ଅଜମେର: ଆଇପିଏଏସ୍ ହେବା ପାଇଁ ଆମେରିକା ଛାଡ଼ି ଭାରତ ଆସିଲେ ଅନୁକ୍ରିତି ଶର୍ମା। ୫ଥର ଚେଷ୍ଟା କରିବା ପରେ ମିଳିଲା ସଫଳତା। ପୂର୍ବରୁ ଆମେ ଅନେକ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କ ସଫଳତାର କାହାଣୀ ଆପଣଙ୍କ ପାଖରେ ପହଞ୍ଚାଇଥିବା ବେଳେ ଆଜି ରାଜସ୍ଥାନର ଅଜମେରରେ ରହୁଥିବା ଅନୁକ୍ରିତି ଶର୍ମାଙ୍କ ଆଇପିଏଏସ୍ ହେବାର ଯାତ୍ରା ବିଷୟରେ କହିବୁ।
ସୂଚନା ମୁତାବକ, ଅନୁକ୍ରିତି ଶର୍ମା ୨୦୨୦ବ୍ୟାଚର ଜଣେ ଆଇପିଏସ୍ ଅଧିକାରୀ। ସେ ରାଜସ୍ଥାନରେ ଥିବା ଅଜମେରର ବାସିନ୍ଦା।ଅନୁକ୍ରିତି ଜୟପୁରର ଇଣ୍ଡୋ ଭାରତ ଇଣ୍ଟରନ୍ୟାସନାଲ ସ୍କୁଲରୁ ତାଙ୍କର ପାଠପଢ଼ା ସମାପ୍ତ କରିବା ପରେ କୋଲକାତାର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚରୁ ବ୍ୟାଚଲର ଅଫ୍ ସିଦ୍ଧ ମେଡିସିନ ଆଣ୍ଡ ସର୍ଜରୀ (ବିଏସ୍ଏମ୍ଏସ୍)ରେ ଡିଗ୍ରୀ ହାସଲ କରିଥିଲେ।
ଏହି ସମୟରେ ତାଙ୍କର ଦେଖା ବନାରସର ବୈଭବ ମିଶ୍ରାଙ୍କ ସହ ହୋଇଥିଲା। ପ୍ରଥମେ ଦୁହେଁ ଭଲ ବନ୍ଧୁ ଥିବା ବେଳେ ପରେ ଏହା ଭଲପାଇବାରେ ପରିଣତ ହୋଇଥିଲା। ୨୦୧୨ରେ ଟେକ୍ସାସର ରାଇସ୍ ୟୁନିଭରସିଟିରେ ଦୁହିଁଙ୍କୁ ପିଏଚଡି କରିବରେ ସୁଯୋଗ ମିଳିବାରୁ ବିବାହ କରି ପାଠ ପଢ଼ିବାକୁ ଯାଅ ବୋଲି ଦୁହିଁଙ୍କ ପରିବାର କହିଥିଲେ। ଏହା ପରେ ୨୦୧୩ରେ ଦୁହେଁ ବିବାହ କରି ପିଏଚଡି କରିବା ପାଇଁ ଟେକ୍ସାସ ଯାଇଥିଲେ। ପିଏଚଡି କରିବା ସମୟରେ ଅନୁକ୍ରିତିଙ୍କୁ ନାସାରେ ଚାକିରି କରିବାର ଅଫର ମିଳିଥିଲା। ହେଲେ କିଛି ଦିନ ଚାକିରି କରିବା ପରେ ଲକ୍ଷ ଲକ୍ଷ ଟଙ୍କାର ଦରମା ଛାଡ଼ି ଅନୁକ୍ରିତି ଓ ବୈଭବ ଭାରତ ଫେରିଥିଲେ।
ଆଇପିଏଏସ ହେବାର ସ୍ବପ୍ନ ଥିବାରୁ ଅନୁକ୍ରିତି ଭାରତ ଆସି ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ହେଲେ ତାଙ୍କ ପାଇଁ ଆଇପିଏସ ହେବା ସହଜ ନଥିଲା। ୪ଥର ପରୀକ୍ଷା ଦେଇ ସଫଳ ନହେବା ପରେ ହାରିନଯାଇ ପଞ୍ଚମ ଥର ଚେଷ୍ଟା କରିଥିଲେ ଅନୁକ୍ରିତି। ୨୦୨୦ରେ ସେ ଦେଇଥିବା ୟୁପିଏସସି ପରୀକ୍ଷାରେ ତାଙ୍କ ସ୍ବପ୍ନ ସାକାର ହେବା ସହ ସେ ଆଇପିଏସ୍ ହେବାରେ ସଫଳ ହୋଇଥିଲେ।
ଏବେ ଅନୁକ୍ରିତି ଆଇପିଏସ୍ ହୋଇଥିବା ବେଳେ ତାଙ୍କ ସ୍ୱାମୀ ବୈଭବ ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ଶିକ୍ଷକ ଭାବରେ ଶିକ୍ଷାଦାନ କରୁଛନ୍ତି।