ନୂଆଦିଲ୍ଲୀ: ଚାକିରି ଛାଡ଼ି କୃଷି କାର୍ଯ୍ୟରେ ମନୋନିବେଶ କରିଥିବା ଅନେକ ଚାଷୀଙ୍କ ବିଷୟରେ ଆପଣ ଆଗରୁ ଜାଣିଥିବେ। ‌ଚାକିରି ଅପେକ୍ଷା ଚାଷ କାମ କରି ଢ଼େର ଅଧିକ ରୋଜଗାର କରୁଥିବା ଅନେକ ଚାଷୀଙ୍କ ବିଷୟରେ ଆମେ ଆଲୋଚନା କରିଛନ୍ତି। ନିକଟରେ ଉତ୍ତରାଖଣ୍ଡର ରାଜୀବ ମଧ୍ୟ ନିଜର କୃଷି ଦକ୍ଷତା ପାଇଁ ଚର୍ଚ୍ଚା ପାଲଟିଛନ୍ତି।

Advertisment

ଉତ୍ତରାଖଣ୍ଡରୁ ଆସିଥିବା ରାଜୀବ ଭାସ୍କର କଦାପି କଳ୍ପନା କରି ନଥିଲେ ଯେ ରାୟପୁରରେ ଏକ ବିହନ କମ୍ପାନୀରେ କାମ କରି ସେ ପାଇଥିବା ଅଭିଜ୍ଞତା ଦିନେ ତାଙ୍କୁ ଜଣେ ସଫଳ କୃଷକ ଏବଂ ଉଦ୍ୟୋଗୀ ହେବାରେ ସାହାଯ୍ୟ କରିବ। ଆଜି, ୩୧ ବର୍ଷୀୟ କୃଷି ଉଦ୍ୟୋଗୀ ରାଜୀବ ତାଙ୍କ ପିଜୁଳି ଚାଷରୁ ଯେ‌ତିକି ରୋଜଗାର କରୁଛନ୍ତି ସେତିକି ବଡ଼ ବଡ଼ ଚାକିରିଆମାନେ ବି କରିପାରୁନଥିବେ।

ରାଜୀବ ୨୦୧୩ ମସିହାରେ ଉତ୍ତରାଖଣ୍ଡର ଜିବି ପନ୍ତ୍‌ ୟୁନିଭରସିଟିରୁ ଉଦ୍ୟାନ କୃଷିରେ ସ୍ନାତକ ହାସଲ କରିଥିଲେ। ଏହା ପରେ ସେ ସାଢ଼େ ୪ ବର୍ଷ ଛତିଶଗଡର ରାୟପୁରରେ ଚାକିରି କରିଥିଲେ। ଛତିଶଗଡ଼ର ରାୟପୁରରେ ଥିବା ଭିଏନ୍‌ଆର୍‌ ନର୍ସରୀ ପ୍ରା.ଲି ରେ ଚାକିରିରେ ଥିବା ବେଳେ ସେ ଅନେକ କୃଷକଙ୍କୁ ଭେଟିବାର ସୁଯୋଗ ପାଇଲେ। ସେଇଠାରୁ ସେ ଚାଷ ପ୍ରତି ଆକର୍ଷିତ ହୋଇଥିଲେ।

ଦି ବେଟର ଇଣ୍ଡିଆ ସହ କଥାବାର୍ତ୍ତା କରି ରାଜୀବ କହିଛନ୍ତି, ‘ମୁଁ ହରିୟାଣାର ପଞ୍ଚକୁଲା ଠାରୁ ୨୦୧୭ ମସିହାରେ ଚାଷ ଆରମ୍ଭ କରିଥିଲି। ମୁଁ ୫ ଏକର ଜମି ନେଇଥିଲି, ଯେଉଁଠାରେ ମୁଁ ପିଜୁଳି ଚାଷ କରି ବେଶ୍‌ ଭଲ ଲାଭ କରି ପାରିଥିଲି। ଏହା ପରେ, ୨୦୧୯ରେ, ଆହୁରି ୪ ଜଣ ଅଂଶୀଦାରଙ୍କ ସହ ମୁଁ ପଞ୍ଜାବର ରୁପନଗର ଜିଲ୍ଲାର ଏଗ୍ରୋୟା ହାର୍ଭେଷ୍ଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଆରମ୍ଭ କଲି।’ ତେବେ ପିଜୁଳି ଚାଷ କରି ଜଣେ ଏମ୍‌ବିଏ ପଢ଼ିଥିବା ଛାତ୍ର ଆଜି ଜଣେ ବେଶ୍‌ ସଫଳ ଚାଷୀ ବନି ପାରିଛନ୍ତି।