବିବାହ, ତିନୋଟି ସନ୍ତାନର ମାଆ, ଗୃହସ୍ଥଜୀବନ ଭିତରେ କମଲା ନିଜ ସ୍ବପ୍ନକୁ ସାକାର କରିବାକୁ ବାଟ ଖୋଜନ୍ତେ ତାଙ୍କ ସ୍ବାମୀ ତାଙ୍କୁ ଲେଖିବାକୁ ପ୍ରୋତ୍ସାହନ ଦେଲେ। ଯାହା ସେ ଏକ ସାକ୍ଷାତ୍କାରରେ କହିଥିଲେ। ବୈବାହିକ ଜୀବନରେ ବୟସର ତାରତମ୍ୟ ଏକ ଗଭୀର ପ୍ରଭାବ ପକାଇଥିଲା କମଲାଙ୍କ ଉପରେ। ନିଜ ଭିତରେ ପ୍ରେମକୁ ନେଇ ଗୋଟେ ଶୂନ୍ୟତା ସୃଷ୍ଟି ହେଉଥିଲା। ସ୍ବାମୀଙ୍କ ମୃତ୍ୟୁପରେ କମଲା ନିଜଠାରୁ ବୟସରେ ସାନ ମୁସ୍ଲିମ୍ ଲିଗ୍ର ଏମ୍ପି ସାଦିକ୍ ଅଲ୍ଲୀଙ୍କ ପ୍ରେମରେ ପଡ଼ିଲେ। ଅନେକ ଦିନଧରି ଏହା ଚାଲିଲା। ଜଣେ ପ୍ରତିଷ୍ଠିତା ଲେଖିକା, ଗୋଟେ ରକ୍ଷଣଶୀଳ ବ୍ରାହ୍ମଣ ପରିବାରର ବୋହୂ, ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ପତ୍ନୀ କମଲା ବେଶ୍ ଅଧିକ ବୟସରେ ପୁଣି ଅନ୍ୟଧର୍ମରେ ବିବାହ କରିବା ସେତେବେଳର ସମାଜ ପାଇଁ ଗ୍ରହଣଯୋଗ୍ୟ ନଥିଲା। ପିଲାମାନେ ମଧ୍ୟ ବଡ଼ ହୋଇସାରିଥିଲେ। ଶେଷରେ ସାଦିକ୍ ଅଲ୍ଲୀଙ୍କୁ ବିବାହ ପରେ ଇସଲାମ ଧର୍ମ ଗ୍ରହଣ କରି କମଲା ଦାସରୁ କମଲା ସୂରୟା ହେଇଥିଲେ। ହେଲେ ଏହା ବି ବେଶିଦିନ ତିଷ୍ଠି ନଥିଲା। ପ୍ରଥମ ବିବାହରେ ବୟସ ତାରତମ୍ୟ ଏବଂ ସାଦିକ୍ ଅଲ୍ଲୀଙ୍କୁ ବିବାହ ପରେ ମଧ୍ୟ ସେହି ବୟସ ତାରତମ୍ୟ ରହିଲା। ପୁଣିଥରେ କମଲାଙ୍କ ଜୀବନରେ ପ୍ରେମର ଶୂନ୍ୟତା ସୃଷ୍ଟି ହେଲା। ଜୀବନରେ ଯାହାସବୁ ସେ ଭୋଗିଥିଲେ ତାହା ତାଙ୍କ ଲେଖାରେ ପରିସ୍ଫୁଟନ ହୋଇଥିଲା। ସେଥିପାଇଁ ପାଠକମାନେ ଏବେବି ତାଙ୍କର ସେଦିନର ଲେଖାକୁ ସମାନ ଭାବେ ଭଲ ପାଆନ୍ତି। ‘ସମର୍ ଇନ୍ କୋଲକାତା’, ‘ଆନ୍ ଇଣ୍ଟ୍ରଡକ୍ସନ୍’, ‘ଏ ହଟ୍ ନୁନ୍ ଇନ୍ ମାଲାବାର୍’, ‘ମାଇଁ ମଦର୍ ଆଟ୍ ସିକ୍ଷ୍ଟି-ସିକ୍ସ’ ଆଦି ପୁସ୍ତକ ତାଙ୍କ ପ୍ରେମ, ଶୂନ୍ୟତା, ଯୌବନ ଓ ଯୌନତାକୁ ପ୍ରତିଫଳିତ କରିଥାଏ। ତାଙ୍କ ଜୀବନୀକୁ ନେଇ ଗଠିତ ଚଳଚ୍ଚିତ୍ର ‘ଆମି’ ମାଲାୟଲମ ଭାଷାରେ ମୁକ୍ତିଲାଭ କରିଥିଲା। ସେତେବେଳେ ଏହା ବହୁ ବିବାଦ ସୃଷ୍ଟି କରିଥିଲା। ଲଭ୍ ଜିହାଦ୍କୁ ପ୍ରଶ୍ରୟ ଦେଉଛି ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ପରେ ସୁପ୍ରିମ୍କୋର୍ଟଙ୍କ ହସ୍ତକ୍ଷେପ ପରେ ଏହା ମୁକ୍ତିଲାଭ କରିଥିଲା। କେବଳ ଲେଖା ନୁହେଁ ପ୍ରେମ ଓ ଯୌନତାକୁ ନେଇ ତାଙ୍କର ଚିତ୍ର ମଧ୍ୟ ସେତେବେଳେ ଝଡ଼ ସୃଷ୍ଟି କରିଥିଲା।