ଜୟପୁର: ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜିର ଫଳାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ୨୦ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୧.୪୫ ଲକ୍ଷ ଛାତ୍ରଛାତ୍ରୀ ନିଟ୍-ୟୁଜି ପରୀକ୍ଷାରେ ପାସ୍ କରିଛନ୍ତି। ରାଜସ୍ଥାନର ପାର୍ଥ ଖଣ୍ଡେଲୱାଲ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ପାର୍ଥ ଜାତୀୟ ସ୍ତରରେ ଶ୍ରେଷ୍ଠ ୧୦ତାଲିକାରେ ଦଶମ ସ୍ଥାନ ହାସଲ କରିଥିବା ବେଳେ ତାଙ୍କ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ୭୨୦ରୁ ପାର୍ଥ ୭୧୫ମାର୍କ ସ୍କୋର କରିବାରେ ସଫଳ ହୋଇଛନ୍ତି।
ଏତେ ବଡ଼ ସଫଳତା ମିଳିବା ପରେ ସେ କିଭଳି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ, ତାହା ଜଣାଇଛନ୍ତି। ପାର୍ଥ ଖଣ୍ଡେଲୱାଲ ରାଜସ୍ଥାନର ଜୟପୁର ସହରରେ ରହିବା ସହ ଏଲନ୍ କ୍ୟାରିଅର୍ ଇନଷ୍ଟିଚ୍ୟୁଟରେ ପାଠ ପଢ଼ୁଥିଲେ। ଏହିଠାରେ ସେ ନିଟ୍ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ଏତେ ବଡ଼ ସଫଳତା ପରେ ପାର୍ଥ କହିଛନ୍ତି, ଏଲନରେ ପଢ଼ିବା ପରେ ମୁଁ ପରୀକ୍ଷା ପାଇଁ ୧୨ଘଣ୍ଟା ପରିଶ୍ରମ କରୁଥିଲି। ସକାଳ ୧୦ରୁ ରାତି ୧୦ଯାଏ ମୁଁ ପାଠ ପଢ଼ୁଥିଲି। ସୋସିଆଲ ମିଡିଆଠାରୁ ମୁଁ ନିଜକୁ ଦୂରେଇ ରଖୁଥିଲି। ହେଲେ ଦରକାର ପଡ଼ିଲେ ବେଳେ ବେଳେ ଅଧ୍ୟୟନର ଆବଶ୍ୟକତା ଅନୁଯାୟୀ ମୁଁ ହ୍ବାଟସ୍ ଆପ୍ ଦେଖୁଥିଲି। ତେଣୁ ସଫଳ ହେବାକୁ କଠିନ ପରିଶ୍ରମ ଏବଂ ଏକାଗ୍ରତା ଜରୁରୀ।
ତେବେ ପାର୍ଥ ଖଣ୍ଡେଲୱାଲଙ୍କ ପିତା ସୁଧୀର ଖଣ୍ଡେଲୱାଲ ଜଣେ ଡ୍ରାଏ ଫୁଡସ ବ୍ୟବସାୟୀ ଏବଂ ମାତା ରିତୁ ଖଣ୍ଡେଲୱାଲ ଜଣେ ଗୃହିଣୀ। ବର୍ତ୍ତମାନ ପାର୍ଥ ଦିଲ୍ଲୀ ଏମ୍ସରୁ ଏମବିବିଏସ କରିବାକୁ ଚାହୁଁଛନ୍ତି। ଏହା ପରେ, ସେ ନ୍ୟୁରୋ କିମ୍ବା ହୃଦରୋଗ ଚିକିତ୍ସକ ହେବାକୁ ଇଚ୍ଛା ରଖିଛନ୍ତି।