ଚର୍ଚ୍ଚାରେ ୧୦ଟଙ୍କିଆ ଡ଼ାକ୍ତର : ୨୨ବର୍ଷ ହେଲାଣି ସ୍ୱଳ୍ପ ମୂଲ୍ୟରେ ରୋଗୀମାନଙ୍କ ଚିକିତ୍ସା କରି ଆସୁଛନ୍ତି ଡ଼ାକ୍ତର କଲ୍ଲେଶ

ବେଙ୍ଗାଲୁର : କିଛି ମାସ ତଳେ ଡ଼ାକ୍ତର ଏସ୍‌. ଜୟାଚଦ୍ରନ ସ୍ୱଳ୍ପ ମୂଲ୍ୟରେ ଚିକିତ୍ସା କରିବାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ । ମାତ୍ର ୨ଟଙ୍କା ନେଇ ସେ ରୋଗୀମାନଙ୍କର ଚିକିିତ୍ସା କରୁଥିବାରୁ ତାଙ୍କର ଏଭଳି କାମକୁ ନେଇ ଅନେକ ପ୍ରଶଂସା କରାଯାଇଥିଲା । ଚେନ୍ନାଇରେ ରହୁଥିବା ଏସ୍‌. ଜୟାଚଦ୍ରନଙ୍କର କିଛି ଦିନ ପୂର୍ବରୁ ଦେହାନ୍ତ ହେବା ପରେ ଏବେ କର୍ଣ୍ଣାଟକର ଜଣେ ଡ଼ାକ୍ତର କମ୍‌ ଦାମ୍‌ରେ ଚିକିତ୍ସା କରୁଥିବାରୁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କର୍ଣ୍ଣାଟକର ମଲ୍ଲାସମୁଦ୍ର ଗାଁରେ ରହୁଥିବା କଲ୍ଲେଶ ମୂରାଶିଲିନ୍‌ ରୋଗୀମାନଙ୍କଠାରୁ ୧୦ଟଙ୍କା ନେଇ ଚିକିତ୍ସା କରୁଥିବାର ଖବର ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ବେଳେ ବେଳେ ସେ ରୋଗୀମାନଙ୍କ ଆର୍ଥିକ ଅବସ୍ଥା ଦେଖି ଆଦୌ ଟଙ୍କା ନିଅନ୍ତି ନାହିଁ ବୋଲି ଜଣା ପଡ଼ିଛି ।

timesofindia.indiatimes.com

ଗରିବ ଲୋକମାନଙ୍କୁ କମ୍‌ ମୂଲ୍ୟରେ ଚିକିତ୍ସା ଦେବା ଉଦ୍ଦେଶ୍ୟରେ ସେ ୨୨ବର୍ଷ ହେଲାଣି ଏପରି କରି ଆସୁଛନ୍ତି । ନିଜେ ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ବେଳେ, ଟଙ୍କା ଅଭାବରୁ ଲୋକମାନେ କିପରି ନିଜର ଚିକିତ୍ସା କରାଇବାରୁ ବଞ୍ଚିତ ରୁହନ୍ତି ତାହା ଦେଖିଥିଲେ । ଭବିଷ୍ୟତରେ ଗୋଟେ ଭଲ ଡ଼ାକ୍ତର ହେବା ପାଇଁ ସେ କ୍ଷୀର ବିକିବା ସହ ସାମୟିକ ଚାକିରି କରି ପଢ଼ିବା ଆରମ୍ଭ କରିଥିଲେ । ଡ଼ାକ୍ତରୀ ପାଠ ପଢ଼ା ସରିବା ପରେ ସହରକୁ ନ ଯାଇ ସେ ନିଜ ଗାଁରେ ଲୋକମାନଙ୍କୁ କମ୍‌ ମୂଲ୍ୟରେ ଚିକିତ୍ସା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ୧୦ଟଙ୍କା ନେଇ ଚିକିତ୍ସା ଆରମ୍ଭ କରିବା ସହ ସୁସ୍ଥ ରହିବା ପାଇଁ ଲୋକମାନଙ୍କୁ ସାଇକେଲ୍‌ ଚଲାଇବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏବେ ତାଙ୍କ କାମକୁ ନେଇ ଚାରି ଆଡ଼େ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସମ୍ବନ୍ଧିତ ଖବର