ଭୁବନେଶ୍ବର: ଗଣତନ୍ତ୍ରରେ ସଂଖ୍ୟାର ଗୁରୁତ୍ବ ଥାଏ। ତାହା କିନ୍ତୁ ଉତ୍କର୍ଷର ଉପାସକ ହୋଇପାରିବ ନାହିଁ। ସମୃଦ୍ଧ ଓଡ଼ିଶା ଲାଗି ଉତ୍କର୍ଷର ଉପାସନା ଜାରି ରଖିବାକୁ ପଡ଼ିବ ବୋଲି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ -୨୦୨୫ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଓଡ଼ିଆ ଅସ୍ମିତାର ବିଭିନ୍ନ ଦିଗ ଉପର ଆଲୋକପାତ କରିଥିଲେ। ଓଡ଼ିଆ ପିଲାମାନେ କାହିଁକି ଓଡ଼ିଶାରେ ଗୁଣାତ୍ମକ ରୋଜଗାର ପାଉନାହାନ୍ତି। ସେମାନେ କାହିଁକି ରାଜ୍ୟ ବାହାରକୁ ଓ ବିଦେଶକୁ ଯାଉଛନ୍ତି ତାହା ବର୍ତ୍ତମାନ ସମୟର ସବୁଠୁ ବଡ଼ ମାନସମନ୍ଥନର ବିଷୟ ବୋଲି କହିଛନ୍ତି। ଓଡ଼ିଶାର ପିଲାମାନଙ୍କୁ ରାଜ୍ୟ ଭିତରେ ବାନ୍ଧି ରଖିବା ଲାଗି ସ୍ବତନ୍ତ୍ର ଯୋଜନା ଦରକାର। ସେଥିରେ ରାଜ୍ୟର ଶିଳ୍ପପତିମାନେ ଯୋଡ଼ି ହେବାକୁ ସେ ଆହ୍ବାନ ଦେଇଥିଲେ। ନିଜ ସଂସ୍ଥାରେ ଓଡ଼ିଆ ପିଲାମାନଙ୍କୁ ନିଯୁକ୍ତି ଦେବାକୁ କହିଥିଲେ।

Advertisment

ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ
ଓଡ଼ିଆ ପିଲାଙ୍କୁ ଓଡ଼ିଶାରେ ରୋଜଗାର ମିଳୁ

ଏହି ଅବସ‌ରରେ ସେ ରାଜ୍ୟର ଦୁର୍ବଳ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରି କହିଥିଲେ ଯେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଖରାପ ଅବସ୍ଥ‌ାରେ ରହିଛି। ଏଭଳି ସ୍ଥିତିରେ ଆମେ ଉତ୍କର୍ଷର ଉପାସକ ହୋଇପାରିବା ନାହିଁ। ସରକାରୀ ସ୍କୁଲ୍ ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ ଆହ୍ବାନ ଦେଇଥିଲେ। ଓଡ଼ିଆ ପିଲାଙ୍କୁ ଓଡ଼ିଆ ଭାଷାରେ ଦକ୍ଷ କରିବା ଲାଗି ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ବୋଲି ସେ କହିଥିଲେ।
ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ଘଟିଥିବା ପରିବର୍ତ୍ତନକୁ ସେ ଏକ ନୂଆ ଯୁଗର ଶୁଭାରମ୍ଭ ଭାବେ ଅଭିହିତ କରିଛନ୍ତି। ସେ କହିଲେ ଓଡ଼ିଶା ପରିବର୍ତ୍ତନ ଚାହୁଥିଲା। ଗତ ନିର୍ବାଚନରେ ଯାହା ଘଟିଲା ତାହା କେହି ଭାବି ନଥିଲେ। କେହି ଆଶା କରୁନଥିବା କଥା ଘଟିଲା ବୋଲି ସେ କହିଛନ୍ତି। ସମ୍ବାଦପତ୍ରଗୁଡ଼ିକର ଦାୟିତ୍ବ ସମ୍ପର୍କରେ ସେ କହିଛନ୍ତି ଯେ ଗଣମାଧ୍ୟମ ଅନୁଷ୍ଠାନଗୁଡ଼ିକ ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା, ସମସ୍ୟା ଓ ସମ୍ଭାବନାଗୁଡ଼ିକୁ ଲୋକଙ୍କ ଅଧିକ ନିକଟତର କରିବା ଦିଗରେ କାମ କରିବା ଦରକାର। ଜୀବନରେ ନିନ୍ଦୁକମାନଙ୍କ ଆବଶ୍ୟକତା କାହିଁକି ଜରୁରି ତାହା ବୁଝାଇବା ଲାଗି ସେ କହିଥିଲେ ଯେ ନିନ୍ଦା ଯେକୌଣସି ଲୋକଙ୍କୁ ଅଧିକ ନିର୍ମଳ ଓ ସ୍ବଚ୍ଛ କରିବାରେ ସହାୟକ ହୋଇଥାଏ। ସମସ୍ତେ ପ୍ରଶଂସା ଚାହାନ୍ତି। ବର୍ତ୍ତମାନ ସମୟରେ ନେତୃତ୍ବ କିନ୍ତୁ ନିନ୍ଦା ଚାହୁନାହିଁ। ଏଭଳି ଧାରା ଚାଲିଲେ ଆମେ ଦୁର୍ବଳତା ଚିହ୍ନଟ କରିପାରିବା ନାହିଁ। ଯିଏ ପ୍ରଶଂସା ଖୋଜେ ସେ କାପୁରୁଷରେ ପରିଣତ ହେବେ।

ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଓଡ଼ିଆ ଅସ୍ମିତା,ପରାକ୍ରମ ଉତ୍ସବ ଓ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମଗୁଡ଼ିକ କେବଳ ଉତ୍ସବରେ ସୀମିତ ନ ହେଉ ବୋଲି ସେ କହିଛନ୍ତି। କେନ୍ଦୁଝର ମାଟି ତଳେ ଥିବା ସମ୍ପଦ ଉପରେ ସାରା ବିଶ୍ବର ଆଖି। ଏହି ଜିଲ୍ଲା ଦେଇଛି ଅଧିକ ପାଇଛି କମ୍। ଏହି ଜିଲ୍ଲାର ନେତାଙ୍କ ଉପରେ କିନ୍ତୁ ପୂର୍ବରୁ କାହାର ଆଖି ପଡ଼ୁନଥିଲା ବୋଲି ସେ କହିଛନ୍ତି।