ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରଠରେ ଜଣେ ମା’ ନିଜ ଝିଅକୁ କିଡନୀ ଦାନ କରି ଦ୍ବିତୀୟ ଥର ପାଇଁ ଜନ୍ମ ଦେଇଥିବାର ଏକ ଘଟଣା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ମେରଠରେ ବସବାସ କରୁଥିବା ୫୫ବର୍ଷୀୟ ମା’ ସବିଲା ତାଙ୍କ କିଡନୀ ଦାନ କରି ନିଜର ୨୮ବର୍ଷର ଝିଅ ନାଜିସର ଜୀବନ ବଞ୍ଚାଇ ଦେଇଛନ୍ତି। ଝିଅର କିଡନୀ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା, ଚିକିତ୍ସା ପାଇଁ ଯୋଶଦା ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଥିଲା। ତେଣୁ ମା’ ଝିଅକୁ ବଞ୍ଚାଇବା ପାଇଁ ନିଜର କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।
ଜୁନ ୨୦ ତାରିଖରେ ଝିଅ ଶରୀରରେ ମା’ର କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଥିଲା। ଏହି କିଡନୀ ପ୍ରତିରୋପଣ ଡାକ୍ତର ମୁମଦାର, ଡାକ୍ତର ସକସେନା, ଡାକ୍ତର ନିରେନ ରାୱ ଓ ଡାକ୍ତର କୁଲଦୀପ ଅଗ୍ରୱାଲଙ୍କ ସହଯୋଗରେ ସଫଳ ହୋଇଥିବା ଜଣାପଡ଼ିଛି।
ଯଶୋଦା ସୁପର ସ୍ପୋସିଆଲିଟି ହସ୍ପିଟାଲର ପ୍ରବକ୍ତା ଡାକ୍ତର ଉପସନା ଅରୋଡା କହିଛନ୍ତି, ‘ମା’ ଓ ଝିଅଙ୍କ ଅସ୍ତ୍ରୋପଚାର ପରେ ଉଭୟ ସୁସ୍ଥ ଅଛନ୍ତି। ଅସାଧ୍ୟ ରୋଗ ଯୋଜନା ଅଧୀନରେ ଏହି ଅସ୍ତ୍ରୋପଚାର ମାଗଣାରେ କରାଯାଇଥିଲା।
ହସ୍ପିଟାଲରୁ ମା’ ଓ ଝିଅଙ୍କୁ ଛୁଟି କରି ଦିଆଯାଇଥିବା ବେଳେ ୨ସପ୍ତାହ ସେମାନେ ଡାକ୍ତରଙ୍କ ନୀରିକ୍ଷଣରେ ରହିବେ। ଏହି କିଡନୀ ପ୍ରତିରୋପଣ ଜିଲ୍ଲାରେ ପ୍ରଥମଥର ପାଇଁ ହୋଇଛି। ଯାହାକି ସଫଳ ରହିଛି। ଏହା ଆମ ପାଇଁ ଏକ ଗୌରବର ବିଷୟ ।’
ଝିଅ ନାଜିସ କହିଛନ୍ତି, ‘ମା’ ମୋତେ ତୋ କୋଳରେ ଜନ୍ମ ଦେଇ ଋଣୀ ତ କରିଥିଲୁ। ଏବେ ଦ୍ବିତୀୟ ଥର ଜନ୍ମ ଦେଇ ତୁ ମୋ ପାଇଁ ଭଗବାନ ପାଲଟି ଯାଇଛୁ। ତତେ କୋଟି ପ୍ରଣାମ।’