ସାଧାରଣତଃ ବାଲ୍ୟ କାଳରେ କ୍ଷୀରଦାନ୍ତ ପଡ଼ିଗଲେ, ସେ ସ୍ଥାନରେ ନୂଆ ଦାନ୍ତ ଉଠିଥାଏ। ମାତ୍ର ଏହା ପରେ ଦାନ୍ତ ଭାଙ୍ଗିଗଲେ କି ପଡ଼ିଗଲେ ଆଉ ସେ ସ୍ଥାନରେ ନୂଆ ଦାନ୍ତ ଉଠିନଥାଏ। ତେବେ ଜାପାନର କେଟୋ ବିଶ୍ବବିଦ୍ୟାଳୟର ଗବେଷକମାନେ ପୁଣି ଥରେ ନୂଆ ଦାନ୍ତ ଉଠିବା ପାଇଁ ଏକ ପ୍ରକାର ଔଷଧ ବାହାର କରିଛନ୍ତି। ଆସନ୍ତାବର୍ଷ ଜୁଲାଇ ମାସରେ ତାହାର ନୈନାଦିକ ପରୀକ୍ଷଣ ହେବାକୁ ଥିବା ବେଳେ ୨୦୩୦ ମସିହା ବେଳକୁ ତାହା ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ମଣିଷ ଓ ପଶୁମାନେ ସମାନ ଭାବରେ ‘ଟୁଥ୍ ବଡ୍’ ବା ‘ଦନ୍ତ କଳିକା’ ଧାରଣ କରିଥା’ନ୍ତି, ଯେଉଁଥିରେ ଶିଶୁ ଓ ସ୍ଥାୟୀ ଦାନ୍ତ ବ୍ୟତୀତ ନୂତନ ଦାନ୍ତ ଉଠିବାର ସମ୍ଭାବନା ଥାଏ।
ମାତ୍ର ଅଧିକାଂଶ କ୍ଷେତ୍ରରେ ଏହି କଳିକାଗୁଡ଼ିକ ବିକଶିତ ହୋଇପାରିନଥା’ନ୍ତି ଏବଂ ଶେଷରେ ଅଦୃଶ୍ୟ ହୋଇଯାଆନ୍ତି। ତେବେ ଜାପାନର ଟୋରେଜେମ୍ ବାୟୋଫାର୍ମା କମ୍ପାନି ଏକପ୍ରକାର ଆଣ୍ଟିବଡି ଔଷଧ ପ୍ରସ୍ତୁତ କରିଛି ଯାହା ପାଟି ଭିତରେ ‘ଦନ୍ତ କଳିକା’ ବିକାଶକୁ ଦମନ କରୁଥିବା ପ୍ରୋଟିନ୍କୁ ରୋକିଥାଏ। ୨୦୧୮ ମସିହାରେ ଏହି ଔଷଧକୁ ନେଉଳ ଜାତୀୟ ଜୀବ ‘ଫେରେଟ୍’ ଠାରେ ପ୍ରୟୋଗ କରି ନୂଆ ଦାନ୍ତ ଉତ୍ପନ୍ନ କରାଯାଇପାରିଥିଲା। ପ୍ରଥମେ ଜନ୍ମରୁ ଆଦୌ ଦାନ୍ତ ନଥିବା ରୋଗୀଙ୍କ ଠାରେ କମ୍ପାନି ଏହାକୁ ପ୍ରୟୋଗ କରିବାକୁ ଚାହୁଁଛି। ସୂଚନାଯୋଗ୍ୟ, ପିଲାଙ୍କର ଦାନ୍ତ ନଥିଲେ ଚର୍ବଣ ଅସ୍ଥିର ବିକାଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ତେଣୁ ଏହି ଔଷଧ ସେହି ସମସ୍ୟାର ସମାଧାନ କରିପାରିବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି। ସେହିପରି ଦନ୍ତକ୍ଷୟ ଯୋଗୁଁ ଦାନ୍ତ ହରାଇଥିବା ବୟସ୍କଙ୍କଠାରେ ମଧ୍ୟ ଭବିଷ୍ୟତରେ ଏହାକୁ ପ୍ରୟୋଗ କରାଯିବ ବୋଲି ଆଶା ରଖାଯାଇଛି।