ନୂଆଦିଲ୍ଲୀ: ସିଭିଲ୍ ସର୍ଭିସ୍ ପରୀକ୍ଷା ପାସ୍ କରିବା ବହୁତ କଷ୍ଟ। ୟୁପିଏସସି ପରୀକ୍ଷା ପାସ୍ କରିିଥିବା ପ୍ରତ୍ୟେକ ଅଫିସରଙ୍କୁ ଅନେକ ସଂଘର୍ଷ ଓ ପରିଶ୍ରମ କରିବାକୁ ପଡ଼ିଥାଏ। ପୂର୍ବରୁ ଆମେ ଅନେକ ଆଇଏଏସ୍ ଅଫିସରଙ୍କ ପ୍ରେରଣାଦାୟକ କାହାଣୀ ବିଷୟରେ ଜଣାଇଛୁ। ଆଜି ଆମେ ପୁଣି ଜଣେ ଆଇଏଏସ୍ ଅଧିକାରୀଙ୍କ ବିଜୟ ଯାତ୍ରା ବିଷୟରେ କହିବୁ, ଯାହାଙ୍କୁ ଆଇଏଏସ୍ ହେବା ପାଇଁ ଅନେକ ବର୍ଷ ପରିଶ୍ରମ କରିବାକୁ ପଡ଼ିଥିଲା। କୁହାଯାଏ “ବିଫଳତା ସଫଳତାର ବିପରୀତ ନୁହେଁ; ଏହା ସଫଳତାର ଏକ ଅଂଶ "। ଏହାକୁ ପ୍ରମାଣ କରିଛନ୍ତି ଆଇଏଏସ୍ ବିଜୟ ବର୍ଦ୍ଧନ। ୟୁପିଏସସି ପରୀକ୍ଷା ପାସ୍ କରିବା ପୂର୍ବରୁ ‌ସେ ୩୫ଥର ପ୍ରତିଯୋଗିତାମୂଳକ ପରୀକ୍ଷାରେ ଫେଲ୍ ହୋଇଥିଲେ ବୋଲି ଜଣାପଡ଼ିିଛି।

Advertisment

ଖବର ଅନୁଯାୟୀ, ବାରମ୍ବାର ଫେଲ୍ ହେଉଥିଲେ ବି ହାର୍ ନମାନି ସେ ନିଜ ଭୁଲରୁ ଶିଖିବାକୁ ଚେଷ୍ଟା କରୁଥିଲେ। ପ୍ରତ୍ୟେକ ବିଫଳ ପ୍ରୟାସ ପରେ ସେ ଆହୁରି ଭଲ କରିବା ପାଇଁ ଅଧିକ ଉତ୍ସାହିତ ହେଉଥିଲେ। ସେ ପ୍ରଥମେ ୟୁପିଏସସି ସିଏସଇରେ ଆଇପିଏସ ଅଧିକାରୀ ଭାବରେ ମନୋନୀତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସେ ଆଇଏଏସ୍ ଅଧିକାରୀ ହେବାକୁ ତାଲିମ ନେଉଥିବା ଜଣାପଡ଼ିଛି। ହରିୟାଣାର ସିର୍ସା ନିବାସୀ ବିଜୟ ବର୍ଦ୍ଧନ ତାଙ୍କ ସହରରେ ସ୍କୁଲ ପାଠପଢ଼ା ଶେଷ କରିବା ପରେ ହିସାରରେ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ବି.ଟେକ୍ କରିଥିଲେ। ବି.ଟେକ୍ ପରେ ସେ ୟୁପିଏସସି ପାଇଁ ପ୍ରସ୍ତୁତ ହେବାକୁ ଦିଲ୍ଲୀ ଚାଲି ଆସିଥିଲେ।

ପ୍ରସ୍ତୁତିର ମଧ୍ୟରେ ‌ସେ ହରିୟାଣା ପିସିଏସ, ୟୁପିପିଏସସି, ଏସଏସସି ଏବଂ ସିଜିଏଲ ଭଳି ୩୦ଟି ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇଥିଲେ ବି ଗୋଟିଏରେ ମଧ୍ୟ ସଫଳ ହୋଇନଥିଲେ। ଏହା ସତ୍ତ୍ବେ ସେ ନିରାଶ ନହୋଇ ୨୦୧୪ରେ ପ୍ରଥମ ଥର ପାଇଁ ୟୁପିଏସସି ପରୀକ୍ଷା ଦେଇଥିଲେ। ହେଲେ ତାଙ୍କୁ ସଫଳତା ମିଳିନଥିଲା। ଏହା ପରେ ସେ କ୍ରମାଗତ ଭାବେ ୟୁପିଏସସି ପରୀକ୍ଷା ଦେଇଥିଲେ ବି ପ୍ରତ୍ୟେକ ଥର ବିଫଳ ହୋଇଥିଲେ।

ହେଲେ ଶେଷରେ, ତାଙ୍କର କଠିନ ପରିଶ୍ରମର ଫଳ ତାଙ୍କୁ ୨୦୧୮ରେ ମିଳିଲା। ସେ ଅଲ୍ ଇଣ୍ଡିଆ ରାଙ୍କ୍ (ଏଆଇଆର) ୧୦୪ ସହିତ ୟୁପିଏସସି ପରୀକ୍ଷ‌ା ପାସ୍ କରିଥିଲେ ଏବଂ ଆଇପିଏସ୍ ହୋଇଥିଲେ। ତେବେ ଆଇପିଏସ୍ ହୋଇ ଖୁସି ନଥିବାରୁ ସେ ପୁନର୍ବାର ୟୁପିଏସସି ପରୀକ୍ଷା ଦେଇ ୨୦୨୧ରେ ଆଇଏଏସ ହୋଇଥିବା ଜଣାପଡ଼ିଛି।