ଯକୃତ ମାନବ ଶରୀରର ଦ୍ବିତୀୟ ବୃହତ୍ତମ ପ୍ରତ୍ୟଙ୍ଗ। ଏହା ଖାଦ୍ୟ ହଜମ, ଖାଦ୍ୟ ସଂଶ୍ଳେଷଣ ଓ ବିଷାକ୍ତ ପଦାର୍ଥ ନିଷ୍କାସନ ସହ ପ୍ରତିରକ୍ଷା ପ୍ରଣାଳୀର ନିୟନ୍ତ୍ରଣ ଓ ପୋଷକତତ୍ତ୍ବ ସଂରକ୍ଷଣରେ ସାହାଯ୍ୟ କରିଥାଏ। ଅତ୍ୟଧିକ ମଦ୍ୟପାନ ଯକୃତ ରୋଗର ମୁଖ୍ୟ କାରଣ ବୋଲି ଆମକୁ ଜଣା। ତେବେ ଜାଣନ୍ତି କି କିଛି ପାରମ୍ପରିକ ଓ ଆଧୁନିକ ଔଷଧ ବି ଯକୃତକୁ ନଷ୍ଟ କରିଦେଇପାରେ? ଯକୃତ କ୍ଷତିର ସେଭଳି କେତେକ କାରଣ ବିଷୟରେ ଜାଣିବା। ଅସ୍ବାସ୍ଥ୍ୟକର ଖାଦ୍ୟଗ୍ରହଣ ଓ ଜୀବନଶୈଳୀ ସେଥିରୁ ଅନ୍ୟତମ। ଅତ୍ୟଧିକ ଚିନି, ପ୍ରକ୍ରିୟାକୃତ ଶର୍କରା ଓ ପରିପୃକ୍ତ ଚର୍ବି ଆଦି ହେଉଛନ୍ତି ଯକୃତର ଶତ୍ରୁ। ଏ ସବୁ ଖାଦ୍ୟ ଯକୃତରେ ଚର୍ବି ଜମା କରିବା ସହ ଯକୃତର ସ୍ବାଭାବିକ କାର୍ଯ୍ୟକୁ ଧିମା କରି ରୋଗର ଆଶଙ୍କା ବଢ଼ାଇଥାଏ।
ମୋଟାପଣ ମଧ୍ୟ ଯକୃତ ରୋଗ ବିଶେଷ କରି ନନ୍-ଆଲ୍କୋହୋଲିକ ଫ୍ୟାଟି ଲିଭର ଡିଜିଜ୍(ନାଫଲ୍ଡ) ରୋଗର କାରଣ ହୋଇପାରେ। ତେଣୁ ସୁସ୍ଥ ଶରୀର ସହ ଓଜନ ବଜାୟ ରଖିବା ପାଇଁ ଡାକ୍ତରମାନେ ପରାମର୍ଶ କରିଥା’ନ୍ତି। ଯେଉଁମାନଙ୍କର ଉଚ୍ଚ କୋଲେଷ୍ଟ୍ରଲ୍ ସ୍ତର, ରକ୍ତଚାପ ସ୍ତର ଓ ମଧୁମେହ ରହିଥାଏ, ସେମାନଙ୍କ ଠାରେ ନାଫଲ୍ଡ, ସିରୋସିସ୍ ଏବଂ ଏପରିକି ଯକୃତ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ସୁସ୍ଥ ଖାଦ୍ୟ, ନିୟମିତ ବ୍ୟାୟାମ, ଧୂମପାନ ଓ ମଦ୍ୟପାନ ବର୍ଜନ ଭଳି ଜୀବନଶୈଳୀରେ ପରିବର୍ତ୍ତନ ଏଥିରେ ଉପଶମ ଆଣିପାରିବ।
ନିର୍ଦ୍ଦିଷ୍ଟ ଔଷଧ ବି ଯକୃତର କ୍ଷତି କରିପାରେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଆସ୍ପିରିନ୍, ଇବୁପ୍ରୋଫେନ୍ ଓ ନାପ୍ରୋକ୍ସିନ୍ ପରି ଯନ୍ତ୍ରଣା ନିବାରକ ଔଷଧର ବାରମ୍ବାର ସେବନ ଯକୃତ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ସେହିପରି ଅଶ୍ବଗନ୍ଧା, କଳା କୋହୋସ୍, ସବୁଜ ଚା’, ହଳଦୀ, ନାଲି ଚାଉଳ ଓ ଗାର୍ସିନିଆ କାମ୍ବୋଗିଆ ପରି ଅନେକ ପାରମ୍ପରିକ ଔଷଧ ଦୀର୍ଘକାଳୀନ ବ୍ୟବହାର ହେପାଟୋଟକ୍ସିସିଟିର କାରଣ ହୋଇପାରେ। ତେବେ ଯକୃତ କ୍ଷତିର କିଛି ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଜଣ୍ଡିସ୍, ପେଟଫୁଲା ଓ ଯନ୍ତ୍ରଣା, ପରିସ୍ରା ଓ ମଳ ରଙ୍ଗରେ ପରିବର୍ତ୍ତନ, ଚର୍ମ କୁଣ୍ଡାଇହେବା, ଭୋକ ହ୍ରାସ ଓ ଥକ୍କା ଅନୁଭବ ଅନ୍ତର୍ଭୁକ୍ତ। ଏପରି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ବାଞ୍ଛନୀୟ।