ନୂଆଦିଲ୍ଲୀ: ଡିଜିଟାଲ୍ ଯୁଗରେ ବିଭିନ୍ନ ଲୋକ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଉଛନ୍ତି। ଘରେ ରହୁଥିବା ସାଧାରଣ ମହିଳାମାନେ ବି ରାତାରାତି ଷ୍ଟାର୍ ପାଲଟି ପାରୁଛନ୍ତି। ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ନିଶା ମଧୁଲିକା। ସେ ଜଣେ ସାଧାରଣ ମହିଳାରୁ କିପରି ଜଣେ ସଫଳ ୟୁଟ୍ୟୁବର୍ ପାଲଟି ପାରିଛନ୍ତି ତାହା ଆମେ ଆଜି ଆଲୋଚନା କରିବା। ତାଙ୍କ ସଫଳତାର ଯାତ୍ରା ନିଶ୍ଚୟ ଆମକୁ ପ୍ରେରଣା ଯୋଗାଇବ।
ତାଙ୍କର ଏହି ଯାତ୍ରା ସଂପର୍କରେ କେଉଁଠାରେ ବିଶେଷ ଉଲ୍ଲେଖ ନାହିଁ। ହେଲେ ତାଙ୍କର ୟୁଟ୍ୟୁବ୍ ଭିଡିଓ ହୁଏତ ଆପଣ ଦେଖିଥିବେ। ସେ ତାଙ୍କର ରୋଷେଇ ରେସିପି ପାଇଁ ୟୁଟ୍ୟୁବ୍ରେ ବେଶ୍ ଜଣାଶୁଣା। ୧୩.୭ ମିଲିୟନ୍ ସବ୍ସ୍କ୍ରାଇବର୍ ସହିତ ନିଶା ଏବେ ଘରେ ଘରେ ପରଚିତ।
ପୂର୍ବରୁ ଶିକ୍ଷାଦାନ ମାଧ୍ୟମରେ ବଞ୍ଚିତ ପିଲାମାନଙ୍କୁ ଜ୍ଞାନ ପ୍ରଦାନ ପାଇଁ ଉତ୍ସର୍ଗୀକୃତ ନିଶା ଏବେ ଖାଦ୍ୟ ପ୍ରଣାଳୀ ବିଷୟରେ ଟିପ୍ସ ଦେଉଛନ୍ତି। ୟୁଟ୍ୟୁବ୍ରେ ସେ ଛାଡୁଥିବା ଖାଦ୍ୟ ରେସିପିର ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି।
୨୦୧୧ ମସିହାରେ ନିଶାଙ୍କୁ ୫୬ ବର୍ଷ ବୟସ ହୋଇଥାଏ। ସେହି ସମୟରେ ସେ ନିଜର ୟୁଟ୍ୟୁବ୍ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କୁ ଆଗକୁ ଯିବାକୁ ଉତ୍ସାହିତ କରିଥିଲେ ତାଙ୍କ ସ୍ବାମୀ ଓ ପୁଅ। ଧୀରେ ଧୀରେ ତାଙ୍କ ଭିଡିଓର ଭିୟୁ ବଢ଼ିବାରୁ ନିଜ ରୋଷେଇ କଳାକୁ ନେଇ ସେ ଆତ୍ମସନ୍ତୋଷ ଲାଭ କଲେ ଓ ତାଙ୍କର ଏହି ଦକ୍ଷତା ସମୟ ଅନୁସାରେ ବିଶ୍ୱସ୍ତରୀୟ ଦର୍ଶକଙ୍କୁ ଆକର୍ଷିତ କଲା।
ଏବେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଚଳାଇବା ପାଇଁ ସେ ଏକ ୫ ଜଣିଆ ଟିମ୍ ଗଠନ କରିଛନ୍ତି। ତାଙ୍କ ସ୍ବାମୀ ଅଫିସ ଯିବା ପୂର୍ବରୁ ନିଶା ମଧୁଲିକାଙ୍କ ଭିଡିଓ ସୁଟ୍ କରିଯାଆନ୍ତି। ନିଜ ବେଡ୍ରୁମ୍କୁ ରୋଷେଇ ଘରର ସେଟ୍ଅପ୍ କରି ଭିଡିଓ ସୁଟ୍ କରନ୍ତି ନିଶା, ଯାହାକି ଭିଡିଓର କ୍ବାଲିଟିକୁ ବୃଦ୍ଧି କରିଥାଏ। ଏବେ ତାଙ୍କ ନିକଟରେ ୩.୫୮ ମିଲିୟନ୍ ଡଲାରର ସଂପତ୍ତି ଅଛି।