ପଖାଳର ସଂପର୍କ ଓଡ଼ିଆ ଜାତି ସହ କାହିଁ କେବେଠୁ ଯୋଡ଼ି ହୋଇରହିଛି। ଆମ ପୂର୍ବସୂରୀମାନେ ପଖାଳରୁ ଦହି ପଖାଳ, ଅବଢ଼ା ପଖାଳ, ଚିପୁଡ଼ା ପଖାଳ, ଟଙ୍କ ତୋରାଣି, କାଞ୍ଜି ଓ ଖୁଦପିତା ଭଳି କେତେ କ’ଣ ସୁଆଦିଆ ବ୍ୟଞ୍ଜନ ତିଆରି ଶିଖାଇଛନ୍ତି। ପଖାଳର ଔଷଧୀୟ ଗୁଣ ଅପରିସୀମ। ଆମ ସାଧାରଣ ଜୀବନରେ ‘ବାସି’ କହିଦେଲେ ଆମେ ସେ ଖାଦ୍ୟ ପ୍ରତି ନାକ ଟେକୁ, ସ୍ବାସ୍ଥ୍ୟ ସଚେତନ ହୋଇଯାଉ। ବାସି ଖାଦ୍ୟରେ ବିଷାକ୍ତ ଜୀବାଣୁ ସୃଷ୍ଟି ହେଉଥିବାବେଳେ ବାସି ପଖାଳରେ ଅତି ଉପକାରୀ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି।
ପଖାଳ ତୋରାଣିକୁ ଖଟାଳିଆ କରିବାରେ ‘ଲାକ୍ଟୋ ବାସିଲସ୍’ ନାମକ ଅତି ଉପକାରୀ ବ୍ୟାକ୍ଟେରିଆର ଭୂମିକା ଥାଏ। ଏହା ପ୍ରାକୃତିକ ପ୍ରୋବାୟୋଟିକ୍ ଭଳି କାମ କରେ। ଉକ୍ତ ବ୍ୟାକ୍ଟେରିଅା ଲାକ୍ଟିକ୍ ଏସିଡ୍ ତିଆରି କରି ତୋରାଣିରେ କାଲ୍ସିୟମ୍, ପୋଟାସିୟମ୍, ସୋଡିୟମ୍, ଆଇରନ୍ର ପରିମାଣ ପ୍ରାୟ ୨୦ ଗୁଣା ବଢ଼ାଇଦିଏ। ପୁଣି ତୋରାଣିରେ ପ୍ରଚୁର ଭିଟାମିନ୍ ବି-୬ ଓ ବି-୧୨ ଥାଏ। ବାସି ପଖାଳ ନିୟମିତ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହା ଶରୀରର ଘା’କୁ ଶୀଘ୍ର ଶୁଖାଇବାରେ ବି ସାହାଯ୍ୟ କରେ। ପୁଣି ହଜମ କ୍ରିୟାକୁ ତ୍ବରାନ୍ବିତ କରିବା ସଙ୍ଗେ ସଙ୍ଗେ ଆଳସ୍ୟ ଓ ଥକାପଣ ଦୂର କରିଥାଏ। ବାସି ପଖାଳ ଖାଉଥିବା ବ୍ୟକ୍ତି ଅଂଶୁଘାତରୁ ରକ୍ଷା ପାଇଥାଏ କାରଣ ଏହା ଶରୀରର ତାପମାତ୍ରାକୁ ସନ୍ତୁଳିତ ରଖେ, ତ୍ବଚାକୁ ଚିକ୍କଣ ରଖିବା ସଙ୍ଗେ ସଙ୍ଗେ ଅସ୍ଥି ଓ ମାଂସପେଶୀକୁ ଶକ୍ତ କରିବାରେ ସାହାଯ୍ୟ କରେ। ଆୟୁର୍ବେଦ ବିଶାରଦମାନଙ୍କ ମତରେ ପଖାଳ ତ୍ରି-ଦୋଷ ଯଥା ବାତ, ପିତ ଓ କଫର ସନ୍ତୁଳନ ରକ୍ଷା କରେ। ସୁନିଦ୍ରା ପାଇଁ ପଖାଳ ବ୍ରହ୍ମାସ୍ତ୍ର ଭଳି କାର୍ଯ୍ୟକରେ। ତୋରାଣି ପିଇଲେ କୋଷ୍ଠକାଠିନ୍ୟ, ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ, ପେଟବ୍ୟଥା ଦୂର ହୋଇଥାଏ।
- ସୁଦର୍ଶନ ସାହୁ, ଐତିହ୍ୟ ଗବେଷକ ଓ କଂସା କଳା ସଂଗ୍ରାହକ
ମୋ: ୮୮୯୫୨୯୫୧୬୫