ରାଜକୋଟ: ଗୁଜୁରାଟର ସାବରକୁନ୍ଦଲା ସହରର ବ୍ରଜଲାଲ ଭଲୋଦରା ନାମକ ଜଣେ ବ୍ୟକ୍ତି ୫୦ ବର୍ଷ ଭିତରେ ଲଗାତର ୩୬ ଥର ନିର୍ବାଚନ ଲଢ଼ିବା ପରେ ଏବେ ଚର୍ଚ୍ଚାରେ ରହିଛନ୍ତି। ବ୍ରଜଲାଲଙ୍କ ବୟସ ୭୦ ବର୍ଷ। ସେ ନିଜ ବାଇସାଇକେଲ୍‌ରେ ମାଇକ୍‌ ଏବଂ ଲାଉଡ୍‌ସ୍ପିକର୍‌ ସଂଯୋଗ କରି ଦିନକୁ ପ୍ରାୟ ୬ ରୁ ୮ ସହରରେ ବୁଲି ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି। ଏହି ୫୦ ବର୍ଷ ମଧ୍ୟରେ ସାବରକୁନ୍ଦଲା ନିର୍ବାଚନ ମଣ୍ଡଳୀରୁ ଭଲୋଦରା ମହାନଗର ନିଗମରୁ ନେଇ ଲୋକସଭା ଏବଂ ବିଧାନସଭା ପର୍ଯ୍ୟନ୍ତ ୩୬ଥର ନର୍ବାଚନ ଲଢ଼ି ସବୁଥର ହାରିଛନ୍ତି। କଂଗ୍ରେସ ଏବଂ ବିଜେପି ଦେଶକୁ ଲୁଟୁଛନ୍ତି ବୋଲି ଏକ ହୋର୍ଡିଂରେ ଲେଖି ସେ ଲଗାତର ଭାବେ ରାଲି ଚଳାଇଛନ୍ତି।

Advertisment

ସେ ଗଣମାଧ୍ୟମରେ ଜଣାଇଛନ୍ତି ଯେ ‘ବିଜୟ କିମ୍ବା ପରାଜୟର ଭୟ ମୋର ନାହିଁ। ରାଜନେତାମାନେ କିଭଳି କେବଳ ଟଙ୍କା ପାଇଁ ରାଜନୀତି କରୁଛନ୍ତି ତାହା ମୁଁ ଜଣାଇବାକୁ ଚାହେଁ। ମୁଁ ଲୋକଙ୍କ ପାଇଁ କାମ କରେ। ଲୋକଙ୍କ କାମ ନେଇ ମୁଁ ମୁନିସ୍‌ପାଲଟି ଏବଂ ତହସିଲ୍‌ ଯାଏ। ମୋର ସ୍ୱାର୍ଥ ହୀନ ସେବା ପାଇଁ ଲୋକେ ମେତେ ଭେଟ ଦିଅନ୍ତି। ମୋ ପରିବାର ସଦସ୍ୟ ମୋର କୌଣସି କଥାରେ ମୁଣ୍ଡ ପୁରାନ୍ତି ନାହିଁ।’

ଉଲ୍ଲେଖଯୋଗ୍ୟ, ୨୦୧୪ ନିର୍ବାଚନରେ ଭଲୋଦରା ସମୁଦାୟ ୮,୦୦୦ ଭୋଟ ପାଇଥିଲେ। ଭଲୋଦରାଙ୍କର ୩ ପୁଅ ଏବଂ ଜଣେ ଝିଅ ଅଛନ୍ତି। ୨ ପୁଅ ବ୍ୟାଙ୍କ୍‌ରେ ଚାକିରି କରିଥିବା ବେଳେ ଆଉ ଜଣେ ଏଲ୍‌ଆଇସି ଚାକିରିଆ। ଭଲୋଦରା ନିଜ ପରିବାର ଛାଡ଼ି ଏକୁଟିଆ ରହୁଛନ୍ତି। ବ୍ରଜଲାଲଙ୍କର ଏହି ନିର୍ବାଚନ ଲଢ଼ା ନିଷ୍ପତ୍ତିରେ ତାଙ୍କ ନାତି ତାଙ୍କୁ ସମର୍ଥନ କରନ୍ତି।