୧୩ ବର୍ଷ ବୟସରେ ୧୮ଟି ଦେଶର ଜାତୀୟ ସଙ୍ଗୀତ ମନେରଖି ସାରିଲେଣି ରୁଦ୍ର ପ୍ରତାପ

ଆଜିକାଲି ପିଲାମାନେ ଆଗର ପିଲାମାନଙ୍କଠାରୁ ଅଧିକ ବୁଦ୍ଧିମାନ ହେବା ସହ ନୂଆ ନୂଆ ଜିନିଷକୁ ଶୀଘ୍ର ଶିଖିବା ଆରମ୍ଭ କରି ଦେଉଛନ୍ତି । ଛୋଟ ବୟସରୁ ସେମାନେ ଅଦ୍ଭୁତ କାମ ସବୁ କରିବା ସହ ବଡ଼ ବଡ଼ ବୁଦ୍ଧିଜୀବୀଙ୍କୁ ମଧ୍ୟ ପଛରେ ପକାଇ ଦେଉଛନ୍ତି । ସେଭଳି ଜଣେ ଶିଶୁ ପ୍ରତିଭାଙ୍କୁ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ୧୩ ବର୍ଷ ବୟସରେ ଉତ୍ତରପ୍ରଦେଶର ରୁଦ୍ର ପ୍ରତାପ ସିଂ ନିଜର ଅଦ୍ଭୁତ ପ୍ରତିଭାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରିଛନ୍ତି । ସେ ୧୮ଟି ଦେଶର ଜାତୀୟ ସଙ୍ଗୀତକୁ ମନେରଖି ତାକୁ ଗାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଟେଲିଭିଜନର ପ୍ରକୃତ ବ୍ୟବହାର କିପରି କରାଯାଏ ସେ ସମସ୍ତଙ୍କୁ ଶିଖାଇଛନ୍ତି । ଆମମାନଙ୍କ ଭଳି ସେ ମଧ୍ୟ ଅଧିକ ଟିଭି ଦେଖିବା ପାଇଁ ଭଲ ପାଆନ୍ତି । କିନ୍ତୁ ଟିଭି ମାଧ୍ୟମରେ କିପରି ବିଶ୍ୱ ରେକର୍ଡ଼ କରାଯାଇ ପାରିବ ତାହା ରୁଦ୍ର ସମସ୍ତଙ୍କୁ ଜଣାଇଛନ୍ତି । ଟିଭିରେ କ୍ରିକେଟ ବା ଫୁଟବଲ ଖେଳ ଚାଲିଥିବା ବେଳେ ଯେତେବେଳେ ଖେଳାଳିମାନେ ସେମାନଙ୍କର ଜାତୀୟ ସଙ୍ଗୀତ ଗାନ କରନ୍ତି ସେହି ସମୟରେ ରୁଦ୍ର ତାକୁ ଶୁଣିବା ସହ ମନେ ରଖିଥାନ୍ତି ।

indiatimes.com

ଏହାକୁ ସେ କିପରି ନିର୍ଭୁଲ ଭାବରେ ଗାଇ ପାରିବେ ସେଥିପାଇଁ ସେ ବାରମ୍ବାର ଚେଷ୍ଟା ମଧ୍ୟ କରନ୍ତି । ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ରୁଦ୍ର ଏବେ ୧୮ଟି ଦେଶର ଜାତୀୟ ସଙ୍ଗୀତ ଶିଖି ସାରିଥିବା ବେଳେ ତାଙ୍କୁ ୨୧ବର୍ଷ ହେବା ମଧ୍ୟରେ ୧୦୦ଟି ଦେଶର ଜାତୀୟ ସଙ୍ଗୀତ ଶିଖିବେ ବୋଲି ଆଶା ରଖିଛନ୍ତି । ଭବିଷ୍ୟତରେ ପାଇଲଟ ହେବାର ଆଶା ରଖିଥିବା ରୁଦ୍ର ବିଭିନ୍ନ ଦେଶକୁ ଯାଇ ସେମାନଙ୍କ ଦେଶର ଜାତୀୟ ସଙ୍ଗୀତ ଶିଖିବାକୁ ସେ ଚାହାନ୍ତି ବୋଲି କହିଛନ୍ତି ।

“ଆମେମାନେ ପ୍ରଥମେ ଦୁଇ ବର୍ଷ ତଳେ ଏକ ଫୁଟ୍‌ବଲ ମ୍ୟାଚ୍‌ ଚାଲିଥିବା ବେଳେ ରୁଦ୍ରର ଏହି ପ୍ରତିଭା ବିଷୟରେ ଜାଣିବାକୁ ପାଇଥିଲୁ । ଯେତେବେଳେ ଫ୍ରେଞ୍ଚ ଜାତୀୟ ସଙ୍ଗୀତ ବାଜିଥିଲା ସେ ହଠାତ୍‌ ଠିଆ ହୋଇ ଗାଇବାକୁ ଲାଗିଲା । ପ୍ରତିଟି ଶବ୍ଦକୁ ସେ ଭଲ ଭାବେ ଉଚ୍ଚାରଣ କରିବା ସହ ସମ୍ପୂର୍ଣ୍ଣ ସଙ୍ଗୀତକୁ ସେ ଗାଇଥିଲା” ବୋଲି ରୁଦ୍ରଙ୍କ ମା’ ଶିଖା ସିଂ କହିଛନ୍ତି ।
“ମୁଁ ଆନ୍ଥେମ୍‌ ଗର୍ଲ କାପ୍ରି ଏଭରିଟ୍ଟ୍‌ଙ୍କ ଠାରୁ ଅନୁପ୍ରାଣିତ ହୋଇଛି, ଯିଏକି ୮୦ଟି ଦେଶର ଜାତୀୟ ସଙ୍ଗୀତ ମନେ ରଖିବା ସହ ବିଶ୍ୱ ରେକର୍ଡ଼ କରିଛନ୍ତି । କେବଳ ତାଙ୍କ ପାଇଁ ମୁଁ ଏହା ଶିଖିବା ଆରମ୍ଭ କରିନି । ସମସ୍ତେ ନିଜ ଦେଶର ଜାତୀୟ ସଙ୍ଗୀତ ଗାନ ବେଳେ ଯେଉଁ ଗର୍ବ ଅନୁଭବ କରିଥାନ୍ତି ତାହା ମୋତେ ବହୁତ ଭଲ ଲାଗେ । ସବୁ ଦେଶର ଜାତୀୟ ସଙ୍ଗୀତ ଶିଖିବା ଦ୍ୱାରା ମୋତେ ‘ଗ୍ଳୋବାଲ ସିଟିଜେନ’ ଭଳି ଅନୁଭବ ହୁଏ” ବୋଲି ରୁଦ୍ର କହିଛନ୍ତି । ଏ ପର୍ଯ୍ୟନ୍ତ ସେ ୟୁଏସ୍‌, ଜୋର୍ଡାନ୍‌, ଫିଲିପାଇନ୍‌ସ, ୟୁଏଇ, ଜାପାନ, ପାକିସ୍ତାନ,ଅଷ୍ଟ୍ରେଲିଆ ଏବଂ ଇସ୍ରାଏଲର ଜାତୀୟ ସଙ୍ଗୀତ ଶିଖି ସାରିଛନ୍ତି ।

ସମ୍ବନ୍ଧିତ ଖବର