ଜନ୍ମ ପରେ ଦୁଇ ହାତ ଠିକ୍‌ ଭାବରେ ବଢ଼ି ନଥିବାରୁ ଗୋଡ଼ରେ ଚିତ୍ର ଆଙ୍କୁଥିଲେ ରିତିକ୍‌, ଏବେ କୃତ୍ରିମ ଅଙ୍ଗ ଲଗାଇବାରେ ସାଜିଛନ୍ତି ପ୍ରଥମ ଭାରତୀୟ

ନୂଆଦିଲ୍ଲୀ: କଥାରେ ଅଛି ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଏହି କଥାଟିକୁ ସତ କରି ଦେଖାଇଛନ୍ତି ଦିବ୍ୟାଙ୍ଗ ରିତିକ୍‌ । ନିଜର ଦୁଇ ହାତ ନଥାଇ ମଧ୍ୟ ସେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ରିତିକ୍‌ଙ୍କ ଜନ୍ମ ଅକ୍ଟୋବର ୧୮, ୨୦୦୦ମସିହାରେ ହୋଇଥିଲା । ଜନ୍ମ ପରେ ରିତିକ୍‌ ବାଇଲାଟେରାଲ ଏଲ୍‌ବୋ ଡ଼ିସାର୍ଟିକୁଲେସନ୍‌ ସମସ୍ୟା ରହିଥିବା ଡ଼ାକ୍ତର ରିତିକ୍‌ଙ୍କ ମା’ ରାମବତୀଙ୍କୁ ଜଣାଇଥିଲେ । ଏହି ସମସ୍ୟା ପାଇଁ କହୁଣୀଠାରୁ ତଳକୁ ତାଙ୍କ ହାତ ବଢ଼ି ପାରି ନଥିବା ଡ଼ାକ୍ତର ଜଣାଇଥିଲେ । ଏହା ଜାଣିବା ପରେ ରାମବତୀ ପ୍ରଥମେ ଭାଙ୍ଗି ପଡ଼ିଥିବା ବେଳେ ପରେ ସେ ନିଜ ପୁଅକୁ ଦୁନିଆର ସବୁ ଖୁସି ସହ ପରିଚିତ କରାଇବେ ବୋଲି ମନସ୍ଥ କରିଥିଲେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥାଇ ମଧ୍ୟ ସେ ରିତିକ୍‌ଙ୍କ ଚିକିତ୍ସା ପାଇଁ ଚେଷ୍ଟା କରିବା ସହ ତାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ । ଚିକିତ୍ସା ପାଇଁ ବିଭିନ୍ନ ଡ଼ାକ୍ତରଖାନା ଯାଇଥିଲେ ମଧ୍ୟ ଅଧିକ ଅର୍ଥ ବିଷୟରେ ଜାଣି ପାଦ ପଛକୁ ନେଇ ଆସିଥିଲେ ରାମବତୀ । ପରେ ରିତିକ୍‌ଙ୍କ ପାଠ ପଢ଼ା ପାଇଁ ନୂଆଦିଲ୍ଲୀରେ ଥିବା ଦିନ୍‌ଦୟାଲ ଉପାଧ୍ୟୟ ରାଷ୍ଟ୍ରୀୟ ସଂସ୍ଥାନରେ ନାମ ଲେଖା ଯାଇଥିଲା ।

The Logical Indian

୫ବର୍ଷ ବୟସ ହୋଇଥିବା ବେଳେ ରିତିକ୍‌ଙ୍କ ରଙ୍ଗ ଏବଂ ଚିତ୍ର ଆଙ୍କିବା ପ୍ରତି ରୁଚି ଆସିଥିଲା । ସଲମାନ ଖାନ୍‌ଙ୍କ ବହୁତ ବଡ଼ ପ୍ରଶଂସକ ହୋଇଥିବା ରିତିକ୍‌ ନିଜ ସମସ୍ୟାକୁ ବାଧକ ସାଜିବାକୁ ନ ଦେଇ ଗୋଡ଼ରେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ । ଥରେ ରାମବତୀ ଡ଼ିସ୍‌କଭ୍‌ରୀ ଚ୍ୟାନେଲ ଦେଖୁଥିବା ବେଳେ କୁତ୍ରିମ ଅଙ୍ଗ ବିଷୟରେ ଜାଣିବାକୁ ପାଇଥିଲେ । ରିତିକ୍‌ଙ୍କ ପାଇଁ ସେଭଳି ଏକ କୃତ୍ରିମ ହାତ ଯୋଗାଡ଼ କରିବା ପାଇଁ ଲାଗି ପଡ଼ିଥିଲେ । ନିଜର ଜମି ଜମା ମାମଲାକୁ ନେଇ ସେ ହଜାରି କୋର୍ଟ ଯାଇଥିବା ବେଳେ ତାଙ୍କ ଓକିଲ ଦିବ୍ୟାଙ୍ଗଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଅଧିକାର ପାଇଁ ଲଢ଼ୁଥିବା ସୁପ୍ରିମ କୋର୍ଟ ଓକିଲ ଅଶୋକ ଅଗ୍ରଓ୍ଵାଲଙ୍କୁ ଭେଟ କରାଇଥିଲେ । ରାମବତୀଙ୍କ ଅସୁବିଧା ବିଷୟରେ ଜାଣି ଅଶୋକ ରିତିକ୍‌ଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ରେ ଲାଗି ପଡ଼ିଥିଲେ । ମାମଲାକୁ ସର୍ବସମ୍ମୁଖକୁ ଆଣିବା ସହ ରିତିକ୍‌ଙ୍କ ଚିକିତ୍ସା ଖର୍ଚ୍ଚ ଉଠାଇବା ପାଇଁ ଦିଲ୍ଲୀରେ ଥିବା ସରକାରୀ ଡ଼ାକ୍ତରଖାନାରେ ସଂପର୍କ କରିଥିଲେ । ଚିକିତ୍ସା ଖର୍ଚ୍ଚ ଉଠାଇବାକୁ ରାଜି ହେବା ପରେ ଜୁନ୍‌ ୨୩ରେ ରିତିକ୍‌ଙ୍କ ଶରୀରରେ ଏକ କୃତ୍ରିମ ହାତ ଲଗାଯାଇଥିଲା । କିଛି ଦିନ ମଧ୍ୟରେ ଆଉ ଏକ କୃତ୍ରିମ ହାତ ରିତିକ୍‌ଙ୍କ ଶରୀରରେ ଲଗାଯିବ ବୋଲି ଜଣା ପଡ଼ିଛି । ଦୁଇଟି କୃତ୍ରିମ ହାତର ମୁଲ୍ୟ ୧୩ଲକ୍ଷ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର