ଶ୍ରୀଅରବିନ୍ଦଙ୍କ ଦୁର୍ଗାସ୍ତୋତ୍ର ସଂପୂର୍ଣ୍ଣ ଭିନ୍ନ ଓ ଅନନ୍ୟ। ଆଜି ବି ଏହା ସବୁ ଭାରତବାସୀଙ୍କ ପାଇଁ ପ୍ରାସଙ୍ଗିକ। ଏଠାରେ ପ୍ରସ୍ତୁତ ତାହାର ତୃତୀୟ ତଥା ଶେଷ ଭାଗ:
ମାତଃ ଦୁର୍ଗେ! ସ୍ୱାର୍ଥ, ଭୟ, କ୍ଷୁଦ୍ରାଶୟତାରେ ମ୍ରିୟମାଣ ଭାରତ। ହେ ମାତଃ! ଆମ୍ଭମାନଙ୍କୁ ମହତ କର, ମହତ୍‌ପ୍ରୟାସୀ କର, ଉଦାରଚେତା କର, ସତ୍ୟ-ସଂକଳ୍ପ କର, ଯେପରି ଆମେ ଆଉ ଅଳ୍ପାଶୀ, ନିଶ୍ଚେଷ୍ଟ, ଅଳସ, ଭୟଭୀତ ନ ହେଉ।
ମାତଃ ଦୁର୍ଗେ! ଯୋଗଶକ୍ତି ବିସ୍ତାର କର, ଆମେ ହିଁ ତୋର ପ୍ରିୟ ଆର୍ଯ୍ୟ ସନ୍ତାନ। ଆମ୍ଭମାନଙ୍କ ମଧ୍ୟରେ ଲୁପ୍ତ ଶିକ୍ଷା, ଚରିତ୍ର, ମେଧାଶକ୍ତି, ଶ୍ରଦ୍ଧା, ଭକ୍ତି, ତପସ୍ୟା, ବ୍ରହ୍ମଚର୍ଯ୍ୟ, ସତ୍ୟଜ୍ଞାନ ବିକାଶ କରି ଜଗତରେ ବିତରଣ କର। ମାନବ ସହାୟେ ଦୁର୍ଗତିନାଶିନୀ ଜଗଦମ୍ବେ! ପ୍ରକାଶ ହୁଅ।
ମାତଃ ଦୁର୍ଗେ! ଅନ୍ତଃସ୍ଥ ରିପୁ ସଂହାର କରି ବାହାରର ବାଧାବିଘ୍ନ ନିର୍ମୂଳ କର। ବଳଶାଳୀ, ପରାକ୍ରମୀ, ଉନ୍ନତଚେତା ଆର୍ଯ୍ୟଜାତି ଭାରତର ପବିତ୍ର କାନନରେ, ଉର୍ବରକ୍ଷେତ୍ରରେ, ଗଗନ ସହଚର ପର୍ବତ ତଳେ, ପୂତସଲିଳା ନଦୀ ତୀରେ, ଏକତା, ପ୍ରେମ, ସତ୍ୟ, ଶକ୍ତି, ଶିଳ୍ପ, ସାହିତ୍ୟ, ବିକ୍ରମ, ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ। ମାତୃ ଚରଣରେ ଏହା ହିଁ ପ୍ରାର୍ଥନା, ପ୍ରକାଶ ହୁଅ।
ମାତଃ ଦୁର୍ଗେ! ଆମ୍ଭମାନଙ୍କ ମଧ୍ୟରେ ଯୋଗବଳରେ ପ୍ରବେଶ କର। ଆମ୍ଭେମାନେ ହୋଇ ଉଠିବୁ ତୋର ଯନ୍ତ୍ର, ଅଶୁଭବିନାଶୀ ତରବାରୀ, ଅଜ୍ଞାନ ତିମିରନାଶୀ ପ୍ରଦୀପ। ହେ ମାତଃ! ଭାରତର ଯୁବକଗଣଙ୍କର ଏହି ବାସନା ପୂର୍ଣ୍ଣକର। ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ, ଅଶୁଭହନ୍ତୀ ହୋଇ ତରବାରୀ ଘୂରାଅ, ଜ୍ଞାନଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପ ଧର, ପ୍ରକାଶ ହୁଅ।
ମାତଃ ଦୁର୍ଗେ! ତୋତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ, ଶ୍ରଦ୍ଧା-ଭକ୍ତି-ପ୍ରେମର ଡୋରରେ ବାନ୍ଧି ରଖିବୁ। ଆସ ମାତଃ! ଆମ୍ଭମାନଙ୍କ ମନ-ପ୍ରାଣ-ଶରୀରରେ ପ୍ରକାଶ ହୁଅ।
ବୀରମାର୍ଗ ପ୍ରଦର୍ଶିନି, ଆସ! ଆଉ ବିସର୍ଜନ କରିବୁ ନାହିଁ, ଆମ୍ଭମାନଙ୍କର ସମଗ୍ର ଜୀବନ ହେଉ ନିରବଚ୍ଛିନ୍ନ ଦୁର୍ଗାପୂଜା। ଆମ୍ଭମାନଙ୍କର ସକଳ କାର୍ଯ୍ୟ ଅବିରତ ପବିତ୍ର ପ୍ରେମମୟ ଶକ୍ତିମୟ ମାତୃସେବାବ୍ରତୀ ହେଉ। ଏହା ହିଁ ପ୍ରାର୍ଥନା, ମାତଃ! ଭାରତରେ ଆବିଭୂତ ହୁଅ! ପ୍ରକାଶ ହୁଅ!